ଭିନ୍ନକ୍ଷମ କଲ୍ୟାଣ ପାଇଁ ନୂତନ ନୀତି ଖୁବ୍ ଶୀଘ୍ର ପ୍ରଣୟନ କରାଯିବ:ମନ୍ତ୍ରୀ ଊଷାଦେବୀ

29 POLICY FOR DISABILITY SEMINAR (2)ଓଡିଶାରେ ସମୁଦାୟ ୧୦ଲକ୍ଷ ୨୧ ହଜାର ଭିନ୍ନକ୍ଷମ ବ୍ୟକ୍ତି ଅଛନ୍ତି ବୋଲି ୨୦୦୧ ଜନଗଣନା ରିପୋର୍ଟରୁ ଜଣାପଡିଛି | ପୂର୍ବରୁ କେବଳ ଭିନ୍ନକ୍ଷମ ମାନଙ୍କୁ ଶାରୀରିକ ଦୃଷ୍ଟିକୋଣରୁ ସହାୟତା ପ୍ରଦାନ କରାଯାଉଥିବା ବେଳେ ଏବେ ସେମାନଙ୍କ ସାମାଜିକ, ଅର୍ଥନୈତିକ ଓ ସାମଗ୍ରିକ ବିକାଶ ଉପରେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି |

ସମ୍ପ୍ରତି ଭିନ୍ନକ୍ଷମମାନଙ୍କ ନିମନ୍ତେ ଥିବା ରାଜ୍ୟନୀତିର ପରିବର୍ତ୍ତନ କରାଯାଇ ଏକ ନୂତନ ନୀତି ଖୁବ୍ ଶୀଘ୍ର ପ୍ରଣୟନ କରାଯିବ ବୋଲି ମହିଳା ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଊଷାଦେବୀ ପ୍ରକାଶ କରିଛନ୍ତି | ଆଜି ସ୍ଥାନୀୟ କଳିଙ୍ଗ ଅଶୋକା ହୋଟେଲଠାରେ ଭିନ୍ନକ୍ଷମମାନଙ୍କ ପାଇଁ ରାଜ୍ୟନୀତି ପ୍ରଣୟନ ଉପରେ ଏକ ତିନିଦିନିଆ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀମତୀ ଊଷାଦେବୀ ଏହି ବିଷୟ ପ୍ରକାଶ କରିଛନ୍ତି | ଆମ ରାଜ୍ୟରେ ଭିନ୍ନକ୍ଷମମାନଙ୍କ ସାମଗ୍ରିକ ବିକାଶ ନିମନ୍ତେ ବହୁ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି | ଏହି ତିନିଦିନିଆ ଆଲୋଚନା ଚକ୍ରର ପରାମର୍ଶକୁ ଭିତ୍ତି କରି ବଜେଟ୍ ପ୍ରସ୍ତୁତ କରାଯାଇ ପର୍ଯ୍ୟାୟ କ୍ରମେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ |

ସମ୍ମାନିତ ଅତିଥି ଭାବେ ଯୋଗଦେଇ ମହିଳା ଓ ଶିଶୁ ବିକାଶ ବିଭାଗ ଶାସନ ସଚିବ ଶ୍ରୀମତୀ ଆରତୀ ଆହୁଜା କହିଲେ ଯେ, ନୀତିଗତ ଭାବେ ରାଜ୍ୟ ପାଇଁ ଭିନ୍ନକ୍ଷମ କଲ୍ୟାଣ ନିମନ୍ତେ ଏକ ବଳିଷ୍ଠ ନୀତି ପ୍ରଣୟନ କରାଯିବ | ବିଭିନ୍ନ ଦିଗକୁ ଆଖି ଆଗରେ ରଖି ଆଲୋଚନା କରାଯାଇ ଏହି ବ୍ୟାପକ ନୀତି ପ୍ରଣିତ ହେବ ବୋଲି ଶ୍ରୀମତୀ ଆହୁଜା ପ୍ରକାଶ କରିଥିଲେ | ଓଡିଶା ସରକାରଙ୍କ ପୂର୍ବତନ ଉନ୍ନୟନ କମିଶନର ତଥା ଅତିରିକ୍ତ ଶାସନ ସଚିବ ଏହି ଉଦ୍ଘାଟନ ଉତ୍ସବରେ ଯୋଗଦେଇ କହିଲେ ଯେ, ଜିଲ୍ଲାସ୍ତରରେ ମଧ୍ୟ ଆନୁଷ୍ଠାନିକ ଭାବେ ଭିନ୍ନକ୍ଷମମାନଙ୍କ କଲ୍ୟାଣ ନିମନ୍ତେ ଭିତ୍ତିଭୂମି ପ୍ରସ୍ତୁତ ସହିତ ଏକ ଡାଟାବେସ୍ କରାଯିବା ଦରକାର | ରାଜ୍ୟ ଭିନ୍ନକ୍ଷମ କମିଶନର ଅଧ୍ୟକ୍ଷା ଶ୍ରୀମତୀ କସ୍ତୁରୀ ମହାପାତ୍ର ଏହି ରାଜ୍ୟସ୍ତରୀୟ ଆଲୋଚନା ଚକ୍ରର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ |

ରାଜ୍ୟରେ ୨୦୦୩ରୁ ଥିବା ନୀତି ଓ ୟୁ.ଏନ୍.ସି.ଆର୍.ପି.ଡି କୁ ଆଖି ଆଗରେ ରଖି ଭିନ୍ନକ୍ଷମମାନଙ୍କ ନିମନ୍ତେ ଏକ ନୀତି ପ୍ରଣୟନ କରିବାକୁ ହେବ | ଏହା ଦ୍ଵାରା ରାଜ୍ୟରେ ଭିନ୍ନକ୍ଷମ ମାନଙ୍କ ନିମନ୍ତେ ଅଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଇ ପାରିବ | ଏହି କର୍ମଶାଳାରେ ରାଜ୍ୟ ବାହାରୁ ବିଶେଷଜ୍ଞ ଭାବେ ନୂଆଦିଲ୍ଲୀର ହ୍ୟୁମାନ ରାଇଟ୍ସ ଲ ନେଟୱାର୍କ ଅଫ ଇଣ୍ଡିଆର ନିର୍ଦ୍ଦେଶକ ଶ୍ରୀ ରାଜୀଭେ ରାଟୁରୀ, କୋଲକାତାର ସଂଚାର ଓ ସିବିଆର୍ ନେଟୱାର୍କ ଇଣ୍ଡିଆର ନିର୍ଦ୍ଦେଶକ ତୁଳିକା ଦାସ ତାଙ୍କର ସନ୍ଦର୍ଭ ପ୍ରୋଜେକ୍ଟର ଯୋଗେ ପ୍ରଦର୍ଶନ କରିଥିଲେ | ଆଜିର କର୍ମଶାଳାର ପ୍ରଥମ ଅଧିବେଶନ ଶେଷରେ ଭିନ୍ନକ୍ଷମ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ବିଭୁତି ପଟ୍ଟନାୟକ ଓଡିଶାରେ ଭିନ୍ନକ୍ଷମମାନଙ୍କର ପରିସଂଖ୍ୟାନ ସ୍ଥିତି ସମ୍ପର୍କରେ ଆଲୋକପାତ କରିଥିଲେ |

ଏହି ରାଜ୍ୟସ୍ତରୀୟ ଆଲୋଚନା ଚକ୍ର ରାଜ୍ୟ ଭିନ୍ନକ୍ଷମ କମିଶନର କାର୍ଯ୍ୟାଳୟ ଓ ମହିଳା ଏବଂ ଶିଶୁ ବିକାଶ ବିଭାଗର ମିଳିତ ସହାୟତାରେ ଆୟୋଜିତ ହୋଇଛି | ଏହି ଆଲୋଚନା ଚକ୍ର ତିନିଦିନ ଧରି ଚାଲିବ |

Share in top social networks!
Powered By Indic IME