ଜୟରାମ ରମେଶଙ୍କ ଓଡିଶା ଗସ୍ତ ଆଜି

କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଜୟରାମ ରମେଶ ଆସନ୍ତାକାଲି ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି । ନିଜ ଗସ୍ତ କାଳରେ ରମେଶ ଏଥର ଭଦ୍ରକ ଜିଲ୍ଲାକୁ ଯିବେ । ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଜୟରାମ ଆସନ୍ତାକାଲି ସକାଳ 9ଟା 50ରେ ଭୁବନେଶ୍ବରରେ ପହଞ୍ଚିବେ । ତା’ପରେ ସେ ସିଧା ହେଲିକପ୍ଟର ଯୋଗେ ଭଦ୍ରକର ଧାମରା ଯିବେ । ଧାମରାଠାରେ ସେ ପ୍ରତିରକ୍ଷା ଉନ୍ନୟନ (ଡିଆରଡିଓ) ପରିଷଦ ଦ୍ଵାରା ପ୍ରସ୍ତୁତ ବାୟୋ- ପାଇଖାନା ପ୍ରକଳ୍ପକୁ ଉଦଘାଟନ କରିବେ ।

ପରେ ରମେଶ ହ୍ଵିଲର ଦ୍ଵୀପପୁଞ୍ଜକୁ ଯିବାର କାର୍ଯ୍ୟକ୍ରମ ରହିଛି । ତେବେ ଜୟରାମ କେଉଁ କାରଣ ପାଇଁ ଅଚାନକ ହ୍ଵିଲର ଦ୍ଵୀପପୁଞ୍ଜକୁ ଯାଉଛନ୍ତି ତା’କୁ ନେଇ ଚର୍ଚା ବଢିବାରେ ଲାଗିଛି । ଗତ କିଛି ଦିନ ତଳେ ରମେଶ ମାଲକାନଗିରି ଗସ୍ତରେ ଯାଇ ଥିଲେ ଓ ଦେଶର ସର୍ବାଧିକ ନକ୍ସଲ ପ୍ରଭାବିତ ଜିଲ୍ଲାରେ ରାତି ବିତେଇ ଥିଲେ ।

ରାଜ୍ୟର ମନ୍ତ୍ରୀ ଓ ସରକାରୀ ଅଧିକାରୀମାନେ ନକ୍ସଲ ଜିଲ୍ଲାକୁ ଯିବାକୁ ଭୟ କରୁଥିବା ବେଳେ ରମେଶଙ୍କ ରହଣି ବିତର୍କ ପାଇଁ ଖୋରାକ ଯୋଗାଇ ଥିଲା ।

Share in top social networks!