କୁନ୍ଦୁଲୀ ପୀଡିତାକୁ ନ୍ୟାୟ ପାଇଁ ବିଜେପି କେନ୍ଦ୍ରୀୟ ପ୍ରତିନିଧି ଦଳର ୩ ଦିନିଆ ଓଡିଶା ଗସ୍ତ

ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପ୍ରସଙ୍ଗରେ
ମୁଖ୍ୟମନ୍ତ୍ରୀ ବର୍ତମାନ କାଠଗଡାରେ ଠିଆ ହୋଇଛନ୍ତି: ସରୋଜା ପାଣ୍ଡେ
 ଆସନ୍ତା କାଲି କୁନ୍ଦୁଲି ଯାଇ ମୃତ ପୀଡିତାର ପରିବାର ସଦସ୍ୟଙ୍କୁ ଭେଟି ଆଲୋଚନା କରିବେ
 ସିବିଆଇ ଦ୍ୱାରା ଏହି ଘଟଣାର ତଦନ୍ତ ପାଇଁ ଦାବୀ
 ଦିଲ୍ଲୀ ପ୍ରତ୍ୟାବର୍ତନ କରି ରାଷ୍ଟ୍ରୀୟ ସଭାପତି ଶ୍ରୀ ଅମିତ ଶାହାଙ୍କୁ ରିପୋର୍ଟ ପ୍ରଦାନ କରିବେ

BJPCD

ରାଜ୍ୟ ସରକାରଙ୍କ ମୈାଳିକ ଦାୟୀତ୍ୱ ହେଲା ମାଁ ଓ ଭଉଣୀମାନଙ୍କୁ ସୁରକ୍ଷା ପ୍ରଦାନ କରିବା । ମାତ୍ର ଆଜି ରାଜ୍ୟର ମାଁ, ଭଉଣୀମାନେ ଅସୁରକ୍ଷିତ । ରାଜ୍ୟରେ ମହିଳାମାନଙ୍କ ଉପରେ ଆକ୍ରମଣ ହେବା, ନିର୍ଯ୍ୟାତିତ ହେବା ଘଟଣା ଆଦି ସବୁଦିନ ଗଣମାଧ୍ୟମରେ ପ୍ରକାଶିତ ହେଉଛି । ବହୁ ଚର୍ଚ୍ଚିତ କୁନ୍ଦୁଲୀ ନାବାଳିକା ଦୁଷ୍କର୍ମ ପୀଡିତା ଜଣକ ନ୍ୟାୟ ପାଇବା ଅପେକ୍ଷାରେ ନିରାଶ ହୋଇ ଶେଷରେ ପ୍ରାଣ ହରାଇଲା । ପୀଡିତା ଜଣକ ବାରମ୍ବାର ପୋଲିସ ଏବଂ ପ୍ରଶାସନକୁ ଦାୟୀ କରିଥିବା ସତ୍ୱେ ରାଜ୍ୟ ସରକାର ସଂପୂର୍ଣ୍ଣ ଅଣଦେଖା କରିଥିଲେ । ଗୃହ ବିଭାଗର ମୁଖିଆ ଭାବେ ମୁଖ୍ୟମନ୍ତ୍ରୀ ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ସ୍ଥିତିର ସମୀକ୍ଷା କରି ପଦକ୍ଷେପ ଗ୍ରହଣ କରିବା ପରିବର୍ତେ ପୋଲିସ ଏବଂ ପ୍ରଶାସନର ସହାୟତାରେ ଘଟଣାକୁ ଚାପି ଦେବାର ଅପପ୍ରୟାସ କରୁଛନ୍ତି । ଏହି କାରଣରୁ ମୁଖ୍ୟମନ୍ତ୍ରୀ ବର୍ତମାନ କାଠଗଡାରେ ଠିଆ ହୋଇଛନ୍ତି ବୋଲି ବିଜେପି କେନ୍ଦ୍ରୀୟ ପ୍ରତିନିଧି ଦଳ ଅଭିଯୋଗ କରିଛି ।
ରାଷ୍ଟ୍ରୀୟ ସଭାପତି ଶ୍ରୀ ଅମିତ ଶାହାଙ୍କ ନିଦେ୍ର୍ଧଶ କ୍ରମେ ବିଜେପିର ଏକ ପ୍ରତିନିଧି ଦଳ କୁନ୍ଦୁଲି ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ୩ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି । ବିଜେପି ରାଷ୍ଟ୍ରୀୟ ସାଧାରଣ ସଂପାଦିକା ସୁଶ୍ରୀ ସରୋଜା ପାଣ୍ଡେଙ୍କ ନେତୃତ୍ୱରେ ୩ ଜଣିଆ ପ୍ରତିନିଧି ଦଳ ଆଜି ଆସି ଭୂବନେଶ୍ୱରରେ ପହଂଚିଛନ୍ତି । ଏହି ପ୍ରତିନିଧି ଦଳର ଅନ୍ୟ ୨ ଜଣ ସଦସ୍ୟା ହେଲେ ସାଂସଦ ଓ ବିଜେପି ରାଷ୍ଟ୍ରୀୟ ସଂପାଦିକ ଶ୍ରୀମତୀ ଜ୍ୟୋତି ଧ୍ରୁବେ ଏବଂ ସାଂସଦ ଅଂଜୁ ବାଲା ।
ରାଜ୍ୟରେ ମାଁ ଓ ଭଉଣୀ ନିଜକୁ ଅସୁରକ୍ଷିତ ମଣୁ ଥିବାବେଳେ, ସେମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ଭାରତୀୟ ଜନତା ପାର୍ଟି ଏହି ପ୍ରସଙ୍ଗକୁ ଅତ୍ୟନ୍ତ ଗୁରୁତ୍ୱ ପ୍ରଦାନ କରିଛି । ବିଜେପି ମହିଳା ମୋର୍ଚ୍ଚାର କାର୍ଯ୍ୟକର୍ତା ମହିଳାଙ୍କୁ ସୁରକ୍ଷା ପ୍ରଦାନ ଦାବୀରେ ରାଜରାସ୍ତାକୁ ଓହ୍ଲାଇଛି । ମାତ୍ର ରାଜ୍ୟ ସରକାର ନୀରବଦ୍ରଷ୍ଟା ସାଜି ଅଭିଯୁକ୍ତଙ୍କୁ ଘଂଟ ଘୋଡାଉଛି । ମୃତ କୁନ୍ଦୁଲି ପୀଡିତା ଜଣକ ୧୦୦ ଦିନରୁ ଉର୍ଦ୍ଧ ଦିନ ଧରି ପୋଲିସ, ପ୍ରଶାସନଠୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ନିର୍ଯର୍୍ୟାତନାକୁ ସହ୍ୟ କରିବାରେ ବିଫଳ ହେବା କାରଣରୁ ଶେଷରେ ପ୍ରାଣ ହରାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏଥି ପାଇଁ କେବଳ ମୁଖ୍ୟମନ୍ତ୍ରୀ ହିଁ ଦାୟୀ ବୋଲି ସୁଶ୍ରୀ ପାଣ୍ଡେ ଅତ୍ୟନ୍ତ କ୍ଷୋଭ ପ୍ରକାଶ କରି କହିଛନ୍ତି ।
ଏହି କେନ୍ଦ୍ରୀୟ ପ୍ରତିନିଧି ଦଳ ଆଜି ରାଜ୍ୟ ନେତୃବୃନ୍ଦଙ୍କ ସହ କୁନ୍ଦୁଲି ଗସ୍ତ କରିବେ । ଆସନ୍ତା କାଲି ମୃତ କୁନ୍ଦୁଲି ଦୁଷ୍କର୍ମ ପୀଡିତାର ପରିବାର ସଦସ୍ୟଙ୍କୁ ଭେଟି ଘଟଣା ସଂପର୍କରେ ଅବଗତ ହେବେ । ଏହା ପରେ ସ୍ଥାନୀୟ ଅଂଚଳବାସୀଙ୍କ ସମେତ ପୋଲିସ ଓ ପ୍ରଶାସନ ସହ ମଧ୍ୟ ଆଲୋଚନା କରିବେ ବୋଲି ସୁଶ୍ରୀ ପାଣ୍ଡେ ସୁଚନା ଦେଇଛନ୍ତି ।
ଏଭଳି ସମ୍ବେଦନଶୀଳ ଘଟଣାରେ ରାଜ୍ୟ ମହିଳା କମିଶନ ନୀରବ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଅନ୍ୟ ପକ୍ଷରେ ଜାତୀୟ ମହିଳା କମିଶନ ଏହି ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ବିଚାର କରୁଛନ୍ତି ବୋଲି ସୁଶ୍ରୀ ପାଣ୍ଡେ କହିଛନ୍ତି ।
୧୦୦ ଦିନରୁ ଉର୍ଦ୍ଧ ଧରି କୁନ୍ଦୁଲି ପୀଡିତାର ଦୁଃଖଦ ସ୍ୱରକୁ ମୁଖ୍ୟମନ୍ତ୍ରୀ ଶୁଣି ମଧ୍ୟ ନୀରବ ରହିଲେ । ଅସହ୍ୟ ମାନସିକ ଯନ୍ତ୍ରଣା ସହ୍ୟ କରି ନପାରି ପୀଡିତା ଜଣକୁ ପ୍ରାଣ ହରାଉଥିବାବେଳେ ପ୍ରଚାର ସର୍ବସ୍ୱ ମୁଖ୍ୟମନ୍ତ୍ରୀ ରାଜ୍ୟ ବାହାରେ ଆଦର୍ଶ ପୁରସ୍କାର ଗ୍ରହଣ କରୁଥିଲେ । ଅନ୍ୟ ପଟେ ଅଣ୍ଡା ମାଡ କାରଣରୁ ଅସହାୟ ମହିଳାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଅସଦ୍ ବ୍ୟବହାର ପ୍ରଦର୍ଶନ କରି ସର୍ବ ସମ୍ମୁଖରେ ମାଡ ମରାଯିବା ଅତ୍ୟନ୍ତ ଲଜ୍ଜାଜନକ ବୋଲି ସୁଶ୍ରୀ ପାଣ୍ଡେ କହିଛନ୍ତି ।
ଏଭଳି ଘଟଣା ସଂପୂର୍ଣ୍ଣ ନିନ୍ଦନୀୟ ବୋଲି କହିବା ସହ ସିବିଆଇ ଦ୍ୱାରା ଏହି ଘଟଣାର ତଦନ୍ତ ଆବଶ୍ୟକ ବୋଲି ସୁଶ୍ରୀ ପାଣ୍ଡେ ଦାବୀ ଜଣାଇଛନ୍ତି ।
ଏହି ପ୍ରତିନିଧି ଦଳ ୩ ଦିନ ଓଡିଶାରେ ରହି ଘଟଣାର ସଂପୂର୍ଣ୍ଣ ସତ୍ୟାସତ୍ୟ ସଂପର୍କରେ ଅବଗତ ହେବେ । ଆସନ୍ତା ସୋମବାର ଦିନ ଦିଲ୍ଲୀ ପ୍ରତ୍ୟାବର୍ତନ କରି ଏହି ପ୍ରତିନିଧି ଦଳ ରାଷ୍ଟୀୟ ସଭାପତି ଶ୍ରୀ ଶାହାଙ୍କୁ ତାଙ୍କର ରିପୋର୍ଟ ପ୍ରଦାନ କରିବେ ବୋଲି ସୁଶ୍ରୀ ପାଣ୍ଡେ କହିଛନ୍ତି ।
ଏହି ଗସ୍ତ କାଳରେ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡା, ବିଜେପି ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର, ଡ.ଐଶ୍ୱର୍ଯ୍ୟା ବିଶ୍ୱାଳ ପ୍ରମୁଖ ଉକ୍ତ ପ୍ରତିନିଧି ଦଳ ସହ ଉପସ୍ଥିତ ରହିବେ ।