ଭାରତ ସରକାରଙ୍କ ତରଫରୁ ସୌରଶକ୍ତି ବିକାଶ ପାଣ୍ଠିକୁ 350 ମିଲିଅନ ଡଲାର ସହାୟତା

2017 ଡିସେମ୍ବର 6ରେ ଆନ୍ତର୍ଜାତିକ ସୌର ସଙ୍ଗଠନ (ISA) ରାଜିନାମା କାର୍ଯ୍ୟକାରୀ ହୋଇଛି । ଏହା ଫଳରେ ଆଇଏସଏ ଆଇନତଃ ଏକ ଆନ୍ତର୍ଜାତିକ ଚୁକ୍ତିଭିତ୍ତିକ ଆନ୍ତଃ-ସରକାରୀ ସଂଗଠନରେ ପରିଣତ ହୋଇଛି । ଏପର୍ଯ୍ୟନ୍ତ 19ଟି ଦେଶ ଏହି ସଙ୍ଗଠନକୁ ଅଙ୍ଗୀକାର କରିବା ସହ 48ଟି ଦେଶ ଆଇଏସଏ ଢ଼ାଂଚାଗତ ରାଜିନାମାରେ ସ୍ୱାକ୍ଷର କରିଛନ୍ତି ।

କାର୍ଯ୍ୟକାରୀ ହେବା ପରେ ଏହାର ଏକ କାର୍ଯ୍ୟକ୍ରମ ସ୍ୱରୂପ ଆାଇଏସଏ ଆବୁଧାବିଠାରେ 2018 ଜାନୁଆରୀ 17-18ରେ ଭବିଷ୍ୟତ ବିଶ୍ୱ ଶକ୍ତି ସମ୍ମିଳନୀ (WFES) ଅନ୍ତର୍ଗତ ଦୁଇଦିନିଆ ଆନ୍ତର୍ଜାତିକ ସୌର ସଙ୍ଗଠନ ମଂଚର ଆୟୋଜନ କରିଥିଲା । ଏଠାରେ ଆଇଏସଏ, ଏହାର କାର୍ଯ୍ୟଧାରା ଏବଂ କାର୍ଯ୍ୟକ୍ରମ ସମ୍ବନ୍ଧରେ ସୂଚନା ପ୍ରଦାନ କରିବା ପାଇଁ ଆଇଏସଏ ପାଭିଲିଅନର ସ୍ଥାପନା କରାଯାଇଥିଲା ।

ଆଇଏସଏ ମଂଚର ପ୍ରଥମ ଦିନ ଆଇଏସଏ ଶକ୍ତି ମନ୍ତ୍ରୀମାନଙ୍କୁ ନେଇ ଏକ ମନ୍ତ୍ରୀସ୍ତରୀୟ ବୈଠକର ଆୟୋଜନ କରାଯାଇଥିଲା । ଏହି ବୈଠକରେ ଆଇଏସଏ ସଦସ୍ୟ ରାଷ୍ଟ୍ରମାନଙ୍କର 7 ଜଣ ମନ୍ତ୍ରୀ ଭାଗ ନେଇଥିଲେ । ବିଶ୍ୱବ୍ୟାପୀ ସୌର ଶକ୍ତିର ବ୍ୟବହାର, ଅଭିନବ ପଦକ୍ଷେପ, ପୁଞ୍ଜିନିବେଶ, ସୌର ପ୍ରକଳ୍ପ ପାଇଁ ବୈଷୟିକ ଜ୍ଞାନକୌଶଳର ଆଦାନ ପ୍ରଦାନ ମାଧ୍ୟମରେ ସୌର ଶକ୍ତି ଉତ୍ପାଦନ ବୃଦ୍ଧି ନେଇ ମିଳିତ ଭାବେ ପ୍ରୟାସ ଏବଂ ସହାୟତା ପ୍ରକ୍ରିୟାର ଲାଭ ଉପରେ ସେମାନେ ସେମାନଙ୍କର ମତ ପ୍ରଦାନ କରିଥିଲେ ।

ଏହି ଅବସରରେ ନିଜ ସମ୍ବୋଧନରେ ଭାରତ ସରକାରଙ୍କ ଶକ୍ତି, ନୂତନ ଏବଂ ଅକ୍ଷୟ ଶକ୍ତି ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀ ରାଜକୁମାର ସିଂ ପ୍ରଥମ ବିଦେଶୀ ପ୍ରସାରକ ଆଇଏସଏ ମଞ୍ଚର ଆୟୋଜନ ପାଇଁ ଆଇଏସଏକୁ ଅଭିନନ୍ଦନ ଜଣାଇଥିଲେ । ସେ କହିଲେ ଯେ ଗତ କିଛି ବର୍ଷ ହେବ ଅକ୍ଷୟ ଶକ୍ତି ଶସ୍ତାରେ ଉପଲବ୍ଧ ହୋଇପାରୁଛି ଏବଂ ଏହାକୁ ଆଗାମୀ ସମୟରେ ପାରମ୍ପରିକ ଶକ୍ତିର ବିକଳ୍ପ ଭାବେ ବ୍ୟବହାର କରାଯାଇ ପାରିବ ଯାହାକି ଏକ ଉତ୍ତମ ବିକାଶ । ସେ ମଧ୍ୟ କହିଲେ ଯେ ଅକ୍ଷୟ ଉର୍ଜା କ୍ଷେତ୍ରରେ ଭାରତରେ ଦ୍ରୂତଗତିରେ କାର୍ଯ୍ୟକ୍ରମ ଚାଲୁ ରହିଛି ଏବଂ 2020 ପୂର୍ବରୁ ଦେଶରେ 175 ଗିଗାୱାଟ ଅକ୍ଷୟ ଶକ୍ତି ଉର୍ଜା କ୍ଷମତା ହାସଲ କରାଯାଇ ପାରିବ । ମନ୍ତ୍ରୀ କହିଲେ ଯେ ସୌର ଶକ୍ତି ପ୍ରକଳ୍ପ ଲାଗି ଆଇଏସଏ ପ୍ରଚୁର ପରିମାଣର ଅନୁଦାନ ସଂଗ୍ରହ କରିବ । ନିଜ ସମ୍ବୋଧନରେ ଶ୍ରୀ ସିଂ ଘୋଷଣା କରିଥିଲେ ଯେ ସୌର ପ୍ରକଳ୍ପ ଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଭାରତ ସରକାର 350 ମିଲିଅନ ଡଲାରର ଏକ ସୌର ଉନ୍ନୟନ ଅନୁଦାନ ପାଣ୍ଠି ପ୍ରତିଷ୍ଠା କରୁଛନ୍ତି ।

ମନ୍ତ୍ରୀସ୍ତରୀୟ ଅଧିବେଶନକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଏବଂ ଅଂଶଗ୍ରହଣକାରୀମାନଙ୍କୁ ସ୍ୱାଗତ କରି ଆଇଏସଏର ମଧ୍ୟବର୍ତ୍ତିକାଳୀନ ସାଧାରଣ ନିର୍ଦ୍ଦେଶକ ଶ୍ରୀ ଉପେନ୍ଦ୍ର ତ୍ରିପାଠୀ ସୂଚନା ପ୍ରଦାନ କରିଥିଲେ ଯେ ବିଭିନ୍ନ କମ୍ପାନୀ ଏବଂ ବ୍ୟାଙ୍କରମାନଙ୍କ ସହ ସୌର ପ୍ରକଳ୍ପ ବାବଦରେ 9ଟି ବୁଝାମଣା ସ୍ୱାକ୍ଷର ପତ୍ର ଆଦାନ ପ୍ରଦାନ ହୋଇଛି । ସେ ମଧ୍ୟ ସୂଚନା ପ୍ରଦାନ କରିଥିଲେ ଯେ ଆଇଏସଏ ଅଧୀନରେ 2018 ଏପ୍ରିଲ ସୁଦ୍ଧା 100 ରୁ ଉର୍ଦ୍ଧ୍ଵ ପ୍ରକଳ୍ପ ସ୍ୱାକ୍ଷର କରାଯିବ । ଖୁବ କମ ସମୟ ମଧ୍ୟରେ ଆଇଏସଏକୁ ଏକ ବାସ୍ତବତାରେ ପରିଣତ କରିଥିବାରୁ ସେ ବିଭିନ୍ନ ସଦସ୍ୟ ଦେଶ ଏବଂ ଅଂଶୀଦାରମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । 2018 ଏପ୍ରିଲ 19-21 ମଧ୍ୟରେ ଭାରତ ସରକାରଙ୍କ ନୂତନ ଏବଂ ଅକ୍ଷୟ ଉର୍ଜା ମନ୍ତ୍ରଣାଳୟ ସହଯୋଗରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ରି-ଇନଭେଷ୍ଟ ସମ୍ବନ୍ଧରେ ସେ ସୂଚନା ପ୍ରଦାନ କରିବା ସହ ସମସ୍ତଙ୍କୁ ଆମନ୍ତ୍ରଣ କରିଥିଲେ ।

ମନ୍ତ୍ରୀସ୍ତରୀୟ ବୈଠକ ପରେ ତିନୋଟି ବୈଷୟିକ ପାନେଲ ଆଲୋଚନା ହୋଇଥିଲା । ଏଗୁଡ଼ିକ ହେଲା- ଆଇଏସଏ ଏକ ଟ୍ରିଲିଅନ ଡଲାର ସୁଯୋଗ, ଆଇଏସଏ ରାଷ୍ଟ୍ରମାନଙ୍କରେ ସୌର ଅଭିନବତା ପାଇଁ ଆର ଆଣ୍ଡ ଡି ପ୍ରତିଷ୍ଠାନ ଗୁଡ଼ିକର ନେଟୱର୍କିଂ, ଇନକ୍ୟୁବେସନ ଆଣ୍ଡ ଷ୍ଟାର୍ଟଅପ୍ସ ଏବଂ ଆଇଏସଏ ଦେଶ ମାନଙ୍କ ମଧ୍ୟରେ ସୌର ଶକ୍ତି ସାମର୍ଥ୍ୟ ବୃଦ୍ଧି ଲାଗି କାର୍ଯ୍ୟକ୍ରମ । ଏହି ଅଧିବେଶନ ଗୁଡ଼ିକରେ ଶକ୍ତିମନ୍ତ୍ରୀ, ନୀତି ନିର୍ଦ୍ଧାରକ, ବିବିଧ କ୍ଷେତ୍ରୀୟ ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନ, ଆର ଆଣ୍ଡ ଡି ପ୍ରତିଷ୍ଠାନ ଏବଂ ଇନୋଭେଟର, ସୌର ପ୍ରକଳ୍ପ ନିର୍ମାଣକାରୀ, ପୁଞ୍ଜିନିବେଶକ ଏବଂ ଅଂଶୀଦାରମାନେ ଭାଗ ନେଇଥିଲେ ।

Share in top social networks!