ମୋଦି ସରକାରଙ୍କ ବିକାଶ ପାଇଁ ପ୍ରାଥମିକତାର କେନ୍ଦ୍ରରେ ଦେଶ ଓ ରାଜ୍ୟର ଗରୀବ ଲୋକ ମାନେ ହିଁ ରହିଛନ୍ତି – ଧର୍ମେନ୍ଦ୍ର ପ୍ରଧାନ

ବାଲେଶ୍ୱରରେ ଏଲପିଜି ପାଇପଲାଇନ, ବଟଲିଂ ପ୍ଲାଂଟର କ୍ଷମତା ବୃଦ୍ଧି ଓ ଅଶୋଧିତ ତୈଳ ପମ୍ପ ଷ୍ଟେସନ ଉଦଘାଟିତ
Pic 2- Union Minister of Petroleum & Natural Gas Skill Development & Entrepreneurship Shri Dharmendra Pradhan inaugurates pump station LPG PHD pipeline LPG Bottling plant at Balasore
• ୨୦୧୪ ମସିହାରେ ମୋଦି ସରକାର ଆସିବା ବେଳେ ଓଡିଶାର ୨୦ ପ୍ରତିଶତ ଘରେ ଏଲପିଜି ସଂଯୋଗ ଥିବା ବେଳେ ୬୨ ପ୍ରତିଶତରେ ପହଂଚିଛି
• କେବଳ ନୂଆ ଏଲପିିଜି ସଂଯୋଗ ନୁହେଁ ଏଲପିଜି ଯୋଗାଣର ଭିତିଭୂମିକୁ ମୋଦି ସରକାର ଓଡିଶାରେ ଦୃଢ କରିଛନ୍ତି
• ଏହି ପ୍ରକ୍ରିୟାର ଅଙ୍ଗ ଭାବରେ ବିଦେଶରୁ ପାରାଦୀପ ବନ୍ଦର ଦେଇ ଆସୁଥିବା ଏଲପିଜିକୁ ଆଉ ଟ୍ରକ ଯୋଗେ ସଡକ ପଥରେ ନୁହେଁ ପାଇପ ଯୋଗେ କମ ଖର୍ଚରେ ବାଲେଶ୍ୱର ଅଣା ଯିବା ଶୁଭାରମ୍ଭ ହେଲା
• ବାଲେଶ୍ୱର ସ୍ଥିତ ଏଲପିଜି ବଟଲିଂ ପ୍ଲାଂଟର କ୍ଷମତା ବାର୍ଷିକ ୬୦ ଲକ୍ଷରୁ ୧ କୋଟି ୩୦ ଲକ୍ଷରେ ପହଂଚିଲା
• ରାଜ୍ୟର ଗରୀବଙ୍କୁ ପକ୍କା ଘର, ପାଇଖାନା, ବିଜୁଳି ପାଇଁ କେନ୍ଦ୍ର ସରକାର ଭଣ୍ଡାର ଖୋଲିଛନ୍ତି
• ରାଜ୍ୟର ଶାସକ ଦଳର କୁଜି ନେତାଙ୍କ ସୁପାରିଶରେ ନୁହେଁ ପଲ୍ଲି ସଭା ଓ ପଂଚାୟତ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଦଳ ମତ ନିର୍ବିଶେଷରେ ନିର୍ବାଚିତ ପଂଚାୟତ ପ୍ରତିନିଧିଙ୍କୁ ଆହ୍ୱାନ
ବାଲେଶ୍ୱର, ୨୯ ଏପ୍ରିଲ – ମୋଦି ସରକାରଙ୍କ ବିକାଶ ପାଇଁ ପ୍ରାଥମିକତାର କେନ୍ଦ୍ରରେ ଦେଶ ଓ ରାଜ୍ୟର ଗରୀବ ଲୋକ ମାନେ ହିଁ ରହିଛନ୍ତି ବୋଲି ବାଲେଶ୍ୱର ଠାରେ ଏକ ବିଶାଳ ଜନସଭାକୁ ଉଦବୋଧନ ଦେଇ କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବାଲେଶ୍ୱର ଜିଲ୍ଲାର ହିଡିଗାଁ ଠାରେ ଅଶୋଧିତ ତୈଳ ପାଇପଲପାଇନର ପମ୍ପ ଷ୍ଟେସନ, ପାରାଦୀପରୁ ବାଲେଶ୍ୱର ଏଲପିଜି ପାଇପଲାଇନ ଓ ବାଲେଶ୍ୱର ଏଲପିଜି ବଟଲିଂ ପ୍ଲାଂଟର କ୍ଷମତା ବୃଦ୍ଧି ପ୍ରକଳ୍ପର ଶୁଭ ଉଦଘାଟନ ଅବସରରେ ଉଦବୋଧନ ଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ୨୦୧୪ ମସିହାରେ ମୋଦି ସରକାର ଆସିବା ବେଳେ ଓଡିଶାର ୨୦ ପ୍ରତିଶତ ଘରେ ଏଲପିଜି ସଂଯୋଗ ଥିଲା । ଏବେ ଏହା ୬୨ ପ୍ରତିଶତରେ ପହଂଚି ସାରିଛି । ଶ୍ରୀ ପ୍ରଧାନ କହିଛନ୍ତି ଯେ ୨୦୧୪ ମସିହା ସୁଦ୍ଧା ବାଲେଶ୍ୱର ଜିଲ୍ଲାରେ ୧୯ ପ୍ରତିଶତ ଏଲପିଜି ଥିବା ବେଳେ ଆଜି ଦିନରେ ତାହା ୬୦ ପ୍ରତିଶତରେ ପହଂଚିଛି । ମୟୁରଭଂଜ ୯ ପ୍ରତିଶତରୁ ୩୫ ପ୍ରତିଶତ, କେନ୍ଦୁଝର ୧୫ ପ୍ରତିଶତରୁ ୪୫ ପ୍ରତିଶତ ଓ ଭଦ୍ରକ ୧୫ ପ୍ରତିଶତରୁ ୭୫ ପ୍ରତିଶତରେ ପହଂଚିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଏହି ଚାରିଟି ଜିଲ୍ଲାରେ ୨୦୧୪ ମସିହା ସୁଦ୍ଧା ୨ ଲକ୍ଷ ୮୦ ହଜାର ଲୋକଙ୍କ ଘରେ ଏଲପିଜି ଥିବା ବେଳେ ଏବେ ଏହା ୪ ଲକ୍ଷ ୩୦ ହଜାର ବୃଦ୍ଧି ପାଇ ୭ ଲକ୍ଷ ୧୦ ହଜାରରେ ପହଂଚିଛି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ କେବଳ ନୂଆ ଏଲପିିଜି ସଂଯୋଗ ନୁହେଁ ଏଲପିଜି ଯୋଗାଣର ଭିତିଭୂମିକୁ ମୋଦି ସରକାର ଓଡିଶାରେ ଦୃଢ କରିଛନ୍ତି । ଏହି ପ୍ରକ୍ରିୟାର ଅଙ୍ଗ ଭାବରେ ବିଦେଶରୁ ପାରାଦୀପ ବନ୍ଦର ଦେଇ ଆସୁଥିବା ଏଲପିଜିକୁ ଆଉ ଟ୍ରକ ଯୋଗେ ସଡକ ପଥରେ ନୁହେଁ ପାଇପ ଯୋଗେ କମ ଖର୍ଚରେ ବାଲେଶ୍ୱର ଅଣା ଯିବ । ବାଲେଶ୍ୱର ଠାରେ ଥିବା ଏଲପିଜି ବଟଲିଂ ପ୍ଲାଂଟର କ୍ଷମତା ମଧ୍ୟ ବୃଦ୍ଧି କରା ଯାଇଛି । ପୂର୍ବରୁ ବାଲେଶ୍ୱର ବଟଲିଂ ପ୍ଲାଂଟର କ୍ଷମତା ବାର୍ଷିକ ୬୦ ଲକ୍ଷ ଏଲପିଜି ସିଲିଣ୍ଡର ଭର୍ତି କରିବା ଥିବା ବେଳେ ଏହା ବୃଦ୍ଧି ପାଇ ଏକ କୋଟି ୩୦ ଲକ୍ଷରେ ପହଂଚିଛି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ଚାରିଟି ଜିଲ୍ଲାରେ ୨୦୧୪ ସୁଦ୍ଧା ମୋଟ ୧୧୯ଟି ଏଲପିଜି ବିତରକ ଥିଲା ବେଳେ ଆଉ ୮୩ଟି ନୂଆ ବିତରକ ତିଆରି କରା ଯାଇଛି । ଗୋଟିଏ ବିତରକ ମାନେ ୧୫ ଜଣଙ୍କର ରୋଜଗାର ସୁଯୋଗ ସୃଷ୍ଟି ବୋଲି ସେ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଘରୋଇ ଧୁଆଁ ଜନିତ ପ୍ରଦୂଷଣ କାରଣରୁ ଦେଶର ୫୦ ଲକ୍ଷ ମହିଳାଙ୍କ ଜୀବନ ଦମା, କାଶ ଓ ଯକ୍ଷ୍ମା ବେମାରୀ ଯୋଗୁ ଯାଉଛି । ଦେହ ଖରାପ ଯୋଗୁ ଚିକିତ୍ସା ପାଇଁ ଅର୍ଥ ଖର୍ଚ ହେଉଛି । ଚୁଲୀ ଜଳାଇବା ପାଇଁ କାଠ, କୁଟା, ଘସି, ଗୋବର କରି ସମୟ ଖର୍ଚ ହେଉଛି । ମୋଦି ସରକାର ମହିଳା ମାନଙ୍କୁ ଏ ସବୁ କଷ୍ଟରୁ ମୁକ୍ତି ଦେବା ପାଇଁ ଏଲପିଜି ଯୋଗାଣକୁ ଏକ ଜନ ଆନେ୍ଦାଳନରେ ପରିବର୍ତନ କରିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ କେବଳ ଏଲପିଜି ନୁହେଁ ଦେଶର ଗରୀବ ମାନେ ମୋଦି ସରକାରଙ୍କର ପ୍ରାଥମିକତା । ପୂର୍ବରୁ ଗରୀବଙ୍କୁ ପକ୍କା ଘର ପାଇଁ ଇନ୍ଦିରା ଆବାସ ଯୋଜନାରେ ଘରର ମୂଲ୍ୟ ୭୦ ହଜାର ଟଙ୍କା ଥିଲା । ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏହି ଘରର ମୂଲ୍ୟ ଦେଢ ଲକ୍ଷ ଟଙ୍କା ହୋଇଛି । ପୂର୍ବରୁ ବର୍ଷକୁ ପଂଚାୟତ ପିଛା ୧୫ ଟି ଘର ଆସୁଥିଲା ବେଳେ ଏହା ଏବେ ୫୦କୁ ଟପିଲାଣି । ଏହି ଘର ରାଜ୍ୟର ଶାସକ ଦଳର କୁଜି ନେତା ମାନଙ୍କୁ ହାତ ଗୁଂଜାରେ ତାଲିକା ତିଆରି ନ ହୋଇ ଗ୍ରାମସଭା, ପଲ୍ଲୀସଭା ଓ ପଂଚାୟତ ଆଧାରରେ ହେବା ଜରୁରୀ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଦଳ ମତ ନିର୍ବିଶେଷରେ ସରପଂଚ. ସମତି ସଭ୍ୟ ମାନେ ସଠିକ ଲୋକଙ୍କୁ ଏହି ଯୋଜନାର ଲାଭ ପହଂଚାଇବାକୁ କାମ କରନ୍ତୁ ବୋଲି ଶ୍ରୀ ପ୍ରଧାନ ଆହ୍ୱାନ ଜଣାଇଛନ୍ତି ।
ମୋଦି ସରକାର ସମସ୍ତଙ୍କ ଘରେ ୧୨ ହଜାର ଟଙ୍କା ଦେଇ ପାଇଖାନା ବନାଇବାକୁ ଚାହୁଁଛନ୍ତି । ଏବେ ମାତ୍ର ୪୫ ପ୍ରତିଶତ ଘରେ ପାଇଖାନା ପହଂଚିଛି । ଓଡିଶା ସରକାର ମୋଦି ସରକାରଙ୍କ ଏହି ଯୋଜନାକୁ ଆଗ୍ରହର ସହିତ କ୍ରିୟାନ୍ୱିତ କରୁ ନାହାନ୍ତି । ଏକ କୋଟିରୁ ୪୦ ଲକ୍ଷ ଘରେ ଆଜି ବି ବିଜୁଳି ପହଂଚି ନାହିଁ । ପ୍ରତି ଘରେ ବିଜୁଳି ପହଂଚାଇବା ପାଇଁ ୯୦ ପ୍ରତିଶତ ଅର୍ଥ ମୋଦି ସରକାର ଯୋଗାଇ ଦେଉଛନ୍ତି । କାଳେ ମୋଦି ସରକାର ନାଁ ନେଇ ଯିବେ ସେଥି ପାଇଁ ରାଜ୍ୟ ସରକାର କ୍ରିୟାନ୍ୱିତ କରିବାରେ ଅବହେଳା କରୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Share in top social networks!
Powered By Indic IME