ଚାଷ ପାଇଁ ନବଗଠିତ ତେଲେଙ୍ଗାନା ରାଜ୍ୟ ସରକାର ୨୪ ଘଂଟିଆ ବିଜୁଳି ସେବା ଯୋଜନା ଆରମ୍ଭ କଲେ ଦୀର୍ଘ ୧୮ ବର୍ଷର ବିଜେଡି ସରକାର କାହିଁକି କରୁନାହାନ୍ତି ? : ବିଜେପି

 ଚାଷ ଓ ଚାଷୀ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବ
 ବିହନ, କୀଟନାଶକ ଯୋଗାଣଠୁ ଆରମ୍ଭ କରି ଜଳସେଚନ ସୁବିଧା ଆଦି ସମସ୍ତ କ୍ଷେତ୍ରରେ ରାଜ୍ୟ ସରକାର ବିଫଳ
 ସ୍ୱର୍ଗତ ଖଇନୁ ବଗର୍ତୀ ଭଳି ବହୁ ଚାଷୀ ବିଜୁଳି ସମସ୍ୟା କାରଣରୁ ଆତ୍ମହତ୍ୟା କରିଛନ୍ତି
 ବିଭିନ୍ନ ସମୟରେ କଟାକ୍ଷ ଓ ଉପହାସ କରି ଶାସକ ବିଜେଡିର ନେତୃବୃନ୍ଦ ଏବଂ ରାଜ୍ୟ ସରକାରଙ୍କ ମନ୍ତ୍ରୀଗଣ ସମଗ୍ର ଚାଷୀକୁଳକୁ ଅପମାନିତ କରିଛନ୍ତି

ନୂତନ ଭାବେ ଗଠିତ ହୋଇଥିବା ମାତ୍ର ତିନି ବର୍ଷର ତେଲେଙ୍ଗାନା ରାଜ୍ୟ ସରକାର ଗତ କାଲି ରାଜ୍ୟରେ କୃଷି ପାଇଁ ୨୪ ଘଂଟିଆ ମାଗଣା ବିଜୁଳି ଯୋଗାଇ ଦେବାର ଘୋଷଣା କରି ତେଲେଙ୍ଗାନାବାସିଙ୍କୁ ନବବର୍ଷ ଭେଟି ଦେଇଛନ୍ତି । ଅନ୍ୟ ପଟେ ଦୀର୍ଘ ୧୮ବର୍ଷ ଧରି ଶାସନ କ୍ଷମତାରେ ଥିବା ଶାସକ ବିଜେଡି ଚାଷ ଓ ଚାଷୀଙ୍କୁ ଅଣଦେଖା କରି ଚାଲିଛି । ରାଜ୍ୟ ତଥା ରାଜ୍ୟର ଚାଷୀମାନଙ୍କ ବୃହତ ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟ ସରକାର କେବେ ସେମାନଙ୍କୁ ମାଗଣା ବିଜୁଳି ଯୋଗାଇ ଦେବେ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା ପ୍ରଶ୍ନ କରିଛନ୍ତି ।
ଶ୍ରୀ ଶର୍ମା କହିଛନ୍ତି ଯେ, ବିଶେଷ ଭାବରେ ଓଡିଶାର ଅର୍ଥନୀତି କୃଷି ଉପରେ ନିର୍ଭରଶୀଳ । ମାତ୍ର ରାଜ୍ୟରେ ଉଭୟ ଚାଷ ଓ ଚାଷୀ ଦୁର୍ଦିନ ଦେଇ ଗତି କରୁଛି । କୃଷି ପ୍ରସଙ୍ଗ ସମସ୍ୟାର ସମାଧାନ ପାଇଁ ଶାସକ ବିଜେଡିର କୈାଣସି ଆନ୍ତରିକତା ନାହିଁ । ଏପରିକି ଚାଷଜନିତ ସମସ୍ୟାର ସମାଧାନ ପାଇଁ କୈାଣସି ଇଚ୍ଛାଶକ୍ତି ନଥିବା କାରଣରୁ ଆଜି ରାଜ୍ୟର ଚାଷୀକୁଳ ନାହିଁ ନଥିବା ହଇରାଣ ହେବା ସହ ସର୍ବସ୍ୱାନ୍ତ ମଧ୍ୟ ହେଉଛନ୍ତି । ଚାଷୀକୁଳ ପ୍ରତି ଆଦୈା ଦରଦ ନଥିବା ଅପାରଗ ଶାସକ ବିଜେଡି ନିଜ ଦାୟୀତ୍ୱ ସଠିକ ଭାବେ ନିର୍ବାହ କରୁନଥିବା କାରଣରୁ ଚାଷ ଓ ଚାଷୀ ସମସ୍ୟା ଦିନକୁ ଦିନ ଆହୁରି ଜଟିଳ ହୋଇପଡୁଛି । ଦେଶର ଅନ୍ୟ ରାଜ୍ୟମାନଙ୍କରେ ଚାଷୀ ଓ ଚାଷ ପାଇଁ ବହୁ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ ହେଉଥିବାବେଳେ ଓଡିଶାରେ ଅପାରଗ ଓ ସ୍ଥାଣୁ ଶାସକ ବିଜେଡି କାରଣରୁ ଆମ ରାଜ୍ୟ ଆଜି ବହୁ ପଛରେ ରହିଯାଇଛି । ଚାଷ ପାଇଁ ଜରୁରୀ ବିହନ, କୀଟନାଶକ ଯୋଗାଣଠୁ ଆରମ୍ଭ କରି ଜଳସେଚନ ସୁବିଧା ଆଦି ସମସ୍ତ କ୍ଷେତ୍ରରେ ରାଜ୍ୟ ସରକାର ବିଫଳ ହୋଇଛି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା ଅଭିଯୋଗ କରିଛନ୍ତି ।
ଶ୍ରୀ ଶର୍ମା କହିଛନ୍ତି ଯେ, ବହୁ ଚର୍ଚ୍ଚିତ ବରଗଡ ଜିଲ୍ଲା ଚାଷୀ ସ୍ୱର୍ଗତ ଖଇନୁ ବଗର୍ତୀ ଧାର କରଜ କରି ନିଜ ଜମିରେ ଜଳସେଚନ ପାଇଁ ଉଠା ଜଳସେଚନ ପଏଂଟଟି ସ୍ଥାପନା କରିଥିଲେ । ମାତ୍ର ଏଥି ପାଇଁ ଆବଶ୍ୟକଥିବା ବିଜୁଳି ସଂଯୋଗ ନ ପାଇବା କାରଣରୁ ସେହି ଉଠା ଜଳସେଚନ ପଏଂଟଟି କାର୍ଯ୍ୟକ୍ଷମ ହୋଇପାରିନଥିଲା । ଅଧର୍ଯ୍ୟ ହୋଇ ଶେଷରେ ଋଣ ଭାରରେ ବୁଡି ରହିଥିବା ସ୍ୱର୍ଗତ ବଗର୍ତୀ ଆତ୍ମହତ୍ୟା ଭଳି କଠୋର ପଦକ୍ଷେପ ଗ୍ରହଣ କରିଥିଲେ । ଏହି ଘଟଣାର ଅନୁସନ୍ଧାନ କରିବାକୁ ଯାଇଥିବା ବିଧାନସଭା ଗୃହ କମିଟି ମଧ୍ୟ ଏହାକୁ ସ୍ୱୀକାର କରିଛନ୍ତି । ରାଜ୍ୟରେ ଏଭଳି ବହୁ ଘଟଣା ଘଟିବା ସତ୍ୱେ ସମ୍ବେଦନହୀନ ଶାସକ ବିଜେଡି କିମ୍ବା ରାଜ୍ୟ ସରକାରଙ୍କ ଚାଷୀଙ୍କ ପାଇଁ କୈାଣସି ଅନୁକଂପା କିମ୍ବା ଦରଦ ଉପୁଜି ନଥିଲା । ବରଂ ବିଭିନ୍ନ ସମୟରେ କଟାକ୍ଷ ଓ ଉପହାସ କରି ଶାସକ ବିଜେଡିର ନେତୃବୃନ୍ଦ ଏବଂ ରାଜ୍ୟ ସରକାରଙ୍କ ମନ୍ତ୍ରୀଗଣ ସମଗ୍ର ଚାଷୀକୁଳକୁ ଅପମାନିତ କରିବାକୁ ମଧ୍ୟ ପଛାଇନଥିଲେ ବୋଲି ଶ୍ରୀ ଶର୍ମା କ୍ଷୋଭ ପ୍ରକାଶ କରି କହିଛନ୍ତି ।

Share in top social networks!
Powered By Indic IME