ଷ୍ଟାର୍ଟଅପ୍ ମାନ୍ୟତା ପାଇଁ ସମୟ ସୀମା ୫ ବର୍ଷ କୋହଳ କରିବ ଓଡ଼ିଶା

ଓଡ଼ିଶା ସରକାରଙ୍କ ଷ୍ଟାର୍ଟଅପ୍ ନୀତି ଅନୁସାରେ ଯେଉଁ ସଂସ୍ଥା ଗୁଡ଼ିକ ଆରମ୍ଭ ହେବାର ପାଞ୍ଚ ବର୍ଷ ଭିତରେ ରହିଛନ୍ତି ସେମାନଙ୍କୁ ଷ୍ଟାର୍ଟ-ଅପ୍ ମାନ୍ୟତା ପ୍ରଦାନ କରାଯାଉଛି । ବର୍ତମାନସୁଦ୍ଧା ରାଜ୍ୟରେ ୧୩୦ ଷ୍ଟାର୍ଟଅପ୍ ପଞ୍ଜୀକୃତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇ ଡଜନ୍ରୁ ଅଧିକ ଷ୍ଟାର୍ଟ-ଅପ୍ ବିଭିନ୍ନ ପ୍ରକାର ସରକାରୀ ସୁବିଧା ହାସଲ କରୁଛନ୍ତି । ଅଧିକ ଷ୍ଟାର୍ଟ-ଅପ୍କୁ ଏହି ଲିଗ୍ରେ ସାମିଲ କରିବା ପାଇଁ ରାଜ୍ୟ ସରକାର ଷ୍ଟାର୍ଟ-ଅପ୍ ମାନ୍ୟତା ପାଇଁ ସମୟ ସୀମା କୋହଳ କରିବା ଉପରେ ବିଚାର କରୁଛନ୍ତି । ଡିଆଇପିପି ଗାଇଡ୍ଲାଇନ୍ ଅନୁସାରେ ସଂସ୍ଥା ଆରମ୍ଭ ହେବାର ୧୦ ବର୍ଷ ଭିତରେ ଷ୍ଟାର୍ଟଅପ୍ ମାନ୍ୟତା ପ୍ରଦାନ କରିବାକୁ ଓଡ଼ିଶା ବିଚାର କରୁଛି ବୋଲି ରାଜ୍ୟ ଏମ୍ଏସ୍ଏମ୍ଇ ସଚିବ ଏଲ୍ ଏନ୍ ଗୁପ୍ତା କହିଛନ୍ତି ।
ଫିକି ପକ୍ଷରୁ କିଟ୍ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ରେ ଆଜି ଆାୟୋଜିତ ହୋଇଥିବା “ରୋଡ୍ ଟୁ ଗ୍ଲୋବାଲ୍ ଏଣ୍ଟରପ୍ରେନୁ୍ୟଅରସିପ୍ ସମିଟ୍ ୨୦୧୭’ରେ ଅତିଥି ଭାବେ ଯୋଗଦେଇ ଶ୍ରୀ ଗୁପ୍ତା ଏହା କହିଛନ୍ତି । ସେ କହିଛନ୍ତି ଯେ “୨୦୧୭ ଫେବ୍ରୁଆରି ୩-୫ ପର୍ଯ୍ୟନ୍ତ ହାଇଦ୍ରାବାଦଠାରେ ଆୟୋଜିତ ହେବାକୁ ଥିବା ଆନ୍ତର୍ଜାତିକ ଗ୍ଲୋବାଲ୍ ଏଣ୍ଟରପ୍ରେନୁ୍ୟଆରସିପ୍ (ଜିଇସି)ରେ ଓଡ଼ିଶାର ଦୁଇ ଡଜନ୍ରୁ ଅଧିକ ଷ୍ଟାର୍ଟଅପ୍ ଭାଗ ନେବେ ଯାହା ଦେଶର ଅନ୍ୟ ଯେ କୌଣସି ରାଜ୍ୟ ତୁଳନାରେ ବହୁତ ଅଧିକ । ସେ କହିଛନ୍ତି ଯେ ଓଡ଼ିଶାରେ ଏବେ ୨୪ ଇନକୁବେଟର ଥିବା ବେଳେ ୫ ଇନକୁବେଟର ଷ୍ଟାର୍ଟଅପ ପୋର୍ଟାଲ୍ରେ ପଞ୍ଜୀକରଣ କରିଛନ୍ତି । ୧୦୦ରୁ ଅଧିକ ଷ୍ଟାର୍ଟଅପ୍ ସୃଷ୍ଟି କରିଥିବା କିଟ୍ ଟିବିଆଇକୁ ସେ ପ୍ରଶଂସା କରିଛନ୍ତି ।’’
ଶ୍ରୀ ଗୁପ୍ତା ସୂଚନା ପ୍ରଦାନ କରିଛନ୍ତିଯେ ଆସନ୍ତା ବର୍ଷ ଜାନୁଆରିରେ ଷ୍ଟାର୍ଟଅପ୍ କନ୍କ୍ଲେଭ୍ ଆୟୋଜନ କରାଯିବ । ଏହା ପୂର୍ବରୁ ଦିଲ୍ଲୀଠାରେ ଟାଇକନ୍ ସମ୍ମିଳନୀ ଆୟୋଜନ କରାଯିବ ଯେଉଁଥିରେ ଷ୍ଟାର୍ଟଅପ୍ମାନେ ଭାଗ ନେଇପାରିବେ ବୋଲି ସେ କହିଛନ୍ତି ।
ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏମ୍ଏସ୍ଏମ୍ଇ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଛନ୍ତି ଯେ “ଷ୍ଟାର୍ଟ-ଅପ୍ ସଂସ୍ଥାଗୁଡ଼ିକୁ ସବୁ ପ୍ରକାର ସହାୟତା ଯୋଗାଇ ଦେବା ପାଇଁ ସରକାର ପ୍ରତିଶ୍ରୁତବଦ୍ଧ । ବିଶେଷ କରି ମହିଳା ଉଦ୍ୟୋଗୀମାନଙ୍କୁ ଆଗକୁ ବଢ଼ିବାକୁ ସରକାର ସବୁ ପ୍ରକାର ପ୍ରୋତ୍ସାହନ ପ୍ରଦାନ କରିବେ ବୋଲି ସେ କହିଛନ୍ତି ।’’
ଏହି ଅବସରରେ ଫିଜିର ଆସିଷ୍ଟାଂଟ୍ ସେକ୍ରେଟାରି ଜେନେରାଲ୍ ତଥଶ ସେଂଟର ଫର ସାଇନ୍ସ ଟେକ୍ନୋଲୋଜି ଆଣ୍ଡ ଇନୋଭେସନର ମୁଖ୍ୟ ନିରାକାର ସକ୍ସେନା କହିଛନ୍ତି ଯେ, ଇଣ୍ଡିଆନ୍ ଇନୋଭେସନ୍ ଗ୍ରୋଥ୍ ଫଣ୍ଡ୍ (ଆଇଆଇଜିଏଫ୍)ରେ ଟାଟା ଟ୍ରଷ୍ଟ୍ ସାମିଲ ହୋଇଛି । ଏମ୍ଆଇଟି ଭଳି ବିଶ୍ୱ ସ୍ତରୀୟ ଅନୁÂାନ ମଧ୍ୟ ଏହା ସହିତ ଜଡ଼ିତ ରହିଛି । ସେହିପରି ୫୦ ନିୟୁତ ଡଲାରର ଏକ ପାଣ୍ଠି ଗଠନ କରାଯାଇଥିବା ବିଷୟରେ ସେ ସୂଚନା ଦେଇଛନ୍ତି । ସେହି ପାଣ୍ଠିରୁ ୪ ବର୍ଷ ଭିତରେ ୧୦୪ଟି କଂପାନିକୁ ଅନୁଦାନ ପ୍ରଦାନ କରାଯାଇଛି । ଆମେରିକା ସରକାର ଏଥିପାଇଁ ୭.୭ ନିୟୁତ ଡଲାର, ଭାରତ ସରକାର ୫.୫ ନିୟୁତ ଡଲାର ଏବଂ ଅନ୍ୟ ସବୁ ପାଣ୍ଠି ଘରୋଇ ନିବେଶକମାନେ ପ୍ରଦାନ କରିଛନ୍ତି ବୋଲି ସେ କହିଛନ୍ତି । ଆମେରିକା, ବ୍ରିଟେନ୍, ନେଦରଲ୍ୟାଣ୍ଡ୍ ଏବଂ ଭାରତ ଭଳି ଚାରିଟି ରାଷ୍ଟ୍ର ଏହି ପାଣ୍ଠି ଉପରେ କାମ କରୁଛନ୍ତି ବୋଲି ସେ କହିଛନ୍ତି ।
ଏହି ଅବସରରେ ଓରଟେଲ୍ କମୁ୍ୟନିକେସନ୍ର ପରିଚାଳନା ନିର୍ଦେଶିକା ଜାଗି ମଙ୍ଗଳ ପଣ୍ଡା ଓ କିଟ୍-କିସ୍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହୃଷିକେଶ ମହାନ୍ତି ଉପସ୍ଥିତ ଥିଲେ ।

Share in top social networks!