ସୁପ୍ରିମକୋର୍ଟ ଓ ହାଇକୋର୍ଟ ବିଚାରପତିମାନଙ୍କର ବେତନ, ଗ୍ରାଚ୍ୟୁଇଟି, ଭତ୍ତା, ପେନସନ ସଂଶୋଧନ ପ୍ରସ୍ତାବକୁ କେନ୍ଦ୍ରର ମଞ୍ଜୁରି; 2016 ଜାନୁଆରୀ ପହିଲାରୁ ପିଛିଲା ଭାବେ କାର୍ଯ୍ୟକାରୀ ହେବ ନିଷ୍ପତ୍ତି

ସୁପ୍ରିମକୋର୍ଟ ଏବଂ ହାଇକୋର୍ଟର ବିଚାରପତିମାନଙ୍କ ବେତନ, ଭତ୍ତା, ଗ୍ରାଚ୍ୟୁଇଟି ଏବଂ ପେନସନରେ ସଂଶୋଧନ କରାଯିବ । ଏ ସଂକ୍ରାନ୍ତ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ ଉପରେ ବିସ୍ତୃତ ଆଲୋଚନା କରାଯାଇ ମଞ୍ଜୁରି ପ୍ରଦାନ କରାଯାଇଛି ।

ଏହାଛଡା ସୁପ୍ରିମକୋର୍ଟ ଏବଂ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିମାନେ ମଧ୍ୟ ସଂଶୋଧିତ ହାରରେ ପେନସନ ଓ ଭତ୍ତା ପାଇବେ । କେନ୍ଦ୍ର କ୍ୟାବିନେଟଙ୍କ ନିଷ୍ପତ୍ତି ଫଳରେ ସୁପ୍ରିମକୋର୍ଟ ବିଚାରପତି (ବେତନ ଓ ଚାକିରି ସର୍ତ୍ତାବଳୀ) ଆଇନ- 1958 ଏବଂ ହାଇକୋର୍ଟ ବିଚାରପତି (ବେତନ ଓ ଚାକିରି ସର୍ତ୍ତାବଳୀ) ଆଇନ -1954ରେ ଆବଶ୍ୟକ ସଂଶୋଧନ କରାଯିବ । ଏହି ଦୁଇଟି ଆଇନରେ ଭାରତର ପ୍ରଧାନ ବିଚାରପତି, ସୁପ୍ରିମକୋର୍ଟର ବିଚାରପତି ଏବଂ ହାଇକୋର୍ଟର ମୁଖ୍ୟ ବିଚାରପତି ତଥା ଅନ୍ୟ ବିଚାରପତିମାନଙ୍କର ବେତନ ବ୍ୟବସ୍ଥା ନେଇ ପ୍ରାବଧାନ ରହିଛି । କ୍ୟାବିନେଟ ନିଷ୍ପତ୍ତି ଦ୍ୱାରା ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ସହ 31 ଜଣ ବିଚାରପତି ଏବଂ ମୁଖ୍ୟ ବିଚାରପତିମାନଙ୍କ ସମେତ ହାଇକୋର୍ଟ ସମୂହର ମୋଟ 1079 ବିଚାରପତିଙ୍କୁ ସଂଶୋଧିତ ବେତନ ଓ ଭତ୍ତା ଆଦି ମିଳିବ । ସେହିପରି ଅବସର ଗ୍ରହଣ କରିଥିବା 2500 ବିଚାରପତିଙ୍କୁ ମଧ୍ୟ ପେନସନ ଓ ଗ୍ରାଚ୍ୟୁଇଟି ସଂକ୍ରାନ୍ତ ସୁବିଧା ମିଳିବ ।

2016 ଜାନୁଆରୀ ପହିଲାରୁ ଏହି ନିଷ୍ପତ୍ତି ପିଛିଲା ଭାବେ କାର୍ଯ୍ୟକାରୀ ହେବ ଏବଂ ଦରମା, ଭତ୍ତା, ପେନସନ ଓ ଗ୍ରାଚ୍ୟୁଇଟି ସଂଶୋଧନ ବାବଦ ସମସ୍ତ ବକେୟା ଅର୍ଥ ଏକକାଳୀନ ବିଚାରପତିମାନଙ୍କୁ ପ୍ରଦାନ କରାଯିବ । ବିଚାରପତିମାନଙ୍କର ବେତନ ସଂଶୋଧନ ପାଇଁ ସଂସଦର ଆଗାମୀ ଅଧିବେଶନରେ ଦୁଇଟି ଯାକ ବିଲ ଆଗତ କରାଯିବ ।

ସପ୍ତମ କେନ୍ଦ୍ରୀୟ ବେତନ କମିସନ ସୁପାରିଶ ଲାଗୁ ହେବା ପରେ ଏବେ ସୁପ୍ରିମକୋର୍ଟ ଓ ହାଇକୋର୍ଟର ବିଚାରପତିମାନଙ୍କ ବେତନ ବ୍ୟବସ୍ଥାରେ ସଂଶୋଧନ କରାଯାଉଛି ।

Share in top social networks!
Powered By Indic IME