ବିମାନ ବନ୍ଦରରେ ଧରାପଡ଼ିଲା ବେଆଇନ ସୁନାଚାଲାଣ

IMG-20171115-WA0049 କମିଶନରେଟ ଅଫ୍‍ କଷ୍ଟମ୍ସ (ସୀମା ଶୁଳ୍କ ଆୟୁକ୍ତ)ର ଗୁଇନ୍ଦା ବିଭାଗ ଅଧିକାରୀମାନେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଅହମ୍ମଦ କବୀର ନାମକ ଜଣେ ଯାତ୍ରୀଙ୍କ ଉପରେ ଚଢଉ କରି ୧୯ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କା ମୂଲ୍ୟର ବେଆଇନ ସୁନା ଜବତ କରିଛନ୍ତି । ଅଭିଯୁକ୍ତଙ୍କୁ ଅଟକ ରଖାଯାଇ କୁଆଲାଲୁମ୍ପୁର-ଭୁବନେଶ୍ୱର ମଧ୍ୟରେ ଚାଲିଥିବା ବେଆଇନ ସୁନା ଚାଲାଣର ଗୁମର ଖୋଲିବାକୁ ପ୍ରୟାସ ଜାରି ରହିଛି । କୁଆଲାଲୁମ୍ପୁରରୁ ଭୁବେନେଶ୍ୱର ଆସୁଥିବା ଏୟାର ଏସିଆ ଏକେ-୩୧ ବିମାନରୁ ଅଭିଯୁକ୍ତ ଓହ୍ଲାଇବା ପରେ ସୀମା ଶୁଳ୍କ ବିଭାଗ ଅଧିକାରୀ ତାଙ୍କୁ ଅଟକ ରଖି ଆସବାବପତ୍ର ଯାଞ୍ଚ କରିଥିଲେ । ଯାଞ୍ଚ ସମୟରେ କବୀରଙ୍କ ନିକଟରୁ ୩୪ଟି ସୁନାବାର୍‍ ଠାବ କରାଯାଇଥିଲା । ଜବତ ସୁନାବାର୍‍ଗୁଡ଼ିକୁ ଏକ ଟୁଲ୍‍ବକ୍ସ ମଧ୍ୟରେ ଥିବା ୩୩ଟି ସ୍କୁ୍ର-ଡ୍ରାଇଭର ମଧ୍ୟରେ ଅତ୍ୟନ୍ତ ଚତୁରତାର ସହ ଖଞ୍ଜାଯାଇ ଲୁଚା ଯାଇଥିଲା । ସୀମାଶୁଳ୍କ ଅଧିକାରୀମାନେ ଏହି ସମସ୍ତ ସ୍କୁ-ଡ୍ରାଇଭରକୁ ଭାଙ୍ଗି ବେଣ୍ଟ ମଧ୍ୟରୁ ସୁନା ବାର୍‍ ଉଦ୍ଧାର କରିଥଲେ । ସୁନା ନେବା ଆଣିବା ସକାଶେ ଏଭଳି ବିଶେଷ ଧରଣର ସ୍କୁ୍ର-ଡ୍ରାଇଭର ବ୍ୟବହାର କରାଯାଇଛି । ସେହିପରି କବୀରଙ୍କ ଶରୀର ଯାଞ୍ଚ ବେଳେ ଗୋଟିଏ ଆୟତକାର ସୁନା ପ୍ଲେଟ (ବିସ୍କୁଟ ଆକୃତିର) ମଧ୍ୟ ଜବତ କରାଯାଇଥିଲା । ଯାହାକୁ ସେ ନିଜ ଦେହ ମଧ୍ୟରେ ଏକ ଅଠାଦ୍ୱାରା ଲଗାଇ ରଖିଥିଲେ । ବେଆଇନ କାରବାର ଉଦେ୍ଧଶ୍ୟରେ କୁଆଲାଲୁମ୍ପୁରରୁ ଭୁବନେଶ୍ୱର ଏହି ସୁନା ଅଣାଯାଇଥିଲା ବୋଲି ପ୍ରାଥମିକ ଅନୁସନ୍ଧାନରୁ ସୀମା ଶୁଳ୍କ ଅଧିକାରୀ ଜାଣିବାକୁ ପାଇଛନ୍ତି । ଜବତ ସୁନାର ଓଜନ ୬୬୧.୫୩ ଗ୍ରାମ ବୋଲି ଆକଳନ କରାଯାଇଥିବା ବେଳେ ମୂଲ୍ୟ ୧୯ଲକ୍ଷ ୪୬ ହଜାର ୪୯୫ ଟଙ୍କା ବୋଲି ସୀମା ଶୁଳ୍କ ଅଧିକାରୀ କହିଛନ୍ତି । ତେବେ ଏହି କାରବାର ସଂକ୍ରାନ୍ତରେ ଅଧିକ ତଥ୍ୟ ଜାଣିବାକୁ ଅଭିଯୁକ୍ତଙ୍କୁ ଅଟକ ରଖାଯାଇ ପଚରାଉଚରା ଜାରି ରହିଛି ବୋଲି ସୀମାଶୁଳ୍କ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Share in top social networks!