କୃଷକ ମୋର୍ଚ୍ଚାର ଧାନମଣ୍ଡି ଚାଲ ଅଭିଯାନ ବହୁ ପୂର୍ବରୁ ଧାନ ଖର୍ଦ୍ଧି ସରିଛି, ବିଭ୍ରାନ୍ତ କରିବା ପାଇଁ ଧାନମଣ୍ଡିମାନ ଖୋଲିବାର ଘୋଷଣା ହୋଇଛି: ବିଜେପି

DMA1 ଅବ୍ୟବସ୍ଥିତ ଧାନମଣ୍ଡି କାରଣରୁ ଚାଷୀମାନେ ନାହିଁ ନଥିବା ହଇରାଣର ଶିକାର ହେବା ସାଙ୍ଗକୁ ତାଙ୍କର ବହୁ କଷ୍ଟ ଉପାର୍ଜିତ ଧାନଶସ୍ୟକୁ ସଠିକ୍ ଦରରେ ବିକ୍ରି କରିପାରୁନାହାନ୍ତି । ଭିତିଭୂମି ଅଭାବ କାରଣରୁ ଧାନମଣ୍ଡିଗୁଡିକ ବନ୍ଦ ହୋଇ ପଡିଛି । ବହୁ ପୂର୍ବରୁ ଧାନ ଖର୍ଦ୍ଧି ସରିଛି । ଅନ୍ୟ ପଟେ ସୁଆଙ୍ଗ କରି ରାଜ୍ୟ ସରକାର ଚାଷୀକୂଳକୁ ବିଭ୍ରାନ୍ତ କରିବା ପାଇଁ ଧାନମଣ୍ଡିମାନ ଖୋଲିବାର ଘୋଷଣା କରିଛନ୍ତି । ବର୍ତମାନ କେବଳ କାଗଜ କଲମରେ ଧାନମଣ୍ଡି ଖୋଲାଯାଇଛି ବୋଲି “ଧାନ ମଣ୍ଡି ଚାଲ ଅଭିଯାନ” ଅବସରରେ କୃଷକ ମୋର୍ଚ୍ଚା ଅଭିଯୋଗ କରିଛି ।
ଆଜି ରାଜ୍ୟ ବିଜେପି କୃଷକ ମୋର୍ଚ୍ଚାର ଏକ ପ୍ରତିନିଧି ଦଳ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଓଳସିଂହ ଧାନମଣ୍ଡିକୁ ଯାଇ ସ୍ଥିତି ନୀରିକ୍ଷଣ କରିଥିଲେ । ଆଜି ମଣ୍ଡି ଖୋଲାଯିବାର ଦିନ ଧାର୍ଯ୍ୟ ଥିବା କାରଣରୁ ଚାଷୀମାନେ ଶହ ଶହ ବସ୍ତା ଧାନ ସହିତ ବିକ୍ରି ପାଇଁ ମଣ୍ଡି ଆସିଥିଲେ । ମିଲର କିମ୍ବା ଆରଏମସିର ପ୍ରତିନିଧିମାନେ ମଧ୍ୟ ସେଠାରେ ଉପସ୍ଥିତ ନଥିବାର ଅଭିଯୋଗ କୃଷକ ମୋର୍ଚ୍ଚାର ସଦସ୍ୟମାନେ ଶୁଣିବାକୁ ପାଇଥିଲେ । ଏପରିକି ମୋର୍ଚ୍ଚାର ପ୍ରତିନିଧି ଦଳ ଉକ୍ତ ମଣ୍ଡିରେ ପହଂଚିଲା ବେଳକୁ ସମବାୟ ସମିତି ସଂପାଦକ ତାଲା ପକାଇ ସେଠାରୁ ପଳାଇଥିଲେ । ମଣ୍ଡି ବନ୍ଦ ଥିବାରୁ ଚାଷୀମାନେ ଶେଷରେ ହତାଶ ହୋଇ ଫେରିଯାଇଥିଲେ । ଆବଶ୍ୟକୀୟ ଭିତିଭୁମି ଅଭାବ, ଖୋଲା ଆକାଶ ତଳେ ଧାନମଣ୍ଡି ଥିବାରୁ ଅନ୍ୟ ଏକ ବ୍ୟକ୍ତିଗତ ସ୍ଥାନରେ ମଣ୍ଡି ଚାଲୁଥିବାର ପ୍ରତିନିଧି ଦଳ ଦେଖିବାକୁ ପାଇଥିଲେ । ଏଭଳି ଅବ୍ୟବସ୍ଥା ମଧ୍ୟରେ ଧାନମଣ୍ଡି ଚାଲୁଥିବା ଏବଂ ଚାଷୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ପ୍ରସଙ୍ଗରେ ମଣ୍ଡି ଆଗରେ କୃଷକ ମୋର୍ଚ୍ଚାର ସଦସ୍ୟମାନେ ଉପସ୍ଥିତ ଚାଷୀମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ ।
ଏହି ପ୍ରତିନିଧି ଦଳରେ କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ଉପ ସଭାପତି ଶ୍ରୀ ମହେଶ୍ୱର ସାହୁଙ୍କ ସମେତ କୃଷକ ମୋର୍ଚ୍ଚା ରାଜ୍ୟ ଉପ ସଭାପତି ହୃଷିକେଶ ଜେନା, ସାଧାରଣ ସଂପାଦକ ସୁରଥ ବିଶ୍ୱାଳ, ସଂପାଦକ ଶ୍ରୀରଂଜନ ମଙ୍ଗରାଜ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରଶ୍ମୀରଂଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ସେହିପରି କନ୍ଧମାଳ ଜିଲ୍ଲା ଜି.ଉଦୟଗିରି, ଶଙ୍କରାଖୋଲ ଲ୍ୟାମ୍ପ୍ସ, ସାତପାଟଣା ପାକ୍ସ ଧାନମଣ୍ଡିକୁ କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁକାନ୍ତ ପାଣିଗ୍ରାହୀ ଧାନମଣ୍ଡି ବୁଲି ସ୍ଥିତି ଅନୁଧ୍ୟାନ କରିବା ସହ ଚାଷୀମାନଙ୍କ ବିଭିନ୍ନ ସମସ୍ୟା ପ୍ରସଙ୍ଗରେ ଆଲୋଚନା କରିଥିଲେ ।

Share in top social networks!
Powered By Indic IME