ବିଜେପିର ଅଭିଯୋଗ, ଯୁଦ୍ଧ ପୂର୍ବରୁ ପରାଜୟ ସ୍ୱୀକାର ଭଳି: ବିଜେଡି

ଭାରତୀୟ ଜନତା ପାର୍ଟି ନିର୍ବାଚନ କମିଶନଙ୍କ ନିକଟରେ ଯେଉଁ ଅଭିଯୋଗ ଉପସ୍ଥାପନ କରିଛି ତାହା ସଂପୂର୍ଣ୍ଣ ଅମୂଳକ ଓ ଭିତ୍ତିହୀନ । ଭାରତୀୟ ଜନତା ପାର୍ଟି ବିଜେପୁର ଉପ-ନିର୍ବାଚନରେ ହାରିବା ନିଶ୍ଚିତ ଜାଣି ନାଟକବାଜି କରୁଛି ଓ ଆଗକୁ ହତାଶ ହୋଇ ଏଭଳି ଅନେକ ଡ୍ରାମା କରିବ । ଏହା ଲୋକମାନଙ୍କୁ ଭଳେଇ ପାରିବ ନାହିଁ । ଭାରତୀୟ ଜନତା ପାର୍ଟି ଯେ ଯୁଦ୍ଧ ପୂର୍ବରୁ ପଛଘୁଞ୍ଚା ଦେଇ ପଳାୟନ ପନ୍ଥୀ ହୋଇଛି ତାହା ବିଜେପିର ଆଚରଣ ଓ ଉଚ୍ଚାରଣରୁ ଜଣାପଡୁଛି । ବିଜେପିର ବିଜେପୁର ନିର୍ବାଚନକୁ ବହୁତ ଡର । ତେଣୁ ନିର୍ବାଚନକୁ ବିଳମ୍ବିତ କରିବା ପାଇଁ ଆଗରୁ ବହୁ କୌଶଳ ପ୍ରୟୋଗ କରିଥିଲା । ପ୍ରବଳ ଚାପ ଓ ଲୋକମତ ପାଇଁ ବିଜେପୁର ନିର୍ବାଚନ ତାରିଖ ଘୋଷଣା ହୋଇଛି । ତେବେ ଏବେଠୁ ବିଜେପି ପରାଜୟର ଗ୍ଲାନିରେ ଭୟାଭୀତ ହୋଇ ଏମିତି ମନଗଢ଼ା ଅଭିଯୋଗ ଆଣିଛି ।

ସରକାରୀ ଅଫିସରଙ୍କ ବିରୋଧରେ ଉପର ଠାଉରିଆ ଅଭିଯୋଗ ଆଣିବା ଉଚିତ୍‍ ନୁହେଁ । ଯଦି କିଛି ନିର୍ଦ୍ଧିଷ୍ଟ ଅଭିଯୋଗ ଥାଏ, ତେବେ ସପ୍ରମାଣ ଉପସ୍ଥାପନ କରିଥିଲେ ଭଲ ହୋଇଥାନ୍ତା । କିନ୍ତୁ ବିଜେପି ପାଖରେ ଏପରି ତଥ୍ୟ କିଛି ନାହିଁ । ମିଥ୍ୟା ତଥ୍ୟ ଦେଇ ବିଜେପି କେବଳ ଅନ୍ଧାରରେ ବାଡ଼ି ବୁଲାଉଛି ଏବଂ ଶେଷରେ ନିଜର ବାଡ଼ି ପାହାରରେ ନିଜେହିଁ ଆହତ ହେବ । ଏଭଳି ନିର୍ବାଚନ କମିଶନଙ୍କ ଜରିଆରେ ସରକାରୀ ଅଧିକାରୀଙ୍କ ଉପରେ ଚାପ ପ୍ରୟୋଗ କରି ଲୋକମତକୁ ନିଜ ପକ୍ଷକୁ ଆଣିବାର ନିମ୍ନ ସ୍ତରର ପ୍ରୟାସ ଗଣତନ୍ତ୍ରରେ ଶୋଭାପାଏ ନାହିଁ । ବିଜେପୁରରେ ଏମିତି କିଛି ଘଟଣା ଘଟିନାହିଁ ଯେ ଯାହାକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ସମେତ ବିଜେପି ନେତାମାନେ କମିଶନଙ୍କ ଆଗରେ ଫେରାଦ ହେବେ । କେନ୍ଦ୍ର ନେତୃତ୍ୱଙ୍କ ଆଗରେ ନିଜର ପତିଆରା ହ୍ରାସ ପାଇବା ଡରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପିର ରାଜ୍ୟ ପ୍ରଭାରୀ ଅରୁଣ ସିଂହ ଏପରି ଚାଲ୍‍ବାଜି କରୁଛନ୍ତି । ଏହି କାର୍ଯ୍ୟକ୍ରମ ନିହାତି ହାସ୍ୟାସ୍ପଦ ଓ ଉଦେ୍ଧଶ୍ୟ ପ୍ରଣୋଦିତ ବୋଲି ବିଜୁ ଜନତା ଦଳ ରାଜ୍ୟ ସଂପାଦକ ବିଜୟ ନାୟକ ଏକ ପ୍ରେସ୍‍ ବିବୃତିରେ କହିଛନ୍ତି ।

Share in top social networks!
Powered By Indic IME