ବିଜେପିର ପ୍ରଚାର ପାଇଁ ଯାଉଥିବା ସମସ୍ତ ନେତାଙ୍କ ବିଜେପୁର ଗସ୍ତର ଖର୍ଚ୍ଚକୁ ବିଜେପି ପ୍ରାର୍ଥୀଙ୍କ ତାଲିକାରେ ସାମିଲ ପାଇଁ ଆଜି ବିଜୁ ଜନତା ଦଳର ଦାବି

Delhi CEC (1)ଲୋକ ପ୍ରତିନିଧି ଆଇନ-୧୯୫୧ର ଧାରା ୭୭(୧) ଅନୁସାରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରତ୍ୟେକ ପ୍ରାର୍ଥୀ ନିଜର ସମସ୍ତ ବାସ୍ତବ ନିର୍ବାଚନୀ ଖର୍ଚ୍ଚର ହିସାବ ଦେବାର ନିୟମ ରହିଛି । ଏହି ଆଇନ୍‍ ଅନୁସାରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ ନିର୍ବାଚନ ପାଇଁ ଚୂଡ଼ାନ୍ତ ଅଧିସୂଚନା ପ୍ରକାଶନର ୭ଦିନ ମଧ୍ୟରେ ଯଦି କୌଣସି ରାଜନୈତିକ ଦଳ
ନିଜର ନେତାମାନଙ୍କ ନାଁକୁ ନିର୍ବାଚନ କମିଶନ ଓ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅବଗତ କରିଥିବେ ତା’ହେଲେ ସେମାନଙ୍କର ଖର୍ଚ୍ଚକୁ ପ୍ରାର୍ଥୀଙ୍କ ଖର୍ଚ୍ଚରେ ସାମିଲ କରାଯିବ ନାହିଁ । କିନ୍ତୁ ବିଜେପି ୭ଦିନ ମଧ୍ୟରେ ନିଜର ନେତାମାନଙ୍କ ଗସ୍ତ ଅବା ଷ୍ଟାର ପ୍ରଚାରକ ତାଲିକା ମୁଖ୍ୟ ନିର୍ବାଚନ କମିଶନଙ୍କୁ ଦେଇନଥିବା ବିଜେଡି ଅନୁଭବ କରୁଛି ।

ତେଣୁ ବିଜେପିର ପ୍ରଚାର ପାଇଁ ଯାଉଥିବା ସମସ୍ତ ନେତାଙ୍କ ବିଜେପୁର ଗସ୍ତର ଖର୍ଚ୍ଚକୁ ବିଜେପି ପ୍ରାର୍ଥୀଙ୍କ ତାଲିକାରେ ସାମିଲ ପାଇଁ ଆଜି ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଅନୁÂିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂପାଦକ ବିଜୟ ନାୟକ ଓ ମୁଖପାତ୍ର ଡ. ସସ୍ମିତ ପାତ୍ର ଦାବି କରିଛନ୍ତି । ଶ୍ରୀ ନାୟକ କହିଛନ୍ତି ଯେ ଆଇନ୍‍ର ପ୍ରାବଧାନ ଅନୁସାରେ ଷ୍ଟାର ପ୍ରଚାରକ ତାଲିକାକୁ ନୋଟିଫିକେସନ୍‍ର ୭ଦିନ ମଧ୍ୟରେ ଉଭୟ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶା ଏବଂ ନିର୍ବାଚନ କମିଶନ, ଭାରତଙ୍କ ନିକଟରେ ଦାଖଲ କରିବାର ବ୍ୟବସ୍ଥା ରହିଥାଏ । ସାଧାରଣତଃ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରାଯାଇଥିବା ପ୍ରଚାରକ ତାଲିକାକୁ ସମ୍ପୃକ୍ତ କାର୍ଯ୍ୟାଳୟ ପକ୍ଷରୁ ନିର୍ବାଚନ କମିଶନଙ୍କୁ ଅବଗତ କରାଯାଇଥାଏ । କିନ୍ତୁ ନିର୍ବାଚନରେ ପାରଦର୍ଶିତା ରଖିବା ନିମନ୍ତେ ବିଜେପିର ତାଲିକା କେବେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରାଗଲା ତାହା ନିଜଆଡ଼ୁ ସ୍ପଷ୍ଟ କରନ୍ତୁ । ଅତୀତରେ କନୱର ଲାଲ ଗୁପ୍ତା ବନାମ ଅମରନାଥ ଚାୱଲା ମାମଲାରେ ୧୯୭୪ ଏପ୍ରିଲ ୧୦ତାରିଖରେ ସୁପି୍ରମକୋର୍ଟ ତାଙ୍କ ରାୟରେ ମଧ୍ୟ ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି । ବିଜେପି ନିଜ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ପାଇଁ ବିଜେପୁରକୁ ୬ କେନ୍ଦ୍ରମନ୍ତ୍ରୀ ଓ ଦଳର ଜାତୀୟ ଅଧ୍ୟକ୍ଷଙ୍କୁ ଷ୍ଟାର ପ୍ରଚାରକ ଭାବେ ଓହ୍ଲାଇବ ବୋଲି ଗଣମାଧ୍ୟମରୁ ସୂଚନା ମିଳିଛି । ତେଣୁ ସେମାନଙ୍କର ଗସ୍ତ ଖର୍ଚ୍ଚକୁ ପ୍ରାର୍ଥୀଙ୍କ ଖର୍ଚ୍ଚ ଭାବେ
ବିବେଚନା କରିବାକୁ ବିଜେଡି ଦାବି କରୁଛି ।

କାରଣ ୭ଦିନ ମଧ୍ୟରେ ବିଜେପି ନିଜର ଷ୍ଟାର ପ୍ରଚାରକ ତାଲିକା ଦେଇନଥିବା ବିଜେଡି ଅନୁଭବ କରୁଛି । ଆଇନ୍‍ରେ ଥିବା ପ୍ରାବଧାନ ଅନୁସାରେ ଚୂଡ଼ାନ୍ତ ଅଧିସୂଚନାର ୭ଦିନ ମଧ୍ୟରେ ଦାଖଲ ହୋଇନଥିବା ଷ୍ଟାର ପ୍ରଚାରକଙ୍କ ଖର୍ଚ୍ଚକୁ ପ୍ରାର୍ଥୀଙ୍କ ଖର୍ଚ୍ଚ ଭାବେ ବିବେଚନା କରିବା ପାଇଁ ଗତକାଲି ବିଜେଡି ପକ୍ଷରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ
ନିକଟରେ ଦାବି ଉପସ୍ଥାପନ କରାଯାଇଥିଲା ଏବଂ ଆଜି ମଧ୍ୟ ସାଂସଦ ଭର୍ତ୍ତୃହରି ମହତାବ, ପିନାକୀ ମିଶ୍ର ଓ ରବୀନ୍ଦ୍ର ଜେନା ନୂଆଦିଲ୍ଲୀସ୍ଥିତ ମୁଖ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଏ ସଂପର୍କରେ ଦାବି ଉପସ୍ଥାପନ କରିଛନ୍ତି ବୋଲି ଶ୍ରୀ ନାୟକ କହିଥିଲେ । ଏଠାରେ ନିଶ୍ଚିତ ରୂପେ ଆଇନ୍‍ର ଉଲ୍ଲଂଘନ କରାଯାଇଥିବାରୁ ପ୍ରାର୍ଥୀଙ୍କ ପାଇଁ ଧାର୍ଯ୍ୟ ନିର୍ବାଚନ ଖର୍ଚ୍ଚସୀମାର ପ୍ରାବଧାନକୁ କଡ଼ାକଡ଼ି ଭାବେ ପାଳନ ନିମନ୍ତେ ବିଜେଡି ଦାବି କରିବା ସହିତ ନିୟମ ଅନୁସାରେ କାର୍ଯ୍ୟାନୁÂାନ ଗ୍ରହଣ କରାଯାଉ ବୋଲି ଡ. ପାତ୍ର
କହିଥିଲେ ।