ରାଜଧାନୀରେ ଦେହ ବ୍ୟବସାୟ ୩ ବିଦେଶିନୀଙ୍କ ସହ ୫ଯୁବତୀ ଉଦ୍ଧାର

IMG-20171117-WA0022
କମିଶନରେଟ ପୁଲିସ ଶୁକ୍ରବାର ରାଜଧାନୀ ଭୁବନେଶ୍ୱରରେ ଏକ ସେକ୍ସ ର୍ୟାକେଟ ଠାବ କରିବା ସହ ଦେହ ବ୍ୟବସାୟରେ ନିୟୋଜିତ ୫ଯୁବତୀଙ୍କୁ ଉଦ୍ଧାର କରିଛି । ଉଦ୍ଧାର ହୋଇଥିବା ୫ ଯୁବତୀଙ୍କ ମଧ୍ୟରୁ ୩ଜଣ ବିଦେଶିନୀ (ଥାଇଲାଣ୍ଡ) ବୋଲି ପୁଲିସ ପକ୍ଷରୁ କୁହାଯାଇଛି । ସେହିପରି ସମ୍ପୃକ୍ତ ଦୁଇଜଣ ଗ୍ରାହକଙ୍କୁ ପୁଲିସ ମଧ୍ୟ ଗିରଫ କରିଛି । ସେମାନେ ହେଲେ ଏୟାରଫିଲ୍ଡ ଥାନା ଅଞ୍ଚଳର ଅଶ୍ୱଜିତ ମହାନ୍ତି ଓ ଖଣ୍ଡଗିରି ଥାନା ଅନ୍ତର୍ଗତ ଜାଗମରାର ସଞ୍ଜିବ କୁମାର ସ୍ୱାଇଁ । ଖାରବେଳନଗରରେ ଥିବା ଏକ ସ୍ପାରେ ଉକ୍ତ ସେକ୍ସ ର୍ୟାକେଟ ଗୁପ୍ତରେ ଚାଲିଥିବା ନେଇ ପୁଲିସକୁ ସୂଚନା ମିଳିଥିଲା । ଉପରୋକ୍ତ ସ୍ପା ଉପରେ ନଜର ରଖି ଆଜି ଚଢାଉ କରିଥିଲା । ତେବେ କାହା ମାଧ୍ୟମରେ ରାଜଧାନୀରେ ଏଭଳି ଏକ ସେକ୍ସ ର୍ୟାକେଟ ଚାଲିଥିଲା ଓ ତା’ର ମାଷ୍ଟରମାଇଣ୍ଡ କିଏ ସେ ସମ୍ପର୍କରେ ଅଧିକ ତଥ୍ୟ ହାସଲ ପାଇଁ ପୁଲିସ ଖୋଳତାଡ଼ ଆରମ୍ଭ କରିଛି । ବହୁ ଜଣାଶୁଣା ଓ ପ୍ରଭାବଶାଳୀ ବ୍ୟକ୍ତି ବିଶେଷଙ୍କ ଛତ୍ରଛାୟାରେ ରାଜଧାନୀରେ ସେକ୍ସ ର୍ୟାକେଟ ଚାଲିଛି ବୋଲି ପୁଲିସ ଅନୁମାନ କରୁଛି ।
ପୁଲିସ ସୂଚନା ମୁତାବକ ସ୍ପା ସେଣ୍ଟର ନାମରେ ସେଠାରେ ଦେହ ବ୍ୟବସାୟ ଚାଲୁଥଲା । ଉକ୍ତ ଘରଟି ଶିଳ୍ପପତି ତ୍ରୈଲୋକ୍ୟ ମିଶ୍ରଙ୍କର ହୋଇଥିବା ବେଳେ ଏହାକୁ ସ୍ପା ସେଣ୍ଟର କରିବା ଲାଗି ସେ ଭଡାରେ ଦେଇଥିଲେ । ସେଠାରେ ସ୍ପା ସେଣ୍ଟର ସହ ଦେହ ବ୍ୟବସାୟ ଚାଲୁଥିବା ପୁଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା । ସେକ୍ସ ର୍ୟାକେଟକୁ ଠାବ କରିବାକୁ ପୁଲିସ ଅତ୍ୟନ୍ତ ଚତୁରତାର ସହ ନିଜକୁ ଗ୍ରାହକ ସଜାଇ ସେଠାରେ ପହଞ୍ଚି ଘଟଣାର ରହସ୍ୟକୁ ଉନ୍ମୋଚିତ କରିବାକୁ ସଫଳ ହୋଇଥିଲା । ସାଦା ପୋଷାକରେ ଯାଇଥିବା ପୁଲିସ କର୍ମଚାରୀ ସେଠାରେ ପହଞ୍ଚି ଦେହ ବ୍ୟବସାୟ ଚାଲୁଥିବା ସମ୍ବନ୍ଧରେ ସମସ୍ତ ପ୍ରମାଣ ହାସଲ କରିବା ପରେ କମିଶନରେଟ ପୁଲିସ ପକ୍ଷରୁ ଚଢଉ ହୋଇଥିଲା । ଚଢଉ ବେଳେ ପୁଲିସ ଥାଇଲ୍ୟାଣ୍ଡର ୩ ବିଦେଶିନୀଙ୍କ ସମେତ ୫ଯୁବତୀଙ୍କୁ ଉଦ୍ଧାର କରିଥିବା ବେଳେ ୨ଜଣ ଗ୍ରାହକଙ୍କୁ ଗିରଫ କରିବାରେ ସମର୍ଥ ହୋଇଥିଲା । ଏତଦ୍‍ବ୍ୟତୀତ ୩ ବିଦେଶିନୀଙ୍କ ପାସ୍‍ପୋର୍ଟ, ୨୦ଟି ମୋବାଇଲ ଫୋନ , ଗୋଟିଏ ଲାପ୍‍ଟପ, ଆପତ୍ତିଜନକ କିଛି ସାମଗ୍ରୀ ପୁଲିସ ଜବତ କରିବା ସହ ସେମାନଙ୍କ ଦ୍ୱାରା ବ୍ୟବହୃତ ଏକ କାର୍‍କୁ ମଧ୍ୟ ଜବତ କରିଛି । ଏନେଇ ପୁଲିସ ଏକ ମାମଲା ରୁଜୁକରି ଘଟଣାର ଅଧିକ ଖୋଳତାଡ କରୁଛି । ସୂଚନାଯୋଗ୍ୟ ଯେ ଗତ ଜୁଲାଇ ୨୩ ତାରିଖରେ ଏକ ହୋଟେଲ ସମ୍ମୁଖରେ ନିଶାସକ୍ତ ଅବସ୍ଥାରେ ପୁଲିସ କାଜାଗିସ୍ଥାନର ଜଣେ ଯୁବତୀଙ୍କୁ ଉଦ୍ଧାର କରିଥିଲା । ଜେରା ପରେ ସେ ଏଠାକୁ ଦେହ ବ୍ୟବସାୟ ଲାଗି ଆସିଥିବା ଜଣାପଡିଥିଲା । ଏହାପୂର୍ବରୁ ୨୦୧୬ ମାର୍ଚ୍ଚ ୨୩ ତାରିଖରେ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଚାଲିଥିବା ଏକ ସେକ୍ସ ର୍ୟାକେଟ ଠାବ କରିବା ସହ କିରଗିଜ୍‍ସ୍ଥାନର ଜଣେ ଯୁବତୀଙ୍କୁ ଗିରଫ କରିଥିଲା ।

Share in top social networks!
Powered By Indic IME