ଖୋଲା ଆକାଶ ତଳେ ଧାନ ମଣ୍ଡି; ରାଜ୍ୟ ସରକାରଙ୍କ ଅପାରଗତାକୁ ଦର୍ଶାଉଛି : ବିଜେପି

Anandapur_MaheswarSahoo_15
ଧାନ ମଣ୍ଡି ଗୁଡିକରେ ଅସାଧୁ ମିଲରଙ୍କ ଜୁଲମ ଚାଲିଛି । ବିଳମ୍ବରେ ମଣ୍ଡି ଖୋଲି ଅସାଧୁ ବେପାରୀମାନଙ୍କ ଦ୍ୱାରା ଚାଷୀମାନଙ୍କ ଠାରୁ କମ୍ ଦାମରେ ଧାନ ସଂଗ୍ରହ କରାଯାଉଛି । ଧାନ ମଣ୍ଡିଗୁଡିକରେ ବ୍ୟାପକ ଅବ୍ୟବସ୍ଥା ସହ ନିମ୍ନମାନ ଧାନର ଆଳ ଦେଖାଇ କ୍ୱିଂଟାଲ ପ୍ରତି ୫ କେଜିରୁ ୧୦ କେଜି ପର୍ଯ୍ୟନ୍ତ ଧାନ କାଟ ଆଦି ବିଭିନ୍ନ ପ୍ରସଙ୍ଗରେ ଚାଷୀମାନେ ବିଜେପି କୃଷକମୋର୍ଚ୍ଚା କାର୍ଯକର୍ତାଙ୍କ ନିକଟରେ ଅଭିଯୋଗ କରିଛନ୍ତି ।
ଗତ ୧୦ ତାରିଖରୁ କୃଷକ ମୋର୍ଚ୍ଚା ତରଫରୁ ରାଜ୍ୟବ୍ୟାପୀ ଧାନମଣ୍ଡି ଚାଲ ଅଭିଯାନ ଆରମ୍ଭ ହୋଇଛି । ରାଷ୍ଟ୍ରୀୟ ଉପ ସଭାପତି ଶ୍ରୀ ମହେଶ୍ୱର ସାହୁ ଆଜି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅନ୍ତର୍ଗତ ପଦ୍ମପୁର ଧାନମଣ୍ଡିକୁ ଯାଇ ବାସ୍ତବ ସ୍ଥିତ ଅନୁଧ୍ୟାନ କରିଛନ୍ତି । ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀଧର ସାହୁ, ହେମନ୍ତ କୁମାର ମଲ୍ଲିକ, ବାଇଧର ସାହୁ, ଲକ୍ଷ୍ମୀଧର ସାହୁ, ରାହାସ ବିହାରୀ ସାହୁ, ଅରୁଣ ସାହୁ, ସନ୍ତୋଷ ସାହୁ, ମିଟୁ ବାରିକ, ଅଭୟ ସେଠୀ, ରବିନ୍ଦ୍ର କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟ ସରକାରଙ୍କ ଉଦାସୀନତା କାରଣରୁ ଚାଷୀମାନେ ନାନାଦି ସମସ୍ୟାର ସମ୍ମୁଖୀନ ହେବା ସହ ବହୁ କଷ୍ଟ ଭୋଗୁଛନ୍ତି । କଟ୍ନି-ଛଟ୍ନି ବନ୍ଦ ନହେଲେ ଆଗାମୀ ଦିନରେ ମୋର୍ଚ୍ଚା ଏହାର ଆନେ୍ଦାଳନକୁ ଆହୁରି ତୀବ୍ର କରିବ ବୋଲି ଶ୍ରୀ ସାହୁ ଅପାରଗ ରାଜ୍ୟ ସରକାରକୁ ଚେତାବନୀ ଦେଇଛନ୍ତି ।
କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ସୁରଥ ବିଶ୍ୱାଳଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ କଟକ ଜିଲ୍ଲା ଡମପଡା ବ୍ଲକ ଅନ୍ତର୍ଗତ ରାମଚଣ୍ଡି, କାଳିପୋଇ, ରତଗଡ, କେନ୍ଦୁପାଲି, ଜଗନ୍ନାଥପୁର ଧାନ ମଣ୍ଡିକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଖୋଲା ଆକାଶରେ ଧାନ ପଡି ରହିବା, ମିଲରମାନେ ନ ଆସିବା କାରଣରୁ ଚାଷୀମାନେ ହତାସ ହୋଇ ବସି ରହିବା ରାଜ୍ୟ ସରକାରଙ୍କ ନିଷ୍କ୍ରିୟତାକୁ ପଦାରେ ପକାଇଛି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି । ଏହି ପ୍ରତିନିଧି ଦଳରେ ଶୁଭ୍ରାଂଶୁ ପାଢୀ, ଦୁଷ୍ମନ୍ତ ଦାଶ, ବିଜୟ କେତନ ବେଉରା, ଜୟକୃଷ୍ନ ମହାନ୍ତି, ସିଲୁ ଜେନା, ରୋହିତ ବେଉରାଙ୍କ ସମେତ ବହୁତ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।
ଖାଦ୍ୟ ଯାଗାଣ ବିଭାଗ ତରଫରୁ ଧାନ ସଂଗ୍ରହକୁ ନେଇ ମଣ୍ଡି ଖୋଲାଯାଇଛି ବୋଲି କେବଳ ପ୍ରଚାର ହେଉଛି । ବାସ୍ତବରେ ଅସାଧୁ ମିଲର, ଯୋଗାଣ ବିଭାଗ ଏବଂ ସମବାୟ ବିଭାଗର ମଧୁଚନ୍ଦ୍ରିକା କାରଣରୁ ନିରୀହ ଚାଷୀକୁଳ ହନ୍ତସନ୍ତ ହେଉଛନ୍ତି । ରାଜ୍ୟ ଚାଷୀକୁଳର ସ୍ୱାର୍ଥ ରକ୍ଷା ପାଇଁ କୃଷକ ମୋର୍ଚ୍ଚା ସଂଗ୍ରାମ ଜାରି ରଖିବ ବୋଲି ଶ୍ରୀ ବିଶ୍ୱାଳ ସୁଚନା ଦେଇଛନ୍ତି ।

Share in top social networks!
Powered By Indic IME