ଭୁବନେଶ୍ୱରରେ ହକି ମାହୋଲ

ରାଜଧାନୀରେ ଆରମ୍ଭ ହୋଇଛି ହକି ମାହୋଲ । କଳିଙ୍ଗ ଷ୍ଟାଡ଼ିୟମ ନୀଳ ଟର୍ଫରେ ଆସନ୍ତା ଡ଼ିସେମ୍ବର ୧ରୁ ୧୦ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ବିଶ୍ୱ ହକି ଲଗି୍‍ ତୃତୀୟ ସଂସ୍କରଣ ଫାଇନାଲ ପ୍ରତିଯୋଗିତା ଲାଗି ବୁଧବାର ଭାରତୀୟ ଦଳ ଭୁବନେଶ୍ୱରରେ ପହଞ୍ଚିବା ପରେ ହକି ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ହୋଇଛି । ପ୍ରତିଯୋଗିତା ଆଉ ମାତ୍ର ଏକ ସପ୍ତାହ ରହିଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ମ୍ୟାଚ ଲାଗି କାଉଣ୍ଟର ଟିକଟ ବିକ୍ରି ଶେଷ ହୋଇଥିବାବେଳେ ଏବେ ହକି ଆକ୍ସନ ଦେଖିବାକୁ ଦର୍ଶକଙ୍କ ଉତ୍ସାହ ବୃଦ୍ଧି ପାଇଛି ।
ଭାରତ, ଜମାନୀ, ଅଷ୍ଟେ୍ରଲିଆ, ଇଂଲଣ୍ଡ, ଆର୍ଜେଣ୍ଟିନା, ସ୍ପେନ, ବେଲଜିୟମ, ନେଦରଲ୍ୟାଣ୍ଡ ପ୍ରମୁଖ ବିଶ୍ୱ ହକିର ୮ଟି ରାଷ୍ଟ୍ରକୁ ନେଇ ଖେଳାଯିବ ବିଶ୍ୱ ହକି ଲିଗ୍‍ ଫାଇନାଲ ପ୍ରତିଯୋଗିତା । ଏଥିପାଇଁ କଳିଙ୍ଗ ଷ୍ଟାଡ଼ିୟମ ସମେତ ରାଜଧାନୀରେ ହକି ମାହୋଲ ସୃଷ୍ଟି ହୋଇଛି । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଆରମ୍ଭ କରି ସହରର ପ୍ରତ୍ୟେକ ଛକ ମାନଙ୍କରେ ପୋଷ୍ଟର, ହୋଡ଼ିଂ ଛାଉଣି ହୋଇଯାଇଛି । ଏସୀୟ ଦୌଡ଼କୁଦ ପ୍ରତିଯୋଗିତା ସମୟରେ କଳିଙ୍ଗ ଷ୍ଟାଡ଼ିୟମ ମୁଖ୍ୟ ରାସ୍ତାରେ ଯେଉଁଭଳି ଭାବେ ବିଭିନ୍ନ ଦେଶର ଜାତୀୟ ପତାକା ଶୋଭା ପାଉଥିଲା ସେହିଭଳି ଭାବେ ବିଶ୍ୱ ହକି ଲିଗ୍‍ ଫାଇନାଲ ଖେଳିବାକୁ ଆସୁଥିବା ୮ଟି ରାଷ୍ଟ୍ରର ଜାତୀୟ ପତାକା ଶୋଭା ପାଇଛି । ବିଭିନ୍ନ ପୋଲରେ ଜାତୀୟ ପତାକା ଲାଗାଯାଇଛି । ଏହାଛଡ଼ା ଷ୍ଟାଡ଼ିୟମର ରାସ୍ତାଘାଟକୁ ପରାସ୍କାର ପରିଚ୍ଛନ୍ନ କରାଯିବା ସହିତ ବିଭିନ୍ନ କାର୍ଯ୍ୟ ମଧ୍ୟ ଆଗେଇ ଚାଲିଛି । ବୁଧବାର ଭାରତୀୟ ଦଳ ଭୁବନେଶ୍ୱରରେ ପହଞ୍ଚିବା ପରେ ଖେଳାଳିମାନଙ୍କୁ ଦେଖିବା ଲାଗି ହକି ପ୍ରେମୀମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ବିମାନବନ୍ଦରରେ ହକିପ୍ରେମୀମାନେ ପ୍ରିୟ ତାରକାଙ୍କୁ ଦେଖିବା ଲାଗି ଘଣ୍ଟାଘଣ୍ଟା ଧରି ଛିଡ଼ା ହେବାକୁ ପଛାଇ ନଥିଲେ । ହକି ପ୍ରେମୀଙ୍କ ଏଭଳି ଉତ୍ସାହକୁ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଏସଜୋଏଡ୍‍ ମାରିଏନୋ ଏବଂ ଅଧିନାୟକ ମନ୍‍ପ୍ରୀତ ସିଂହ ପ୍ରଶଂସା କରିଥିଲେ ।

Share in top social networks!