ୱାଲର୍ଡ ଫୁଡ୍ ଇଣ୍ଡିଆ-2017ରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

• ଉଦ୍ୟାନ କୃଷିରେ ବାର୍ଷିକ ହାରାହାରି 5.5 ପ୍ରତିଶତ ଅଭିବୃଦ୍ଧି

• ଗ୍ରୀନଫିଲ୍ଡ ନିବେଶରେ ଭାରତ ବିଶ୍ୱରେ ଏକ ନମ୍ବର

• ଭାରତରେ ନୂଆ ବ୍ୟବସାୟ ଆରମ୍ଭ କରିବା ପୂର୍ବ ତୁଳନାରେ ଏବେ ଅତ୍ୟନ୍ତ ସହଜ

• ନିବେଶ ବନ୍ଧୁ ପୋର୍ଟାଲର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

• ବିଶ୍ୱ ସୁପର ମାର୍କେଟ୍ ଚେନ୍ ପାଇଁ ଭାରତ ଆଣିଛି ବ୍ୟାପକ ସୁଯୋଗ

• ଭାରତରେ ପ୍ରତି ଦିନ ଟ୍ରେନରେ ଭୋଜନ କରନ୍ତି ଏକ ନିୟୁତରୁ ଅଧିକ ଯାତ୍ରୀ

• ପ୍ରଧାନମନ୍ତ୍ରୀ କିଷାନ ସମ୍ପଦ ଯୋଜନାରେ ଆସନ୍ତା 3-ବର୍ଷରେ 500 କୋଟି ଡଲାରର ନିବେଶର ସୁଯୋଗ

• ଏହି ଯୋଜନାରେ ଦୁଇ ନିୟୁତ ଚାଷୀଙ୍କୁ ମିଳିବ ଫାଇଦା ଓ ଏକ ନିୟୁତରୁ ଉର୍ଦ୍ଧ୍ଵ ନିଯୁକ୍ତି ସୁଯୋଗ ସଷ୍ଟିର ଲକ୍ଷ୍ୟ

• ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ଲାଗି ଗୋଟିଏ ଲେଖାଏଁ ସ୍ୱତନ୍ତ୍ର ଖାଦ୍ୟ ସାମଗ୍ରୀ ଚିହ୍ନଟ କରିବାକୁ ରାଜ୍ୟମାନଙ୍କୁ ଆହ୍ୱାନ

• ମଧୁ କ୍ରାନ୍ତି ପାଇଁ ଭାରତ ଏବେ ପରିପକ୍ୱ

• ଆଜି ଉନ୍ମୋଚିତ 24 ଟି ସ୍ମାରକୀ ଡାକଟିକଟରେ ଭାରତୀୟ ବ୍ୟଞ୍ଜନର ବିବିଧତା ପ୍ରତିଫଳିତ
ପୋଷ୍ଟ କରାଯିବା ଦିନାଙ୍କ: 03 NOV 2017 9:04PM by PIB Bhubaneshwar

ମହାମହିମ

ବାଣିଜ୍ୟ ଓ ଉଦ୍ୟୋଗର କ୍ୟାପଟେନମାନେ

ମହିଳା ଓ ଭଦ୍ରମଣ୍ଡଳୀ

ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରର ଆନ୍ତର୍ଜାତିକ ନେତୃତ୍ୱ ଓ ନୀତି ନିର୍ଦ୍ଧାରକମାନଙ୍କ ଏହି ସମାବେଶରେ ସାମିଲ ହୋଇ ମୁଁ ଅତ୍ୟନ୍ତ ଖୁସି । ମୁଁ ସମସ୍ତଙ୍କୁ ୱାଲର୍ଡ ଫୁଡ୍ ଇଣ୍ଡିଆ-2017କୁ ସ୍ୱାଗତ କରୁଛି ।

ଏହି କାର୍ଯ୍ୟକ୍ରମ ଆପଣଙ୍କୁ ଉକ୍ତ ସୁଯୋଗର ଏକ ଝଲକ ପ୍ରଦର୍ଶନ କରାଇବ ଯାହା ଭାରତରେ ଆପଣଙ୍କୁ ପ୍ରତୀକ୍ଷା କରିଛି । ଏହା ଖାଦ୍ୟ ପ୍ରକ୍ରିୟାକରଣର ମୂଲ୍ୟ ଶୃଙ୍ଖଳାରେ ଆମର କ୍ଷମତାକୁ ପ୍ରଦର୍ଶିତ କରାଇବ । ଏହା ବିଭିନ୍ନ ଅଂଶୀଦାରଙ୍କ ସହ ଯୋଡ଼ିବା ପାଇଁ ଏକ ମଂଚ ପ୍ରଦାନ କରିବ ଓ ପାରସ୍ପରିକ ସମୃଦ୍ଧି ପାଇଁ ସହଯୋଗ କରିବ । ଏହା ଆପଣମାନଙ୍କୁ ଆମର ସବୁଠୁ ସୁସ୍ୱାଦୁ ଭୋଜନରୁ କିଛି ଯାହାର ସମଗ୍ର ବିଶ୍ୱରେ ସ୍ୱାଦ ରହିଛ, ତାକୁ ଉପସ୍ଥାପିତ କରିବ ।

ଦେବୀ ଓ ସଜ୍ଜନମଣ୍ଡଳୀ

କୃଷିରେ ଭାରତର ସାମର୍ଥ୍ୟ ଅନେକ ରହିଛି ଓ ବିବିଧତା ରହିଛି । ଦ୍ୱିତୀୟ ସର୍ବବୃହତ୍ କୃଷିଯୋଗ୍ୟ ଭୂମି ଓ 127 ବିବିଧ କୃଷି ଜଳବାୟୁ କ୍ଷେତ୍ର ସହ ଅନେକ ଫସଲ ଯଥା କଦଳୀ, ଆମ୍ବ, ପିଜୁଳି, ଅମୃତଭଣ୍ଡା, ଭେଣ୍ଡି ଆଦି ଉତ୍ପାଦନ କ୍ଷେତ୍ରରେ ବିଶ୍ୱ ନେତୃତ୍ୱ ପ୍ରଦାନ କରିଛି । ଆମେ ଧାନ, ଗହମ, ମାଛ, ଫଳ ଓ ପନିପରିବା ଉତ୍ପାଦନ ମାମଲାରେ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛୁ । ସେହିପରି ଭାରତ ହେଉଛି ବିଶ୍ୱର ସର୍ବବୃହତ୍ ଦୁଗ୍ଧ ଉତ୍ପାଦନକାରୀ ରାଷ୍ଟ୍ର । ଆମର ଉଦ୍ୟାନ କୃଷି ଗତ 10ବର୍ଷ ହେଲା ବାର୍ଷିକ ହାରାହାରି 5.5 ପ୍ରତିଶତ ହାରରେ ଅଭିବୃଦ୍ଧି କରୁଛି ।

ଶହଶହ ବର୍ଷ ପୂର୍ବରୁ ଭାରତ ଅନ୍ୟ ଦେଶର ବ୍ୟବସାୟୀଙ୍କୁ ସ୍ୱାଗତ କରିଥିଲା, ଯେଉଁମାନେ ଆମର ସ୍ୱତନ୍ତ୍ର ମସାଲାର ଅନ୍ୱେଷଣରେ ଆସିଥିଲେ । ସେମାନଙ୍କର ଭାରତ ଗସ୍ତ, ଇତିହାସ ପାଠ୍ୟକ୍ରମରେ ସାମିଲ ହୋଇସାରିଛି । ମସଲା ମାଧ୍ୟମରେ ୟୁରୋପ ଓ ଦକ୍ଷିଣ ପୂର୍ବ ଏସିଆ ସହ ଆମର ବ୍ୟବସାୟିକ ସମ୍ପର୍କକୁ ନେଇ ସମସ୍ତେ ପରିଚିତ । ଏପରିକି ଖ୍ରୀଷ୍ଟୋଫର କଲମ୍ବସ୍ ମଧ୍ୟ ଭାରତୀୟ ମସଲା ପାଇଁ ଆକର୍ଷିତ ହୋଇ ଆମେରିକା ପହଂଚିଯାଇଥିଲେ । କାରଣ ସେ ଭାରତ ପାଇଁ ଏକ ବିକଳ୍ପ ସମୁଦ୍ର ମାର୍ଗ ଖୋଜିଥିଲେ ।

ଭାରତରେ ଖାଦ୍ୟ ପ୍ରକ୍ରିୟାକରଣ ହେଉଛି ଏକ ଜୀବନଶୈଳୀ । ଏଠାର ସାଧାରଣ ପରିବାରରେ ଏହା ଯୁଗଯୁଗ ଧରି ଅଭ୍ୟାସ କରାଯାଉଛି । ଘରଆଧାରିତ ସାଧାରଣ କୌଶଳ, ଯାହା ପଚିବା ପ୍ରକ୍ରିୟା ଦ୍ୱାରା ଆମର ପ୍ରସିଦ୍ଧ ଆଚାର, ପାମ୍ପଡ, ଚଟଣୀ ଓ ମୁରବା ପ୍ରସ୍ତୁତ ହୋଇପାରୁଛି ଏବଂ ଏହା ସାରା ବିଶ୍ୱରେ ଆଭିଜାତ୍ୟ ବର୍ଗ ଓ ସାଧାରଣ ଲୋକ – ଉଭୟଙ୍କୁ ଆକର୍ଷିତ କରୁଛି ।

ଦେବୀ ଓ ସଜ୍ଜନମଣ୍ଡଳୀ

ଆସନ୍ତୁ କିଛି ସମୟ ପାଇଁ ବଡ଼ ଚିନ୍ତା କରିବା –

ଭାରତ ଏବେ ବିଶ୍ୱର ସବୁଠୁ ଦ୍ରୁତ ଅଭିବୃଦ୍ଧି କରୁଥିବା ଗୋଟିଏ ଅର୍ଥବ୍ୟବସ୍ଥା । ବସ୍ତୁ ଓ ସେବା କର ବା ଜିଏସଟି ଯୋଗୁ ବହୁଳ ଟିକସର ଉଚ୍ଛେଦ ହୋଇଛି । ବିଶ୍ୱବ୍ୟାଙ୍କର ସହଜ ବ୍ୟବସାୟ ମାନ୍ୟତାରେ ଚଳିତବର୍ଷ ଭାରତ 30ଟି ସ୍ଥାନ ଉପରକୁ ଉଠିଛି । ଏହା ବର୍ତ୍ତମାନ ସୁଦ୍ଧା ଭାରତର ସବୁଠାରୁ ଭଲ ସୁଧାର ଓ ଚଳିତବର୍ଷରେ ଅନ୍ୟ କୌଣସି ରାଷ୍ଟ୍ର ତୁଳନାରେ ସର୍ବାଧିକ ଲମ୍ବା ଡିଆଁ । 2014ରେ 142ତମ ସ୍ଥାନରୁ ଏବେ ଭାରତ ଶୀର୍ଷ 100ରେ ପହଂଚିଛି ।

ଗ୍ରୀନଫିଲ୍ଡ ନିବେଶରେ ଭାରତ 2016 ମସିହାରେ ବିଶ୍ୱରେ ଏକ ନମ୍ବରରେ ଥିଲା । ଭାରତ ଗ୍ଲୋବାଲ ଇନୋଭେସନ୍ ସୂଚକାଙ୍କ, ଗ୍ଲୋବାଲ ଲଜିଷ୍ଟିକ୍ ସୂଚକାଙ୍କ ଓ ଗ୍ଲୋବାଲ କମ୍ପିଟେଟିଭନେସ ସୂଚକାଙ୍କ ଉପରେ ଦ୍ରୁତ ଗତିରେ ଉନ୍ନତି କରୁଛି ।

ଭାରତରେ ନୂଆ ବ୍ୟବସାୟ ଆରମ୍ଭ କରିବା ପୂର୍ବ ତୁଳନାରେ ଏବେ ଅତ୍ୟନ୍ତ ସହଜ ହୋଇଛି । ବିଭିନ୍ନ ଏଜେନ୍ସିଠାରୁ ଅନୁମୋଦନ/ମଂଜୁରି ହାସଲ କରିବାର ପ୍ରକ୍ରିୟା ସରଳୀକୃତ ହୋଇଛି । ପୁରୁଣା ଆଇନକୁ ଉଚ୍ଛେଦ କରାଯାଇଛି ଓ ଅନୁପାଳନର ବୋଝ ମଧ୍ୟ କମ୍ ହୋଇଛି ।

ଏବେ ନିର୍ଦ୍ଦିଷ୍ଟ ଭାବେ ଖାଦ୍ୟ ପ୍ରକ୍ରିୟାକରଣକୁ ଆସନ୍ତୁ ।

ସରକାର ଆର୍ଥିକ ସଂସ୍କାର ପ୍ରକ୍ରିୟାର ଏକ ସିରିଜ୍ ଆରମ୍ଭ କରିଛନ୍ତି । ଏହି କ୍ଷେତ୍ରରେ ଭାରତ ଏବେ ସବୁଠାରୁ ପସନ୍ଦଯୋଗ୍ୟ ଗନ୍ତବ୍ୟ ସ୍ଥଳ ପାଲଟିଛି । ଏହା ଆମର ‘ମେକ୍ ଇନ୍ ଇଣ୍ଡିଆ’ କାର୍ଯ୍ୟକ୍ରମରେ ପ୍ରାଥମିକତା କ୍ଷେତ୍ର ପାଲଟିଛି । ଭାରତରେ ନିର୍ମିତ ଅବା ଉତ୍ପାଦିତ ଖାଦ୍ୟ ସାମଗ୍ରୀର ଇ-କମର୍ସ ମାଧ୍ୟମରେ କାରବାର ସମେତ ଏବେ ଶତ ପ୍ରତିଶତ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିନିବେଶକୁ ଅନୁମତି ମିଳିଛି । ବିଦେଶୀ ନିବେଶକଙ୍କ ସୁବିଧା ପାଇଁ ଏବେ ସିଙ୍ଗଲ ୱିଣ୍ଡୋ ସୁବିଧା ସେଲ୍ ଉପଲବ୍ଧ କରାଯାଉଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଏବେ ଅନେକ ଆକର୍ଷଣୀୟ ଆର୍ଥିକ ପ୍ରୋତ୍ସାହନ ମଧ୍ୟ ଯୋଗାଇ ଦିଆଯାଉଛି । ଖାଦ୍ୟ ଓ କୃଷି ଆଧାରିତ ୟୁନିଟ୍ ଓ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ଋଣ ପ୍ରଦାନକୁ ପ୍ରାଥମିକତା କ୍ଷେତ୍ର ଋଣ ଭାବେ ବର୍ଗୀକୃତ କରାଯାଇଛି । ଯାହାଫଳରେ ସେମାନଙ୍କୁ ଋଣ ପାଇବା ସହଜ ଓ ଶସ୍ତା ହୋଇଛି ।

ଏକ ଅଭିନବ ପୋର୍ଟାଲ – ନିବେଶ ବନ୍ଧୁ ବା ‘ନିବେଶକଙ୍କ ବନ୍ଧୁ’କୁ ଆମେ ନିକଟରେ ଆରମ୍ଭ କରିଛୁ । ଯେଉଁଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନୀତି ସମ୍ପର୍କରେ ସୂଚନାକୁ ଏକତ୍ର କରିବା ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଦିଆଯାଉଥିବା ପ୍ରୋତ୍ସାହନକୁ ଉଲ୍ଲେଖ କରାଯାଇଛି । ଏହା ପ୍ରକ୍ରିୟାକରଣ ଆବଶ୍ୟକତା ସହ ସ୍ଥାନୀୟ ସ୍ତରରେ ସମ୍ବଳର ମାର୍ଗଚିତ୍ର(Roadmap) ପ୍ରସ୍ତୁତ କରିଥାଏ । ଏହା ଚାଷୀ, ପ୍ରକ୍ରିୟାକରଣକାରୀ, ବ୍ୟବସାୟୀ ଓ ଲଜିଷ୍ଟିକ୍ ଅପରେଟରଙ୍କ ପାଇଁ ବ୍ୟବସାୟିକ ନେଟୱାର୍କର ଏକ ପ୍ଲାଟଫର୍ମ ହୋଇଛି ।

ବନ୍ଧୁଗଣ,

ମୂଲ୍ୟ ଶୃଙ୍ଖଳାର ଅନେକ କ୍ଷେତ୍ରରେ ଘରୋଇ ଭାଗିଦାରୀ ବୃଦ୍ଧି ପାଇବାରେ ଲାଗିଛି । ଅବଶ୍ୟ ଚୁକ୍ତିଭିତ୍ତିକ ଚାଷ, କଂଚା ମାଲର ସୋର୍ସିଂ ଓ କୃଷି ଲିଙ୍କେଜ୍ ପାଇଁ ଅଧିକ ନିବେଶର ଆବଶ୍ୟକତା ରହିଛି । ଅନେକ ଆନ୍ତର୍ଜାତିକ କମ୍ପାନୀ ଭାରତରେ ଚୁକ୍ତିଭିତ୍ତିକ ଚାଷ ପ୍ରୟାସରେ ଅଗ୍ରଣୀ ଭୂମିକା ତୁଲାଉଛନ୍ତି । ଏହା ଭାରତରେ ପ୍ରମୁଖ ଆଉଟସୋର୍ସିଂ ହବ୍ ଭାବେ ବିବେଚିତ ବିଶ୍ୱ ସୁପର ମାର୍କେଟ୍ ଚେନ୍ ପାଇଁ ଏକ ସ୍ପଷ୍ଟ ସୁଯୋଗ ।

ଗୋଟିଏ ପଟେ ପ୍ରାଥମିକ ପ୍ରକ୍ରିୟାକରଣ ଓ ମହଜୁଦ, ସଂରକ୍ଷଣ ଭିତ୍ତିଭୂମି, ଶୀତଳ ଭଣ୍ଡାର ଓ ଶୀତଳୀକୃତ ପରିବହନ ଆଦି ଭଳି ଫସଲ ପରେ ପରିଚାଳନାର ଅନେକ ସୁଯୋଗ ରହିଛି । ଅନ୍ୟପଟେ ଖାଦ୍ୟ ପ୍ରକ୍ରିୟାକରଣ ଓ ମୂଲ୍ୟଯୁକ୍ତ ପାଇଁ ବିଶେଷକରି ଜୈବିକ ଓ ଫୋର୍ଟିଫାଏଡ୍ ଖାଦ୍ୟ କ୍ଷେତ୍ରରେ ବହୁତ ଅଧିକ ସମ୍ଭାବନା ରହିଛି ।

ସହରୀକରଣର ବୃଦ୍ଧି ଓ କ୍ରମବର୍ଦ୍ଧିଷ୍ଣୁ ମଧ୍ୟବିତ ବର୍ଗର ପରିଣାମ ସ୍ୱରୂପ ପ୍ରୋସେଡ୍ ଫୁଡ୍ ଚାହିଦା ନିରନ୍ତର ବଢ଼ିବାରେ ଲାଗିଛି । ମୁଁ ଆପଣମାନଙ୍କୁ ଗୋଟିଏ ପରିସଂଖ୍ୟାନ ସହ ଅବଗତ କରାଉଛି । ଭାରତରେ ପ୍ରତ୍ୟେକ ଦିନ ଏକ ନିୟୁତରୁ ଅଧିକ ଯାତ୍ରୀଙ୍କୁ ଟ୍ରେନ୍ ରେ ଭୋଜନ କରିଥାନ୍ତି । ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ, ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ପାଇଁ ଜଣେ ଳେଖାଏଁ ସମ୍ଭାବ୍ୟ ଗ୍ରାହକ । ଏଭଳି ବୃହତ୍ ସୁଯୋଗ ଏବେ ହାତେଇବା ପାଇଁ ଅପେକ୍ଷା କରିଛନ୍ତି ନିବେଶକାରୀ ।

ଦେବୀ ଓ ସଜ୍ଜନମଣ୍ଡଳୀ

ଜୀବନଶୈଳୀର ରୋଗ ଏବେ ସମଗ୍ର ବିଶ୍ୱରେ ଖାଉଥିବା ଖାଦ୍ୟର ମାନ ଓ ଗୁଣବତ୍ତା ପ୍ରତି ସଚେତନତା ସୃଷ୍ଟି କରାଇଛି । କୃତ୍ରିମ ରଙ୍ଗ, କେମିକାଲ ଓ ସଂରକ୍ଷଣର ଉପଯୋଗ ପ୍ରତି ଘୃଣା ଭାବେ ବଢ଼ିଛି । ଭାରତ ଏହାର ସମାଧାନ ଯୋଗାଇ ପାରିବ ଓ ଭାଗିଦାରୀରେ ଜିତିବାର ପ୍ରସ୍ତାବ ମଧ୍ୟ ଦେଉଛି । ପାରମ୍ପରିକ ଭାରତୀୟ ଖାଦ୍ୟରେ ଆଧୁନିକ ଜ୍ଞାନକୌଶଳ, ପ୍ରକ୍ରିୟାକରଣ ଓ ପ୍ୟାକେଜିଂ ସମ୍ମିଶ୍ରଣ ଦ୍ୱାରା ଭାରତୀୟ ଖାଦ୍ୟ ସାମଗ୍ରୀ ଯଥା ହଳଦୀ, ଅଦା ଓ ତୁଳସୀ ଭଳି କିଛି ନାଁ ନେଉଛି ଯାହାର ସତେଜ ସ୍ୱାଦକୁ ଜାଣିବା ଓ ସ୍ୱାସ୍ଥ୍ୟଗତ ଫାଇଦା ବିଶ୍ୱ ପୁନଃପ୍ରାପ୍ତ କରିବାରେ ସହାୟକ ହେବ । ସ୍ୱଚ୍ଛ, ପୃଷ୍ଟିକର ଓ ସ୍ୱାଦିଷ୍ଟ ପ୍ରକ୍ରିୟାକୃତ ଖାଦ୍ୟ ପଦାର୍ଥର ସଠିକ୍ ମିଶ୍ରଣ ସହ ଅତିରିକ୍ତ ଭାବେ ପ୍ରତିଷେଧକ ସ୍ୱାସ୍ଥ୍ୟର ଯତ୍ନ ଥିବା ଫାଇଦା ମିଶାଇ ଏଠି ଭାରତରେ ଆର୍ଥିକ ଦୃଷ୍ଟିରୁ ଉତ୍ପାଦନ କରିହେବ ।

ଭାରତରେ ପ୍ରକ୍ରିୟାକୃତ ଖାଦ୍ୟ ଆନ୍ତର୍ଜାତିକ ଗୁଣାତ୍ମକ ମାନ ସହ ମେଳ ଖାଉଛି କି ନାହିଁ ତାହା ସୁନିଶ୍ଚିତ କରିବାରେ ଭାରତରେ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ ଲାଗିଛି । କୋଡେକ୍ସ ସହ ଖାଦ୍ୟ ପଦାର୍ଥର ମାନକ ଅନୁରୂପ, ସୁଦୃଢ଼ ପରୀକ୍ଷା ଓ ପରୀକ୍ଷାଗାର ଭିତ୍ତିଭୂମି ନିର୍ମାଣ ଖାଦ୍ୟ ବ୍ୟବସାୟ ପାଇଁ ଏକ ସକ୍ଷମ ପରିବେଶ ପ୍ରସ୍ତୁତ କରିବାରେ ଏକ ଦୀର୍ଘ ଯାତ୍ରା ନିର୍ଦ୍ଧାରଣ କରିବ ।

ଦେବୀ ଓ ସଜ୍ଜନମଣ୍ଡଳୀ

ଚାଷୀ ଯାହାକୁ ଆମେ ସମ୍ମାନପୂର୍ବକ ଆମର ‘ଅନ୍ନଦାତା’ ଅବା ଖାଦ୍ୟ ପ୍ରଦାନକାରୀ କହୁଛୁ, ଖାଦ୍ୟ ପ୍ରକ୍ରିୟାକରଣରେ ଆମର ପ୍ରୟାସରେ ସେମାନେ କେନ୍ଦ୍ର ବିନ୍ଦୁରେ ଅଛନ୍ତି । ଆମେ 5ବର୍ଷ ଭିତରେ ଚାଷର ଆୟକୁ ଦ୍ୱିଗୁଣ କରିବାର ଏକ ଲକ୍ଷ୍ୟ ନିର୍ଦ୍ଧାରଣ କରିଛୁ । ଆମେ ବିଶ୍ୱସ୍ତରର ଖାଦ୍ୟ ପ୍ରକ୍ରିୟାକରଣ ଭିତ୍ତିଭୂମି ସୃଷ୍ଟି ପାଇଁ ନିକଟରେ ଜାତୀୟସ୍ତରରେ ଏକ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ କିଷାନ ସମ୍ପଦ ଯୋଜନା ଆରମ୍ଭ କରିଛୁ । ଆଶା କରୁଛୁ ଆସନ୍ତା 3ବର୍ଷ ମଧ୍ୟରେ 500 କୋଟି ଆମେରିକୀୟ ଡଲାରର ନିବେଶକୁ ଆକର୍ଷଣ କରି ଦୁଇ ନିୟୁତ ଚାଷୀଙ୍କୁ ଫାଇଦା ଓ ଏକ ନିୟୁତରୁ ଉର୍ଦ୍ଧ୍ଵ ନିଯୁକ୍ତି ସୁଯୋଗ ସଷ୍ଟି ପାଇଁ ଲକ୍ଷ୍ୟ ରଖିଛୁ । ମେଗା ଫୁଡ୍ ପାର୍କର ନିର୍ମାଣ ଏହି ଯୋଜନାର ଏକ ମହତ୍ୱପୂର୍ଣ୍ଣ ଉପାଦାନ । ଏହି ଫୁଡ୍ ପାର୍କ ମାଧ୍ୟମରେ ଆମେ ପ୍ରମୁଖ ଉତ୍ପାଦନ କେନ୍ଦ୍ର ସହ କୃଷି ପ୍ରକ୍ରିୟାକରଣ (ଆଗ୍ରୋ-ପ୍ରୋସେସିଂ) ସଂସ୍କୃତିକୁ ଯୋଡ଼ିବାର ଲକ୍ଷ୍ୟ ରଖିଛୁ । ଏହା ଆଳୁ, ସପୁରୀ, କମଳା ଓ ସେଓ ଭଳି ଫସଲରେ ଅତ୍ୟନ୍ତ ଅଧିକ ଫଳପ୍ରଦ ହେବ । ଚାଷୀଙ୍କ ଗୋଷ୍ଠୀକୁ ଏସବୁ ପାର୍କ ୟୁନିଟ୍ ସ୍ଥାପନ କରିବା ପାଇଁ ପ୍ରୋତ୍ସାହିତ କରାଯାଉଛି । ଯାହାଫଳରେ ଫଳ, ପନିପରିବାର ନଷ୍ଟଶିଳତାକୁ ହ୍ରାସ କରିବା ସହ ପରିବହନ ଖର୍ଚ୍ଚ ଓ ନୂଆ ନିଯୁକ୍ତି ସୃଷ୍ଟି କରିହେବ । ଏଭଳି ୯ଟି ପାର୍କ ଇତିମଧ୍ୟରେ କାର୍ଯ୍ୟକ୍ଷମ ହୋଇସାରିଲାଣି ଓ ସମଗ୍ର ଦେଶରେ ଅନ୍ୟ 30ରୁ ଉର୍ଦ୍ଧ୍ଵ ପାର୍କ ଆସିବା ଅପେକ୍ଷାରେ ରହିଛି ।

ଶେଷ ସ୍ଥାନରେ ସେବା ପ୍ରଦାନରେ ଉନ୍ନୀତିକରଣ ପାଇ ଆମେ ଡିଜିଟାଲ ଟେକ୍ନୋଲଜି ଉପଲବ୍ଧତା ବୃଦ୍ଧି ମାଧ୍ୟମରେ ଶାସନରେ ସୁଧାର କରୁଛୁ । ଆମେ ନିଜ ଗାଁକୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ବ୍ରଡବ୍ୟାଣ୍ଡ ସଂଯୋଗ ମାଧ୍ୟମରେ ଯୋଡ଼ିବାକୁ ଯୋଜନା କରୁଛୁ । ଆମେ ଭୂମି ରେକର୍ଡକୁ ଡିଜିଟାଲକରଣ କରୁଛୁ ଓ ମୋବାଇଲ ପ୍ଲାଟଫର୍ମରେ ଲୋକଙ୍କୁ ବିଭିନ୍ନ ସେବା ପ୍ରଦାନ କରୁଛୁ । ଏହି ପଦକ୍ଷେପ ଚାଷୀଙ୍କୁ ସୂଚନା, ଜ୍ଞାନ ଓ କୌଶଳର ବାସ୍ତବିକ ସମୟରେ ହସ୍ତାନ୍ତର ଦିଗକୁ ଗତିଶୀଳ କରିଛି । ଆମର ଜାତୀୟ କୃଷି ବଜାର ଇ-ଏନ୍ଏଏମ୍(E-NAM) ସମଗ୍ର ଦେଶରେ ଆମର କୃଷି ବଜାରକୁ ସଂଯୋଗ କରୁଛି । ଯାହାଫଳରେ ଆମର ଚାଷୀଙ୍କୁ ପ୍ରତିଯୋଗିତାମୂଳକ ମୂଲ୍ୟ ନିର୍ଦ୍ଧାରଣର ଫାଇଦା, ଚୟନରେ ସ୍ୱାଧୀନତା ମିଳିବ ।

ସମବାୟ ଓ ସଂଘୀୟ ପ୍ରତିଯୋଗିତାର ବାସ୍ତବ ଭାବନାରେ ଆମ ରାଜ୍ୟ ସରକାରମାନେ ମଧ୍ୟ ପ୍ରକ୍ରିୟାକୁ ସରଳ କରିବାରେ କେନ୍ଦ୍ର ସରକାରଙ୍କ ପ୍ରୟାସ ସହ ଜଡ଼ିତ ଅଛନ୍ତି । ନିବେଶ ଆକର୍ଷିତ କରିବା ପାଇଁ କେତେକ ରାଜ୍ୟ ଆକର୍ଷକ ଖାଦ୍ୟ ପ୍ରକ୍ରିୟାକରଣ ନୀତି ସହ ଆଗେଇ ଆସିଛନ୍ତି । ମୁଁ ଭାରତର ପ୍ରତ୍ୟେକ ରାଜ୍ୟକୁ ଅତ୍ୟନ୍ତ ପକ୍ଷେ ଗୋଟିଏ ଲେଖାଏ ଖାଦ୍ୟ ସାମଗ୍ରୀରେ ସ୍ୱତନ୍ତ୍ରତା ଚିହ୍ନଟ କରିବାକୁ ଆହ୍ୱାନ କରୁଛି । ସେହିପରି ପ୍ରତ୍ୟେକ ଜିଲ୍ଲା ମଧ୍ୟ କେତେକ ଖାଦ୍ୟ ସାମଗ୍ରୀର ଉତ୍ପାଦନ ଓ ସେଥିରୁ ଗୋଟିଏରେ ସ୍ୱତନ୍ତ୍ରତା ଚିହ୍ନଟ କରନ୍ତୁ ।

ଦେବୀ ଓ ସଜ୍ଜନମଣ୍ଡଳୀ

ଆଜି ଆମର ସୁଦୃଢ଼ କୃଷି ଆଧାର ଆମକୁ ଏକ ଜୀବନ୍ତ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର ପ୍ରସ୍ତୁତ ପାଇଁ ଏକ ଠୋସ୍ ଲଂଚ ପ୍ୟାଡ୍ ପ୍ରଦାନ କରୁଛି । ଆମର ବିଶାଳ ଖାଉଟି ଆଧାରିତ, କ୍ରମବର୍ଦ୍ଧିଷ୍ଣୁ ଆୟ, ନିବେଶ ପାଇଁ ଅନୁକୂଳ ପରିବେଶ ଓ ସହଜ ବ୍ୟବସାୟ ପଦ୍ଧତି ପ୍ରତି ସମର୍ପିତ ସରକାର ଆଦି ଭାରତକୁ ଆନ୍ତର୍ଜାତିକ ଖାଦ୍ୟ ପ୍ରକ୍ରିୟାକରଣ ସମୁଦାୟରେ ସ୍ଥାନ ପ୍ରଦାନ କରିଛି ।

ଭାରତରେ ଖାଦ୍ୟ ଉଦ୍ୟୋଗର ପ୍ରତ୍ୟେକ ଉପ-କ୍ଷେତ୍ରରେ ବହୁତ ଅଧିକ ସୁଯୋଗ ଉପଲବ୍ଧ ଅଛି । ସେଥିରୁ ମୁଁ ଆପଣଙ୍କୁ କିଛି ଚିତ୍ର ପ୍ରଦାନ କରୁଛି ।

ଗ୍ରାମାଂଚଳ ଅର୍ଥବ୍ୟବସ୍ଥା ପାଇଁ ଦୁଗ୍ଧ ଉତ୍ପାଦନ କ୍ଷେତ୍ର ଏକ ମହତ୍ୱପୂର୍ଣ୍ଣ କ୍ଷେତ୍ର । ଆମେ ଏବେ ଏହି ଦୁଗ୍ଧ ଆଧାରିତ ଉତ୍ପାଦନସ୍ତରକୁ ବହୁମୁଖୀ ସାମଗ୍ରୀକୁ ବୃଦ୍ଧି କରି ପରବର୍ତ୍ତୀ ପର୍ଯ୍ୟାୟକୁ ନେଇଯିବାକୁ ଲକ୍ଷ୍ୟ ରଖିଛୁ ।

ମହୁ ହେଉଛି ମାନବ ଜାତି ପାଇଁ ପ୍ରକୃତିର ଉପହାର । ଏହି ମହୁମାଛି ମହମ ଭଳି କେତେକ ମୂଲ୍ୟବାନ ଉପ ସାମଗ୍ରୀ ପ୍ରଦାନ କରିଥାନ୍ତି । ଏହା ମାଧ୍ୟମରେ କୃଷି ଆୟରେ ବୃଦ୍ଧିର କ୍ଷମତା ରହିଛି । ଏବେ ଆମେ ମଧୁ ଉତ୍ପାଦନ ଓ ରପ୍ତାନୀରେ ଷଷ୍ଠ ସ୍ଥାନରେ ରହିଛୁ । ମଧୁ କ୍ରାନ୍ତି ପାଇଁ ଭାରତ ଏବେ ପରିପକ୍ୱ । ଭାରତରେ ବିଶ୍ୱରେ ମାଛ ଉତ୍ପାଦନରେ 6 ପ୍ରତିଶତ ଭାଗିଦାର ରହିଛି । ଆମେ ବିଶ୍ୱରେ ଦ୍ୱିତୀୟ ସର୍ବବୃହତ୍ ଚିଙ୍ଗୁଡି ରପ୍ତାନୀକାରୀ । ଭାରତ ପ୍ରାୟ 95ଟି ରାଷ୍ଟ୍ରକୁ ମାଛ ଓ ମାଛଜାତ ସାମଗ୍ରୀ ରପ୍ତାନୀ କରୁଛି । ଆମେ ନୀଳ କ୍ରାନ୍ତି ମାଧ୍ୟମରେ ସାମୁଦ୍ରିକ ଅର୍ଥବ୍ୟବସ୍ଥାରେ ଏକ ଲମ୍ଫ ମାରିବାର ଲକ୍ଷ୍ୟ ରଖିଛୁ । ଅନପଯୁକ୍ତ କ୍ଷେତ୍ରର ବିକାଶ ଆମର ଲକ୍ଷ୍ୟ । ଯେମିତି ରଙ୍ଗବେରଙ୍ଗ ମାଛ ପାଳନ ଓ ସାଲମନ ଜାତୀୟ ମାଛ ଚାଷ । ସେହିପରି ମୋତି ଚାଷ ଭଳି ନୂଆ କ୍ଷେତ୍ରକୁ ମଧ୍ୟ ଆମେ ଅନ୍ୱେଷଣ କରିବାକୁ ଇଚ୍ଛା ରଖିଛୁ ।

ସ୍ଥାୟୀ ବିକାଶ ପ୍ରତି ଆମର ପ୍ରତିବଦ୍ଧତା ହିଁ ଜୈବିକ ଚାଷ ଉପରେ ଆମର ଗୁରୁତ୍ୱର କେନ୍ଦ୍ର । ଉତ୍ତର ପୂର୍ବ ଭାରତର ରାଜ୍ୟ ସିକିମ ଏବେ ଭାରତର ପ୍ରଥମ ସମ୍ପୂର୍ଣ୍ଣ ଜୈବିକ ରାଜ୍ୟ ପାଲଟିଛି । ସମଗ୍ର ଉତ୍ତର ପୂର୍ବରେ ଜୈବିକ ଉତ୍ପାଦନ ପାଇଁ କାର୍ଯ୍ୟାତ୍ମକ ଭିତ୍ତିଭୂମି ସୃଷ୍ଟି କରିବାର ସୁଯୋଗ ଉପଲବ୍ଧ ରହିଛି । ବନ୍ଧୁଗଣ

ଭାରତୀୟ ବଜାରରେ ସଫଳ ହେବା ପାଇଁ ଭାରତୀୟ ଭୋଜନର ଅଭ୍ୟାସ ଓ ସ୍ୱାଦକୁ ବୁଝିବା ଏକ ମହତ୍ୱପୂର୍ଣ୍ଣ ଆବଶ୍ୟକତା । ଆପଣଙ୍କୁ କେବଳ ଗୋଟିଏ ଉଦାହରଣ ଦେବି । ଦୁଗ୍ଧ ଆଧାରିତ ଉତ୍ପାଦ ଓ ଫଳରସ ଆଧାରିତ ପାନୀୟ ଭାରତୀୟ ଭୋଜନ ଅଭ୍ୟାସର ଏକ ଅତିରିକ୍ତ ଅଂଶବିଶେଷ । ଏଇଥିପାଇଁ ମୁଁ ଗ୍ୟାସଭିତ୍ତିକ ପାନୀୟ ନିର୍ମାତାଙ୍କୁ ପରାମର୍ଶ ଦେଉଛି କି ସେମାନେ ନିଜର ସାମଗ୍ରୀରେ 5 ପ୍ରତିଶତ ଫଳ ରସ ସାମିଲ କରିବାର ସମ୍ଭାବନା ସୃଷ୍ଟି କରନ୍ତୁ । ଖାଦ୍ୟ ପ୍ରକ୍ରିୟାକରଣରେ ପୃଷ୍ଟିକର ସୁରକ୍ଷାର ସମାଧାନ ମଧ୍ୟ ରହିଛି । ଉଦାହରଣ ସ୍ୱରୂପ ଆମର ମୋଟା ଖାଦ୍ୟଶସ୍ୟ ଓ ବାଦମରେ ଉଚ୍ଚ ପୃଷ୍ଟିକର ରହିଛି । ତାହା ପ୍ରତିକୂଳ କୃଷି ଜଳବାୟୁ ପରିସ୍ଥିତିର ସମ୍ମୁଖୀନ ମଧ୍ୟ ହୋଇପାରିବ । ତାକୁ ‘ଉଚ୍ଚ ପୃଷ୍ଟିକର ଓ ସ୍ମାର୍ଟ ଜଳବାୟୁ’ ଫସଲ ବୋଲି କୁହାଯାଇପାରେ । କ’ଣ ଆମେ ଏହି ଅଧାରିତ ଉଦ୍ୟୋଗ ଆଣିପାରିବା । ଏହା ଦ୍ୱାରା ଆମର ସବୁଠୁ ଗରିବ ଚାଷୀଙ୍କ ଉପାର୍ଜନ ବୃଦ୍ଧି ପାଇବ ଓ ପୃଷ୍ଟିକର ସ୍ତର ମଧ୍ୟ ବଢ଼ିବ । ଏସବୁ ଉତ୍ପାଦନ ନିଶ୍ଚିତ ଭାବେ ବିଶ୍ୱରେ ଗୁଞ୍ଜରଣ ସୃଷ୍ଟି କରିବ ।

କ’ଣ ଆମେ ବିଶ୍ୱର ଆବଶ୍ୟକତାକୁ ଆମର ସାମର୍ଥ୍ୟକୁ ଯୋଡ଼ିପାରିବା । କ’ଣ ଆମେ ମାନବତାର ଭବିଷ୍ୟତ ସହ ଭାରତୀୟ ପରମ୍ପରାକୁ ଯୋଡ଼ିପାରିବା । କ’ଣ ଆମେ ସମଗ୍ର ବିଶ୍ୱର ବଜାର ସହ ଭାରତର ଚାଷୀଙ୍କୁ ଯୋଡ଼ିପାରିବା । ଏହା ଏଭଳି କିଛି ପ୍ରଶ୍ନ ଯାହାକୁ ମୁଁ ଆପଣମାନଙ୍କ ପାଖରେ ଛାଡ଼ି ଯିବାକୁ ଚାହୁଁଛି ।

ମୋର ବିଶ୍ୱାସ ଅଛି କି ୱାଲର୍ଡ ଫୁଡ୍ ଇଣ୍ଡିଆ ଏ ଦିଗରେ କିଛି ଠୋସ୍ ପଦକ୍ଷେପ ନେବ । ଏହା ଆମର ସମୃଦ୍ଧ ଖାଦ୍ୟପ୍ରସ୍ତୁତି ପରିଦୃଶ୍ୟରେ ବହୁମୂଲ୍ୟ ଅନ୍ତଦୃଷ୍ଟି ମଧ୍ୟ ପ୍ରଦାନ କରିବ ଓ ଖାଦ୍ୟ ପ୍ରକ୍ରିୟାକରଣ ସମ୍ପର୍କରେ ଆମର ପ୍ରାଚୀନ ଜ୍ଞାନକୁ ଉଜାଗର କରିବ ।

ମୁଁ ଖୁସି ଯେ ଭାରତୀୟ ଡାକ ବିଭାଗ ଏହି ଅବସରରେ 24ଟି ସ୍ମାରକ ଡାକ ଟିକେଟ୍ ର ଏକ ସେଟ୍ ଜାରି କରିଛି ଯେଉଁଥିରେ କି ଆମ ଭାରତୀୟ ବ୍ୟଞ୍ଜନର ବିବିଧତାକୁ ସ୍ପଷ୍ଟ ରେଖାଙ୍କିତ କରାଯାଇଛି ।

ଦେବୀ ଓ ସଜ୍ଜନମଣ୍ଡଳୀ

ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଭାରତର ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରର ରୋମାଂଚକ ବିକାଶ ଯାତ୍ରାର ଅଂଶବିଶେଷ ହେବାକୁ ନିମନ୍ତ୍ରଣ କରୁଛି । ମୁଁ ଆପଣମାନଙ୍କୁ ହୃଦୟର ସହ ସମର୍ଥନର ଆଶ୍ୱାସନା ଦେଉଛି । ଯେତେବେଳେ ଆବଶ୍ୟକ ପଡ଼ିବ ଆସନ୍ତୁ ।

ଆସନ୍ତୁ । ଭାରତରେ ନିବେଶ କରନ୍ତୁ ।

ଚାଷଠୁ କଣ୍ଟା(ନିକିତି) ପର୍ଯ୍ୟନ୍ତ ଅସୀମିତ ସୁଯୋଗର ସ୍ଥାନ

ଉତ୍ପାଦନ, ପ୍ରକ୍ରିୟା ଓ ସମୃଦ୍ଧ ହେବାର ସ୍ଥଳ

ଭାରତ ଓ ବିଶ୍ୱ ପାଇଁ

ଧନ୍ୟବାଦ ।

Share in top social networks!
Powered By Indic IME