ନକଲି ଦେଶୀମଦ କାରଖାନା ଠାବ, ୩ ଗିରଫ

IMG-20171108-WA0002ରାଜଧାନୀର ବିଭିନ୍ନ ବସ୍ତି ଅଞ୍ଚଳରେ ଅପମିଶ୍ରିତ ଦେଶୀ ମଦ ବିକ୍ରି କରୁଥିବା ଏକ ଗ୍ୟାଙ୍ଗର ୩ଜଣଙ୍କୁ ଅବକାରୀ ବିଭାଗ ଗିରଫ କରିବା ସହ ୧୫ପେଟି ମଦ, ସ୍ପିରିଟ୍‍, ୩ଟି ସ୍କୁଟି ଓ ଗୋଟିଏ ଫ୍ରିଜ୍‍ ଜବତ କରିଛି । ଅପମିଶ୍ରିତ ମଦ ପ୍ରସ୍ତୁତ କରିବା ଅଭିଯୋଗରେ ଅବକାରୀ ବିଭାଗ ପ୍ରଦୀପ ପ୍ରଧାନ, ପିଣ୍ଟୁ ବିଶ୍ୱାଳ ଓ ସଞ୍ଜୟ କୁମାର ସାହୁଙ୍କୁ ଗିରଫ କରିଛି ।
ଅବକାରୀ ବିଭାଗ ସୂତ୍ରରୁ ପ୍ରକାଶ ଯେ ଖଣ୍ଡଗିରି ଥାନା ଅନ୍ତର୍ଗତ ତପୋବନ ନିକଟ ସୀତାରାମ ବସ୍ତିରେ ପ୍ରାୟ ୬ମାସ ହେବ ଏହି କାରବାରର ମୁଖ୍ୟ ଡେଲାଙ୍ଗ ଗୁଣ୍ଠଳ ଗ୍ରାମର ପ୍ରଦୀପ ପ୍ରଧାନ ଏକ ଘର ଭଡା ନେଇ ରହୁଥିଲେ । ସେ ବିଭିନ୍ନ ସରକାରୀ ଦୋକାନରୁ ସ୍ପିରିଟ୍‍ ଓ ଦେଶୀ ମଦ (ଆସ୍କା-୪୦) କ୍ରୟ କରୁଥିଲେ । ଏଥିସହିତ ବିଭିନ୍ନ ସ୍ଥାନରୁ ଖାଲି ବୋତଲ ଓ ଲେବୁଲ ସଂଗ୍ରହ କରୁଥିଲେ । ଗୋଟିଏ ପେଟି ଦେଶୀମଦରେ ପାଣି ଓ ସ୍ପିରିଟ୍‍ ମିଶାଇ ତାକୁ ଦୁଇ ପେଟି କରି ଖୁଚୁରା ବେପାରୀଙ୍କ ଜରିଆରେ ରାଜଧାନୀର ବିଭିନ୍ନ ବସ୍ତିରେ ବିକ୍ରୟ କରୁଥିଲେ । ଖୋଲାଯାଇଥିବା ମଦ ବୋତଲକୁ ଡାମ୍ଫଣ ସାହାଯ୍ୟରେ ସିଲ୍‍ କରି ତା ଉପରେ ଲେବୁଲ ଲଗାଉଥିଲେ । ଅପମିଶ୍ରିତ ଦେଶୀମଦ ପରିବହନ ଲାଗି ତିନୋଟି ସ୍କୁଟି ବ୍ୟବହାର କରୁଥିଲେ । ଏଥିରୁ ଦୁଇଟିର ନମ୍ବର ନ ଥିବା ଜଣାପଡିଛି । ପ୍ରଦୀପଙ୍କ ଏହିସବୁ କାମରେ ପିଣ୍ଟୁ ଓ ସଞ୍ଜୟ ସହାୟତା କରୁଥିଲେ । ଏ ସମ୍ପର୍କରେ ସୂଚନା ମିଳିବା ପରେ ଅବକାରୀ ବିଭାଗ ପକ୍ଷରୁ ସେମାନଙ୍କ ଉପରେ ନଜର ରଖାଯାଇଥିଲା । ବୁଧବାର ସକାଳୁ ଚଢାଉ କରାଯାଇ ଅପମିଶ୍ରିତ ହୋଇ ବିକ୍ରିପାଇଁ ଯିବାକୁ ଥିବା ୧୫ପେଟି ଦେଶୀମଦ ଓ ଅନ୍ୟାନ୍ୟ ସାମଗ୍ରୀଜବତ କରାଯିବା ସହ ତିନିଜଣଙ୍କୁ ଗିରଫ କରାଯାଇଛି । ଏହି ଚଢାଉରେ ଜିଲା ଭ୍ରାମ୍ୟମାଣ ଇନ୍ସପେକ୍ଟର ଶରତ ଚନ୍ଦ୍ର ଭଞ୍ଜ, ଦେବୀପ୍ରସାଦ ଦାସ, ରଞ୍ଜନ ନାଏକ, ସମରଜିତ୍ ଦାସ, ସୁଜିତ୍‍ ମୁଦୁଲି ପ୍ରମୁଖ ସାମିଲ ଥିଲେ ।

Share in top social networks!
Powered By Indic IME