ଅଂତଃରାଷ୍ଟ୍ରୀୟ ମହିଳା ଦିବସ ଅବସରରେ ପରିଚୟ ଫାଉଣ୍ଡେସନ ତରଫରୁ ଆର୍ୟା ଆୱାର୍ଡ ର ୬ଷ୍ଠ ସଂସ୍କରଣ ଆୟୋଜିତ

DSC_4414
ଅଂତଃରାଷ୍ଟ୍ରୀୟ ମହିଳା ଦିବସ ଅବସରରେ ପରିଚୟ ଫାଉଣ୍ଡେସନ ତରଫରୁ ଆର୍ୟା ଆୱାର୍ଡ ର ୬ଷ୍ଠ ସଂସ୍କରଣ ଭୁବନେଶ୍ୱର ର କ୍ରାଉନ ହୋଟେଲ ରେ ଆୟୋଜିତ ହୋଇ ଯାଇଛି. ଜଣାଶୁଣା ସାମାଜିକ ଅଧିକାର କର୍ମୀ ଓ ଆର୍ଯ୍ୟ ସମାଜ ନେତା ସ୍ୱାମୀ ଅଗ୍ନିବେଶ ଏହି ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି. ଭାରତୀୟ କଳା ସଂସ୍କୃତିର ବିକାଶ ଓ ସାମାଜିକ ନ୍ୟାୟ ଓ ମହିଳା ସଶକ୍ତିକରଣ କ୍ଷେତ୍ର ରେ ପରିଚୟ ଫାଉଣ୍ଡେସନ ବ୍ୟାପକ ସ୍ତରରେ କାର୍ଯ୍ୟରତ.
ଦୀର୍ଘ ଏକ ଦଶନ୍ଧି ଧରି ମହିଳା ସଶକ୍ତିକରଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ପରିଚୟ ଫାଉଣ୍ଡେସନ ଚଳିତ ବର୍ଷ ମହିଳା ମାନଙ୍କ ବିରୁଦ୍ଧରେ ହେଉଥିବା ହିଂସା ବିରୁଦ୍ଧରେ ବିଶେଷ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଛି. ପୁରସ୍କାର ବିତରଣ ଉତ୍ସବ ରେ ଉପସ୍ଥିତ ଅତିଥି ମାନେ ମଧ୍ୟ ଏହି ଗୁରୁତ୍ୱପୂର୍ଣ ପ୍ରସଙ୍ଗ ଉପରେ ନିଜ ନିଜ ମତ ଦେଇଥିଲେ. ଏହି ଆଲୋଚନାଚକ୍ରରେ ଉପସ୍ଥାପିତ ହୋଇଥିବା ମତାମତ ଗୁଡିକୁ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗଙ୍କ ପାଖକୁ ପଠାଯିବ.
ଏହି ଆଲୋଚନାଚକ୍ରରେ ଓଡିଶା ପୋଲିସ ଡିଜିପି ଆରପି ଶର୍ମା, କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ଼ ଅନ୍ନପୂର୍ଣ୍ଣା ପାଣ୍ଡେ, ଜଣାଶୁଣା ସାମାଜିକ ଅଧିକାର କର୍ମୀ ନମ୍ରତା ଚଢା ଓ ବରିଷ୍ଠ ସାମ୍ବାଦିକ ସନ୍ଦୀପ ମିଶ୍ର ପ୍ରଭୃତି ଯୋଗ ଦେଇଛନ୍ତି. ଫାଉଣ୍ଡେସନର ଯୋଗାଯୋଗ ପରାମର୍ଶଦାତା ଦୀକ୍ଷା ତିୱାରୀ ମଂଚ ପରିଚାଳନା କରିଥିଲେ.
କାର୍ଯ୍ୟକ୍ରମରେ ସ୍ୱାମୀ ଅଗ୍ନିବେଶ ୧୨ ଟି ଭିନ୍ନ ବିଭାଗରେ ୧୨ ଜଣ ମହିଳାଙ୍କୁ ସମ୍ମାନିତ କରିଥିଲେ. ସମ୍ମାନିତ ମହିଳା ମାନେ ଭାରତ ଓ ଭାରତ ବାହାରେ ନିଜ ନିଜ କ୍ଷେତ୍ରରେ ସଫଳତା ହାସଲ କରି ଉଦାହରଣ ସୃଷ୍ଟି କରି ପାରିଛନ୍ତି. ୧୨ ଜଣ ସମ୍ମାନିତ ହୋଇଥିବା ବ୍ୟକ୍ତିତ୍ୱ ହେଲେ ସମାଜ ସେବା କ୍ଷେତ୍ର ରେ ଶୁଭଶ୍ରୀ ଦାସ ଓ ମଧୁମିତା ପୂଜାରୀ, ବାଣିଜ୍ୟ କ୍ଷେତ୍ର ରେ ରୂପ ଦାସ, ସାହିତ୍ୟ କ୍ଷେତ୍ରରେ ବିଜୟଲକ୍ଷ୍ମୀ ପଣ୍ଡା, ଶିକ୍ଷା କ୍ଷେତ୍ରରେ ଶ୍ରାବଣୀ ପାଢ଼ୀ, କ୍ରୀଡା କ୍ଷେତ୍ରରେ ସିରିସା କୁରାମି, ଗଣମାଧ୍ୟମ କ୍ଷେତ୍ରରେ ଶୁଭଦର୍ଶିନୀ ମିଶ୍ର, କଳା ଓ ସଂସ୍କୃତୀନ କ୍ଷେତ୍ରରେ ସୋନାଲି ମିଶ୍ର, ମନୋରଞ୍ଜନ କ୍ଷେତ୍ରରେ ଶ୍ରାବଣୀ ଦାସ, ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଡ଼ ମାଧୁରୀ ପଟ୍ଟନାୟକ ଓ ପରିବର୍ତ୍ତନର ବାର୍ତ୍ତାବହ ଭାବେ ଶେଲବୀ ମିଶ୍ର ଓ ସସ୍ମିତା ଅଧିକାରୀ ଙ୍କୁ ସମ୍ମାନିତ କରାଯାଇଥିଲା.
ଏହି ଅବସରରେ ସ୍ୱାମୀ ଅଗ୍ନିବେଶ ପରିଚୟ ଫାଉଣ୍ଡେସନକୁ ଉଚ୍ଚ ପ୍ରଶଂସା କରି କହିଥିଲେ, “ସମାଜରେ ଶୋଷଣ ର ଶିକାର ହେଉଥିବା ମହିଳା ମାନଙ୍କର ସହାୟତା ପାଇଁ ପରିଚୟ ଫାଉଣ୍ଡେସନ ଅତ୍ୟନ୍ତ ସ୍ୱାଗତ ଯୋଗ୍ୟ. ଆଜି ଯେଉଁ ୧୨ ଜଣ ମହିଳା ସମ୍ମାନିତ ହୋଇଛନ୍ତି, ସେମାନେ ବାସ୍ତବିକ ସମାଜ ପାଇଁ ଆଦର୍ଶ. ସବୁ ପ୍ରତ୍ରିକୂଳ ପରିସ୍ଥିତି କୁ ସାମ୍ନା କରି ସମାଜରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ହାସଲ କରିଥିବାରୁ ସେମାନେ ଏ ସମ୍ମାନ ପାଇଁ ଯୋଗ୍ୟ. ଆଗକୁ ଏଭଳି ଆହୁରି କାର୍ଯ୍ୟକ୍ରମ ସଫଳତାର ସହ ହେଉ, ଏ ନେଇ ମୋର ଅନୁଷ୍ଠାନର ମୁଖ୍ୟ ରୋଜାଲିନ ପାଟ୍ଟଶାଣୀ ମିଶ୍ରଙ୍କୁ ଶୁଭେଚ୍ଛା.”
ନିଜ ପ୍ରତିକ୍ରିୟାରେ ଅନୁଷ୍ଠାନର ମୁଖ୍ୟ ରୋଜାଲିନ ପାଟ୍ଟଶାଣୀ ମିଶ୍ର କହିଥିଲେ, “ଆଜି ସମ୍ମାନିତ ହୋଇଥିବା ମହିଳା ମାନେ ପରିଚୟ ପରିବାରର ଅଂଶ ଓ ଆମେ ତାଙ୍କୁ ନେଇ ଗର୍ବିତ. ଦେଶ ଦୁନିଆରେ ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିବା ମହିଳା ମାନେ ଆଜି ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଏଠାରେ ଉପଠିତ ହୋଇଥିବାରୁ ମୁଁ ସେମାନଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି. ଏହି ବ୍ୟକ୍ତିତ୍ୱ ମାନଙ୍କଠାରୁ ହିଁ ପ୍ରେରଣା ନେଇ ଆମେ ଆଗକୁ ମହିଳା ମାନଙ୍କ ପାଇଁ ଅନେକ କିଛି କରିବାକୁ ଯୋଜନା ରଖିଛୁ. ”
ଆଗାମୀ ମାର୍ଚ୍ଚ ୮ ତାରିଖ ଦିନ ମହିଳା ସଶକ୍ତିକରଣର ବାର୍ତା ନେଇ ଏକ ସାଇକେଲ ରାଲି ଶିଖରଚଣ୍ଡି ପର୍ଯ୍ୟନ୍ତ ଆୟୋଜନ କରାଯିବ. WASH (Women Against Sexual Harassment) ଓଡିଶା ଶୀର୍ଷକ ଏହି ରାଲି ରେ ୧୦୦ ରୁ ଅଧିକ ମହିଳା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି. ଏହା ହେବ ଓଡ଼ିଶାର ପ୍ରଥମ ମହିଳା ବାଇକ ରାଲି. ଆଗାମୀ ଦିନ ମାନଙ୍କରେ ଶାଲିଆ ସାହି ସେଣ୍ଟର ଠାରେ ବସ୍ତି ବାଳିକା ମାନଙ୍କ ପାଇଁ ଆତ୍ମା ରକ୍ଷା ତାଲିମ ମଧ୍ୟ ଦିଆଯିବାର କାର୍ଯ୍ୟକ୍ରମ ରହିଛି.

Share in top social networks!
Powered By Indic IME