ନଗର ପ୍ରଶାସନ: ଦୁଇବର୍ଷ ମଧ୍ୟରେ ଭୁବନେଶ୍ୱର ସହରର ଆଶାତୀତ ସଫଳତା

BHUBANESWAR (1)ବେଙ୍ଗାଲୁରୁ ସ୍ଥିତ ସ୍ୱେଚ୍ଛାସେବୀ ସଂଗଠନ ଜନାଗ୍ରହ ସେଂଟର୍ ଫର୍ ସିଟିଜେନ୍ସିପ୍ ଏଣ୍ଡ୍ ଡେମୋକ୍ରାସି ପକ୍ଷରୁ କରାଯାଇଥିବା ପଂଚମ ବାର୍ଷିକ ସର୍ବେକ୍ଷଣରେ ଭୁବନେଶ୍ୱର ସହର ସର୍ବଭାରତୀୟ ସ୍ତରରେ ଚତୁର୍ଥ ସ୍ଥାନ ଅଧିକାର କରିଛି । ୮୯ଟି ପ୍ରଶ୍ନକୁ ନେଇ ୨୦ଟି ରାଜ୍ୟର ୨୩ ଟି ପ୍ରମୁଖ ସହରରେ କରାଯାଇଥିବା ଏହି ସର୍ବେକ୍ଷଣରେ ସହରଗୁଡ଼ିକରେ ନଗର ପ୍ରଶାସନ ବ୍ୟବସ୍ଥାର ମାନକୁ ନେଇ ମୂଲ୍ୟାୟନ କରାଯାଇଥିଲା ।
୨୦୧୫ରେ କରାଯାଇଥିବା ସର୍ବେକ୍ଷଣରେ ୧୮ତମ ସ୍ଥାନରେ ରହିଥିବା ଭୁବନେଶ୍ୱର, ୨୦୧୬ରେ ଦଶମ ସ୍ଥାନକୁ ଉନ୍ନୀତ ହୋଇଥିଲା । ସଂପ୍ରତି ୨୦୧୭ ବର୍ଷପାଇଁ ଘୋଷଣା ହୋଇଥିବା ର୍ୟାଙ୍କିଙ୍ଗ୍ରେ ପ୍ରଥମ ସ୍ଥାନରେ ରହିଥିବା ପୁନେ ସହର ପରେ ଭୁବନେଶ୍ୱର, କୋଲ୍କାତା ଓ ଥିରୁଅନନ୍ତପୂରମ୍ ସହର ସମାନ ୪.୬ ଅଙ୍କ ହାସଲ କରିଛନ୍ତି । ର୍ୟାଙ୍କିଙ୍ଗ୍ରେ ଅଭିବୃଦ୍ଧି ହାର ହିସାବରେ ଭୁବନେଶ୍ୱର ଦ୍ୱିତୀୟ ସର୍ବାଧିକ ୧.୧ ଅଙ୍କ ହାସଲ କରିଛି । ସୁରତ ସହର ୧.୩ ଅଙ୍କ ହାସଲ କରି ପ୍ରଥମ ସ୍ଥାନରେ ରହିଛି ।
ଏଠାରେ ଉଲ୍ଲେଖ କରାଯାଇପାରେଯେ ଭାରତର ଅନେକ ପ୍ରମୁଖ ସହର ଯଥା ଦିଲ୍ଲୀ, ମୁମ୍ବାଇ, ଅହମଦାବାଦ, ବେଙ୍ଗାଲୁରୁ, ହାଇଦ୍ରାବାଦ ଇତ୍ୟାଦି ଏହି ସାରଣୀରେ ଭୁବନେଶ୍ୱରଠାରୁ ପଛରେ ରହିଛନ୍ତି । ମଧ୍ୟମ ଆକାରର ସହର ବର୍ଗରେ (୧୦ ଲକ୍ଷ ପର୍ଯ୍ୟନ୍ତ ଜନସଂଖ୍ୟା ବିଶିଷ୍ଟ) ଭୁବନେଶ୍ୱର ଥିରୁଅନନ୍ତପୂରମ ସହିତ ମିଳିତ ଭାବରେ ଶୀର୍ଷରେ ରହିଛି ।
ବିଭିନ୍ନ ପ୍ରଶାସନିକ ସଂସ୍କାର ଯଥା କ୍ରେଡ଼ିଟ୍ ରେଟିଙ୍ଗ୍, ଡ଼ବଲ ଏନ୍ଟ୍ରିି ଆକାଉନ୍ଟିଙ୍ଗ୍ ବ୍ୟବସ୍ଥାର ପ୍ରଚଳନ ଓ ଡିମାଣ୍ଡ୍ କଲେକ୍ସନ୍ ପୁସ୍ତକ ପ୍ରକାଶନ ଇତ୍ୟାଦି କ୍ଷେତ୍ରରେ ଭୁବନେଶ୍ୱର ଭଲ ପ୍ରଦର୍ଶନ କରିଛି । ଏଥି ସହିତ ଭୁବନେଶ୍ୱର ପକ୍ଷରୁ ଅଡ଼ିଟେଡ୍ ଆର୍ଥିକ ବିବରଣୀ, ପୌର କର୍ମଚାରୀଙ୍କ ସମ୍ପର୍କିତ ତଥ୍ୟାବଳୀ ଏବଂ ଆଭ୍ୟନ୍ତରୀଣ ଅଡ଼ିଟ୍ ରିପୋର୍ଟ ଇତ୍ୟାଦି ଅନ୍ଲାଇନ୍ରେ ଉପଲବ୍ଧ କରାଯାଇଛି ।
ଭୁବନେଶ୍ୱରର ଏହି ଉପଲବ୍ଧି ନିକଟ ଅତୀତରେ ମିଳିଥିବା ଜାତୀୟ ଓ ଆନ୍ତର୍ଜାତୀୟ ସମ୍ମାନ ଓ ପୁରସ୍କାର ସହିତ ସଫଳତାର ଏକ ନୂଆ ଫର୍ଦ୍ଧ ଯୋଗ କରିଛି । ଭୁବନେଶ୍ୱରକୁ ମିଳିଥିବା ବିଭିନ୍ନ ପୁରସ୍କାର ଓ ସମ୍ମାନ ମଧ୍ୟରେ ରହିଛି ଗୃହ ଓ ସହରାଂଚଳ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ପ୍ରଦାନ କରାଯାଇଥିବା ଜାତୀୟ ସ୍ମାର୍ଟ ସିଟି ଚାଲେଂଜ୍ର ବିଜେତା ପୁରସ୍କାର ୨୦୧୬, କାନାଡ଼ିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ପ୍ଲାନର୍ସ ପକ୍ଷରୁ ପ୍ଲାନିଙ୍ଗ ଏକ୍ସେଲେନ୍ସ ମେରିଟ୍ ଆୱାଡର଼୍ ୨୦୧୬ ଏବଂ ଆମେରିକାନ୍ ପ୍ଲାନିଙ୍ଗ୍ ଅସୋସିଏସନ୍ ପ୍ରଦାନ କରାଯାଇଥିବା ପିରେ ଲେଫାଂ ଇନ୍ଟର୍ନ୍ୟାସନାଲ୍ ଆୱାଡର଼୍ ୨୦୧୭ । ୨୦୧୬ରେ ବାର୍ସିଲୋନା ଠାରେ ଆୟୋଜିତ ବିଶ୍ୱ ସ୍ମାର୍ଟ ସିଟି ଆୱାଡର଼୍୍ସ ରେ ଭୁବନେଶ୍ୱର ଫାଇନାଲ୍ ରାଉଣ୍ଡ୍କୁ ଉନ୍ନୀତ ହୋଇଥିଲା ।

Share in top social networks!
Powered By Indic IME