ବନ୍ଦ ଡାକରା ସଂପୂର୍ଣ୍ଣ ବିଫଳ;କଂଗ୍ରେସ-ବିଜେପି ପତିଆରା ବୃଦ୍ଧି ପାଇଁ ପ୍ରତିଯୋଗିତା ନିହାତି ହାସ୍ୟାସ୍ପଦ

26994233_1656635234375814_8459466640358400262_nଆଜି ଯେଉଁ ବନ୍ଦ ଡାକରା ଦିଆଯାଇଥିଲା, ତାହା ପ୍ରକୃତରେ କଂଗ୍ରେସ ଓ ବିଜେପି ମଧ୍ୟରେ ଦ୍ୱିତୀୟ ସ୍ଥାନକୁ ଆସିବା ପାଇଁ ଲଢେ଼ଇ ଥିଲା । ପ୍ରଥମରୁ ଏହା ଜଳ ଜଳ ହୋଇ ଦିଶୁଥିଲା । କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ପରେ ପରେ ଏଥିରୁ ତୁରନ୍ତ ରାଜନୈତିକ ଫାଇଦା ହାସଲ ଲାଗି ବିଜେପି ସବୁ ଉଦ୍ୟମ
ଆରମ୍ଭ କରିଥିଲେ ହେଁ ଶେଷ ମୁହୂର୍ତ୍ତରେ କଂଗ୍ରେସ ଏହାକୁ ‘ହାଇଜାକ୍‍’ କରିନେଲା ।

ବିଜେପି ଏହି ପ୍ରସଂଗକୁ ଲମ୍ବେଇବା ପାଇଁ ଯୋଜନା କରି ପ୍ରଥମେ ଅବିଭକ୍ତ କୋରାପୁଟ ବନ୍ଦ ଡାକରା ଦେଇଥିଲା ବେଳେ କଂଗ୍ରେସ ଓଡ଼ିଶା
ବନ୍ଦ ଡାକରା ଦେବାରୁ ବିଜେପିର ସବୁ ଯୋଜନା ପାଣି ଫୋଟକା ପରି ହୋଇଯାଇଥିଲା । ତେଣୁ ଏହାକୁ ରାଜ୍ୟବାସୀ ଗ୍ରହଣ କରିନଥିଲେ । ଉଭୟ ଦଳର ବୟାନବାଜିରୁ ଜଣାପଡୁଥିଲା ଯେ ଓଡ଼ିଶାରେ ଦ୍ୱିତୀୟ ନମ୍ବର ସ୍ଥାନକୁ ଯିବା ପାଇଁ କଂଗ୍ରେସ ଓ ବିଜେପି ମଧ୍ୟରେ କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟାର ବାହାନାରେ ଏହା ଏକ ଆୟୋଜନ ଥିଲା ।
ବିଭିନ୍ନ ସ୍ଥାନରେ ବିଜେପି ଓ କଂଗ୍ରେସ କର୍ମୀମାନଙ୍କ ଭିତରେ ହାତାହାତି ହେବା ଏହା ପ୍ରମାଣ କରୁଛି । କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ଏକ ଦୁର୍ଭାଗ୍ୟଜନକ ଘଟଣା । ଏଥିରେ ସମଗ୍ର ଓଡ଼ିଶାବାସୀ ମର୍ମାହତ । ମାନ୍ୟବର ମୁଖ୍ୟମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିବା ସହିତ ଏ ଘଟଣାରେ ଯାହା ପଦକ୍ଷେପ ନିଆଯିବା କଥା, ତାହା ପୂର୍ବରୁ ନେଇଛନ୍ତି
ଏବଂ ଏହାକୁ ତ୍ୱରାନ୍ୱିତ କରିବା ପାଇଁ ଆବଶ୍ୟକ ନିର୍ଯାସ ମଧ୍ୟ ନେଇଛନ୍ତି । ଏଭଳି ସ୍ଥିତିରେ କଂଗ୍ରେସ ଓ ବିଜେପିର ଓଡ଼ିଶା ବନ୍ଦ ଡାକରା ଉଦେ୍ଧଶ୍ୟ କ’ଣ ଥିଲା ତାହା ଏବେ ବି ଅସ୍ପଷ୍ଟ ଏବଂ ଓଡ଼ିଶା ବନ୍ଦ ସଂପୂର୍ଣ୍ଣ ଅର୍ଥହୀନ ହୋଇଛି ।

ଓଡ଼ିଶା ବନ୍ଦକୁ ଓଡ଼ିଶାବାସୀଙ୍କର ସମର୍ଥନ ମିଳିନାହିଁ । ବିଜେପି-କଂଗ୍ରେସର କନ୍ଦଳରେ ଓଡ଼ିଶାବାସୀ ସାମିଲ ହୋଇନାହାନ୍ତି । ଏଭଳି ଏକ ରାଜନୈତିକ ହଟଚମଟ କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମାକୁ ବହୁତ ଦୁଃଖ ଦେଉଥିବ । କଂଗ୍ରେସ ଓ ବିଜେପି କୌଣସି ଏକ ଦୁଃଖଦ ଆତ୍ମହତ୍ୟାକୁ ନେଇ ରାଜନୈତିକ ପତିଆରା ବୃଦ୍ଧି କରିବା ପାଇଁ
ଉଦ୍ୟମ କରିବା ନିହାତି ହାସ୍ୟାସ୍ପଦ । ଏଭଳି ଏକ ସମ୍ବେଦନଶୀଳ ପ୍ରସଂଗରେ କଂଗ୍ରେସ ଓ ବିଜେପିର ଆଭିମୁଖ୍ୟ ସଂପୂର୍ଣ୍ଣ ରୂପେ ରାଜନୈତିକ ଉଦେ୍ଧଶ୍ୟ ପ୍ରଣୋଦିତ ଓ ଅମାନବୀୟ ବୋଲି ବିଜୁ ଜନତା ଦଳ ରାଜ୍ୟ ସଂପାଦକ ବିଜୟ ନାୟକ କହିଛନ୍ତି ।

Share in top social networks!
Powered By Indic IME