ଏସସିବି, କ୍ୟାପିଟାଲ ହସ୍‍ପିଟାଲରେ ଏଇଆରବି ଚଢଉ

diagnostic x-ray machine seal (1) ଆଣବିକ ଶକ୍ତି ନିୟନ୍ତ୍ରଣ ବୋର୍ଡ (ଏଇଆରବି) ପକ୍ଷରୁ ଟ୍ୱିନ୍‍ସିଟିରେ ଥିବା ସରକାରୀ ଓ ବେସରକାରୀ ହସ୍‍ପିଟାଲ ସମେତ କେତେକ ପାଥୋ ଲ୍ୟାବ୍‍ ଉପରେ ସୋମବାର ଓ ମଙ୍ଗଳବାର ଦୁଇଦିନ ଧରି ଚଢଉ କରାଯାଇଛି । ଗତକାଲି ଭୁବନେଶ୍ୱରର ବିବେକାନନ୍ଦ ଓ ନୀଳାଚଳ ହସ୍‍ପିଟାଲରେ ଏବଂ ନିଦାନ ପାଥୋଲାବ ଉପରେ ଚଢଉ କରାଯାଇଥିଲା । ବିବେକାନନ୍ଦ ଓ ନୀଳାଚଳ ହସ୍‍ପିଟାଲରେ ଏକ୍ସ-ରେ ପାଇଁ ଲାଇସେନ୍ସ ଥିଲା ବେଳେ ନିଦାନ ହସ୍‍ପିଟାଲର ମୋମୋଗ୍ରାଫି ଏବଂ ଓପିଜି ଯନ୍ତ୍ରକୁ ସିଲ୍‍ କରାଯାଇଥିଲା । ଏତଦ୍‍ବ୍ୟତୀତ ସିଟି ସ୍କାନ, ଏକ୍ସ-ରେ ମେସିନକୁ ସିଲ୍‍ କରିଦିଆଯାଇଛି । ମୁମ୍ବାଇରୁ ଆସିଥିବା ଏଇଆରବି ଟିମର ମୁଖ୍ୟ ଅଛନ୍ତି ବରିÂ ବୈଜ୍ଞାନିକ ଆରତୀ କୁଲକର୍ଣ୍ଣି ଏବଂ ତାଙ୍କୁ ସହାୟତା କରୁଛନ୍ତି ରାଜୀବଲୋଚନ ଶା ଏବଂ ଅନର୍ବାଣ ଜୈନ ।
ମଙ୍ଗଳବାର ସକାଳୁ ପ୍ରଥମେ ଭୁବନେଶ୍ୱର ୟୁନିଟ-୬ରେ ଥିବା କ୍ୟାପିଟାଲ ହସପିଟାଲ ଉପରେ ଚଢଉ କରାଯାଇଥିଲା । ଏଠାରେ ବିଭିନ୍ନ ବିଭାଗରେ ଥିବା ମେସିନ ଯାଞ୍ଚ କରିବା ପରେ ଗୋଟିଏ ଭ୍ରାମ୍ୟମାଣ ଏକ୍ସ-ରେ (ସି ଆର୍ମ) ମେସିନ, ଦୁଇଟି ରେଡିଓଗ୍ରାଫି ମେସିନ, ଗୋଟିଏ ଡେଣ୍ଟାଲ ଏକ୍ସ-ରେ ମେସିନ, ଓ ଗୋଟିଏ ମୋମୋଗ୍ରାଫି ମେସିନକୁ ସିଲ୍‍ କରି ଦିଆଯାଇଛି । ଏହାବ୍ୟତୀତ ଗୋଟିଏ ସିଟି ସ୍କାନ, କ୍ୟାଥ ଲ୍ୟାବ୍‍, ଏକ୍ସ-ରେ ମେସିନ ତୁରନ୍ତ ବଦଳାଇବା ଲାଗି ଚେତାବନୀ ଦିଆଯାଇଛି ।
ଏହାପରେ ଏହି ଟିମ କଟକ ଏସସିବି ମେଡିକାଲ କଲେଜ ଓ ହସ୍‍ପିଟାଲ ସମେତ ଘରୋଇ ପାଥୋଲ୍ୟାବ ଉପରେ ଚଢଉ କରାଯାଇଥିଲା । ଏସସିବି ମେଡିକାଲ କଲେଜର ଡେଣ୍ଟାଲ ବିଭାଗର ୬ଟି ଲ୍ୟାବ, ଦୁଇଟି ଏକ୍ସ-ରେ ଓ ଗୋଟିଏ ମୋମୋଗ୍ରାଫି ମେସିନକୁ ସିଲ୍‍ କରାଯାଇଛି । ଏହାଛଡା ଦୁଇଟି ଡେଣ୍ଟାଲ ଲ୍ୟାବ, ଦୁଇଟି ଏକ୍ସ-ରେ ଓ ଗୋଟିଏ କ୍ୟାଥୋଲ୍ୟାବକୁ ଚେତାବନୀ ଦିଆଯାଇଛି । ସେହିପରି ବିଭିନ୍ନ ପାଥୋଲ୍ୟାବର ଦୁଇଟି ଏକ୍ସ-ରେ ମେସିନ ସିଲ କରାଯାଇଥିଲା ବେଳେ ୪ଟି ଏକ୍ସ-ରେ ଓ ଗୋଟିଏ ସିଟି ସ୍କାନ ମେସିନ ପରିବର୍ତ୍ତନ ପାଇଁ ଚେତାବନୀ ଦିଆଯାଇଛି । ସୂଚନାଯୋଗ୍ୟ ଯେ ସରକାରୀ ତଥା ବେସରକାରୀ ହସ୍‍ପିଟାଲରେ ରେଡିଓଲୋଜି ସମ୍ପର୍କିତ ମେସିନ ବ୍ୟବହାର କରିବା ଲାଗି ଏହି ସଂସ୍ଥାରୁ ଅନୁମତି ଆଣିବାକୁ ପଡିଥାଏ । ଏହି ମେସିନ ସବୁ ବ୍ୟବହାର କରିବା ସମୟରେ ସେଥିରୁ ବିକିରଣ ହେଉଥିବା ରଞ୍ଜନରଶ୍ମି ଦ୍ୱାରା ଉଭୟ ରୋଗୀ ଓ କର୍ମଚାରୀମାନେ ଆକ୍ରାନ୍ତ ହୋଇଥାନ୍ତି । ଉପରୋକ୍ତ ଯନ୍ତ୍ରାଂଶ ସ୍ଥାପନ କରିବା ପୂର୍ବରୁ ଏଇଆରବି ପକ୍ଷରୁ ଜାରି ଗାଇଡ୍‍ ଲାଇନ ପାଳନ କରିବା ସହ ଅନୁମତି ଆଣିବା ବାଧ୍ୟତାମୂଳକ ଅଟେ । ମାତ୍ର ଏହାକୁ ଅଧିକାଂଶ ହସ୍‍ପିଟାଲ କର୍ତ୍ତୃପକ୍ଷ ପାଳନ କରୁ ନାହାନ୍ତି ବୋଲି ରାଜୀବ ଲୋଚନ ଶା କହିଛନ୍ତି । ଏଇଆରବି ମୁଖ୍ୟତଃ ରୋଗୀ ସୁରକ୍ଷା, ପରିବେଶ ସୁରକ୍ଷା ଏବଂ ହସ୍‍ପିଟାଲକୁ ଆସୁଥିବା ରୋଗୀ ଓ କର୍ମଚାରୀଙ୍କ ନିରାପତ୍ତାକୁ ଗୁରୁତ୍ୱ ଦେଇଥାଏ ।

Share in top social networks!
Powered By Indic IME