ଏମ୍‍ଏସ୍‍ପି ବୃଦ୍ଧି ଦାବିରେ ୧୨ ଜିଲ୍ଲାରେ ଚଳିତ ମାସ ୮ରୁ ୧୭ ଆନେ୍ଦାଳନ ଡାକରା; ଓଡ଼ିଶା ଚାଷୀକୁଳଙ୍କୁ ହତାଶ କରିଛି କେନ୍ଦ୍ରମନ୍ତ୍ରୀଙ୍କ ବିବୃତି

DSC_0265

ଖରିଫ୍‍ ୨୦୧୭ରେ ଆମ ରାଜ୍ୟରେ ମରୁଡ଼ି, ଚକଡ଼ା ପୋକ ଆକ୍ରମଣ ତଥା ନଭେମ୍ବର ଓ ଡିସେମ୍ବର ମାସରେ ଦୁଇ ଦୁଇଥର ଅଦିନିଆ ବର୍ଷା ଫଳରେ ଓଡ଼ିଶା ଚାଷୀ କୁଳର ମେରୁଦଣ୍ଡ ଭାଙ୍ଗିଯିବା ସହିତ ସଂପୂର୍ଣ୍ଣଭାବରେ ଆର୍ଥôକ ସ୍ଥିତି ଉଜୁଡ଼ିଯାଇଛି । ମରୁଡ଼ିରେ ୧୫ଟି ଜିଲ୍ଲା, ଚକଡ଼ା ପୋକରେ ୨୪ଟି ଜିଲ୍ଲା, ନଭେମ୍ବର ମାସରେ ସଂଗଠିତ ଅଦିନିଆ ବର୍ଷାରେ ୧୯ଟି ଜିଲ୍ଲା, ଡିସେମ୍ବର ମାସରେ ସଂଗଠିତ ଅଦିନିଆ ବର୍ଷାରେ ୩ଟି ଜିଲ୍ଲାର ଚାଷୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି ।

ମରୁଡ଼ି ଯୋଗୁ ୧୫ଟି ଜିଲ୍ଲାର ୫୯୫୮ ଗ୍ରାମର ୩ଲକ୍ଷ ୧୯ ହଜାର ୬୨୮ ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଚକଡ଼ା ପୋକ ଆକ୍ରମଣରେ ୨୪ଟି ଜିଲ୍ଲାରେ ୧୫୦ ବ୍ଲକର ୮୦୯୨ଟି ଗ୍ରାମର ୧ଲକ୍ଷ ୨୮ ହଜାର ୭୩୪ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । ନଭେମ୍ବର ମାସରେ ଅଦିନିଆ ବର୍ଷା ଫଳରେ ୧୯ଟି ଜିଲ୍ଲାର ୧୩୩ଟି ବ୍ଲକର ୧୪,୭୨୦ଟି ଗ୍ରାମର ୪ଲକ୍ଷ ୭ ହଜାର ୭୧୨ ହେକ୍ଟର ଚାଷ ଜମିରେ ଚାଷ ଧୋଇଯାଇଥିବା ବେଳେ ଡିସେମ୍ବର ମାସର ଅଦିନିଆ ବର୍ଷା ଫଳରେ ୩ଟି ଜିଲ୍ଲାରେ ୯ଟି ବ୍ଲକର ୮୫୦ ଗ୍ରାମର ୧୦,୮୪୫ ହେକ୍ଟର ଚାଷଜମି ସଂପୂର୍ଣ୍ଣ ଭାବରେ କ୍ଷତିଗ୍ରସ୍ତ ହୋଇଛି । ରାଜ୍ୟ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟକୁ ଏବଂ ଗୃହ ମନ୍ତ୍ରାଳୟକୁ ଦୁଇଟି ଚିଠି ମାଧ୍ୟମରେ ରାଜ୍ୟରେ ସଂଗଠିତ କ୍ଷୟକ୍ଷତି ସଂପର୍କରେ ତଥ୍ୟ ଦିଆଯାଇଥିଲା । ପରବର୍ତ୍ତୀ ସମୟରେ ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବର ମାସରେ ରାଜ୍ୟରେ ସଂଗଠିତ ଚକଡ଼ା ପୋକ ଆକ୍ରମଣରେ କ୍ଷୟକ୍ଷତିକୁ ଆକଳନ କରି ୧୭୨୯ କୋଟି ଟଙ୍କା କେନ୍ଦ୍ରୀୟ ସହାୟତା ପ୍ରଦାନ ପାଇଁ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ କେନ୍ଦ୍ର ସରକାରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।

କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂହ ସେଖାୱତ୍‍ ନଭେମ୍ବର ୨୦୧୭ ମସିହା ୧୨ ତାରିଖରେ ଓଡ଼ିଶାର କ୍ଷତିଗ୍ରସ୍ତ ଅଞ୍ଚଳ ଗସ୍ତ କରି ଭୁବନେଶ୍ୱରରେ ରାଜ୍ୟର ସମସ୍ତ ପଦାଧିକାରୀଙ୍କ ସହିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରି ସବୁ ପ୍ରକାର କେନ୍ଦ୍ରୀୟ ସହାୟତା ଯୋଗାଇଦେବା ପାଇଁ ରାଜ୍ୟକୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଦୁର୍ଭାଗ୍ୟର କଥା ମରୁଡ଼ି, ଅଦିନିଆ ବର୍ଷା ଓ ଚକଡ଼ା ପୋକ ଆକ୍ରମଣରେ ଓଡ଼ିଶାର ଚାଷୀକୁଳ ସଂପୂର୍ଣ୍ଣ ଭାବରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଗତ ଦୁଇଦିନ ତଳେ ଲୋକସଭାରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ କିରଣ ରିଜ୍‍ଜୁ ଭାରତବର୍ଷର ଚାଷୀକୁଳ ବନ୍ୟା, ବାତ୍ୟା, ମରୁଡ଼ି, ଭୂମିକମ୍ପ, ସୁନାମୀ, କୁଆପଥର, ଚକଡ଼ା ପୋକ ଆକ୍ରମଣ, ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ୧୪ଟି ରାଜ୍ୟ ସଂପର୍କରେ କେନ୍ଦ୍ର ସରକାରଙ୍କର ଭାରତବର୍ଷର ଚାଷୀକୁଳ ପାଇଁ ଆଭିମୁଖ୍ୟ ସ୍ପଷ୍ଟ କରିଥିବା ବେଳେ ଓଡ଼ିଶା ସଂପର୍କରେ ନିରବ ରହିବା ଦୁର୍ଭାଗ୍ୟଜନକ ଓ ଏହା ସଂଘୀୟ ବ୍ୟବସ୍ଥାର ଖୋଲା ଉଲ୍ଲଂଘନ କହିଲେ ଅତୁ୍ୟକ୍ତି ହେବ ନାହିଁ । ଚକଡ଼ା ପୋକ ଆକ୍ରମଣ ସମୟରେ କେନ୍ଦ୍ରମନ୍ତ୍ରୀଙ୍କର
ଓଡ଼ିଶାର ଉପଦ୍ରୁତ ଅଞ୍ଚଳ ଗସ୍ତ କରିବା ଓ ଭୁବନେଶ୍ୱରରେ ଉଚ୍ଚସ୍ତରୀୟ ବୈଠକରେ ଓଡ଼ିଶାର ଚାଷୀକୁଳକୁ ଦେଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ
ନହେବା ଭାରତୀୟ ଜନତା ପାର୍ଟିର ଓଡ଼ିଶା ବିରୋଧୀ ଆଭିମୁଖ୍ୟ ପୁଣିଥରେ ସ୍ପଷ୍ଟ ହୋଇଛି ।

୨୯ ଡିସେମ୍ବର ୨୦୧୭ ତାରିଖରେ ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ସେଖାୱତ୍‍ କହିଛନ୍ତି, ଚାଷୀକୁଳକୁ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କ୍ଷେତ୍ରରେ କେନ୍ଦ୍ର ସରକାର ଆଉ ପୁନଃବିଚାର କରିବେ ନାହିଁ, ଯାହା କେନ୍ଦ୍ର ସରକାରଙ୍କ ଦୋମୁହାଁ ନୀତିର ପରିଚାୟକ । ଓଡ଼ିଶାର ଚାଷୀକୁଳକୁ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ପାଇଁ ବିଧାନସଭା ଗୃହ କମିଟିର ପାରିତ ସର୍ବସମ୍ମତ ପ୍ରସ୍ତାବ ୨୯୩୦ ଟଙ୍କା ପ୍ରଦାନ ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଓଡ଼ିଶାର ଗୃହ କମିଟିକୁ ସମୟ ନଦେବା ଏବଂ ଗୃହ କମିଟି ଓଡ଼ିଶା ଚାଷୀକୁଳର ଏହି ନ୍ୟାୟପୂର୍ଣ୍ଣ ଦାବିକୁ ହାସଲ ପାଇଁ ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ନିଷ୍ପତ୍ତି କରିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ସେଖାୱତ୍‍ଙ୍କ ରାଜ୍ୟସଭାରେ ଦେଇଥିବା ବିବୃତି, ଓଡ଼ିଶାର ଚାଷୀକୁଳଙ୍କ ପ୍ରତି ଭାରତୀୟ ଜନତା ପାର୍ଟିର ଧୋକ୍କା ସାବ୍ୟସ୍ତ ହୋଇଛି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ସେଖାୱତ୍‍ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କେନ୍ଦ୍ର ସରକାରଙ୍କ କମିଶନ ଫର୍‍ ଏଗ୍ରିକଲ୍‍ଚାରାଲ କଷ୍ଟ୍‍ ଆଣ୍ଡ୍‍ ପ୍ରାଇସେସ୍‍ (ସିଏସିପି)ର ଆଧାରକୁ ନେଇ ଯେଉଁ ବକ୍ତବ୍ୟ ରଖିଛନ୍ତି, ତାହା ଓଡ଼ିଶାର ଚାଷୀକୁଳ ପ୍ରତି ପୁଣିଥରେ କେନ୍ଦ୍ର ଅବିଚାରର ନମୁନା । ୨୦୧୭- ୧୮ ବର୍ଷ ପାଇଁ ସିଏସିପି ଆଧାରରେ କେନ୍ଦ୍ର କୃଷି ମନ୍ତ୍ରାଳୟ ଧାନ ପାଇଁ କ୍ୱିଣ୍ଟାଲ ପିଛା ସର୍ବନିମ୍ନ ୧୫୫୦ ଟଙ୍କା ସହାୟକ ମୂଲ୍ୟ ନିର୍ଦ୍ଧାରଣ କରିଥିବାରୁ ଏହାକୁ ଆମେ ତୀବ୍ର ବିରୋଧ କରୁଛୁ । କେନ୍ଦ୍ର ସରକାରଙ୍କର ଏଭଳି ଓଡ଼ିଶା କୃଷକ ବିରୋଧୀ ନିଷ୍ପତ୍ତି ବିରୋଧରେ ଚଳିତମାସ ୮ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ୧୦ଦିନ ବ୍ୟାପୀ ସର୍ବାଧିକ ଧାନ ସଂଗ୍ରହକାରୀ ୧୨ଟି ଜିଲ୍ଲା ଯଥା, ବରଗଡ଼, ବଲାଙ୍ଗୀର, ବୌଦ୍ଧ, ଦେଓଗଡ଼, କଳାହାଣ୍ଡି, କୋରାପୁଟ, ମାଲାକାନଗିରି, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା, ସମ୍ବଲପୁର ଓ ସୋନପୁର ଜିଲ୍ଲାର ସମସ୍ତ ବ୍ଲକରେ ପର୍ଯ୍ୟାୟକ୍ରମେ
ବିକ୍ଷୋଭ ଧାରଣା କରାଯିବ । ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ମାନ୍ୟବର ରାଷ୍ଟ୍ରପତିଙ୍କ ଉଦେ୍ଧଶ୍ୟରେ ବିଜୁ ଜନତା ଦଳ ପକ୍ଷରୁ ସ୍ମାରକପତ୍ର ପ୍ରଦାନ କରାଯିବ । ଓଡ଼ିଶା ଚାଷୀକୁଳର ସ୍ୱାର୍ଥ-ସ୍ୱାଭିମାନ ପାଇଁ କେନ୍ଦ୍ର ସରକାର ତାଙ୍କର ଓଡ଼ିଶା କୃଷକ ବିରୋଧୀ ଆଭିମୁଖ୍ୟ ପରିବର୍ତ୍ତନ ନକଲେ ଏହି ଆନେ୍ଦାଳନକୁ ଆଗାମୀ ଦିନରେ ଆହୁରି ବ୍ୟାପକ କରାଯିବ ବୋଲି ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ସାଧାରଣ ସଂପାଦକ ସଂଜୟ କୁମାର ଦାସବର୍ମା, ମନ୍ତ୍ରୀ ଶଶୀଭୂଷଣ ବେହେରା, ସରକାରୀ ଉପ-ମୁଖ୍ୟ ସଚେତକ ରୋହିତ ପୂଜାରୀ ଘୋଷଣା କରିଛନ୍ତି ।

ଗଣମାଧ୍ୟମକୁ ସମ୍ବୋଧିତ କରି ଶ୍ରୀ ଦାସବର୍ମା କହିଥିଲେ ଯେ ରାଜ୍ୟରେ ମରୁଡ଼ି, ଚକଡା ପୋକ ଆକ୍ରମଣରେ ଓଡ଼ିଶା ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି । ଗତ ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ମରୁଡ଼ି ଯୋଗୁଁ ୧୫ ଜିଲ୍ଲା, ଚକଡ଼ା ପୋକ ଯୋଗୁଁ ୨୪ ଜିଲ୍ଲା, ନଭେମ୍ବର ମାସରେ ସଂଗଠିତ ଅଦିନିଆ ବର୍ଷାରେ ୧୯ଟି ଜିଲ୍ଲା କ୍ଷତିଗ୍ରସ୍ତ ହୋଇଛି । ଏନେଇ କେନ୍ଦ୍ର ସରକାରଙ୍କୁ ମରୁଡ଼ି ରିପୋର୍ଟ ବି ଆମେ ଦେଇଥିଲୁ । ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ କେନ୍ଦ୍ର କୃଷି ଓ କୃଷକ ମନ୍ତ୍ରାଳୟ ଏବଂ ଗୃହ ମନ୍ତ୍ରାଳୟକୁ କ୍ଷୟକ୍ଷତି ସମ୍ପର୍କରେ ଦୁଇଟି ଚିଠି ଦିଆଯାଇଥିଲା । ପରବର୍ତ୍ତୀ ସମୟରେ ଚକଡ଼ା ପୋକ ଆକ୍ରମଣର କ୍ଷୟକ୍ଷତି ଆକଳନ କରି ୧୭୨୯ କୋଟି ଟଙ୍କା କେନ୍ଦ୍ରୀୟ ସହାୟତା ପାଇଁ ସ୍ମାରକପତ୍ର ବି ଦିଆଯାଇଥିଲା । କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ୨୦୧୭ରେ କ୍ଷତିଗ୍ରସ୍ତ ଅଞ୍ଚଳ ଗସ୍ତ କରି ସହାୟତା ଦେବା ପାଇଁ ନିର୍ଭର ପ୍ରତିଶ୍ରୁତି
ଦେଲେ । ଅନ୍ୟପଟେ ଲୋକସଭାରେ ସର୍ବନିମ୍ନ ସହାୟକ ମୂଲ୍ୟକୁ ନେଇ ଯାହା କହିଲେ ଆପଣମାନେ ଜାଣିଛନ୍ତି ।

କେନ୍ଦ୍ରମନ୍ତ୍ରୀଙ୍କ ଏ ମନ୍ତବ୍ୟ ଓଡ଼ିଶା, ଓଡ଼ିଶା ବିଧାନସଭା ଏବଂ ଚାଷୀକୁଳଙ୍କୁ ଅବହେଳାର ନମୁନା । ପୁଣି ଆଉ ଗୋଟିଏ କଥା ମନ୍ତ୍ରୀଙ୍କ ମନ୍ତବ୍ୟ ଓ କୃଷି ଓ କୃଷକ ମନ୍ତ୍ରାଳୟର
ରାମେଶ୍ୱର ସିଂଙ୍କ ମନ୍ତବ୍ୟକୁ ଦେଖନ୍ତୁ ଜାଣିପାରିବେ ଏ ସରକାର ଓଡ଼ିଶାର ହିତ ପାଇଁ ଅଛି କି ନାହିଁ । ଦୁଇ ଦିନ ତଳେ କେନ୍ଦ୍ରମନ୍ତ୍ରୀ କିରଣ ରିଜଜୁ
୧୪ଟି ରାଜ୍ୟର କ୍ଷୟକ୍ଷତି ବାବଦରେ ତଥ୍ୟ ରଖିଥିବା ବେଳେ ଓଡ଼ିଶା ପାଇଁ ନିରବ ରହି ଦୋମୁହାଁ ନୀତିର ପରିଚୟ ଦେଲେ ।
ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା କହିଥିଲେ, କେନ୍ଦ୍ରମନ୍ତ୍ରୀ ଶେଖାୱତ୍‍ ହୁଅନ୍ତୁ ବା କିରଣ ରିଜଜୁ ଏମାନେ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିରେ
ପୂର୍ଣ୍ଣଛେଦ ପକାଇ ଓଡ଼ିଶା ଚାଷୀକୁଳ ତଥା ବାଧାନସଭାକୁ ଉପହାସ କରିଛନ୍ତି । ସର୍ବନିମ୍ନ ସହାୟକ ମୂଲ୍ୟ କେବଳ ବିଜେଡ଼ିର ଦାବି ନଥିଲା,
ଏହା ଓଡ଼ିଶାବାସୀଙ୍କ ଦାବି । ଏହା ନ ହୋଇଥିଲେ ଏ ପ୍ରସଙ୍ଗ ବିଧାନସଭାରେ ପାରିତ ହୋଇ ନଥାନ୍ତା । ବିଜେପି ନିର୍ବାଚନୀ ଇସ୍ତାହାରରେ କୃଷି
ଓ କୃଷକଙ୍କ କଲ୍ୟାଣ ପାଇଁ ବହୁତ କିଛି ଡିଣ୍ଡିମ ପିଟୁଛି ମାତ୍ର ପ୍ରକୃତ କାର୍ଯ୍ୟ କ୍ଷେତ୍ରରେ ଏହାର ଲେଶମାତ୍ର କାର୍ଯ୍ୟକାରୀ କରାଯାଉ ନାହିଁ । ବିଜେଡ଼ି
ଓଡ଼ିଶା ଲୋକଙ୍କ ସମସ୍ୟା ସହ ଯୋଡି ହେଉଥିବାବେଳେ ଭାରତୀୟ ଜନତା ପାର୍ଟି ଓଡ଼ିଶା କୃଷକ ବେକରେ ଫାସୀ ଦଉଡ଼ି ଲଗେଇଛି । ଓଡ଼ିଶା
ଅର୍ଥନୈତିକ ବ୍ୟବସ୍ଥାକୁ ଧୂଳିସାତ କରିବା ପାଇଁ ଏମାନେ ଚକ୍ରାନ୍ତ କରୁଛନ୍ତି । ଏମାନଙ୍କର ଏ ଚକ୍ରାନ୍ତକୁ ପଣ୍ଡ କରି ଦିଆଯିବ ।
ସରକାରୀ ଉପ-ମୁଖ୍ୟ ସଚେତକ ରୋହିତ ପୂଜାରୀ କହିଥିଲେ ଯେ ଚାଷୀଙ୍କ ପାଇଁ ବିଜେପି ପଶ୍ଚିମ ଓଡ଼ିଶାରେ ବିଭିନ୍ନ ବ୍ଲକରେ ଆନେ୍ଦାଳନ
କରୁଛି । ମାତ୍ର କାର୍ଯ୍ୟରେ ଠିକ୍‍ ଓଲଟା କରୁଛନ୍ତି । କେନ୍ଦ୍ର ମନ୍ତ୍ରୀମାନେ ଯାହା କହୁଛନ୍ତି ସେମାନଙ୍କ କଥାରେ ତାଳମେଳ ରହୁନାହିଁ । ପ୍ରଧାନମନ୍ତ୍ରୀ
ଏମଏସ୍‍ପି ବୃଦ୍ଧି ପ୍ରସଙ୍ଗରେ କହିଥିଲେ- ସ୍ୱାମୀ ନାଥନ ରିପୋର୍ଟ ଅନୁଯାୟୀ କାମ କରିବୁ । କୃଷକମାନଙ୍କ ସ୍ୱାର୍ଥ ରକ୍ଷା କରାଯିବ । ଏବେ ତାଙ୍କ
ମନ୍ତ୍ରୀମାନେ ବିଭ୍ରାନ୍ତିକର ମନ୍ତବ୍ୟ ଦେଉଛନ୍ତି । କେନ୍ଦ୍ରମନ୍ତ୍ରୀ ଶେଖାୱତ ୪୩୩ ଟଙ୍କା ପ୍ରଫିଟ୍‍ କୃଷକଙ୍କୁ ଦେଉଛନ୍ତି ବୋଲି କହୁଛନ୍ତି । ଏହି ୪୩୩
ଟଙ୍କା ସେ କେଉଁଠୁ ଆଣିଲେ, କେଉଁ ଆଧାରରେ ଏ କଥା କହିଲେ? ବିଜେଡ଼ି କେବେ ବି ଏ ପ୍ରସଙ୍ଗରୁ ଓହରିଯିବ ନାହିଁ । ଓଡ଼ିଶାର ହକ୍‍ ପାଇଁ,
କୃଷକଙ୍କ ହକ୍‍ ପାଇଁ ଲଢେଇ କରିବ । ପ୍ରତି ବ୍ଲକରେ ଆନେ୍ଦାଳନ ଜାରି ରହିବ । ଏହି ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା
ଏବଂ ଦଳର ମୁଖପାତ୍ର ଡ. ସସ୍ମିତ ପାତ୍ର ଉପସ୍ଥିତ ଥିଲେ ।

Share in top social networks!
Powered By Indic IME