ବିଜେପିରେ ଯୋଗ ଦେଲେ ବର୍ଷିୟାନ ଅଭିନେତ୍ରୀ ମହାଶ୍ୱେତା ରାୟ

Joining (2)
ରାଜ୍ୟରେ ସମସ୍ତ ମା’, ଭଉଣୀ ଏବଂ ଶିଶୁ ସୁରକ୍ଷିତ ରହିବେ । ପାନୀୟ ଜଳ ପାଇଁ ଦୂର ବାଟକୁ ଯିବା ପରିବର୍ତେ ପାଇପ ଦ୍ୱାରା ପାଣି ଘରେ ଘରେ ପହଂଚିବ । ଗାଁ ଗାଁ ରେ ବିଜୁଳି ପହଂଚିବ । ଗର୍ଭବତୀ ମହିଳା ଆମ୍ବୁଲାନ୍ସ ଅଭାବରୁ ରାସ୍ତାକଡରେ ପ୍ରସବ କରିବେନି । ସ୍ତ୍ରୀର ଶବକୁ ସ୍ୱାମୀ କାନେ୍ଧଇ ନେବନି । ନ୍ୟାୟ ନପାଇ କୌଣସି ମହିଳା ଆତ୍ମହତ୍ୟା କରିବେନି । ସମସ୍ତ ଗାଁ କୁ ପକ୍କା ରାସ୍ତା ଥିବ । ସମସ୍ତଙ୍କୁ ଶିକ୍ଷା ଏବଂ ନାରୀମାନଙ୍କୁ ସୁରକ୍ଷା ଦେବା ସହ ରାଜ୍ୟର ସମୂହ ବିକାଶ ହେବ । ଏଭଳି ଏକ ବିକଶିତ ଓ ନୂତନ ଓଡିଶାର ସ୍ୱପ୍ନ ଦେଖିଛି । ଏହି ସ୍ୱପ୍ନକୁ କେବଳ ଭାରତୀୟ ଜନତା ପାର୍ଟୀ ହିଁ ସମ୍ଭବ କରିପାରିବ । ଏଭଳି ଦୃଢ ଆସ୍ଥା ପ୍ରକଟ କରି ବିଜେପିରେ ଯୋଗ ଦେଇଛି ବୋଲି ବର୍ଷିୟାନ ଓଡିଆ ଅଭିନେତ୍ରୀ ଶ୍ରୀମତି ମହାଶ୍ୱେତା ରାୟ କହିଛନ୍ତି ।
ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଭିନେତ୍ରୀ ମହାଶ୍ୱେତା ରାୟଙ୍କୁ ବିଜେପିର ଉତରୀୟ ଦେଇ ବିଧିବଦ୍ଧ ଭାବରେ ବିଜେପିରେ ସାମିଲ କରାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ମିଶିବା ପରେ ଶ୍ରୀମତୀ ରାୟ କହିଛନ୍ତି ଯେ, ରାଜନୀତିରେ ପାଦ ଦେବା ସହଜ କଥାନୁହେଁ । ରାଜନୀତି କରିବା ପାଇଁ କଠିନ ପରିଶ୍ରମ ସହ ଦାୟୀତ୍ୱବୋଧ ରହିବା ଦରକାର । ବିଜେପି ଦଳ ସବୁବେଳେ ପ୍ରଗତି ପଥରେ ଆଗେଇ ଚାଲିଛି । ଆଗାମୀ ୨୦୧୯ସାଧାରଣ ନିର୍ବାଚନରେ ରାଜ୍ୟରେ ବିଜେପି ସରକାର କରିବ ବୋଲି ଶ୍ରୀମତୀ ରାୟ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏଥିସହ ଦଳରେ ସାମିଲ ହୋଇଥିବାରୁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶ୍ରୀମତୀ ରାୟ କୃତଜ୍ଞତା ଜଣାଇଛନ୍ତି ।
ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଅର୍ଦ୍ଧ ଶତାଦ୍ଧୀ ଧରି ଶ୍ରୀମତୀ ରାୟଙ୍କ ପରିବାର ପ୍ରତିଟି ସଦସ୍ୟ ଓଡିଶାର କଳା,ସଂସ୍କୃତି, ସାହିତ୍ୟ ସହ ସମାଜିକ ଜୀବନରେ ସବୁବେଳେ ପ୍ରେରଣା ଦେଇଆସୁଛନ୍ତି । ବିଭିନ୍ନ ଭାଷାରେ ୮୦ ରୁ ଅଧିକ ଚଳଚ୍ଚିତ୍ରରେ ନିଜର ନିଖୁଣ ଅଭିନୟ କରିଥିବା ମହେଶ୍ୱତା ରାୟଙ୍କ ଅବଦାନ ଅତୂଳନୀୟ । ଏଥି ସହ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଅନୁପ୍ରାଣିତ ହୋଇ ଶ୍ରୀମତି ରାୟ ଦଳରେ ସାମିଲ ହୋଇଥିବାରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ତାଙ୍କୁ ଧନ୍ୟବାଦ ଦେଇଛନ୍ତି ।
ଏହି ମିଶ୍ରଣ ପର୍ବରେ ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି, ରାଜ୍ୟ ସଂପାଦକ ଶ୍ରୀ କାଳନ୍ଦୀ ସାମଲ ଓ ଶ୍ରୀମତି ସୀମନ୍ତିନୀ ଜେନା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଅଭିନେତା ଶ୍ରୀତମ ଦାସ ଓ ପିଙ୍କି ପ୍ରଧାନ, ମିହିର ଦାସ, ଅନୁଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!