ଦୋ-ମୁହାଁ ନୀତିରେ ବିଶ୍ୱାସ କରେ ବିଜେପି

ବିଧାନସଭା ଗୃହ ଭିତରେ ଗୋଟିଏ କଥା, ବାହାରେ ଅନ୍ୟ କଥା

ଭୁବନେଶ୍ୱର: ବିଜେପି ଦୋ-ମୁହାଁ ନୀତିରେ ବିଶ୍ୱାସ କରେ, ଯାହା ଆଜି ବସନ୍ତ ପଣ୍ଡାଙ୍କ
କଥାରୁ ସ୍ପଷ୍ଟ ହୋଇଛି । ବିଧାନସଭା ଗୃହ ଭିତରେ ବିଜେପି ବିଧାୟକ ଦଳ ନେତା ଯାହା କହନ୍ତି, ବାହାରେ ତାଙ୍କ ଦଳର
ରାଜ୍ୟ ସଭାପତି ଠିକ୍‍ ତାହାର ଓଲଟା କଥା କହନ୍ତି । ବିଧାନସଭାର ଶୀତକାଳୀନ ଅଧିବେଶନ ନିର୍ଦ୍ଧାରିତ ସମୟ ପୂର୍ବରୁ
ମୁଲତବୀ ରହିବା ଉପରେ ବିଜେପି ଦେଇଥିବା ମତ ଦୋ-ମୁହାଁ ନୀତିକୁ ବେଶ୍‍ ପ୍ରମାଣିତ କରୁଛି ।
ଡିସେମ୍ବର ୨୮ ପର୍ଯ୍ୟନ୍ତ ଅଧିବେଶନ ଚାଲିବ ବୋଲି ପୂର୍ବରୁ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଥିଲେ ହେଁ କୌଣସି ସରକାରୀ
ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟକ୍ରମ ନଥିବାରୁ ବାଚସ୍ପତି ଗୃହକୁ ଅନିର୍ଦ୍ଧିଷ୍ଟକାଳ ମୁଲତବୀ ରଖିଥିଲେ । ଏହା ପୂର୍ବରୁ ବିରୋଧୀ
ଦଳ ନେତା ନରସିଂହ ମିଶ୍ର ଏବଂ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ଉଭୟ ମହାନଦୀ ପ୍ରସଂଗ
ନେଇ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ସର୍ବଦଳୀୟ ଗୃହ କମିଟି ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ନେଇଥିବା ନିଷ୍ପତ୍ତି ଲାଗି ତାଙ୍କୁ
ଧନ୍ୟବାଦ ଜଣାଇଥିଲେ । ଅଥଚ, ଆଶ୍ଚର୍ଯ୍ୟଜନକ ଭାବେ ଗୃହ ମୁଲତବୀ ହେବାର ମାତ୍ର ୨୪ ଘଣ୍ଟା ନପୁରୁଣୁ ବିଜେପି
ରାଜ୍ୟ ସଭାପତି ହଠାତ୍‍ ମୁହଁ ବୁଲାଇ ଦେଇ କହିଲେ, ନିର୍ଦ୍ଧାରିତ ସମୟ ପୂର୍ବରୁ ବିଧାନସଭା ଅଧିବେଶନ ମୁଲତବୀ ରହିବା
ପ୍ରସଂଗକୁ ନେଇ ତାଙ୍କ ଦଳ ରାଜରାସ୍ତାକୁ ଓହ୍ଲାଇବ । ବିଜେପି ସଭାପତି ସେ ସମୟରେ ବିଧାନସଭାରେ ଚାହିଁଥିଲେ
ପ୍ରତିକ୍ରିୟା ପ୍ରକାଶ କରିପାରିଥାନ୍ତେ । ସେକଥା ନକରି ବାହାରେ ଏଭଳି କହିବା ବିଜେପି ରାଜ୍ୟ ସଭାପତିଙ୍କ ହୀନ ରାଜନୀତିର
ପରିଚାୟକ ବୋଲି ବିଜୁ ଜନତା ଦଳ ସଂପାଦକ ବିଜୟ ନାୟକ ଏକ ପ୍ରେସ୍‍ ଇସ୍ତାହାରରେ ଜଣାଇଛନ୍ତି ।

Share in top social networks!