କଳାଧନ ଓ ଦୁର୍ନୀତି ବିରୋଧୀ ଲଢ଼େଇ ବନ୍ଦ ହେବ ନାହିଁ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ଏନସିସି ରାଲିରେ ଉଦ୍ବୋଧନ ଦେଇଛନ୍ତି । ଏହି ଅବସରରେ ସେ କହିଥିଲେ ଯେ ଏଠାରେ ସମବେତ ହୋଇଥିବା ପ୍ରତ୍ୟେକ ଯୁବ ଏନସିସି କ୍ୟାଡେଟଙ୍କର ନିଜସ୍ୱ ବ୍ୟକ୍ତିତ୍ୱ ଏବଂ ପରିଚୟ ରହିଛି । କିନ୍ତୁ, ସେ ଉଲ୍ଲେଖ କରିଥିଲେ ଯେ, ଆସନ୍ତା ଏକ ମାସ ମଧ୍ୟରେ ନୂଆ ବନ୍ଧୁତା ସୃଷ୍ଟି ହେବ ଏବଂ ପରସ୍ପର ଠାରୁ ଅନେକ କିଛି ଶିଖିବାର ସୁଯୋଗ ମିଳିବ । ଏନସିସି କ୍ୟାମ୍ପ ପ୍ରତ୍ୟେକ ଯୁବକଙ୍କୁ ଭାରତର ବିବିଧ ସଂସ୍କୃତି ବିଷୟରେ ଶିକ୍ଷା ଦେଇଥାଏ ବୋଲି ସେ କହିଥିଲେ । ଏହା ପ୍ରତ୍ୟେକ ଯୁବ ତାରକାଙ୍କୁ ଦେଶ ପାଇଁ କିଛି ଭଲ କାମ କରିବା ଦିଗରେ ପ୍ରେରଣା ଯୋଗାଇଥାଏ ବୋଲି ସେ ପ୍ରକାଶ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏନସିସି କ୍ୟାମ୍ପରୁ ହାସଲ ହୋଇଥିବା ଏହି ଉତ୍ସାହ ଜୀବନ ସାରା କ୍ୟାଡେଟମାନଙ୍କ ସହିତ ରହିବ । ସେ କହିଥିଲେ ଯେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ କେବଳ ପୋଷାକ କିମ୍ବା ଏକରୂପତା ନୁହେଁ ଏହା ଏକତାର ବାର୍ତ୍ତା ଦେଇଥାଏ । ଏନସିସି ଜରିଆରେ ଆମେ ଦଳ ଗଠନ କରିଥାଉ ଯାହା ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଓ ଅଭିଯାନରେ କାର୍ଯ୍ୟ କରିଥାଏ ଏବଂ ଅନ୍ୟମାନଙ୍କୁ ଅନୁପ୍ରାଣିତ କରେ ବୋଲି ସେ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏନସିସି 7ଟି ଗୌରବମୟ ଦଶନ୍ଧି ପୂରଣ କରିସାରିଲାଣି । ଏହା ବହୁ ଲୋକଙ୍କୁ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ କାର୍ଯ୍ୟ କରିବା ଶିଖାଇଛି । ଯାହା ଆମେ ହାସଲ କରୁଛୁ, ଆମେ ତା’କୁ ଆଜି ପାଳନ କରୁଛୁ ଏବଂ ଆଗାମୀ ଦିନରେ ଏନସିସିରେ ଅଭିଜ୍ଞତାକୁ କିପରି ଆହୁରି ପ୍ରଭାବଶାଳୀ କରାଯାଇପାରିବ ସେ ସମ୍ପର୍କରେ ଚିନ୍ତାକରୁଛୁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଆସନ୍ତା 5 ବର୍ଷ ମଧ୍ୟରେ ଏନସିସି 75 ବର୍ଷ ପୂରଣ କରିବାକୁ ଯାଉଥିବାରୁ ଏଥିପାଇଁ କାର୍ଯ୍ୟ ଯୋଜନା ଚୂଡ଼ାନ୍ତ କରିବା ଲାଗି ସେ ସମସ୍ତ ଅଂଶୀଦାରମାନଙ୍କୁ ଆହ୍ୱାନ ଦେଇଥିଲେ ।

ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ଭାରତର ଯୁବପିଢ଼ି ଏବେ ଦୁର୍ନୀତିକୁ ଗ୍ରହଣ କରିବା ଲାଗି ପ୍ରସ୍ତୁତ ନୁହନ୍ତି । କଳାଧନ ଏବଂ ଦୁର୍ନୀତି ବିରୋଧରେ ଲଢ଼େଇ ବନ୍ଦ ହେବ ନାହିଁ ବୋଲି ସେ ଦୃଢ଼ତାର ସହ ଦୋହରାଇଥିଲେ । ଏହି ଲଢ଼େଇ ଭାରତର ଯୁବପିଢ଼ିଙ୍କ ଭବିଷ୍ୟତ ପାଇଁ ବୋଲି ସେ ଉଲ୍ଲେଖ କରିଥିଲେ ।

ଭୀମ ଆପ ଜରିଆରେ ଡିଜିଟାଲ କାରବାରକୁ ପ୍ରୋତ୍ସାହିତ କରିବା ଏବଂ ଅନ୍ୟମାନଙ୍କୁ ଏହି ବ୍ୟବସ୍ଥା ସହ ଯୋଡ଼ିହେବା ଲାଗି ଉତ୍ସାହିତ କରିବାକୁ ପ୍ରଧାନମନ୍ତ୍ରୀ ଏନସିସି କ୍ୟାଡେଟମାନଙ୍କୁ ଆହ୍ୱାନ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ପୂର୍ବରୁ ଲୋକମାନେ ବିଶ୍ୱାସ କରୁଥିଲେ ଯେ ଧନୀ ଏବଂ କ୍ଷମତାଶାଳୀଙ୍କର କୌଣସି କ୍ଷତି ହୋଇନଥାଏ । କିନ୍ତୁ ଆଜି ପରିସ୍ଥିତି ବଦଳିଯାଇଛି ବୋଲି ସେ ଉଲ୍ଲେଖ କରିଥିଲେ । ମୁଖ୍ୟମନ୍ତ୍ରୀ ରହିଥିବା ଲୋକମାନେ ଆଜି ସେମାନଙ୍କ ଦୁର୍ନୀତି ପାଇଁ ଜେଲରେ ଅଛନ୍ତି ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ।

ଆଧାର ବିଷୟରେ ଉଲ୍ଲେଖ କରି ସେ କହିଥିଲେ ଯେ ଏହା ଭାରତର ବିକାଶଧାରାକୁ ସୁଦୃଢ଼ କରିବାରେ ମହାନ ଯୋଗଦାନ ଦେଇଛି । ପୂର୍ବରୁ ଯାହା ବାଟମାରଣା ହେଉଥିଲା ତାହା ଏବେ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଂଚୁଛି ବୋଲି ସେ ଉଲ୍ଲେଖ କରିଥିଲେ ।

Share in top social networks!
Powered By Indic IME