କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବିଜେପିର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ନୂଆ ଦିଲ୍ଲୀରେ ନିର୍ବାଚନ କମିଶନଙ୍କୁ ଭେଟିଲା

 ବିଜେପୁର ଉପ ନିର୍ବାଚନ ନେଇ ଆଣିଲେ ଅଭିଯୋଗର ଲମ୍ବା ତାଲିକା
 ଜିଲ୍ଲାପାଳ, ଏସପି ଓ ତିନି ଆଇଆଇସିଙ୍କ ବଦଳି ବିନା ମୁକ୍ତ ଓ ଅବାଧ ନିର୍ବାଚନ ଅସମ୍ଭବ
 ସମସ୍ତ ୨୭୦ ବୁଥକୁ ସମ୍ବେଦନଶୀଳ ଘୋଷଣା କରାଯାଉ
 ବୁଥ ଓ ବୁଥ ପାଖ ଅଂଚଳରେ ସିସିଟିଭି ଲଗାଇ ବେଆଇନ କାର୍ଯ୍ୟ ଉପରେ ରଖା ଯାଉ ନଜର
 କେନ୍ଦ୍ରୀୟ ଅର୍ଧ ସାମରିକ ବଳ ଆଇନ ଶୃଙ୍ଖଳା କାର୍ଯ୍ୟରେ ନିୟୋଜିତ କରାଯାଉ
 ବିନା ଟେଣ୍ଡରରେ ୧୫ ଶହ କୋଟି ଦଳୀୟ ଆଧାରରେ ସରକାରୀ କାମ ବଂଟା ଯାଇଛି
 ଏସପି, କଲେକ୍ଟର ଓ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ଦଳୀୟ କାମର ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନ
 ମନ୍ତ୍ରୀ ସୁଶାନ୍ତ ସିଂହ ଓ ତାଙ୍କ ଭାଇ ବାହାର ରାଜ୍ୟର ଗୁଣ୍ଡା ଆଣି ବାହୁବଳ ପ୍ରୟୋଗ କରି ଜୋର ଜବରଦସ୍ତି ସମର୍ଥନ ହାସଲ କରିବାକୁ ଅପଚେଷ୍ଟା କରୁଛନ୍ତି
IMG_8565

ବିଜେପୁର ଉପ ନିର୍ବାଚନ ମାମଲାରେ ବିଜେପିର ଏକ ଉଚ୍ଚ ସ୍ତରୀୟ ପ୍ରତିନିଧି ମଣ୍ଡଳ ନୂଆ ଦିଲ୍ଲୀଠାରେ ନିର୍ବାଚନ କମିଶନଙ୍କୁ ସାକ୍ଷାତ କରିବା ସହ ବରଗଡର ଜିଲ୍ଲାପାଳ ଓ ଏସପି ସମେତ ପ୍ରଶାସନ ଏବଂ ପୋଲିସ ବିଭାଗର ଦଳୀୟ ଆଭିମୁଖ୍ୟ ସମ୍ପର୍କରେ ଅଭିଯୋଗ କରିବା ସହ ମୁକ୍ତ ଓ ଅବାଧ ନିର୍ବାଚନ ସୁନିଶ୍ଚିତ କରିବା ପାଇଁ ଦାବି କରିଛନ୍ତି ।
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଯାଇଥିବା ଏହି ପ୍ରତିନିଧି ମଣ୍ଡଳରେ ରାଜ୍ୟ ପ୍ରଭାରୀ ଅରୁଣ ସିଂହ, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଭୂପେନ୍ଦ୍ର ଯାଦବ, ମୁଖପାତ୍ର ସମ୍ବିତ ପାତ୍ର ଓ ନିର୍ବାଚନ ସେଲର ସଦସ୍ୟ ଓମ ପାଠକ ନିର୍ବାଚନ କମିଶନଙ୍କୁ ସାକ୍ଷାତ କରିଛନ୍ତି ।
ସାକ୍ଷାତ ପରେ ଗଣମାଧ୍ୟମକୁ ସୂଚନା ଦେଇ ସମ୍ବିତ ପାତ୍ର ଜିଲ୍ଲାର ଜିଲ୍ଲାପାଳ ଓ ଏସପି ସମେତ ତିନିଟି ଥାନା ବିଜେପୁର, ଗାଇସିଲଟ ଓ ବରପାଲି ଥାନାର ଆଇଆଇସି ମାନଙ୍କୁ ବଦଳି କରିବାକୁ ଦାବି କରା ଯାଇଥିବା ପ୍ରକାଶ କରିଛନ୍ତି ।
ଏହି ନିର୍ବାଚନ ମଣ୍ଡଳୀର ସମସ୍ତ ୨୭୦ ଟି ବୁଥକୁ ଉତେଜନା ପ୍ରବଣ ବୋଲି ଘୋଷଣା କରି ସବୁ ବୁଥ ଓ ବୁଥର ପାଖାପାଖି ଅଂଚଳରେ ସିସିଟିଭି କ୍ୟାମେରା ଲଗାଇ ଭୋଟରଙ୍କୁ ପ୍ରଭାବିତ କରିବାକୁ ବେନିୟମ ଉଦ୍ୟମ ଉପରେ ନଜର ରଖିବା ପାଇଁ ଏହି ପ୍ରତିନିଧି ମଣ୍ଡଳ ଦାବି କରିଛି ।
ରାଜ୍ୟ ସରକାରୀ ଦଳ ସରକାରୀ ସୁରକ୍ଷା ବ୍ୟବସ୍ଥାକୁ ଦୁରୁପଯୋଗ କରିବାର ସମ୍ଭାବନା ଥିବାରୁ ଏହି ନିର୍ବାଚନ ଆଇନ ଶୃଙ୍ଖଳା ଦାୟିତ୍ୱରେ କେନ୍ଦ୍ରୀୟ ଅର୍ଧ ସାମରିକ ବଳକୁ ନିୟୋଜିତ କରିବାକୁ ପ୍ରତିନିଧି ମଣ୍ଡଳ ଦାବି କରିଥିବା ସେ ପ୍ରକାଶ କରିଛନ୍ତି ।
ଏହି ନିର୍ବାଚନ ସମୟରେ ପୋଲିସ, ଖର୍ଚ ଓ ଅନ୍ୟାନ୍ୟ ନିର୍ବାଚନୀ ପରିଚାଳନା ଉପରେ ନଜର ରଖିବାକୁ ଅଧିକ ପର୍ଯ୍ୟବେକ୍ଷକ ନିଯୁକ୍ତି କରି ଆଇନ ଶୃଙ୍ଖଳା ସମେତ ମୁକ୍ତ ଓ ଅବାଧ ନିର୍ବାଚନ ସୁନିଶ୍ଚିତ କରିବା ପାଇଁ ପ୍ରତିନିଧି ଦଳ ଦାବି କରିଛି ।
ଶ୍ରୀ ପାତ୍ର କହିଛନ୍ତି ଯେ ବିଜେପୁର ବିଧାୟକଙ୍କ ମୃତ୍ୟୁ ପରେ ଅନ୍ୟୁନ୍ୟ ୧୫ ଶହ କୋଟି ଟଙ୍କାର ବିଭିନ୍ନ କାର୍ଯ୍ୟ ବିନା ଟେଣ୍ଡରରେ ଦଳୀୟ ଆଧାରରେ ଶାସକ ବିଜେଡି ବାଂଟିଛି । ବିଡିଓ ମାନେ ଏହି ବେନିୟମ କାମରେ ଲାଗି ଥିବା ବେଳେ ଜିଲ୍ଲାପାଳ ଏହି କାମକୁ ପ୍ରୋତ୍ସାହିତ କରୁଛନ୍ତି । ବାରମ୍ବାର ଏହି ନିର୍ବାଚନ ମଣ୍ଡଳୀ ଯାଇ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରୁଛନ୍ତି ।
ରାଜ୍ୟର ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ ଓ ତାଙ୍କ ଭାଇ ସୁବ୍ରତ ସିଂହ ବାହାର ରାଜ୍ୟର ଗୁଣ୍ଡା ଆଣି ବାହୁବଳ ପ୍ରୟୋଗ କରି ରାଜ୍ୟର ଶାସକ ଦଳ ସପକ୍ଷରେ ଜୋର ଜବରଦସ୍ତି ସମର୍ଥନ ହାସଲ କରିବାକୁ ଅପଚେଷ୍ଟା କରୁଛନ୍ତି ବୋଲି ପ୍ରତିନିଧି ଦଳ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଥିବା ଶ୍ରୀ ପାତ୍ର କହିଛନ୍ତି ।

Share in top social networks!
Powered By Indic IME