ଧର୍ମେନ୍ଦ୍ର ପ୍ରଧାନଙ୍କ ଅହଂକାର ଓ ଔଦ୍ଧତ୍ୟର ଜବାବ ଦେବେ ବିଜେପୁରବାସୀ: ବିଜୟ ନାୟକ

ଶାସନରେ ଅରାଜକତା, ଅର୍ଥନୀତିରେ ଅସ୍ଥିରତା ଓ ସାମାଜିକ କ୍ଷେତ୍ରରେ ଅସହିଷ୍ଣୁତା ହେଉଛି କେନ୍ଦ୍ରରେ ବିଜେପି ସରକାରଙ୍କ ବଡ଼ ଉପଲବ୍ଧି । ବିଜେପି ଜିଏସ୍‍ଟି, ଦରବୃଦ୍ଧି, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ, ଆଧାର,କଳାଧନ, ଆତଙ୍କବାଦ ଆଦି ପ୍ରସଂଗରେ ଯେଉଁ ପ୍ରଶ୍ନ ଉଠାଉଥିଲେ, କ୍ଷମତାସୀନ ହେବା ପରେ ସେସବୁ ଭୁଲି ଯାଇଛନ୍ତି । ବରଂ ସରକାରକୁ ଫେରିବା ପରେ ସାମାଜିକ କ୍ଷେତ୍ରରେ ଅର୍ଥହ୍ରାସ, କୃଷି ଉପôାଦନ କମିବା, ଦେଶରେ ଚାଷୀ ଆତ୍ମହତ୍ୟା ବଢ଼ିବା, ନିତ୍ୟ
ବ୍ୟବହାର୍ଯ୍ୟ ସାମଗ୍ରୀର ଆକାଶଛୁଆଁ ଦରବୃଦ୍ଧି, ତୈଳ ଓ ରନ୍ଧନ ଗ୍ୟାସ୍‍ର ଦରବୃଦ୍ଧି ଘଟିବା ସହିତ ଯୁବକଯୁବତୀଙ୍କୁ କର୍ମ ସଂସ୍ଥାନର
ପ୍ରତିଶ୍ରୁତି ଦେଇଥିବା କେନ୍ଦ୍ର ସରକାର ନିଯୁକ୍ତି ସୁଯୋଗ ସୃଷ୍ଟି କ୍ଷେତ୍ରରେ ପୂରାପୂରି ବିଫଳ ହୋଇଛନ୍ତି ।

ସାମାଜିକ ବିଦ୍ୱେଷ ଓ ଅସହିଷ୍ଣୁତା ସୃଷ୍ଟି କରି ବିଜେପି ସରକାର ଭାରତୀୟ ଗଣତାନ୍ତ୍ରିକ ପରମ୍ପରାକୁ ଧ୍ୱଂସ କରି ଚାଲିଛନ୍ତି । ବିକାଶର ନାରା ଦେଇ କ୍ଷମତାକୁ
ଆସିଥିବା ବିଜେପି ବାସ୍ତବରେ ବିନାଶର ପ୍ରତୀକ ସାଜିଛି ବୋଲି ବିଜୁ ଜନତା ଦଳ ରାଜ୍ୟ ସଂପାଦକ ବିଜୟ ନାୟକ କହିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟର କଡ଼ା ଜବାବ ଦେଇ ଶ୍ରୀ ନାୟକ କହିଛନ୍ତି ଯେ ଶ୍ରୀ ପ୍ରଧାନ ଅହଂକାର ଓ ଔଦ୍ଧତ୍ୟର ସୀମା ଡେଇଁଲେଣି । ଅହଂକାରରେ ସେ ଅନ୍ଧ । ଓଡ଼ିଶା ନୁହେଁ, ବିଜେପି ଶାସନରେ ଧର୍ମେନ୍ଦ୍ର ହିଁ ବେଶୀ ଉପକୃତ । ସେ ଗତ ୧୭ବର୍ଷ
ମଧ୍ୟରେ ଓଡ଼ିଶାରେ ହୋଇଥିବା ପ୍ରଗତିର ଚିତ୍ରକୁ ଦେଖିପାରୁ ନାହାନ୍ତି । ଓଡ଼ିଶାର ଲୋକମାନଙ୍କର ଉପଲବ୍ଧି ସଂପର୍କରେ ସେ ଅନଭିଜ୍ଞ ।
ବିଜୁ ଜନତା ଦଳର ବିକାଶ ହିଁ ଏକମାତ୍ର ଏଜେଣ୍ଡା ଏବଂ ଏଥିପାଇଁ ଶ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଓ ଗ୍ରହଣୀୟତା ଦିନକୁ
ଦିନ ବୃଦ୍ଧି ପାଇବାରେ ଲାଗିଛି, ଯାହାକି ବିଭିନ୍ନ ସମୟର ନିର୍ବାଚନ ଫଳାଫଳରୁ ପ୍ରମାଣିତ ହୋଇଛି । ଶ୍ରୀ ପ୍ରଧାନ ଯେଉଁ ଅଭିଯୋଗ
ଆଣିଛନ୍ତି, ସେଥିରୁ ଜଣାପଡୁଛି ଯେ ତାଙ୍କର ତୃଣମୂଳ ତଥା କ୍ଷେତ୍ର ସହିତ ସଂପର୍କ ନାହିଁ । କ୍ଷମତାରେ ଅନ୍ଧ ହୋଇ ସେ ବୃଥା ଆସ୍ଫାଳନ
କରୁଛନ୍ତି । ଓଡ଼ିଶାର ଲୋକମାନେ ଔଦ୍ଧତ୍ୟ, ଅହଂକାର ଓ ଆସ୍ଫାଳନକୁ କଦାପି ବରଦାସ୍ତ କରନ୍ତି ନାହିଁ । ନବୀନ ପଟ୍ଟନାୟକଙ୍କ
ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଓ ବିକାଶମୁଖୀ କାର୍ଯ୍ୟକ୍ରମକୁ ଓଡ଼ିଶାର ଲୋକମାନେ କ୍ରମାଗତ ଭାବେ ସମର୍ଥନ ଦେଇ ଆସିଛନ୍ତି । ଶ୍ରୀ
ପ୍ରଧାନଙ୍କ ବାହାପିଆ ଏବଂ ଔଦ୍ଧତ୍ୟପୂର୍ଣ୍ଣ ବକ୍ତବ୍ୟରେ ଓଡ଼ିଶାର ଲୋକମାନେ ଭଳିବେ ନାହିଁ ବୋଲି ଶ୍ରୀ ନାୟକ କହିଛନ୍ତି ।
ବିଜେପୁରରେ ହାରିବା ନିଶ୍ଚିତ ଜାଣି ଶ୍ରୀ ପ୍ରଧାନ ହତାଶ ହୋଇପଡିଛନ୍ତି । ସେ ଅବାନ୍ତର କଥା କହୁଛନ୍ତି । ଗତ ବିଧାନସଭା
ନିର୍ବାଚନଗୁଡିକରେ ବିଜେପିର କ’ଣ ସ୍ଥିତି ଥିଲା ଏବଂ ବିଜେପିକୁ କିଭଳି ଭାବେ ଲୋକମାନେ ପ୍ରତ୍ୟାଖ୍ୟାନ କରିଥିଲେ ତାହା
ଧର୍ମେନ୍ଦ୍ର ଜାଣିନାହାନ୍ତି ନା ଜାଣିସିଆଣିଆ ଭଳି ଆଚରଣ କରୁଛନ୍ତି । ବାହୁବଳ, ଅର୍ଥବଳ ମାଧ୍ୟମରେ ବିଜେପୁରର ଲୋକମତକୁ ନିଜ
ସପକ୍ଷକୁ ଆଣିବା ପାଇଁ ଶ୍ରୀ ପ୍ରଧାନ ଯେଉଁ ଅହଂକାରୀ କାରନାମା କରୁଛନ୍ତି, ତାହାର ଉତ୍ତର ସ୍ୱାଭିମାନୀ ବିଜେପୁରବାସୀ ଫେବୃଆରୀ
୨୪ ତାରିଖରେ ଦେବେ ବୋଲି ଶ୍ରୀ ନାୟକ ଏକ ପ୍ରେସ୍‍ ବିବୃତିରେ କହିଛନ୍ତି ।

Share in top social networks!