ଓଡ଼ିଶୀ ସଙ୍ଗୀତ ଓ ଘଟମ୍ ବାଦନରେ ସଙ୍ଗୀତମୁଖର ରାଜାରାଣୀ

DSC_0130ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେ଼ମୀ ଦ୍ୱାରା ଆୟୋଜିତ ରାଜାରାଣୀ ସଙ୍ଗୀତ ମହୋତ୍ସବ ଆଜି ଦ୍ୱିତୀୟ ବର୍ଣ୍ଣାଢ୍ୟ ଓ ଚିତ୍ତାକର୍ଷକ ସନ୍ଧ୍ୟା ସାଙ୍ଗକୁ ଓଡ଼ିଶୀ ସଙ୍ଗୀତ ଓ ଘଟମ୍ ବାଦନର ମୁର୍ଚ୍ଛନାରେ ରାଜାରାଣୀ ମନ୍ଦିର ପ୍ରାଙ୍ଗଣ ମୁଖରିତ ହୋଇଥିଲା । ଆଜି ସନ୍ଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଥିଲା ବିଖ୍ୟାତ ଗାୟକ ମାତୃପ୍ରସାଦ ଦାସ ଓ ହିମାଂଶୁ ଶେଖର ସ୍ୱାଇଁଙ୍କ ଦ୍ୱାରା ଓଡ଼ିଶୀ ସଙ୍ଗୀତର ବିଭିନ୍ନ ବିଭାବର ନିଖୁଣ ତଥା ସୁନ୍ଦର ପରିବେଷଣ । ସେମାନଙ୍କର ପ୍ରଥମ ପ୍ରସ୍ତୁତି ଥିଲା କବିସୂର୍ଯ୍ୟ ବଳଦେବ ରଥଙ୍କ ରଚନାରୁ ପ୍ରବନ୍ଧ ମଧୁରେ ମନ୍ଦ ମନ୍ଦ ହୋଇ ଗନ୍ଧବହ ପ୍ରସରିଲା ଯାହା ରାଗ କାମୋଦୀ ଓ ତାଳ ତ୍ରିପଟା ଉପରେ ନିବଦ୍ଧ । ପରେ ପରେ କାଳି ଚରଣ ପଟ୍ଟନାୟକଙ୍କ ରଚନାରୁ ପ୍ରବନ୍ଧ ମଧୁ ମଳୟ ମନ୍ଦ ବହିଲାରେ ଯାହା ରାଗ ବସ୍ତ ଓ ତାଳ ଏକତାଳୀ ଉପରେ ପର୍ଯ୍ୟବେସିତ ଥିଲା । ସେମାନଙ୍କର ପରବର୍ତ୍ତୀ ପରିବେଷଣ ଥିଲା ବେଣୁଧରଙ୍କ ରଚନାରୁ ପ୍ରବନ୍ଧ ରାଧେ ଅନାଅ ଗୋ ରାଗ ନଳିନୀଗୌଡ଼ା ଓ ତାଳ ଆଡ଼ତାଳି ଉପରେ ନିବଦ୍ଧ । ସୁନ୍ଦର ଓ ନିଖୁଣ ରାଗ ବିସ୍ତାର, ଆଳଙ୍କାରିକ ସର୍ଜନା ସାବଲୀଳ ଓ ଭାବୋଦ୍ଧୀପକ ପରିବେଷଣ ଦ୍ୱାରା ସେମାନେ ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ଓଡ଼ିଶୀ ସଙ୍ଗୀତରେ ମର୍ଦଳରେ ସହଯୋଗିତା କରିଥିଲେ ବୁଦ୍ଧନାଥ ସ୍ୱାଇଁ, ହାରମୋନିୟମ୍‍ରେ ସୁରେନ୍ଦ୍ର କୁମାର ତ୍ରିପାଠୀ, ବେହେଲାରେ ଅମିତ୍ କୁମାର ଦାସ ଏବଂ ମଞ୍ଜିରାରେ ସହଯୋଗ କରିଥିଲେ ସୀତାକାନ୍ତ ଜେନା ।

ସନ୍ଧ୍ୟାର ଦ୍ୱିତୀୟ କାର୍ଯ୍ୟକ୍ରମ ଥିଲା ବିଶିଷ୍ଟ ଘଟମ୍ ବାଦକ ଭିକ୍କୁ ଭିନାୟକରମ୍ଙ୍କ ଦ୍ୱାରା ଘଟମ୍ ବାଦନ । ତାଙ୍କର ପ୍ରଥମ ପ୍ରସ୍ତୁତିରେ ଥିଲା ଶିବ ତାଣ୍ଡବ ପରେ ପରେ ତାଙ୍କର ସପ୍ତ ତାଳ ଉପରେ ବାଦନ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ତାଙ୍କୁ ଯନ୍ତ୍ରାଂଶରେ ସହଯୋଗ କରିଥିଲେ ତାଙ୍କର ପୁତ୍ର ଭି.ସେଲଭାଗଣେଶ, ତାଙ୍କର ନାତି ଏସ୍. ସ୍ୱାମିନାଥନ୍ ଏବଂ ଏ. ଗଣେଶନ୍ । ଘଟମ୍ ଉପରେ ତାଙ୍କର ଆଙ୍ଗୁଠି ଚାଳନା ଅତ୍ୟନ୍ତ ଚମକ୍ରାର ତଥା ଶୃତିମଧୁର ଥିଲା ଯାହା ଦର୍ଶକମାନଙ୍କୁ ଶୀତୁଆ ସଂଧ୍ୟାରେ ବେଶ୍ ଆନନ୍ଦ ପ୍ରଦାନ କରିଥିଲା ।

ଦ୍ୱିତୀୟ ସନ୍ଧ୍ୟାରେ ଅତିଥି ଭାବରେ ପ୍ରଦୀପ ପ୍ରଜ୍ୱୋଳନ କରିଥିଲେ ବିଶିଷ୍ଟ ମର୍ଦ୍ଧଳ ବାଦକ ଗୁରୁ ସଚ୍ଚିଦାନନ୍ଦ ଦାସ ଏବଂ ପର୍ଯ୍ୟଟନ ବିଭାଗର ସହ ନିଦେ୍ର୍ଧଶକ ଡ଼. ସୁନିଲ କୁମାର ପଟ୍ଟନାୟକ । କାର୍ଯ୍ୟକ୍ରମକୁ ସଂଚାଳନା କରିଥିଲେ ଡ଼. ସଙ୍ଗୀତା ଗୋସାଇଁ ଓ ଡ଼. ଭିଦୁଲା ରାମଲକ୍ଷ୍ମୀ । ପର୍ଯ୍ୟଟନ ବିଭାଗର ଫଟୋଗ୍ରାଫର ଶ୍ରୀ ସୁଦର୍ଶନ ବଟୁ ଉକ୍ତ କାର୍ଯ୍ୟକ୍ରମର ଫଟୋ ଉତ୍ତୋଳନ କରି ବିଭିନ୍ନ ମିଡ଼ିଆଙ୍କୁ ଯୋଗାଉଥିଲେ ।

Share in top social networks!
Powered By Indic IME