ଏସେଲ ମାଇନିଙ୍ଗ ପକ୍ଷରୁ ଖଣି ସୁରକ୍ଷା ସପ୍ତାହ ପାଳିତ

IMG_20171118_201335
ଆଦିତ୍ୟ ବିର୍ଲା ଗ୍ରୁପର ପ୍ରମୁଖ ଖଣିକମ୍ପାନୀ ଏସେଲ ମାଇନିଙ୍ଗ ଆଣ୍ଡ ଇଣ୍ଡଷ୍ଟ୍ରିଜ ଲିମିଟେଡ ପକ୍ଷରୁ ୫୫ତମ ଖଣିସୁରକ୍ଷା ସପ୍ତାହ ଗତସପ୍ତାହରେ ପାଳିତ ହୋଇଯାଇଛି | ଚାଇବାସା ଖଣି ସୁରକ୍ଷାମଣ୍ଡଳ ପକ୍ଷରୁ ଅନୁଷ୍ଠିତ ଏହି ଖଣିସୁରକ୍ଷା ସପ୍ତାହ କାର୍ଯ୍ୟକ୍ରମର ଖଣି ପରିଦର୍ଶନ ଅବସରରେ କମ୍ପାନୀର କୋଇଡା ଖଣି ପରିଦର୍ଶନ ନଭେମ୍ବର ୧୬ ତାରିଖରେ ହୋଇଥିବା ସ୍ଥଳେ ଜିଲିଙ୍ଗ ଖଣି ପରିଦର୍ଶନ ନଭେମ୍ବର ୧୭ ତାରିଖରେ ହୋଇଥିଲା | ସେହିପରି ନଭେମ୍ବର ୧୬ ତାରିଖରେ ଜିଲିଙ୍ଗଠାରେ ଥିବା ଗ୍ରୁପ ତାଲିମ କେନ୍ଦ୍ରର ପରିଦର୍ଶନ କରିଯାଇଥିଲା | ଏ ସମସ୍ତ ପରିଦର୍ଶନ କାର୍ଯ୍ୟକ୍ରମରେ ଚାଇବାସା ଖଣିସୁରକ୍ଷାମଣ୍ଡଳ ପକ୍ଷରୁ ମନୋନୀତ ବିଭିନ୍ନ ସ୍ଥାନୀୟ ଖଣିକମ୍ପାନୀରୁ ଆସିଥିବା ପରିଦର୍ଶକଗଣ କମ୍ପାନୀ ତରଫରୁ ପ୍ରଦର୍ଶିତ ହୋଇଥିବା ସୁରକ୍ଷା ବ୍ୟବସ୍ଥାର ସବିଶେଷ ଯାଞ୍ଚ କରିବାସହ ବ୍ୟାପକ ଅନୁଧ୍ୟାନ କରି ଏହାର ଉଚ୍ଚ ପ୍ରଶଂସା କରିଥିଲେ | ନଭେମ୍ବର ୧୮ ତାରିଖ ଦିନ କୋଇଡା ଲୌହ ଖଣି ପରିସରରେ କମ୍ପାନୀର ସୁରକ୍ଷା ସମ୍ପର୍କିତ ପ୍ରଚାର ଓ ପ୍ରସାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଏଥିରେ ଏସେଲ ମାଇନିଙ୍ଗର ବଡ଼ବିଲ ଖଣିସମୂହର ଉତ୍ତୋଳନ ପରିଚାଳନା ମୁଖ୍ୟ ତଥା ଏଜେଣ୍ଟ ଶ୍ରୀ ଭି॰ ଶ୍ରୀକାନ୍ଥ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ସ୍ଥଳେ ଟାଟା, ରୁଙ୍ଗଟା, ସିରାଜୁଦ୍ଦୀନ, ଜିନ୍ଦଲ ଖଣି କମ୍ପାନୀର ବରିଷ୍ଠ ଅଧିକାରୀମାନେ ଚାଇବାସା ଖଣିସୁରକ୍ଷାମଣ୍ଡଳ ପକ୍ଷରୁ ମନୋନୀତ ପରିଦର୍ଶକ ମଣ୍ଡଳୀ ଭାବେ ଯୋଗଦେଇଥିଲେ | ଏହି କାର୍ଯ୍ୟକ୍ରମରେ ଖଣିସୁରକ୍ଷା ସମ୍ପର୍କିତ ସମସ୍ତ ବିଭାଗର ପ୍ରଦର୍ଶନୀ କରାଯାଇଥିବା ସ୍ଥଳେ ଖଣିସୁରକ୍ଷା ଉପରେ ଚିତ୍ତାକର୍ଷକ ନାଟକ ଓ ସଙ୍ଗୀତ ପରିବେଶଣ କରାଯାଇଥିଲା | ଏହି କାର୍ଯ୍ୟକ୍ରମକୁ କୋଇଡା ଖଣିର ପରିଚାଳକ ଶ୍ରୀ ଅଜିତ କୁମାର ପାତ୍ର ଏବଂ ତାଙ୍କର ସହଯୋଗୀମାନେ ଉତ୍ତମଭାବେ ପରିଚାଳନା କରିଥିଲେ ଯାହା ସମସ୍ତ ଦର୍ଶକମାନଙ୍କୁ ଭରପୁର ମନୋରଞ୍ଜନ ଯୋଗାଇବା ସହ ଶିକ୍ଷଣୀୟ ହୋଇଥିଲା |

Share in top social networks!
Powered By Indic IME