ବିଶ୍ବ ଘରଚଟିଆ ଦିବସ (ମାର୍ଚ୍ଚ ୨୦ ତାରିଖ) ଅନୁଚିନ୍ତା

1458558_641502075870049_290161957_n

ବିଗତ ଶତାବ୍ଦୀ ବିଦାୟ ନେବା ସହିତ ଅନେକ କିଛି ଆମ ଠାରୁ ବିଦାୟ ନେଇ ଚାଲିଗଲା, ବିଂଶ ଶତାବ୍ଦୀର ନବେ ଦଶକର ଅନେକ ସ୍ମୃତି ଏବେ କେବଳ ସ୍ମୃତି ହୋଇ ରହିଛି ସିନା ହେଲେ ସେ ସବୁକୁ ସାଉଁଟିବା ପାଇଁ ଆମ ପାଖରେ ସମୟ ଓ ସମ୍ବଳର ଅଭାବ ରହୁଛି୤ ଆମ ପିଲାଦିନର ଅନେକ ସ୍ମୃତି ମଧ୍ୟରେ ରହିଛି ଗୋଟିଏ ଛୋଟିଆ ଚଢ଼େଇ ଯାହା ଆମ ଗାଁ ଆମ ଘର ଦାଣ୍ଡ ଅଗଣାରେ ଅନାୟାସରେ ଚଳପ୍ରଚଳ କରୁଥିଲା, ଯାହା ଆମ ଦୈନନ୍ଦିନ ଜୀବନର ଏକ ଅଂଶ ହୋଇଥିଲା, ସେଇ ଘର ଚଟିଆ ଆଜି ଲୁପ୍ତପ୍ରାୟ୤ ମୋର ମନେ ପଡ଼େ ବିଗତ ଶତାବ୍ଦୀର ଅଶିଦଶକର କଥା ସେତେବେଳେ ଆମେ ଆମ ଘର ଚାଳ ତଳେ ଓ ଭାଡ଼ି ଉପରେ ଢ଼ାବଲ ପେଢ଼ି ଆଣି ସେଥିରେ ପାଳକୁଟା ରହିଦେଉଥିଲୁ ଏବଂ ସେଠାରେ ରହୁଥିବା ଚଢ଼େଇ ମାନଙ୍କୁ ନେଇ ବହୁତ ଖୁସି ହେଉଥିଲୁ୤ ପ୍ରାୟ ଦିନ ସକାଳୁ ଆମେ ନିଦରୁ ଉଠିବା ପୂର୍ବରୁ ଏଇ ସବୁ ଚଢ଼େଇମାନଙ୍କ ଚିଂ ଚିଂ ଶବ୍ଦ ଶୁଣିବାକୁ ପାଉଥିଲୁ୤ ଘର ଅଗଣାରେ ଆଉ ଦାଣ୍ଡ ବାଡ଼ିରେ ଏମାନଙ୍କ ଅସଂଖ୍ୟ ପଲ ଦେଖି ଖୁସି ହେଉଥିଲୁ୤ ବେଳେ ବେଳେ ସେମାନେ ଖାଇବେ ବୋଲି ଘରୁ ଖୁଦ ଆଣି ବିଞ୍ଚିଦେଉଥିଲୁ୤ ହେଲେ ଏବେ ସେ ସବୁ ଦୃଶ୍ୟ ବିରଳ ହେଲାଣି୤ ଅବଶ୍ୟ ଏବେ ଆଉ ଗାଁ ବୋଲି ଖାଲି ରହିଛି ସିନା ସହରଠାରୁ ଉଣା କିଛି ସେଠାରେ ନାହିଁ୤ ସେଇଠି ମଧ୍ୟ ପକ୍କାଘର ହେଲାଣି, ଗାଁ ଦାଣ୍ଡ ସିମେଣ୍ଟ୍ ହେଲାଣି୤ ଶଗଡ଼ ଚକର ଚିହ୍ନ ଆଉ ଗାଁ ଦାଣ୍ଡରେ ରହୁନି, କି ବର୍ଷା ଦିନେ ଦାଣ୍ଡରେ ନଦୀ ବହୁନି୤ ସେଇ ଗାଁ ରହିଛି ହେଲେ ଘର ଚଟିଆ କାହିଁ ଦେଖାଯାଉ ନାହାନ୍ତି୤
ଘର ଚଟିଆ (ବିଜ୍ଞାନ ସମ୍ମତ ନାମ : ପାସର୍ ଡୋମେଷ୍ଟିକସ୍) ସବୁବେଳେ ଜନବସତି ନିକଟରେ ରହୁଥିବା ଏବଂ ସମ୍ଭବତଃ ଆମ ଘରମାନଙ୍କରେ ନିଜ ବସା କରି ରହୁଥିବା ହେତୁ ଏମିତି ନାମ କରଣ କରାଯାଇଥିବା ଅନୁମାନ କରାଯାଉଛି୤ ବିଶ୍ବର ପ୍ରାୟ ସମସ୍ତ ଦେଶରେ ଏହି ପକ୍ଷୀ ଦେଖାଯାଆନ୍ତି୤ ବିଗତ ଶତାବ୍ଦୀର ଷଷ୍ଟ ଓ ସପ୍ତମ ଦଶକରେ ଦୃତ ଶିଳ୍ପାୟନ ଏବଂ ସହର ମାନଙ୍କର ଉଦଗମ୍ ହେଉଥିବା ସମୟରେ ମଧ୍ୟ ଏହି ପକ୍ଷୀ ବହୁଳ ସଂଖ୍ୟାରେ ଦେଖିବାକୁ ମିଳୁଥିବାର ତଥ୍ୟ ଅନେକ ଗବେଷଣାରୁ ଜଣାପଡ଼େ୤ ମୋର ମନେ ଅଛି ଆମେ ପିଲା ହୋଇଥିବା ବେଳେ ଘର ଚଟିଆ ପାଇଁ ଖୁଦ ଓ ଚାଉଳ ପକାଉଥିଲୁ ଏବଂ ଏହି ପକ୍ଷୀମାନେ ସେ ସବୁ ଖାଇବାପାଇଁ ଆମ ଦାଣ୍ଡ ଅଗଣାରେ ଗହଳି କରୁଥିଲେ୤ କିନ୍ତୁ ବର୍ତ୍ତମାନ ସମୟରେ ଏହି ପକ୍ଷୀମାନଙ୍କର ସ୍ଥିତି ଅବକ୍ଷୟମୁଖୀ୤ ଏଥିପାଇଁ ଅବଶ୍ୟ ଅନେକ ଗବେଷଣା ଅନେକ ତଥ୍ୟ ଉପସ୍ଥାପନ କରୁଛନ୍ତି, କିନ୍ତୁ ମୁଳତଃ ଅନେକ ଭାବନ୍ତି ଯେ ଏହି ପକ୍ଷୀମାନଙ୍କ ରହିବା ପାଇଁ ଆବଶ୍ୟକ ସ୍ଥାନ ଓ ଖାଦ୍ୟଅଭାବ ଏମାନଙ୍କ ସଂଖ୍ୟା କମ ହେବାର କାରଣ୤ ଆଉ କିଛି ପକ୍ଷୀବିଜ୍ଞାନବିଦଙ୍କ ମତରେ ମୋବାଇଲ୍ ଫୋନ୍ ଟାୱାର୍ ଦ୍ବାରା ମଧ୍ୟ ଏହି ପକ୍ଷୀମାନଙ୍କ ଉପରେ ପ୍ରତିକୂଳ ପ୍ରଭାବ ପଡୁଥିବା ଜଣା ପଡିଛି୤ ଅବଶ୍ୟ ଅନେକ ଏହି ମତକୁ ସ୍ବାଗତ କରନ୍ତି ନାହିଁ, କାରଣ ବର୍ତ୍ତମାନ ବି ଆମ ଦେଶ ତଥା ରାଜ୍ୟର ଅନେକ ସ୍ଥାନରେ ମୋବାଇଲ୍ ଟାୱାର୍ ଥିବା ସତ୍ତ୍ବେ ଏହି ପକ୍ଷୀମାନେ ରହୁଥିବା ଦେଖାଯାଉଛି୤
ଦୃତ ସହରୀକରଣ, ଦ୍ବାରା ଆଗରୁ ପକ୍ଷୀମାନେ ଘର କରୁଥିବା କଚ୍ଚା ଘରର ଅଭାବ, ଘର ଘର ଭିତରେ ଥିବା ଫାଙ୍କ ସ୍ଥାନ, ଭେଣ୍ଟିଲେଟର, ନୁଆଁଣିଆ ଚାଳ ଇତ୍ୟାଦିର ଅଭାବ ହେତୁ ଏମାନେ ଆଉ ବୃଦ୍ଧି ପାଉନାହାନ୍ତି୤ ସେହିପରି ଆଗରୁ ଗାଁରେ ରହୁଥିବା ବେଳେ ଚାଉଳ ଓ ଖୁଦ ସେମାନଙ୍କୁ ମିଳୁଥିବା ବେଳେ, ଏବେ ସେତକ ନ ମିଳିବା ସେମାନଙ୍କ ବୃଦ୍ଧିପାଇଁ କାଳ ହୋଇଥାଇ ପାରେ ବୋଲି ଆମ ମତ୤ ଜଣେ ବିଶେଷ ପକ୍ଷୀପ୍ରେମୀ ଶ୍ରୀ ବିକାଶ ଦାଶଙ୍କ ମତରେ ଏହି ପକ୍ଷୀର ସଂଖ୍ୟା କମ ହେବା ପଛରେ ଥିବା ଅନେକ କାରଣ ମଧ୍ୟରୁ ଗୋଟିଏ ହେଉଛି, ପକ୍ଷୀମାନଙ୍କୁ ଖାଇବାପାଇଁ ଖାଦ୍ୟର ଅଭାବ୤ ସହରୀକରଣ ଦ୍ବାରା ଆମେ ଆଉ ଧାନ ଓ ଖୁଦର ବ୍ୟବହାର କରୁନାହୁଁ୤ ପ୍ରାୟତଃ ପଲିସ କରାଯାଇଥିବା ଚାଉଳ ବ୍ୟବହାର କରୁଛୁ୤ ଏବଂ ଖାଦ୍ୟ ପଦାର୍ଥକୁ ପଲିଥିନରେ ନିଆଅଣା କରୁଥିବା ହେତୁ ତଳେ ପକ୍ଷୀମାନଙ୍କ ପାଇଁ ଦାନା ଆଉ ପଡ଼ୁନାହିଁ, ଏଣୁ ପକ୍ଷୀମାନେ ବଞ୍ଚିବା ସମ୍ଭବ ହେଉନାହିଁ୤ ଅବଶ୍ୟ ଏହା ଏକ କାରଣ ହୋଇପାରେ ବୋଲି ମୁଁ ବ୍ୟକ୍ତିଗତ ଭାବରେ ଚିନ୍ତା କରିଦେଖୁଛି୤
ବ୍ରହ୍ମପୁର ସହରରେ ଘର ଚଟିଆ ଦେଖିବା ସମ୍ଭବ ହେଉନାହିଁ, ଏହାର ଗୋଟିଏ କାରଣ ସମ୍ଭବତଃ ଏହାହିଁ ହୋଇପାରେ୤ ଅବଶ୍ୟ ଆମ ସହରରେ ଥିବା ବିଭିନ୍ନ ବଜାର ଯଥା କମାପଲ୍ଲୀ, ଗିରିମାର୍କେଟ୍, ବିଜିପୁର୍ ଆଦି ଅଞ୍ଚଳରେ ଚିଲଜାତୀୟ ପକ୍ଷୀମାନଙ୍କ ସଂଖ୍ୟା ବୃଦ୍ଧି ଘର ଚଟିଆ ମାନଙ୍କ ସଂଖ୍ୟା କମ ହେବା ପଛରେ ଗୋଟିଏ କାରଣ ହୋଇପାରେ୤ କାରଣ ଚିଲ ଜାତୀୟ ପକ୍ଷୀମାନେ ଏହି ଛୋଟ ଛୋଟ ପକ୍ଷୀମାନଙ୍କୁ ମାରି ଖାଇଦିଅନ୍ତି୤ ଏବଂ ଘର ଚଟିଆମାନଙ୍କୁ ଆବଶ୍ୟକ ଧାନ ଚାଉଳର ଦାନା ଆଜିକାଲି ଆଉ ଦେଖିବାକୁ ମିଳୁନାହିଁ୤ ଗାଁ ଦାଣ୍ଡରେ ଶଗଡ଼ରେ ଏ ସବୁ ବୁହାହୋଇ ନିଆଯାଉଥିବା ବେଳେ ତାହା ରାସ୍ତାରେ ପଡ଼ିରହୁଥିଲା, ଘର ସାମନାରେ ଶୁଖାଉଥିବା ବେଳେ ମଧ୍ୟ ଏହି ସବୁ ଖାଦ୍ୟ ଘର ଚଟିଆ ମାନଙ୍କୁ ମିଳିଯାଉଥିଲା୤ ତେଣୁ ଏହି ପ୍ରଜାତିର ପକ୍ଷୀମାନଙ୍କୁ ଖାଦ୍ୟାଭାବର ସମ୍ମୁଖୀନ ହେବାକୁ ପଡୁନଥିଲା୤
ଆଜି ଘର ଚଟିଆଙ୍କ ସଂଖ୍ୟା ବିପଦଜନକ ଭାବେ କମ ହୋଇ ହୋଇ ଯାଉଛି୤ ତେଣୁ ଏହି ସୁନ୍ଦର ପକ୍ଷୀର ରକ୍ଷଣାବେକ୍ଷଣ ପାଇଁ ସମସ୍ତେ ତତ୍ପର ହେବା ଉଚିତ୤ ଏଥିପାଇଁ ଅନେକ ସରକାରୀ ଓ ବେସରକାରୀ ସଂସ୍ଥା କାର୍ଯ୍ୟରତ୤ ବ୍ରହ୍ମପୁର ସହର ନିକଟବର୍ତ୍ତୀ ସମୁଦ୍ର ତଟବର୍ତ୍ତୀ ଗୋପାଳପୁର ସହରରେ ଘର ଚଟିଆମାନଙ୍କୁ ଦେଖାଯାଇପାରେ୤ ହେଲେ ସେମାନଙ୍କ ସଂଖ୍ୟାମଧ୍ୟ ଦିନକୁ ଦିନ କମ ହେବାରେ ଲାଗିଛି ବୋଲି ଅନେକ ମତ ଦିଅନ୍ତି୤ ସେଇଥିପାଇଁ ବର୍ତ୍ତମାନ ସେମାନଙ୍କ ପାଇଁ ଏକ କାର୍ଯ୍ୟକ୍ରମ କରାଯାଉଛି୤ ଋଷିକୂଲ୍ୟା ମୁହାଣରେ ସମୁଦ୍ର କଇଁଛମାନଙ୍କ ସୁରକ୍ଷାପାଇଁ ତତ୍ପର ଏକ ସଂସ୍ଥା ତରଫରୁ ଗୋପାଳପୁର ଠାରେ ଏହି କାର୍ଯ୍ୟକ୍ରମ ପାଇଁ ଅନେକ ବାସିନ୍ଦାମାନଙ୍କୁ ଘର ଚଟିଆ ରହିବା ଉପଯୋଗୀ କୃତ୍ରିମ ଚଢ଼େଇଘର ପ୍ରଦାନ କରାଯାଉଛି୤ ଆଶା କରାଯାଉଛି ଏହି ସବୁ କାର୍ଯ୍ୟକ୍ରମ ଦ୍ବାରା ଅନ୍ତତଃ ଗୋପାଳପୁର ଠାରେ ରହୁଥିବା ଘରଚଟିଆ ମାନଙ୍କୁ ସୁରକ୍ଷା କରାଯିବା ସହିତ ବଂଶବୃଦ୍ଧି କରାଯାଇ ପାରିବ୤
ଏହି ଦୃତ ଅବକ୍ଷୟମୁଖୀ ସୁନ୍ଦର ଚଢ଼େଇ ଯାହା ଆମ ଘର ପରିବାରକୁ ନିଜର କରି ଦିନେ ବଢୁଥିଲା ତାହାର ସଂରକ୍ଷଣ ପାଇଁ ବିଶ୍ବ ଘରଚଟିଆ ଦିବସର ଚିନ୍ତା ନେଚର୍ ଫର୍‌ଏଭେର୍ ସୋସାଇଟି ଅଫ୍ ଇଣ୍ଡିଆ ଦ୍ବାରା କରାଯାଇଥିଲା୤ ବର୍ଷ ୨୦୧୦ ପରଠାରୁ ଏହି ଦିବସକୁ ବିଶ୍ବର ସମସ୍ତ ଦେଶରେ ପକ୍ଷୀପ୍ରେମୀମାନଙ୍କ ଦ୍ବାରା ପାଳନ କରାଯାଉଛି୤
ସହକାରୀ ଅଧ୍ୟାପକ
ରୋଲାଣ୍ଡ ଫାର୍ମାସୀ କଲେଜ
ବ୍ରହ୍ମପୁର, ଓଡ଼ିଶା
ଫୋନ୍ : ୯୦୪୦୯୮୫୪୬୩

Share in top social networks!
Powered By Indic IME