କୋରାପୁଟରେ ବିସ୍ଥାପନକୁ ନେଇ ଜନଶୁଣାଣୀ ଅନୁଷ୍ଠିତ


– ବିସ୍ଥାପିତଙ୍କ ପ୍ରତି ହୋଇଛି ଐତିହାସିକ ଅନ୍ୟାୟ ଓ ଅବିଚାର, କହିଲେ ବିଚାରକମଣ୍ଡଳୀ
DSC_0014
ଅବିଭକ୍ତ କୋରାପୁଟ ଜିଲ୍ଲାରେ ବିସ୍ଥାପନ ଓ ତତ୍-ସମ୍ପର୍କିତ ଥଇଥାନ ଓ ପୁନର୍ବାସକୁ ନେଇ କୋରାପୁଟ ସହର ର ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି ଏକ ବିଶାଳ ଜନଶୁଣାଣୀ । ଏହି ଜନଶୁଣାଣୀରେ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ (ହାଲ), ନାଲକୋ ଭଳି ଶିଳ୍ପ ପାଇଁ ବିସ୍ତାପିତ ହୋଇଥିବା ତଥା ଅପର କୋଲାବ. ଇନ୍ଦ୍ରାବତୀ, ମାଛକୁଣ୍ଡ, ବାଲିମେଳା ଓ ତେଲେନଗିରି ଭଳି ଡ୍ୟାମ ଓ ଜଳଭଣ୍ଡାର କାରଣରୁ ବିସ୍ଥାପିତ ହୋଇଥିବା ପ୍ରାୟ ୧୦୦ ଜଣ ବ୍ୟକ୍ତି ନିଜର ସାକ୍ଷ୍ୟ ପ୍ରଦାନ କରିଥିଲେ । ପ୍ରଫେସର ମନୋରଞ୍ଜନ ମହାନ୍ତି, ଡଃ ବିଦ୍ୟୁତ ମହାନ୍ତି, ପ୍ରଫେସର ଗୋଲକ ବିହାରୀ ନାଥ, ଶ୍ରୀ ନୃସିଂହ ପାଣିଗ୍ରାହୀ ଓ ଶ୍ରୀ ଲିଙ୍ଗରାଜ ମାମଲାମାନଙ୍କର ଶୁଣାଣୀ କରିଥିଲେ ।
ହାଲ ଯୋଗୁଁ ବିସ୍ଥାପିତ ହୋଇଥିବା ଆଦିବାସୀ ପରଜା ସମ୍ପ୍ରଦାୟର ଯୁବକ ତଥା ହାଲ ବିସ୍ଥାପିତ ସଂଘକୁ ନେତୃତ୍ୱ ପ୍ରଦାନ କରୁଥିବା ଶ୍ରୀ ତ୍ରିଲୋଚନ ମୁଦୁଲି କହିଲେ ଯେ ବିସ୍ଥାପିତ ଲୋକେ ଶାନ୍ତିପୂର୍ଣ୍ଣ ଭାବରେ ନିଜର ଜମି ଅଧିକାର ଓ ଅନ୍ୟ ନ୍ୟାଯ୍ୟ ଦାବୀ ରଖିବା ବେଳେ ହାଲ କର୍ତ୍ତୃପକ୍ଷ ଏବଂ ପୋଲିସ ସେମାନଙ୍କୁ ବାରମ୍ବାର ହଇରାଣ ଓ ଭୟଭୀତ କରୁଛନ୍ତି ତଥା ବିସ୍ଥାପିତଙ୍କ ନାମରେ ମିଥ୍ୟା ମାମଲା ରୁଜୁ କରୁଛନ୍ତି । ମାଛକୁଣ୍ଡ ବିସ୍ଥାପିତଙ୍କ ସହ କାମ କରୁଥିବା ସମାଜସେବୀ ଶ୍ରୀ ବିଜୟ ଉପାଧ୍ୟାୟ କହିଲେ ଯେ ୧୯୫୦ ମସିହାରୁ ବିସ୍ଥାପିତ ଲୋକେ ବାରମ୍ବାର କ୍ଷତିଗ୍ରସ୍ତ ହୋଇଚାଲିଛନ୍ତି । ସେ ଆଦିବାସୀ ବିସ୍ଥାପିତଙ୍କ ଦୁର୍ଦ୍ଦଶା ତଥା ତାଙ୍କ ପ୍ରତି ଅବିଚାରର ଅନେକ ଉଦାହରଣ ରଖିଥିଲେ ।
ବିଚାରକମଣ୍ଡଳୀ ତରଫରୁ ବିଚାର ପ୍ରଦାନ କରିଥିବା ପ୍ରଫେସର ମନୋରଞ୍ଜନ ମହାନ୍ତି କହିଲେ ଯେ ଆଜି ବିସ୍ଥାପିତ ଜନତାଙ୍କ ଦୁର୍ଦ୍ଦଶା ଓ ତାଙ୍କ ପ୍ରତି ଅକ୍ରୋଶର ଯେଉଁସବୁ ପ୍ରମାଣ ମିଳିଲା ତାହା ଅତି ଦୁଃଖଦାୟକ । ବିସ୍ଥାପିତଙ୍କ ପ୍ରତି ଅଧିକାର ଓ ସମ୍ମାନର ରକ୍ଷା ପ୍ରତି ସଠିକ୍ ନ୍ୟାୟ ହୋଇ ନଥିବା ସ୍ପଷ୍ଟ ଭାବରେ ଜଣାପଡୁଛି । ଏହା ଆଦିବାସୀଙ୍କ ପ୍ରତି ଏକ ଐତିହାସିକ ଅନ୍ୟାୟ ବୋଲି କହି ପ୍ରଫେସର ମହାନ୍ତି କହିଲେ ଯେ ଜନତାଙ୍କ ବିସ୍ଥାପନକୁ ସରକାର ଅତି ଗୁରୁତ୍ୱର ସହ ନେବାର ଆବଶ୍ୟକତା ରହିଛି ଏବଂ ତାଙ୍କପ୍ରତି ଉଚିତ ଓ ସହାନୁଭୂତିଶୀଳ ମନୋଭାବ ସର୍ବଦା ରହିବା ଆବଶ୍ୟକ ରହିଛି । ଥଇଥାନ ଓ ପୁନର୍ବାସରେ ସର୍ବଦା ଆଦିବାସୀଙ୍କ ପରମ୍ପରା, ସଂସ୍କୃତି, ଗୋଷ୍ଠୀ, ଚଳନକୁ ଉପଯୁକ୍ତ ଧ୍ୟାନ ଦିଆଯିବା ନିହାତି ଆବଶ୍ୟକ ।
ବିଚାରକମଣ୍ଡଳୀର ଅନ୍ୟତମ ସଦସ୍ୟ ଶ୍ରୀ ଲିଙ୍ଗରାଜ କହିଲେ ଯେ ଡ୍ୟାମ, ଖଣି ଖନନ, ଶିଳ୍ପ ପ୍ରତିଷ୍ଠା ତଥା ଜଙ୍ଗଲ ଅଞ୍ଚଳକୁ ଅଣ-ଜଙ୍ଗଲ କିସମରେ ପରିବର୍ତ୍ତନ କାରଣରୁ ବିସ୍ଥାପିତ ହୋଇଥିବା ବ୍ୟକ୍ତି ଓ ଗୋଷ୍ଠୀ କରୁଥିବା ଦାବୀ ସମ୍ପୂର୍ଣ୍ଣ ଯୁକ୍ତସଙ୍ଗତ ଅଟେ । ତାଙ୍କର ଦାବୀକୁ ଗ୍ରହଣ କରାଯାଇ ନାହିଁ ଓ ସେମାନଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରାଯାଇଛି ।
ଲୋକଶକ୍ତି ଅଭିଯାନର ଆବାହକ ଶ୍ରୀ ପ୍ରଫୁଲ୍ଲ ସାମନ୍ତରା ଜନଶୁଣାଣୀର ଉଦ୍ଦେଶ୍ୟ ବୁଝାଇବାକୁ ଯାଇ କହିଲେ ଯେ ଏଥିରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ବିସ୍ଥାପନ କାରଣରୁ ପ୍ରତ୍ୟକ୍ଷ ଭାବରେ କ୍ଷତିଗ୍ରସ୍ତ ଓ ପୀଡିତ ହୋଇଥିବା ବ୍ୟକ୍ତି, ବିଶେଷ କରି ଆଦିବାସୀ ବ୍ୟକ୍ତିଙ୍କର ସାକ୍ଷ୍ୟରୁ ତାଙ୍କ ଅଭିଯୋଗ ଓ ବେଦନାକୁ ବୁଝି ହୋଇଛି । ଏହାକୁ ପରବର୍ତ୍ତୀ ସମୟରେ ପ୍ରଶାସନ ନିକଟରେ ପହଞ୍ଚାଯିବ ତଥା ବିସ୍ଥାପିତଙ୍କ ଅଧିକାରର ସୁରକ୍ଷା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରିବାର ପଥ ପ୍ରଦର୍ଶନ ପାଇଁ ଉପଯୋଗ କରାଯିବ ।
ପୁନେରେ ମୂଖ୍ୟାଳୟ ଥିବା ନ୍ୟାସନାଲ ସେଣ୍ଟର ଫର ଆଡଭୋକେସି ଷ୍ଟଡିଜର ରାଜ୍ୟ ପ୍ରତିନିଧି ଶ୍ରୀ ସନ୍ଦୀପ ପଟ୍ଟନାୟକ କହିଲେ ଯେ ଜନଶୁଣାଣୀରୁ କେବଳ ପୁନର୍ବାସ ଓ ଥଇଥାନରେ ହୋଇଥିବା ତ୍ରୁଟି ଓ ନିଷ୍ଠାହୀନତାର ପ୍ରମାଣ ମିଳୁନାହିଁ, ତାହା ସହିତ ବିସ୍ଥାପିତଙ୍କୁ ନ୍ୟାଯ୍ୟ ଦାବୀକୁ ଚପାଇବାକୁ ଯାଇ ତାଙ୍କ ମାନବିକ ଅଧିକାରର ମଧ୍ୟ ହନନ ହୋଇଥିବାର ପ୍ରମାଣ ମିଳୁଛି । ବିସ୍ଥାପନ ଭଳି ଏକ ସମସ୍ୟାର ସମାଧାନ ଖୋଜିବାରେ ଏହି ଜନଶୁଣାଣୀ ଉପଯୁକ୍ତ ବାଟ ଦେଖାଇବ ।
ଓକିଲ ଶ୍ରୀ ଗୁପ୍ତେଶ୍ୱର ପାଣିଗ୍ରାହୀ, ଅପର କୋଲାବ ବିସ୍ଥାପିତ ସଂଘର ଶ୍ରୀ ପ୍ରତାପ ପଟ୍ଟନାୟକ, ବସୁନ୍ଧରାର ଶ୍ରୀମତୀ ପୁଷ୍ପାଞ୍ଜଳୀ ଶତପଥି ଏବଂ ସମାଜ ସେବୀ ଶ୍ରୀ ବିଦ୍ୟୁତ ମହାନ୍ତି ଙ୍କ ସମେତ ଅନେକ ଅଂଶଗ୍ରହଣକାରୀ ବିସ୍ଥାପିତଙ୍କ ଦୁର୍ଦ୍ଦଶା, ତାଙ୍କ ଜମି ତଥା ଜଙ୍ଗଲ ଉପରେ ଅଧିକାରର ହନନ ଏବଂ ତାଙ୍କର ମାନବିକ ଅଧିକାରର ହନନର ଅନେକ ଦୃଷ୍ଟାନ୍ତ ରଖିଥିଲେ ।
ଓଡିଶା ଲୋକଶକ୍ତି ଅଭିଯାନ ତରଫରୁ ଆୟୋଜିତ ଏହି ଜନ-ଶୁଣାଣୀର ପରବର୍ତ୍ତୀ ପର୍ଯ୍ୟାୟରେ ବୁଧବାରଦିନ କୋରାପୁଟ ଠାରେ ଏକ ବିଶାଳ ଶୋଭାଯାତ୍ରାରେ ଯାଇ ବିସ୍ଥାପିତ ଲୋକେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କର ଦାବିପତ୍ର ପ୍ରଦାନ କରିବେ ।

Share in top social networks!
Powered By Indic IME