ଓଡ଼ିଶୀ ନୃତ୍ୟ ସମ୍ଭାରରେ ମୁକ୍ତେଶ୍ୱର ନୃତ୍ୟ ଉତ୍ସବ ଉଦ୍‍ଘାଟିତ

DSC_8286ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ନିବେଦିତ ମୁକ୍ତେଶ୍ୱର ନୃତ୍ୟ ଉତ୍ସବ ୨୦୧୮, ଦଶମ ଶତାବ୍ଦୀରେ ନିର୍ମିତ କାରୁକାର୍ଯ୍ୟପୂର୍ଣ୍ଣ ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେ଼ମୀର ମିଳିତ ସହଯୋଗରେ ଉଦ୍‍ଘାଟିତ ହୋଇଯାଇଅଛି । ଓଡ଼ିଶୀ ନୃତ୍ୟ ତଥା ଓଡ଼ିଶାର କଳା ଓ ସଂସ୍କୃତିକୁ ଆନ୍ତର୍ଜାତୀୟସ୍ତରରେ ପହଞ୍ଚାଇବା ଏହି ଉତ୍ସବର ମୂଳ ଉଦେ୍ଧଶ୍ୟ । ତିନିଦିନ ଧରି ହେବାକୁ ଥିବା ଏହି ନୃତ୍ୟ ଉତ୍ସବରେ ଜାତୀୟ ଓ ଆନ୍ତର୍ଜାତୀୟ ଖ୍ୟାତି ସମ୍ପର୍ଣ୍ଣ ଶିଳ୍ପୀମାନେ ଓଡ଼ିଶୀ ନୃତ୍ୟକୁ ତିନୋଟି ପର୍ଯ୍ୟାୟରେ ଯଥା ଏକକ, ଦ୍ୱୈତ ଓ ଦଳଗତ ଭାବରେ ପରିବେଷଣ କରିବେ ।

ସନ୍ଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଥିଲା ନମ୍ରତା ମେହେତାଙ୍କ ଦ୍ୱାରା ଏକକ ଓଡ଼ିଶୀ ନୃତ୍ୟ ପରିବେଷଣ । ତାଙ୍କର ପ୍ରଥମ ପ୍ରସ୍ତୁତି ଥିଲା ରାଗ ଆଭୁଗୀ ଉପରେ ପର୍ଯ୍ୟବେଶିତ ମୁକ୍ତେଶ୍ୱର ବନ୍ଦନା, ପରେ ପରେ ତାଙ୍କର ପ୍ରସ୍ତୁତିରେ ଥିଲା ମଧ୍ୟମା ପଲ୍ଲବୀ ଏବଂ ଶେଷରେ ଅଭିନୟ ଗୀତଗୋବିନ୍ଦରୁ ଉଦ୍ଧୃତ କିଶଳୟ ଶୟନ ତଳେ । ଦ୍ୱୈତ ନୃତ୍ୟ ପର୍ଯ୍ୟାୟରେ ବିଜନ ପଲାଇ ଓ ରୁଦ୍ର ପ୍ରସାଦ ସ୍ୱାଇଁଙ୍କ ଦ୍ୱାରା ଖମାଜ ପଲ୍ଲବୀ ଓ ଅଭିନୟ ସଖା ବୋଧ ପରିବେଶିତ ହୋଇଥିଲା । ଉଦ୍ଘାଟନୀ ସଂଧ୍ୟାର ଶେଷ ପ୍ରସ୍ତୁତି ଥିଲା ରୋଜାଲିନ ମହାପାତ୍ର ଓ ସାଥୀଙ୍କ ଦ୍ୱାରା ଦଳଗତ ନୃତ୍ୟ କାର୍ଯ୍ୟକ୍ରମ । ସେମାନଙ୍କର ପ୍ରଥମ ପ୍ରସ୍ତୁତି ଥିଲା ନଟରାଜଙ୍କ ଉପରେ ସର୍ମପିତ ଭୋ ଶମ୍ଭୋ ପରେ ପରେ ଅଭିନୟରେ ରାମାୟଣରୁ ଉଦ୍ଧୃତ ସୂପର୍ଣ୍ଣରେଖା ବଧ । ସଂଧ୍ୟାର ସମସ୍ତ ପ୍ରସ୍ତୁତି ଅତ୍ୟନ୍ତ ମନୋରମ ଓ ଚିତାକର୍ଷକ ଥିଲା ଯାହାକୁ ଦର୍ଶକ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହି ଉପଭୋଗ କରିଥିଲେ ।
DSC_8216
ଉଦ୍‍ଘାଟନୀ ସଂଧ୍ୟାର ଏହି ମନୋରମ କାର୍ଯ୍ୟକ୍ରମକୁ ବହୁ ସଂଖ୍ୟାରେ ଦର୍ଶକମାନେ ଉପଭୋଗ କରିଥିଲେ । ଆଜି ସନ୍ଧ୍ୟାରେ ଅତିଥି ଭାବରେ ପ୍ରଦୀପ ପ୍ରଜ୍ୱୋଳନ କରିଥିଲେ ଗୁରୁ ବନମାଳୀ ମହାରଣା, ସୁରେନ୍ଦ୍ର ନାଥ ପଶୁପାଳକ, ତ୍ରୀବିକ୍ରମ ପ୍ରଧାନ, ପୂର୍ବତନ ରାଷ୍ଟ୍ରଦୂତ ଡ଼. ଲଳୀତ ମାନସିଂହ ଏବଂ ପର୍ଯ୍ୟଟନ ବିଭାଗର ନିଦେ୍ର୍ଧଶକ ଡ଼. ନିତିନ୍ ଭାନୁଦାସ ଜାୱଲେ । କାର୍ଯ୍ୟକ୍ରମକୁ ସଂଚାଳନା କରିଥିଲେ ଡ଼. ଶ୍ରୀନିବାସ ଘଟୁଆରୀ ଓ ଅନୁଜା ତାରିଣୀ ମିଶ୍ର । ପର୍ଯ୍ୟଟନ ବିଭାଗର ଉପ ନିଦେ୍ର୍ଧଶକ, ସହ ନିଦେ୍ର୍ଧଶକ, ପର୍ଯ୍ୟଟନ ଅଧିକାରୀ ଓ ଓଡ଼ିଶା ପର୍ଯ୍ୟଟନ ନିଗମର ମହା ପରିଚାଳକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Share in top social networks!