ଏଡଭାଣ୍ଟେଜ ଆସାମ-ବିଶ୍ୱ ନିବେଶକ ସମ୍ମିଳନୀ 2018ର ଉଦ୍ଘାଟନୀ ଅଧିବେଶନକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୌହାଟୀ ଠାରେ ଏଡଭାଂଟେଜ ଆସାମ-ବିଶ୍ୱ ନିବେଶକ ସମ୍ମିଳନୀର ଉଦଘାଟନୀ ଅଧିବେଶନରେ ଉଦ୍ବୋଧନ ଦେଇଛନ୍ତି ।

ଏହି ସମ୍ମିଳନୀକୁ ଆସିଥିବା ପ୍ରତିନିଧିମାନଙ୍କୁ ସ୍ୱାଗତ ଜଣାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉତ୍ତର-ପୂର୍ବାଂଚଳ ଏବେ କେନ୍ଦ୍ର ସରକାରଙ୍କ ଏକ୍ଟ ଇଷ୍ଟ ନୀତିର କେନ୍ଦ୍ରସ୍ଥଳୀରେ ରହିଛି । ଏକ୍ଟ ଇଷ୍ଟ ନୀତିର ଉଦ୍ଦେଶ୍ୟ ହେଉଛି ଆସିଆନ ରାଷ୍ଟ୍ରଗୁଡ଼ିକ ସହ ଜନ-ଜନ ଯୋଗାଯୋଗ, ବାଣିଜ୍ୟିକ ସମ୍ବନ୍ଧ ଏବଂ ଅନ୍ୟାନ୍ୟ ସମ୍ପର୍କ ବୃଦ୍ଧି କରିବା ବୋଲି ସେ ଉଲ୍ଲେଖ କରିଥିଲେ ।

ନିକଟରେ ଅନୁଷ୍ଠିତ ଆସିଆନ-ଭାରତ ସ୍ମାରକ ଶିଖର ସମ୍ମିଳନୀ ଭାରତ ଓ ଆସିଆନ ମଧ୍ୟରେ ଭାଗିଦାରୀର 25ବର୍ଷ ପୂର୍ତ୍ତିକୁ ପାଳନ କରିଥିଲା ବୋଲି ପ୍ରଧାନମନ୍ତ୍ରୀ ସ୍ମରଣ କରାଇଦେଇଥିଲେ । ସେ ଆହୁରି କହିଥିଲେ ଯେ ଭାରତ ଏବଂ ଆସିଆନ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସମ୍ପର୍କ ହଜାର ହଜାର ବର୍ଷ ପୁରୁଣା । ସେ କହିଥିଲେ ଯେ ନୂଆଦିଲ୍ଲୀରେ ଅନୁଷ୍ଠିତ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ 10ଟି ଆସିଆନ ରାଷ୍ଟ୍ରମୁଖ୍ୟଙ୍କୁ ଆତିଥ୍ୟ ପ୍ରଦାନ କରିବା ଭାରତ ପାଇଁ ଗୌରବର ବିଷୟ ଥିଲା ।

ଉତ୍ତର-ପୂର୍ବାଂଚଳର ସମତୁଲ ଏବଂ ଦ୍ରୁତ ଅଭିବୃଦ୍ଧି ଦ୍ୱାରା ଭାରତର ଅଭିବୃଦ୍ଧି ଆହୁରି ତ୍ୱରାନ୍ୱିତ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ । ଲୋକମାନଙ୍କ ଜୀବନ ଧାରଣ ମାନରେ ଉନ୍ନତି ଆଣିବା କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନାର ଉଦ୍ଦେଶ୍ୟ ବୋଲି ସେ କହିଥିଲେ । ସେ କହିଥିଲେ ଯେ “ସହଜ ଜୀବନଧାରଣ” ସୁନିଶ୍ଚିତ କରିବା ଆମର ଲକ୍ଷ୍ୟ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସାଧାରଣ ବଜେଟରେ ଘୋଷଣା କରାଯାଇଥିବା “ଆୟୁଷ୍ମାନ ଭାରତ” ଯୋଜନା ସାରା ବିଶ୍ୱରେ ଏହି ଶ୍ରେଣୀର ସର୍ବବୃହତ ଯୋଜନା । ସେ କହିଥିଲେ ଯେ ଏହି ସ୍ୱାସ୍ଥ୍ୟସେବା ଯୋଜନା ଦ୍ୱାରା 45ରୁ 50 କୋଟି ଜନସାଧାରଣ ଉପକୃତ ହୋଇପାରିବେ । ଗରିବଙ୍କ କଲ୍ୟାଣ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା ଅନ୍ୟ ପଦକ୍ଷେପଗୁଡ଼ିକ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ ।

ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ କୃଷି ପାଇଁ ବ୍ୟୟଭାର ହ୍ରାସ କରିବା ଏବଂ ଅମଳ ହୋଇଥିବା ଫସଲର ଉପଯୁକ୍ତ ମୂଲ୍ୟ ପ୍ରଦାନ କରି କୃଷକଙ୍କ ଆୟ ଦୁଇଗୁଣା କରିବା ଦିଗରେ କେନ୍ଦ୍ର ସରକାର କାର୍ଯ୍ୟ କରୁଛନ୍ତି । କୃଷକଙ୍କ କଲ୍ୟାଣ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା ଅନ୍ୟ ପଦକ୍ଷେପଗୁଡ଼ିକ ସମ୍ପର୍କରେ ମଧ୍ୟ ସେ ଉଲ୍ଲେଖ କରିଥିଲେ ।

ଲୋକମାନଙ୍କୁ ସୁଲଭ ବାସଗୃହ ଯୋଗାଇ ଦେବା ନିମନ୍ତେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ଉଜ୍ଜ୍ୱଳା ଯୋଜନା ଏଲଇଡି ବଲ୍ବ ବିତରଣ କରାଯିବା କାରଣରୁ ବହୁସଂଖ୍ୟକ ପରିବାରରେ ବିଦ୍ୟୁତ ବିଲ ସଂଚୟ ହୋଇପାରିଛି । ଜାତୀୟ ବାଉଁଶ ମିଶନର ପୁନର୍ଗଠନ କରାଯିବା ଉତ୍ତର-ପୂର୍ବାଂଚଳ ପାଇଁ ଲାଭଜନକ ହେବ ବୋଲି ସେ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କେନ୍ଦ୍ର ସରକାରରେ ପ୍ରଶାସନିକ ଢାଂଚାରେ ସୁଧାର ଅଣାଯିବା ଫଳରେ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟାନ୍ୱୟନ ତ୍ୱରାନ୍ୱିତ ହୋଇପାରିଛି ।

ମୁଦ୍ରା ଯୋଜନା ଅଧୀନରେ ଉଦ୍ୟୋଗୀମାନଙ୍କ ପାଇଁ ବାଧାମୁକ୍ତ ଋଣ ପ୍ରଦାନ କରାଯିବା ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ କହିଥିଲେ । ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ)ଗୁଡ଼ିକୁ ଟିକସ ରିହାତି ଦିଆଯିବା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ମଧ୍ୟ ସେ ଉଲ୍ଲେଖ କରିଥିଲେ ।

କଳାଧନ ଏବଂ ଦୁର୍ନୀତିର ମୂଳୋତ୍ପାଟନ ପାଇଁ କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ । ସେ କହିଥିଲେ ଯେ ଗତ ତିନି ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଅର୍ଥନୈତିକ ସଂସ୍କାର ପାଇଁ ବହୁ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି । ଯାହାର ଫଳସ୍ୱରୂପ ଭାରତ ଆଜି ବିଶ୍ୱ ବ୍ୟାଙ୍କ ବ୍ୟବସାୟିକ ସୁଗମତା (ଇଜ ଅଫ ଡୁଇଂ ବିଜନେସ) ମାନ୍ୟତାରେ 42ଟି ସ୍ଥାନ ଉପରକୁ ଉଠି 190ଟି ଦେଶ ମଧ୍ୟରୁ 100ତମ ସ୍ଥାନକୁ ଉନ୍ନିତ ହୋଇଛି ବୋଲି ସେ ଉଲ୍ଲେଖ କରିଥିଲେ ।

ମହାନ ଆସାମୀ ସଂଗୀତଜ୍ଞ ଭୂପେନ ହଜାରିକାଙ୍କ କଥନର ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସ୍ୱପ୍ନ ଏବଂ ସଂକଳ୍ପ ପୂରଣ କରିବା ଆମ ସମସ୍ତଙ୍କ ମିଳିତ ଉତ୍ତରଦାୟିତ୍ୱ । 2022 ସୁଦ୍ଧା ନୂତନ ଭାରତ ନିର୍ମାଣରେ ଯୋଗଦାନ ଦେବା ଲାଗି ପ୍ରଧାନମନ୍ତ୍ରୀ ଆହ୍ୱାନ କରିଥିଲେ ।

ଉତ୍ତର-ପୂର୍ବାଂଚଳରେ ନୂଆ ପରିବହନ ଭିତ୍ତିଭୂମି ନିର୍ମାଣ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ।

ଆସାମରେ ଏବେ ଏକ ବ୍ୟବସାୟ ଏବଂ ବିକାଶ ଅନୁକୂଳ ପରିବେଶ ସୃଷ୍ଟି କରାଯାଇପାରିଥିବାରୁ ସେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କୁ ଅଭିନନ୍ଦନ ଜଣାଇଥିଲେ ।

Share in top social networks!
Powered By Indic IME