ରାଜଧାନୀରେ ବିପର୍ଯ୍ୟସ୍ତ ଟ୍ରାଫିକ ଖତ ଖାଉଛି ସ୍ପିଡ୍‍ ଲେଜର ଗନ ଓ ଆଲକୋହଲ ବ୍ରିଥ ଆନାଲାଇଜର

images
କଟକ-ଭୁବନେଶ୍ୱର ସହରରେ କମିଶନରେଟ ପୁଲିସ ବ୍ୟବସ୍ଥା ଆରମ୍ଭ ହେବାର ଇତିମଧ୍ୟରେ ୧୦ବର୍ଷରେ ପଦାର୍ପଣ କରିବାକୁ ଯାଉଛି । ୧୦ବର୍ଷ ମଧ୍ୟରେ କମିଶନରେଟ ପୁଲିସିଂ ବ୍ୟବସ୍ଥାରେ ଅନେକ ଉନ୍ନତି ଘଟିଛି । ବିଶେଷ କରି ଆଇନ ଶୃଙ୍ଖଳା ପରିସ୍ଥିତି, ଅପରାଧ ନିୟନ୍ତ୍ରଣ, ଟ୍ରାଫିକ୍‍ ନିୟନ୍ତ୍ରଣ ସାଙ୍ଗକୁ ସାଧାରଣ ଜନତାଙ୍କ ନିକଟତର ହୋଇପାରିଛି କମିଶନରେଟ ପୁଲିସ । ତେବେ କମିଶନରେଟ ପୁଲିସ ଯେଉଁ କାର୍ଯ୍ୟ ପାଇଁ ଦିନେ ପ୍ରଶଂସିତ ହେଉଥିଲା ସେହି ବ୍ୟବସ୍ଥା ଆଉ ପୂର୍ବପରି ନାହିଁ ।
ଦିନଥିଲା ଟ୍ରାଫିକ ନିୟନ୍ତ୍ରଣ ଲାଗି କମିଶନରେଟ ପୁଲିସ ଦେଶବ୍ୟାପୀ ପ୍ରଶଂସାଭାଜନ ହେବା ସହ ବାହାର ରାଜ୍ୟର ପୁଲିସ ଅଧିକାରୀମାନେ ଏଠାକାର ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥାର ଅନୁଧ୍ୟାନ କରିବା ସହ ଏ ସମ୍ପର୍କରେ ପ୍ରଶିକ୍ଷଣ ମଧ୍ୟ ନେଉଥିଲେ । ମାତ୍ର ପୂର୍ବଭଳି କଟକ ଭୁବନେଶ୍ୱରରେ ଆଉ ଯେପରି ଟ୍ରାଫିକ ନିୟନ୍ତ୍ରଣ ଓ ନିୟମିତ ଯାଞ୍ଚ ହେଉନାହିଁ । ଦ୍ରୁତଗତିରେ ଯାନବାହାନ ଚଳାଚଳ, ଉଚ୍ଚ ଶବ୍ଦ ପ୍ରଦୂଷଣ, ନିଶାସକ୍ତ ଅବସ୍ଥାରେ ଗାଡି ଚାଳନାକୁ ରୋକିବା ଲାଗି ଟ୍ରାଫିକ୍‍ ପୁଲିସ ପକ୍ଷରୁ ନିୟମିତ ଯାଞ୍ଚ ହେଉଥିଲା । ଜାତୀୟ ରାଜପଥ ସମେତ ସହରର ବିଭିନ୍ନ ପ୍ରମୁଖ ରାସ୍ତାରେ ନିର୍ଦ୍ଧାରିତ ଗତିଠାରୁ ଜୋରରେ ଗାଡିଚାଳନା ଯାଞ୍ଚ କରିବା ଲାଗି କମିଶନରେଟ ପୁଲିସ ପକ୍ଷରୁ ସ୍ପିଡ ଲେଜର ଗନ ବା ଇଣ୍ଟରସେପ୍ଟର ଅଣାଯାଇଥିଲା । ୨୦୧୦ ମସିହାରେ ପ୍ରାୟ ୧୯ଲକ୍ଷ ଟଙ୍କା ବ୍ୟୟରେ ଦୁଇଟି ସ୍ପିଡ ଲେଜର ଗନ କ୍ରୟ କରାଯାଇଥିଲା । ଏଥିମଧ୍ୟରୁ ଗୋଟିଏ ଫୁଲନଖରା ଟ୍ରାଫିକ ପୁଲିସକୁ ଓ ଅନ୍ୟ ଗୋଟିଏ ଏଜି ଛକସ୍ଥିତ ଟ୍ରାଫିକ ପୁଲିସକୁ ଦିଆଯାଇଥିଲା । ଲେଜର ଗନ ସହିତ ଗୋଟିଏ ଲ୍ୟାପଟପ୍‍, ପ୍ରିଣ୍ଟର ଓ ବ୍ୟାଟେରୀ ରହୁଥିଲା । ନିର୍ଦ୍ଧାରିତ ବେଗଠାରୁ ଅଧିକ ଜୋରରେ ଆସୁଥିବା ଯାନବାହନକୁ ୩୦୦ ମିଟର ଦୂରରୁ ଠାବ କରିବା ଲେଜର ଗନରୁ ମୁଖ୍ୟ କାର୍ଯ୍ୟ ଥିଲା । ଏଥିପାଇଁ ସ୍ୱତନ୍ତ୍ର ଭାବେ କିଛି ପୁଲିସ କର୍ମଚାରୀଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । ଏହାର ବ୍ୟବହାର ଦ୍ୱାରା ଅନେକାଂଶରେ ବେପରୁଆ ଗାଡିଚାଳନାକୁ ରୋକାଯାଇ ପାରିଥିଲା । ମାତ୍ର ଏବେ ରାସ୍ତା ଉପରେ ଆଉ ଲେଜର ଗନର ବ୍ୟବହାର ଦେଖିବାକୁ ମିଳୁନାହିଁ । କେତେବେଳେ କେମିତି ଫୁଲନଖରା ଟ୍ରାଫିକ୍‍ ପୁଲିସ ପକ୍ଷରୁ ଜାତୀୟ ରାଜପଥରେ ଏହି ମେସିନର ବ୍ୟବହାର ଦେଖିବାକୁ ମିଳୁଛି । ମାତ୍ର ଏଜି ଛକ ଟ୍ରାଫିକ୍‍ ଥାନାରେ ଥିବା ଲେଜର ଗନ ବ୍ୟବହୃତ ନ ହୋଇ ଅଚଳ ହୋଇ ପଡିରହିଛି । ଏହାର ଲ୍ୟାପଟପ୍‍, ପ୍ରିଣ୍ଟର କାମ କରୁ ନ ଥିବା ବେଳେ ୟୁପିଏସ ମଧ୍ୟ ଅଚଳ ହୋଇ ପଡିରହିଛି । ତକ୍ରାଳୀନ ଟ୍ରାଫିକ୍‍ ଏସିପି ନିର୍ମଳ ଶତପଥୀଙ୍କ ସମୟରେ ଏହି ମେସିନର ବହୁଳ ବ୍ୟବହାର କରାଯାଉଥିଲା ବେଳେ ୨୦୧୩ ପରଠାରୁ ଏହାର ବ୍ୟବହାର ନ ହୋଇ ପଡି ରହି ଲେଜର ଗନ ଅଚଳ ହୋଇ ପଡିରହିଛି । ସେହିପରି ବିଳମ୍ବିତ ରାତିରେ ନିଶାସକ୍ତ ଭାବେ ଗାଡି ଚାଳନା କରୁଥିବା ଚାଳକଙ୍କ ଉପରେ ରୋକ୍‍ ଲଗାଇବା ଲାଗି ଆରମ୍ଭ ହୋଇଥିଲା ଆଲକ୍‍ହୋଲ ବ୍ରେଥ ଆନାଲାଇଜର । ପ୍ରାୟ ୨୫ଟି ବ୍ରେଥ ଆନାଲାଇଜର ମେସିନ ଟ୍ରାଫିକ୍‍ ପୁଲିସ ସମେତ ବିଭିନ୍ନ ଥାନାକୁ ଦିଆଯାଇଥିଲା । ରାତି ପ୍ରାୟ ୧୦ଟା ପରେ ପୁଲିସ ସହରର ବିଭିନ୍ନ ସ୍ଥାନରେ ଯାଞ୍ଚ କରି ନିଶାସକ୍ତ ଗାଡିଚାଳକଙ୍କୁ ଧରି ଜୋରିମାନା କରୁଥିଲେ । ମାତ୍ର ଏବେ ଏସବୁ କ୍ୱଚିତ୍‍ ଦେଖିବାକୁ ମିଳୁଛି ।
ରାଜଧାନୀ ଭୁବନେଶ୍ୱର ଓ କଟକରେ ଶବ୍ଦ ପ୍ରଦୂଷଣ ରୋକିବା ଲାଗି ସାଉଣ୍ଡ ଲେବଲ ମିଟର ପ୍ରଚଳନ କରାଯାଇଥିଲା । ବିଶେଷ କରି ବାହାଘର ଓ ଅନ୍ୟାନ୍ୟ ଶୋଭାଯାତ୍ରାରେ ବ୍ୟାଣ୍ଡ ପାର୍ଟି, ଡିଜେ ମୁ୍ୟଜିକ, ପୂଜା ମଣ୍ଡପ ଆଦିରେ ଶବ୍ଦ ପ୍ରଦୂଷଣ ରୋକିବା ଲାଗି ପ୍ରାୟ ୨୦ଟି ସାଉଣ୍ଡ ଲେବଲ ମିଟର କିଣାଯାଇଥିଲା । ଏହାକୁ ଚଳାଇବା ଲାଗି ପ୍ରାୟ ୭୦ଜଣ ଏଏସଆଇ ଓ ଏସଆଇଙ୍କୁ ତାଲିମ ଦିଆଯାଇଥିଲା । ଏଥିସହ ସମସ୍ତ ବ୍ୟାଣ୍ଡ ଓ ଡିଜେ ପାର୍ଟିଙ୍କୁ ସାଉଣ୍ଡ ଲିମିଟ୍‍ ମିଟର ଲଗାଇବାକୁ ବାଧ୍ୟତାମୂଳକ କରାଯିବା ସହ ସାଉଣ୍ଡ ଲିମିଟ୍‍ ମିଟର ନ ଲଗାଇଲେ ଲାଇସେନ୍ସ ପ୍ରଦାନ କରାଯାଉ ନ ଥିଲା । ମାତ୍ର ଏହି ନିୟମ ଦୁଇ ତିନିବର୍ଷ କାର୍ଯ୍ୟକାରୀ କରିବା ପରେ ଏବେ ଏକପ୍ରକାର ବନ୍ଦ ହୋଇଯାଇଛି । ଅନେକ ଡିଜେ ପାର୍ଟି ମାଲିକ ସାଉଣ୍ଡ ଲିମିଟ୍‍ ମିଟରକୁ ଟ୍ୟାମ୍ପରିଂ କରି ଉଚ୍ଚ ଶବ୍ଦରେ ମୁ୍ୟଜିକ୍‍ ବଜାଉଥିଲେ ମଧ୍ୟ ଏ ଦିଗରେ କୌଣସି କାର୍ଯ୍ୟାନୁÂାନ ଗ୍ରହଣ କରାଯାଉ ନାହିଁ ।

Share in top social networks!