ପଞ୍ଚଦଶ ଅର୍ଥ ଆୟୋଗ ଗଠନ ପ୍ରସ୍ତାବକୁ କେନ୍ଦ୍ରର ମଞ୍ଜୁରି

ଖୁବ ଶୀଘ୍ର ପଞ୍ଚଦଶ ଅର୍ଥ ଆୟୋଗ ଗଠନ କରାଯିବ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସମ୍ବିଧାନର ଧାରା- 280 (1) ଆଧାରରେ ଏହି ଅର୍ଥ ଆୟୋଗ ଗଠନ କରାଯିବାର ବିଧି ବ୍ୟବସ୍ଥା ରହିଛି । ପଞ୍ଚଦଶ ଅର୍ଥ ଆୟୋଗଙ୍କ ଗଠନ ଓ କାର୍ଯ୍ୟଧାରା ନେଇ ସର୍ତ୍ତାବଳୀ ଖୁବଶୀଘ୍ର ବିଜ୍ଞାପିତ କରାଯିବ ।

ଗୋଟିଏ ଅର୍ଥ ଆୟୋଗଙ୍କ ଅବଧି ସରିବାକ୍ଷଣି କେନ୍ଦ୍ର ସରକାର ପ୍ରତି ପାଞ୍ଚ ବର୍ଷ ଅନ୍ତରାଳରେ ନୂତନ ଆୟୋଗ ଗଠନ କରିଥାନ୍ତି । ଏହି ଆୟୋଗ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ମଧ୍ୟରେ ଟିକସ ଭଣ୍ଡାର ଓ ଅନୁଦାନ ଆବଂଟନ ନେଇ ସୂତ୍ର ପ୍ରସ୍ତୁତ କରିବା ସହ ଅନେକ ଆର୍ଥିକ ବ୍ୟାପାରରେ କେନ୍ଦ୍ର ଓ ରାଜ୍ୟକୁ ସୁପାରିଶ ମାନ କରିଥାନ୍ତି । ଚତୁର୍ଦ୍ଦଶ ଅର୍ଥ ଆୟୋଗ 02.01.2013ରେ ଗଠନ କରାଯାଇଥିଲା ଏବଂ ଏହି ଆୟୋଗ 15 ଡିସେମ୍ବର 2014ରେ ତାଙ୍କ ରିପୋର୍ଟ ପ୍ରଦାନ କରିଥିଲେ । ଚତୁର୍ଦ୍ଦଶ ଅର୍ଥ ଆୟୋଗଙ୍କ ସୁପାରିଶ କାର୍ଯ୍ୟକାରିତାର ଅବଧି 2019-20 ଆର୍ଥିକ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ ।

ଏଠାରେ ସୂଚନା ଦିଆଯାଇପାରେ ଯେ, ପଞ୍ଚଦଶ ଅର୍ଥ ଆୟୋଗଙ୍କ ସୁପାରିଶ ଏପ୍ରିଲ ପହିଲା 2020ରୁ 5 ବର୍ଷ ପାଇଁ କାର୍ଯ୍ୟକାରୀ କରାଯିବ ।

Share in top social networks!
Powered By Indic IME