ଜାତୀୟ କୃମିନାଶକ ଦିବସ: ଏପ୍ରିଲ ୨୦୧୮ଅଭିଯାନ ଓଡ଼ିଶାରେ କୋଟିଏରୁ ଊଦ୍ଧ୍ୱର୍ ଶିଶୁଙ୍କ ପାଖରେ ପହଂଚିବା ଲକ୍ଷ୍ୟ

IMG-20180403-WA0010ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ମହିଳା ଓ ଶିଶୁ କଲ୍ୟାଣ ଓ ମିଶନଶକ୍ତି ବିଭାଗ (ଡବ୍ଲୁସିଡି) , ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ (ଏସ୍ଏମ୍ଇ) ଓ ପଂଚାୟତିରାଜ ଏବଂ ଅନୁସୂଚିତ ଜାତି/ଜନଜାତି କଲ୍ୟାଣ (ଏସ୍ସି/ଏସ୍ଟି) ବିଭାଗର ମିଳିତ ସହଯୋଗରେ ଓଡ଼ିଶାରେ ଜାତୀୟ କୃମିନାଶକ ଦିବସ (ଏନ୍ଡିଡି)ର ଅଭିଯାନ ଏପ୍ରିଲ ୪ ତାରିଖରେ ଆୟୋଜନ କରାଯାଉଛି । ଏହି ଅଭିଯାନରେ ରାଜ୍ୟରେ ୧ରୁ ୧୯ ବର୍ଷ ବୟସର ପିଲାଙ୍କୁୁ କୃମି ନାଶକ ଔଷଧ ଖୁଆଇବାର ବ୍ୟବସ୍ଥା କରାଯାଇଛି । ଏହା ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଏବଂ ସମସ୍ତ ଅଙ୍ଗନବାଡି କେନ୍ଦ୍ରରେ ଦିଆଯିବ ।
ଓଡ଼ିଶାରେ ଜାତୀୟ କୃମିନାଶକ ଦିବସ ପାଳନ ଅବସରରେ ଗଣମାଧ୍ୟମକୁ ସୂଚନା ଦେଇ ଏଡିସିଏଚ୍ ତଥା ପରିବାର କଲ୍ୟାଣ ନିର୍ଦେଶକ (ଭାରପ୍ରାପ୍ତ) ଡା. କମଳାକାନ୍ତ ଦାସ କହିଲେ, ଚଳିତ ବର୍ଷ ଜାତୀୟ କୃମିନାଶକ ଅଭିଯାନରେ ଓଡ଼ିଶା ସରକାର ସମସ୍ତ ୩୦ଟି ଜିଲାର ୧.୩ କୋଟି ଶିଶୁଙ୍କ ପାଖରେ ଏହାର ସୁଫଳ ପହଂଚାଇବାର ଲକ୍ଷ୍ୟ ରଖିଛନ୍ତି । ଏହାସହ ଫାଇଲେରିଆ ପ୍ରବଣ (ଲିମ୍ଫାଟିକ୍ ଫାଇଲେରିଆସିସି) ୬ଟି ଜିଲାରେ(ଅନୁଗୁଳ, ଦେବଗଡ଼, ଗଞ୍ଜାମ, ଜଗତସିଂହପୁର, ଝାରସୁଗୁଡ଼ା ଏବଂ ନୟାଗଡ)ଘରକୁ ଘର ବୁଲି ସାମୁହିକ ଭାବେ କୃମିନାଶକ ସହ ଫାଇଲେରିଆ ଔଷଧ ବଂଟନ କରାଯିବ ।ଣ୍ଟସମସ୍ତ ବିଭାଗର ପ୍ରତିନିଧିମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ଔଷଧ ବଂଟନ ସହ ପରିଷ୍କାର ଓ ପରିଛନ୍ନତାର ଉପାୟ ବିଷୟରେ ସମସ୍ତଙ୍କୁ ଅବଗତ କରାଯିବ । ଏହା ଦ୍ୱାରା ଉପଯୁକ୍ତ ପୁଷ୍ଟି ସାଧନ ସହ ରକ୍ତହୀନତାର ଦୂରିକରଣ କରାଯାଇପାରିବ । କୃମି ପିଲାଙ୍କ ଅନ୍ତନଳୀରେ ପ୍ରବେଶ କରି ଅପପୁଷ୍ଟି ଏବଂ ରକ୍ତହିନତା ସହ ମାନସିକ, ଶାରୀରିକ ଓ ବୌଦ୍ଧିକ ବିକାଶରେ ଅନ୍ତରାୟ ସୃଷ୍ଟି କରି ପିଲାଙ୍କ ସ୍କୁଲ ଉପସ୍ଥାନ ହାର କମାଇବାର କାରଣ ହୋଇଥାଏ । ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ଏହି କାର୍ଯ୍ୟକ୍ରମ ଦ୍ୱାରା ୧ରୁ ୧୯ ବର୍ଷର ପିଲାଙ୍କୁ କୃମିନାଶକ ଔଷଧ ଦିଆଯାଉଛି ।
ଓଡ଼ିଶାରେ ଜାତୀୟ କୃମିନାଶକ ଅଭିଯାନ ସହ ସମସ୍ତ ୩୦ଟି ଜିଲାର ୯ ମାସରୁ ୫ ବର୍ଷର ସବୁ ପିଲାଙ୍କୁ ଭିଟାମିନ ‘କ’ ଦିଆଯାଉଛି । ନୀତିଗତ ଭାବେ ସରକାରଙ୍କ ଦ୍ୱାରା ଶିକ୍ଷକ ଏବଂ ଅଙ୍ଗନବାଡ଼ି କର୍ମୀଙ୍କୁ ତାଲିମ ପ୍ରଦାନ କରାଯାଇ ସ୍କୁଲ ଓ ଅଙ୍ଗନବାଡ଼ିରେ ପିଲାଙ୍କୁ କୃମିନାଶକ ପ୍ରଦାନ ପାଇଁ ସେମାନଙ୍କ ପାଖରେ ଏହି ଔଷଧ ଉପଲବ୍ଧ କରାଯାଇଛି । ୧ରୁ ୫ ବର୍ଷ ବୟସର ଶିଶୁମାନଙ୍କୁ ଅଙ୍ଗନବାଡ଼ି କର୍ମୀଙ୍କ ଦ୍ୱାରା ଅଙ୍ଗନବାଡ଼ି କେନ୍ଦ୍ର ଏବଂ ସ୍ୱତନ୍ତ୍ର ଭିଏଚ୍ଏନ୍ଡିରେ ଆଲ୍ବେଣ୍ଡାଜୋଲ୍ ସିରଫ ପ୍ରଦାନ କରାଯାଉଛି । ବିଦ୍ୟାଳୟ ଯାଉଥିବା ୬ରୁ ୧୯ ବର୍ଷର ପିଲାଙ୍କୁ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ଘରୋଇ ବିଦ୍ୟାଳୟ ଶିକ୍ଷକମାନେ ଆଲ୍ବେଣ୍ଡାଜୋଲ୍ ବଟିକା ଦେବେ । ସ୍କୁଲ ଯାଉନଥିବା ୬ରୁ ୧୯ ବର୍ଷ ବୟସର ପିଲାଙ୍କୁ ଅଙ୍ଗନବାଡ଼ି କେନ୍ଦ୍ରରେ ଅଙ୍ଗନବାଡ଼ି କର୍ମୀ ଏବଂ ଦମନମେଲେରିଆ ନିୟନ୍ତ୍ରଣ କାର୍ଯ୍ୟକ୍ରମର ସ୍ୱେଚ୍ଛାସେବୀମାନେ ଆଲ୍ବେଣ୍ଡାଜୋଲ୍ ବଟିକା ଦେବେ । ଜାତୀୟ କୃମିନାଶକ ଦିବସ (୪ ଏପ୍ରିଲ)ରେ କୌଣସି ପିଲା ଅସୁସ୍ଥତା କାରଣରୁ ଅଥବା ଅନୁପସ୍ଥିତ ଥିବା ଯୋଗୁ କୃମିନାଶକ ଖାଇନଥିଲେ ୨୦୧୮ ଏପ୍ରିଲ ୧୧ ତାରିଖରେ ଏହା ତାଙ୍କୁ ପ୍ରଦାନ କରାଯିବ ।

Share in top social networks!
Powered By Indic IME