ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳା ରେ ଓଡିଶା ମଣ୍ଡପ ଉଦଘାଟିତ

23518846_305773413162534_7644101403442864833_nନୂଆଦିଲ୍ଲୀର ପ୍ରଗତି ମଇଦାନ ଠାରେ ଅନୁଷ୍ଠିତ ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଆକର୍ଷଣୀୟ ଓଡିଶା ମଣ୍ଡପ ଉଦଘାଟିତ ହୋଇ ଯାଇଛି । ଓଡିଶା ର ଗ୍ରାମ୍ୟ ଉନ୍ନୟନ, ସଂସଦୀୟ ବ୍ୟାପାର ତଥା ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ନୂଆଦିଲ୍ଲୀ ରେ ଅବସ୍ଥାପିତ ଓଡିଶା ସରକାରଙ୍କର ମୁଖ୍ୟ ଆବାସିକ କମିଶନର ଡଃ ସୁନୀଲ କୁମାର ଭାର୍ଗବ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ।

ଚଳିତ ବର୍ଷ ର ବିଷୟ ବସ୍ତୁ ହେଉଛି “ Start Up India : Stand Up India” । ଉକ୍ତ ବିଷୟବସ୍ତୁ କୁ ନେଇ ଓଡିଶା ମଣ୍ଡପ କୁ ଷ୍ଟାର୍ଟ ଅପ ଓଡିଶା ରୂପେ ସଜ୍ଜା ଯାଇଛି । ମଣ୍ଡପ ର ସମ୍ମୁଖ ଭାଗ ଓଡିଶା ର ଶିଲ୍ପ ବିକାଶ ର ସ୍ପଷ୍ଟ ଚିତ୍ର ପ୍ରଦର୍ଶନ କରୁଥିବା ସଙ୍ଗେ ସଙ୍ଗେ ଓଡିଶାର କଳା ସଂସ୍କୃତି ଓ ଐତିହ ର ଗାରିମାମୟ ସ୍ମୃତି ର ଚିତ୍ର ଏଥିରେ ସ୍ଥାନିତ ହୋଇଛି । ଯାହା, ସମ୍ମୁଖରେ ଥିବା କୋଣାର୍କ ଚକ୍ର ତାର ନିଦର୍ଶନ । ସମଗ୍ର ମଣ୍ଡପ ଟି ଏକ ସ୍ମାର୍ଟ ରାଜ୍ୟ ଭାବେ ପ୍ରକାଶ ପାଇବା ସଙ୍ଗେ ସଙ୍ଗେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ବଳିଷ୍ଠ ନେତୃତ୍ଵର ଝଲକ ସହ ସମଗ୍ର ଭାରତ ବର୍ଷରେ ଜଣେ ଶ୍ରେଷ୍ଠ ପ୍ରଶାସକ ( Best Administrator) ର ସ୍ପଷ୍ଠ ଚିତ୍ର ପ୍ରଦର୍ଶିତ ହୋଇଛି। ଏତଦ ବ୍ୟତୀତ ବିଭିନ୍ନ ଜନ ହିତକର ଯୋଜନା , ଦକ୍ଷତା ବିକାଶ ଓ ତାଲିମ କାର୍ଯ୍ୟକ୍ରମ ସହ ରାଜ୍ୟର ଏକ ବିକଶିତ ରୂପ ଏଥିରେ ଅତି ଚମତ୍କାର ଭାବେ ସ୍ଥାନିତ ହୋଇଛି ।
ଏହି କାର୍ଯ୍ୟକ୍ରମ କୁ ପ୍ରଦର୍ଶନ କରିବା ପାଇଁ ରାଜ୍ୟ ସରକାର ନିଜସ୍ଵ ସମ୍ବଳରୁ ଉକ୍ତ ବାଣିଜ୍ୟ ମେଳା ରେ ଅଂଶ ଗ୍ରହଣ କରିବା ପାଇଁ ୧ କୋଟି ୩୦ ଲକ୍ଷ ଟଙ୍କା ର ବ୍ୟୟ ବରାଦ କରିଛନ୍ତି । ଏହି ପ୍ରଦର୍ଶନୀ ରେ ଶିଳ୍ପ ବିଭାଗ, ଅଣୁ , କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ , ପର୍ଯ୍ୟଟନ ବିଭାଗ, ସୂଚନା ଓ ପ୍ରଯୁକ୍ତି ବିଭାଗ Theme Sector ରେ ଅଂଶ ଗ୍ରହଣ କରିବା ସହିତ ହସ୍ତତନ୍ତ, ବୟନ, ହସ୍ତଶିଳ୍ପ ଓ କୁଟୀର ଶିଳ୍ପ ବିଭାଗ ପକ୍ଷରୁ ୩୦ ଟି ବିକ୍ରୟ କେନ୍ଦ୍ର ଖୋଲା ଯାଇଛି ।
ଏହି ମେଳା ନଭେମ୍ବର ୧୪ ତାରିଖ ରୁ ଆରମ୍ଭ ହୋଇ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ। ନଭେମ୍ବର ୨୩ ତାରିଖ ରେ ପ୍ରଗତି ମଇଦାନ ର ହଂସଧ୍ୱନୀ ଥିଏଟର ରେ ଓଡିଶା ରାଜ୍ୟ ଦିବସ ପାଳନ କରାଯିବ । ଏଥି ନିମନ୍ତେ ତାର ପୂର୍ବ ଦିନ ଅର୍ଥାତ ୨୨ ତାରିଖରେ ଓଡିଶା ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ ହେବ । ଏଥିରେ ମାନ୍ୟବର ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ଯୋଗ ଦେଇ ଆନ୍ତର୍ଜାତିକ ମେଳା ରେ ଓଡିଶା ଭାଗ ନେବା ସମ୍ପର୍କରେ ସୂଚନା ଦେବେ ।
ପ୍ରକାଶ ଥାଉକି , ଭାରତର ଅନ୍ୟ ରାଜ୍ୟ ମାନଙ୍କ ପରି ଓଡିଶା ଏହି ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଭାଗ ନେଇ ଆସୁଅଛି । ପୂର୍ବରୁ ଏହି ପ୍ରଦର୍ଶନୀ ଆୟୋଜନ ନିମନ୍ତେ ଓଡିଶା ର ସ୍ଥାୟୀ ଗୃହ ରହି ଥିଲା । କିନ୍ତୁ କେନ୍ଦ୍ର ସରକାର ଙ୍କ ନିଷ୍ପତ୍ତି ଅନୁଯାୟୀ ସବୁ ରାଜ୍ୟଓ କେନ୍ଦ୍ର ଶାସିତ ଅଞ୍ଚଳ ର ସ୍ଥାୟୀ ମଣ୍ଡପ ଗୁଡିକୁ ଭାଙ୍ଗି ଦିଆ ଯାଇଛି। ତେଣୁ ଚଳିତ ବର୍ଷ India Trade Promotion Organisation ଦ୍ଵାରା ପ୍ରସ୍ତୁତ ଅସ୍ଥାୟୀ ହ୍ୟାଙ୍ଗର ( Hanger No.2) ରେ ଓଡିଶା ତାର ପ୍ରଦର୍ଶନୀ ଆୟୋଜନ କରିଅଛି । ଏହି ଅସ୍ଥାୟୀ ହ୍ୟାଙ୍ଗର-2 ରେ ପ୍ରାୟ ୭ ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ମଣ୍ଡପ ନିର୍ମାଣ ନିମନ୍ତେ ସ୍ଥାନ ଦିଆଯାଇଛି।ଏହି ପ୍ରଦର୍ଶନୀ ଆୟୋଜନ ନିମନ୍ତେ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏଥି ନିମନ୍ତେ ଗତ ବର୍ଷ ମାନଙ୍କ ପରି ନୋଡାଲ ବିଭାଗ ଭାବେ କାର୍ଯ୍ୟ କରୁଛି ।
ଏହି ଉଦ୍ଘାଟନ ଉତ୍ସବ ରେ ଅନ୍ୟମାନଙ୍କ ମଧ୍ୟରେ ଅଣୁ , କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ ଲକ୍ଷ୍ମୀ ନାରାୟଣ ଗୁପ୍ତା , ଆବାସିକ କମିଶନର ଶ୍ରୀ ସଂଜୀବ କୁମାର ମିଶ୍ର , ଅତିରିକ୍ତ ଆବାସିକ କମିଶନର ଡଃ ତ୍ରିବିକ୍ରମ ପ୍ରଧାନ , ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉପ ନିର୍ଦ୍ଦେଶକ ତଥା ଉପ ଶାସନ ସଚିବ ଶ୍ରୀ ବିପିନ ବିହାରୀ ବାରିକି ଏବଂ ଓଡିଶା ମଣ୍ଡପ ର ନିର୍ଦ୍ଦେଶକ ଶ୍ରୀ ରବୀନ୍ଦ୍ର କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!