ଖୋର୍ଦ୍ଧା ଜିଲାରେ ୨୩୩୪ ଏଡସ୍ ରୋଗୀ

ଖୋର୍ଦ୍ଧା ଜିଲ୍ଲାରେ ପ୍ରଭାବ ବିସ୍ତାର କରୁଛି ଏଡସ୍ । ଏଡସ୍ ସଚେତନତା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ଏହା ବିଶେଷ ଫଳପ୍ରଦ ହୋଇପାରୁନାହିଁ । ଉପଯୁକ୍ତ ସଚେତନତାର ଅଭାବ ହିଁ ଏଡସ୍ ସଂକ୍ରମଣ ବୃଦ୍ଧିର କାରଣ ବୋଲି କୁହାଯାଉଛି । ଗତ ୧୦ମାସ ମଧ୍ୟରେ ଜିଲ୍ଲରେ ୮ଜଣ ଏଡସ୍ରେ ମୃତୁ୍ୟବରଣ କରିଥିବା ବେଳେ ୨୨୯ଜଣ ଆକ୍ରାନ୍ତ ହୋଇଛନ୍ତି । ୨୦୦୨ରୁ ଇତି ମଧ୍ୟରେ ଏହି ରୋଗରେ ୧୮୨ଜଣ ମୃତୁ୍ୟବରଣ କଲେଣି । ଜିଲ୍ଲାରେ ଏବେ ୨୩୩୪ଜଣ ଏଡସ୍ ସଂକ୍ରମିତ ରହିଛନ୍ତି । ତେବେ ଡିସେମ୍ବର ୧ତାରିଖରୁ ବିଶ୍ୱ ଏଡସ୍ ଦିବସ ରୂପେ ପାଳନ କରାଯାଉଥିବା ବେଳେ ଏହି ଜିଲ୍ଲାରେ ସତେ ଯେମିତି ଏଡସ୍ ସଚେତନତା ଓ ନିରାକରଣ ପ୍ରହସନରେ ପରିଣତ ହୋଇଛି । ଏଡସ୍ରୋଗର ସଚେତନତା ଓ ନିୟନ୍ତ୍ରଣ ଲାଗି ରାଜ୍ୟରେ କାର୍ଯ୍ୟ କରୁଛି ଏଡସ୍ ନିୟନ୍ତ୍ରଣ ସମିତି । ଏହା ଜରିଆରେ ଖୋର୍ଦ୍ଧା ଜିଲ୍ଲାରେ କାର୍ଯ୍ୟ କରୁଛି ଜିଲ୍ଲା ଏଡସ୍ ନିରାକାରଣ ଓ ନିୟନ୍ତ୍ରଣ କେନ୍ଦ୍ର । ଜିଲ୍ଲାର ୨୪ଟି ସ୍ଥାନରେ ସମନ୍ୱିତ ପରାମର୍ଶ ଓ ପରିକ୍ଷା କେନ୍ଦ୍ର (ଆଇସିଟିସି) ରହିଛି । ପ୍ରତି କେନ୍ଦ୍ରରେ ଲାବ୍ରୋଟୋରୀ ଟେକ୍ନିସିଆନ ଓ ରୋଗୀଙ୍କୁ ପରାମର୍ଶ ଦେବା ଲାଗି କାଉନସିଲରଙ୍କୁ ନିଯୁକ୍ତି କରାଯାଇଛି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତଥ୍ୟ ଅନୁଯାୟୀ ଚଳିତ ବର୍ଷ ୨୦୧୭ ଅକ୍ଟୋବର ସୁଦ୍ଧା ଜିଲ୍ଲରେ ୮ଜଣ ମୃତୁ୍ୟବରଣ କରିଛନ୍ତି । ଜିଲ୍ଲାରେ ୫ଲକ୍ଷ ୯୯ହଜାର ୨୯୬ଜଣଙ୍କୁ କାଉସିଲିଂ କରାଯାଇଛି । ସେଥି ମଧ୍ୟରୁ ୩ଲକ୍ଷ ୨୬ହଜାର ଜଣଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିଲା । ଜିଲ୍ଲାରେ ବର୍ତମାନ ୨୩୩୪ଜଣ ଏଚଆଇଭି ସଂକ୍ରମିତ ବ୍ୟକ୍ତି ଥିବାର ଜଣାଯାଇଛି । ଏହା ମଧ୍ୟରୁ ୧୪୫୬ଜଣ ପୁରୁଷ ଓ ୭୧୭ଜଣ ମହିଳା ରହିଥିବା ବେଳେ ୫୬ଜଣ କିନ୍ନର ରହିଛନ୍ତି । ସମୁଦାୟ ଏଡସ୍ ସଂକ୍ରାମିତ ମଧ୍ୟରୁ ୦ରୁ ୧୪ବର୍ଷ ମଧ୍ୟରେ ୧୦୪ଜଣ, ୨୫ବର୍ଷରୁ ୩୪ବର୍ଷ ମଧ୍ୟରେ ୮୨୦ଜଣ ରହିଛନ୍ତି । ୩୫ରୁ ୪୯ବର୍ଷ ମଧ୍ୟରେ ୭୯୦ଜଣ ରହିଥିବା ବେଳେ ୫୦ରୁ ଉଦ୍ଧ୍ୱର୍ ୧୨୦ଜଣ ରହିଛନ୍ତି । ଏଡସ୍ ସଂକ୍ରମିତଙ୍କ ମଧ୍ୟରୁ ୧୨୮୦ଜଣଙ୍କୁ ନିୟମିତ ଔଷଧ ଖାଇବା ପାଇଁ ପରାମର୍ଶ ଦିଆଯାଇଛି । ଅନ୍ୟପକ୍ଷରେ ଚଳିତ ବର୍ଷ ଜାନୁୟାରୀ ଠାରୁ ଅକ୍ଟୋବର ମଧ୍ୟରେ ୮୭ହଜାର ୨୫ଜଣ କାଉସେଲିଂ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟ ୪୬ହଜାର ୭୫ଜଣଙ୍କୁ ରକ୍ତ ନମୁନା ପରୀକ୍ଷା କରାଯାଇଥିଲା । ଏମାନଙ୍କ ମଧ୍ୟରୁ ୨୨୯ଜଣ ଏଚ୍ଆଇଭି ସଂକ୍ରମିତ ବୋଲି ଦର୍ଶାଯାଇଛି । ଏଡସ୍ ପ୍ରଭାବିତ ଗଞ୍ଜାମ ଜିଲ୍ଲା ସୀମାକୁ ଲାଗି ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ଓ ବାଣପୁର ବ୍ଲକ ଇଲାକା ରହିଛି । ବାଲୁଗାଁ, ବାଣପୁର ବ୍ଲକ ଅତ୍ୟଧିକ ଏଡସ୍ ପ୍ରବଣ ବୋଲି କୁହାଯାଉଛି । ଗତ ୧୨ବର୍ଷ ମଧ୍ୟରେ ଏହି ଦୁଇଟି ବ୍ଲକରୁ ୧୯୩ଜଣ ଏଡସ୍ରୋଗୀଙ୍କୁ ଚିହ୍ନଟ କରାଯାଇଛି । ଏ ସମ୍ପର୍କରେ ଜିଲ୍ଲା ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡ. ମକରନ୍ଦ ବେଉରା କୁହନ୍ତି ଏଡସ୍ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଉଛି । ପୂର୍ବ ଅପେକ୍ଷା ଲୋକମାନେ ଅଧିକ ସଚେତନ ହେଲେଣି । ଧିରେ ଧିରେ ଏହି ରୋଗୀଙ୍କ ସଂଖ୍ୟା କମିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ।

Share in top social networks!