ଶିଶୁକନ୍ୟାଙ୍କ ସୁରକ୍ଷା ଆଜିର ଆହ୍ଵାନ: ମନ୍ତ୍ରୀ ଊଷାଦେବୀ

tn_3-12-2012=1ଆଜି ହେଉଛି ‘ଜାତୀୟ ଶିଶୁ କନ୍ୟା ଦିବସ’ | ଶିଶୁକନ୍ୟା ମାନଙ୍କ ସୁରକ୍ଷା ଓ ସମୁଚିତ ଲାଳନ ପାଳନ ପ୍ରତି ସମାଜର ଦୃଷ୍ଟି ଆକର୍ଷଣ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ | ଗତ ଜାତୀୟ ଜନଗଣନା ରିପୋର୍ଟରୁ କନ୍ୟା ସନ୍ତାନର ସଂଖ୍ୟା ହ୍ରାସ ପାଉଛି ବୋଲି ଜଣାପଡିଛି | ଏହା ବାସ୍ତବିକ୍ କ୍ଷୋଭର ବିଷୟ | ସମାଜର ସମସ୍ତ ବର୍ଗର ପିତାମାତାଙ୍କ କନ୍ୟା ସନ୍ତାନମାନଙ୍କ ସୁରକ୍ଷା ପାଇଁ ସବୁ ମତେ ଉଦ୍ୟମ କରିବା ଜରୁରୀ | ଏଥିପାଇଁ ସମାଜର ସମସ୍ତେ ଆଗେଇ ଆସିବାକୁ ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଊଷାଦେବୀ ଆହ୍ଵାନ ଦେଇଛନ୍ତି |

ଆଜି ସ୍ଥାନୀୟ ଇଡକଲ୍ ଅଡିଟୋରିୟମ୍ ରେ ‘ଜାତୀୟ ଶିଶୁ କନ୍ୟା ଦିବସ’ ମହାସମାରୋହରେ ପାଳିତ ହୋଇଯାଇଛି | ଏହି ଅବସରରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀମତୀ ଊଷାଦେବୀ ଏହି ଆହ୍ଵାନ ଦେଇଛନ୍ତି | ସମ୍ମାନିତ ଅତିଥି ଭାବେ ଯୋଗଦେଇ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନର ଅଧ୍ୟକ୍ଷା ଶ୍ରୀମତୀ ସରସ୍ଵତୀ ହେମ୍ବ୍ରମ୍ କହିଲେ ଯେ, ପରିବାରରେ କନ୍ୟାମାନଙ୍କୁ କନ୍ୟାରତ୍ନ ଭାବେ ଅଭିହିତ କରାଯାଏ | ସେମାନେ ସମାଜ ପାଇଁ ଜରୁରୀ | ଶିଶୁକନ୍ୟାଙ୍କ ସୁରକ୍ଷା ସମ୍ବନ୍ଧରେ ସଚେତନତା ବୃଦ୍ଧି ପାଇଲେ ସେମାନଙ୍କର ସମୁଚିତ ଲାଳନପାଳନ ଓ ବିକାଶ ହୋଇ ପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ |

ବିଭାଗୀୟ ସଚିବ ଶ୍ରୀମତୀ ଆରତୀ ଆହୁଜା କହିଥିଲେ ଯେ, ଶିଶୁକନ୍ୟା ସଂସାରକୁ ନୂତନ ପରିଭାଷା, ସମ୍ବେଦନଶୀଳତା ଓ କୋମଳତା ଆଣିଥାଏ | ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଅଲିଅଳୀ ଦୁଲାଳୀ, ଆଦରଣୀୟା ଭଗିନୀ, ସୁଖଦୁଃଖର ଜାୟା ଓ ସର୍ବଂସହା ମାତା ରୂପେ ତାର ସମାଜ ପ୍ରତି ଅବଦାନ ବାସ୍ତବିକ୍ ଅନନ୍ୟ |

ଶିଶୁକନ୍ୟାର ସୁରକ୍ଷା ପାଇଁ ସରକାର ‘ସମନ୍ଵିତ ଶିଶୁ ବିକାଶ ଯୋଜନା’, ‘ମମତା ଯୋଜନା’ ଆଦି ବହୁମୂଖୀ ଯୋଜନାମାନ ପ୍ରଣୟନ କରିଛନ୍ତି | ସେଗୁଡିକର ସଫଳ ରୂପାୟନ ନିମନ୍ତେ ନିଷ୍ଠାପର ପ୍ରୟାସ ଜାରୀ ରହିଛି | କନ୍ୟା ସନ୍ତାନ ମାନଙ୍କର ସୁରକ୍ଷା ବଳୟକୁ ଶକ୍ତ ଓ କ୍ରୀୟାଶୀଳ କରିବାକୁ ହେବ | ଏଥିପାଇଁ ସର୍ବସାଧାରଣଙ୍କ ସଚେତନତା, ଜାଗରଣ କରିବା ଉପରେ ଆମେ ଗୁରୁତ୍ଵ ଆରୋପ କରୁଛୁ ବୋଲି ଶ୍ରୀମତୀ ଆହୂଜା ମତ ପ୍ରକାଶ କରିଥିଲେ |

ଶିଶୁକନ୍ୟା ସୁରକ୍ଷା ବ୍ୟବସ୍ଥା ଓ ଏହାର ପ୍ରତିକାର ଉପରେ ଏକ ପ୍ୟାନେଲରେ ଆଲୋଚନା କରାଯାଇଥିଲା | ଏହି ଆଲୋଚନାରେ ୟୁନିସେଫ୍ ର ପ୍ରୋଗ୍ରାମ ମ୍ୟାନେଜର ମିସ୍ ପଦ୍ମାବତୀ ୟେଡଲା, ନେଦରଲ୍ୟାଣ୍ଡର ବେଟର କେୟାର ନେଟୱର୍କର ସଂଯୋଜକ ଶ୍ରୀମତୀ ବେପ୍ ଭାନ୍ ସ୍ଲୋଟେନ୍, ଏସ୍.ଏସ୍.ଆର୍.ସି.ର କାର୍ଯ୍ୟକାରୀ ଉପସଭାପତି ଡକ୍ଟର ଆଶା ହାଂସ, ଉତ୍କଳ ବିଶ୍ୱବିଦ୍ୟାଳୟର ସମାଜ ବିଜ୍ଞାନ ବିଭାଗ ପ୍ରଫେସର ଡକ୍ଟର ରୀତା ରାୟ ଭାଗନେଇ ନିଜର ସୁଚିନ୍ତିତ ମତାମତ ବ୍ୟକ୍ତ କରିଥିଲେ |

ଉଦ୍ଘାଟନୀ ସମାରୋହ ପରେ ଚିତ୍ରାଙ୍କନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା | ପରେ ପରେ ଶିଶୁ ଅଧିକାର ଓ ଜୀବନଧାରଣ ଉପରେ ପର୍ଯ୍ୟବେସିତ ଚଳଚ୍ଚିତ୍ର ‘ମୀନା’ ୧୧ ମିନିଟ୍ ଧରି ପ୍ରଦର୍ଶିତ ହୋଇଥିଲା |

ଏହି ଅବସରରେ ଛୋଟ ଛୋଟ ପିଲାମାନେ, ବିଭିନ୍ନ ସରକାରୀ ବିଭାଗର ପ୍ରତିନିଧି, ଶିଶୁ କଲ୍ୟାଣ କମିଟିର ସଦସ୍ୟ, ଜୁଭେନାଇଲ ବୋର୍ଡ ସଦସ୍ୟ, ଆଇନ କାର୍ଯ୍ୟକାରୀ ଏଜେନ୍ସି, ଶିଶୁ ସୁରକ୍ଷା ସଂସ୍ଥା ଇତ୍ୟାଦି ସଂସ୍ଥାର ପ୍ରାୟ ୩୦୦ ପ୍ରତିନିଧି ଅଂଶ ଗ୍ରହଣ କରିଥିଲେ |

Share in top social networks!
Powered By Indic IME