ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ପ୍ରତିନିଧି ଦଳ କୁନ୍ଦୁଲି ଗସ୍ତ କରି ମୃତ ପୀଡିତାର ପରିବାର ସଦସ୍ୟଙ୍କୁ ଭେଟିଲେ

PIX_Kunduli_1_25-01-2018ସତ କହିବା କ’ଣ ପାପ ? ମାତ୍ର ସତ କହିବା କାରଣରୁ ଝିଅଟି ଶେଷରେ ପ୍ରାଣ ହରାଇଲା । ଅଧ୍ୟୟନରତ ଛାତ୍ରଛାତ୍ରୀଟିଏ ପାଇଁ ପବିତ୍ର ଦିବସଟି ହେଲା ସରସ୍ୱତୀ ପୂଜା । ମାତ୍ର ନିନ୍ଦିତ, ଅପମାନିତ ଓ ଲଜ୍ଜିତ କାରଣରୁ ବିଦ୍ୟାଳୟକୁ ଯାଇ ନପାରି ମାନସିକ ସନ୍ତୁଳନ ହରାଇ ଶେଷରେ ଝିଅଟି ପ୍ରାଣ ହରାଇଲା । ମୋ ଝିଅ ସତ କହିବା କାରଣରୁ ନିନ୍ଦିତ, ଅପମାନିତ ଓ ଲଜ୍ଜିତ ହୋଇ ସରସ୍ୱତୀ ପୂଜା ଭଳି ପବିତ୍ର ଦିନରେ ପ୍ରାଣ ହରାଇଲା । ଏଥି ପାଇଁ ପୋଲିସ, ପ୍ରଶାସନଠୁ ଆରମ୍ଭ କରି ଚିକିତ୍ସା କରୁଥିବା ଡାକ୍ତର ପର୍ଯ୍ୟନ୍ତ ସମସ୍ତେ ଦାୟୀ ବୋଲି କୋହଭରା କଣ୍ଠରେ ବହୁ ଚର୍ଚ୍ଚିତ କୁନ୍ଦୁଲି ନାବାଳିକା ଦୁଷ୍କର୍ମ ପୀଡିତାର ମା’ ଆଜି ବିଜେପି ପ୍ରତିନିଧି ଦଳ ସମ୍ମୁଖରେ ପ୍ରକାଶ କରି କହିିଛନ୍ତି ।
ଘଟଣା ଘଟିବା ପରେ ସତ୍ୟାସତ୍ୟକୁ ଲୁଚାଇ ଦେବା ପାଇଁ ପ୍ରଶାସନ ପୋଲିସ ମାଧ୍ୟମରେ ଝିଅ ସମେତ ଆମ ଉପରେ ଚାପ ପ୍ରୟୋଗ କରିବା ଆରମ୍ଭ କରିଦେଇଥିଲା । ପ୍ରଥମେ କୋରାପୁଟ ଏବଂ ପରେ କଟକ ମେଡିକାଲରେ ଚିକିତ୍ସିତ ହେବା ସମୟରେ ମୋ ଝିଅକୁ ପୋଲିସ ଅର୍ଥର ପ୍ରଲୋଭନ ଦେଖାଇ ବକ୍ତବ୍ୟ ବଦଳାଇବାକୁ ଚାପପ୍ରୟୋଗ କରିଥିଲେ । ଏପରିକି ଝିଅର ଅଜାଣତରେ ଲୁଛି ଛପି ମୋ ଝିଅର ହାତ ଟିପ ଚିହ୍ନ ନେଇଛନ୍ତି । ମୋ ଝିଅ ବଦନାମ ଓ କଳଙ୍କିତ ହୋଇଛି । ଦୋଷୀକୁ ଉପଯୁକ୍ତ ଦଣ୍ଡ ମିଳିଲେ ଯାଇ ତା’ର ଆତ୍ମା ଶାନ୍ତି ପାଇପାରିବ ବୋଲି ମୃତ ପୀଡିତାର ମା ଏବଂ ପରିବାରବର୍ଗ କାନ୍ଦି କାନ୍ଦି ପ୍ରତିନିଧି ଦଳ ସମ୍ମୁଖରେ କହିଥିଲେ ।
ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଜି କୋରାପୁଟ ଜିଲ୍ଲା କୁନ୍ଦୁଲିର ମୂଷାଗୁଡା ଗାଁକୁ ଯାଇ ମୃତ ପୀଡିତାଙ୍କ ପରିବାରବର୍ଗ ସହ ସାକ୍ଷାତ କରିଥିଲେ । ବିଜେପିର ଏହି ପ୍ରତିନିଧି ଦଳ ମୃତ ପୀଡିତାର ମା’, ଦାଦା, ଖୁଡି, ଭାଇଙ୍କ ସମେତ ଅନ୍ୟ ଶୋକ ସନ୍ତପ ପରିବାର ସଦସ୍ୟଙ୍କୁ ଭେଟି ସମବେଦନା ଜଣାଇବା ସହ ସ୍ୱର୍ଗତ ଆତ୍ମାର ସଦ୍ଗତି କାମନା କରିଛନ୍ତି ।
ପରିବାର ଲୋକଙ୍କୁ ସାକ୍ଷାତ କରିବା ପରେ ଶ୍ରୀ ପଣ୍ଡା କହିଛନ୍ତି ଯେ, କୁନ୍ଦୁଲି ପୀଡିତାଙ୍କ ଆତ୍ମହତ୍ୟା ଘଟଣା ପ୍ରସଂଗରେ ରାଜ୍ୟ ସରକାର ସମ୍ବେଦନହୀନତାର ପରିଚୟ ଦେଇଛନ୍ତି । କୁନ୍ଦୁଲି ପୀଡିତାଙ୍କୁ ସରକାରୀ କଳ ନିର୍ଯ୍ୟାତିତ କରିଛି । ଏଭଳି ଏକ ସ୍ପର୍ଶକାତର ଘଟଣା ପରେ ବି ଶାସକ ବିଜେଡି କୋରାପୁଟ ହସ୍ପିଟାଲରେ ଡାକ୍ତରମାନଙ୍କୁ ଲାଂଚ ଦେଇ ପୀଡିତାଙ୍କୁ ମାନସିକ ରୋଗୀର ଆଖ୍ୟା ଦେବା ନିଶ୍ଚିତଭାବରେ ସଭ୍ୟ ସମାଜ ପାଇଁ ଏକ ଲଜ୍ଜାଜନକ ଘଟଣା । ଏହି ଘଟଣା ପାଇଁ ସଂପୂର୍ଣ୍ଣଭାବେ ରାଜ୍ୟ ସରକାରଙ୍କ ସମେତ ଗୃହ ବିଭାଗ ଦାୟୀ । ରାଜ୍ୟ ବିଜେପି ଏଭଳି ଘଟଣାକୁ ଦୃଢ ନିନ୍ଦା କରୁଛି । ଏଭଳି ଏକ ସମ୍ବେଦନଶୀଳ ଘଟଣାର ତଦନ୍ତ ଭାର ସିବିଆଇକୁ ଦେବା ସହ ରାଜ୍ୟ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ କରିଛି ।
ଏହି ପ୍ରତିନିଧି ଦଳରେ ବିଧାୟକ ରବି ନାଏକ ଓ ପ୍ରଦୀପ ପୁରୋହିତ, ପୂର୍ବତନ ମନ୍ତ୍ରୀ ପ୍ରଦୀପ୍ତ ନାୟକ, ପୂର୍ବତନ ବାଚସ୍ପତି ପ୍ରହ୍ଲାଦ ଦୋରା, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ ଓ ଜୟରାମ ପାଙ୍ଗୀ, ପୂର୍ବତନ ବିଧାୟକ ମୁକୁନ୍ଦ ସୋଢୀ, ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପାଡିଆମି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିରଂଚି ତ୍ରିପାଠୀ, ରମେଶ ସାହୁ, କୋରାପୁଟ ଜିଲ୍ଲା ସଭାପତି ବିଜୟ ମିଶ୍ର, ମାଲକାନଗିରି ଜିଲ୍ଲା ସଭାପତି ଅଶୋକ ପରିଡା ପ୍ରମୁଖ ସାମିଲ ଥିଲେ ।

Share in top social networks!
Powered By Indic IME