ବିଜେପିର ଅଭିଯୋଗ, ବିଜେଡି ତିନି ତଲାକ୍‍ର ବିଲ୍‍କୁ ବିରୋଧ କରୁଛି, ଯାହା ବିଜେପିର ଅଜ୍ଞତା ଏବଂ ବାଚାଳାମୀର ପ୍ରତୀକ

ଆଜି ଲୋକସଭା ଅଧିବେଶନରେ ତିନି ତଲାକ ବିଲ୍‍ର ଆଲୋଚନା ପାଇଁ ଆଗତ ହୋଇଥିଲା ଏବଂ ଆଲୋଚନାରେ ଭାଗନେଇ ମାନ୍ୟବର ସାଂସଦ ଭର୍ତ୍ତୃହରି ମହତାବ ବିଜୁ ଜନତା ଦଳ ତରଫରୁ ମତ ରଖିଥିଲେ । ତାଙ୍କ ମତରେ ସେ କୌଣସି ଜାଗାରେ ତିନି ତଲାକ ବିଲ୍‍ ନଅଣାଯାଉ ଉଲ୍ଲେଖ କରିନଥିଲେ । ସେ କେବଳ ଏହି ବିଲ୍‍ର ସେକ୍ସନ୍‍-୩, ୪ ଏବଂ ୭ରେ କିଛି ସଂଶୋଧନ ଆଣିବା ପାଇଁ ପ୍ରସ୍ତାବ ଦେଇଥିଲେ । ଏହିବର୍ଷ ମାନ୍ୟବର ସୁପ୍ରିମକୋର୍ଟ ତିନି ତଲାକ୍‍ ଅଗଣତାନ୍ତ୍ରିକ ବୋଲି ଘୋଷଣା କରିଥିଲେ ଏବଂ ତା’ଉପରେ ରହିତାଦେଶ ଦେଇଥିଲେ । ମାନ୍ୟବର ସୁପ୍ରିମକୋର୍ଟଙ୍କର ଏହି ରାୟକୁ ବିଜେଡି ସ୍ୱାଗତ କରିଥିଲା ଏବଂ ଆଜି ମଧ୍ୟ ସେ ରାୟକୁ ବଳବତ୍ତର ରଖିବା ପାଇଁ ଯେଉଁ ତିନି ତଲାକ୍‍ର ବିଲ୍‍ଟି ଆଗତ ହୋଇଥିଲା,ସେହି ଭାବକୁ ସମର୍ଥନ କରିଥିଲା । କିନ୍ତୁ ସେହି ବିଲ୍‍ର ଉପରୋକ୍ତ ସେକ୍ସନକୁ ସଂଶୋଧନ କରିବା ପାଇଁ ପ୍ରସ୍ତାବ ଦେଇଥିଲା ବିଜେଡି ।

କିନ୍ତୁ ଦୁଃଖର ବିଷୟ, ରାଜ୍ୟ ବିଜେପି ଏହାକୁ ଏକ ରାଜନୈତିକ ମୋଡ଼ ଏବଂ ଏହି ଭାବକୁ କଦର୍ଥ କରିବାକୁ ଚେଷ୍ଟା କରୁଛି । ବିଜେପିର ଅଭିଯୋଗ, ବିଜେଡି ତିନି ତଲାକ୍‍ର ବିଲ୍‍କୁ ବିରୋଧ କରୁଛି, ଯାହା ବିଜେପିର ଅଜ୍ଞତା ଏବଂ ବାଚାଳାମୀର ପ୍ରତୀକ । ନବୁଝି, ନଶୁଣି, ନଜାଣି ବିଜେପି ବିଜେଡି ଉପରେ ଅଭିଯୋଗ ଆଣିବାଟା ନିଜ ମନର ସାମ୍ପ୍ରଦାୟିକତା ଓ ଜାତିଆଣତାକୁ ପରିପ୍ରକାଶ କରୁଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏବଂ ବିଜେଡି ସବୁବେଳେ ନାରୀ ସଶକ୍ତିକରଣ ଏବଂ ନାରୀ ସମ୍ମାନକୁ ଅଗ୍ରାଧିକାର ଦେଇଆସିଛି । ମା’କୁ ସମ୍ମାନର ଚିନ୍ତାଧାରା ରଖୁଥିବା ବିଜେଡି ସବୁବେଳେ ନାରୀମାନଙ୍କୁ ସୁରକ୍ଷା, ବିକାଶ ଓ ପ୍ରଗତି
କ୍ଷେତ୍ରରେ ସମର୍ଥନ ଜଣାଇଆସିଛି ଏବଂ ସେହି କ୍ରମରେ ମଧ୍ୟ ତିନି ତଲାକ୍‍ର ଯେଉଁ ଭାବ ମାନ୍ୟବର ସୁପ୍ରିମକୋର୍ଟ ତାଙ୍କ ରାୟରେ
ଶୁଣାଇଥିଲେ, ତାକୁ ବିଗତ ଦିନରେ ସ୍ୱାଗତ କରିଥିଲୁ ଏବଂ ଆଜି ମଧ୍ୟ ସେହି ଭାବକୁ ସମର୍ଥନ ଜଣାଉଛୁ ।

ବିଜେପି ଏ ପ୍ରକାର ମିଥ୍ୟା ଅପପ୍ରଚାରରୁ କ୍ଷାନ୍ତ ରହୁ । ମହିଳାଙ୍କ ଏହି ପ୍ରସଂଗକୁ ନେଇ ରାଜନୀତି କରିବାକୁ ଚେଷ୍ଟା କରୁଥିବା ବିଜେପିକୁ ରାଜ୍ୟର ମହିଳା ଠିକଣା
ଜାଗାରେ ଉଚିତ୍‍ ଜବାବ ଦେବେ ବୋଲି ବିଜୁ ଜନତା ଦଳର ମୁଖପାତ୍ର ଡ. ସସ୍ମିତ ପାତ୍ର ଏକ ପ୍ରେସ୍‍ ବିବୃତିରେ କହିଛନ୍ତି ।

Share in top social networks!