ଡ୍ରୋନର ବେସାମରିକ ବ୍ୟବହାର ପାଇଁ ନୂଆ ନିୟମ

• କେବଳ ଦିନ ବେଳା 200 ଫୁଟରୁ କମ୍ ଉଚ୍ଚତାରେ ଉଡ଼ିବ ଡ୍ରୋନ
• ମଣିଷ, ପଶୁ କିମ୍ବା କୌଣସି କ୍ଷତିକାରକ ଦ୍ରବ୍ୟ ପରିବହନ ପାଇଁ ମିଳିବନି ଅନୁମତି
drone
ରିମୋଟଲି ପାଇଲଟେଡ ଏୟାରକ୍ରାଫ୍ଟସ ସିଷ୍ଟମ ବା ଡ୍ରୋନର ବେସାମରିକ ବ୍ୟବହାର ନେଇ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ ଚିଠା ନିୟମ ଘୋଷଣା କରାଯାଇଛି । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଅଶୋକ ଗଜପତି ରାଜୁ ଓ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହ୍ନା ଗଣମାଧ୍ୟମକୁ ଚିଠା ନିୟମ ସମ୍ପର୍କରେ ସୂଚନା ଦେଇଛନ୍ତି ।

ମାନବ ବିହୀନ ଏୟାରକ୍ରାଫ୍ଟ ସିଷ୍ଟମ (UAS)ର ଚିଠା ନିୟମ ଅନୁସାରେ ସର୍ବାଧିକ ଓଜନ ବହନ କରିବାର କ୍ଷମତା ଅନୁଯାୟୀ ଡ୍ରୋନଗୁଡ଼ିକୁ ନିମ୍ନଲିଖିତ ବର୍ଗରେ ରଖାଯାଇଛି:

1. ନାନୋ: 250 ଗ୍ରାମ କିମ୍ବା ତା’ ଠାରୁ କମ୍

2. ମାଇକ୍ରୋ: 250 ଗ୍ରାମରୁ ଅଧିକ ଏବଂ 2 କିଲୋ କିମ୍ବା ତା’ ଠାରୁ କମ୍

3. ମିନି: 2 କିଲୋଗ୍ରାମରୁ ଅଧିକ ଏବଂ 25 କିଲୋ କିମ୍ବା ତା’ ଠାରୁ କମ୍

4. ସ୍ମଲ୍: 25 କିଲୋଗ୍ରାମରୁ ଅଧିକ ଏବଂ 150 କିଲୋ କିମ୍ବା ତା’ ଠାରୁ କମ୍

5. ଲାର୍ଜ: 150 କିଲୋଗ୍ରାମରୁ ଅଧିକ

ଚିଠା ନିୟମ ଅନୁସାରେ ସମସ୍ତ ଡ୍ରୋନ୍ କେବଳ ଦିନ ବେଳା ଦୃଶ୍ୟମାନ ସ୍ତରରେ ଏବଂ 200 ଫୁଟରୁ କମ୍ ଉଚ୍ଚତାରେ ଉଡ଼ିବ । ମଣିଷ, ପଶୁ କିମ୍ବା କୌଣସି କ୍ଷତିକାରକ ଦ୍ରବ୍ୟ ପରିବହନ ପାଇଁ ଅନୁମତି ମିଳିବ ନାହିଁ ।

ନାନୋ ଶ୍ରେଣୀର ଡ୍ରୋନ୍ ବ୍ୟତୀତ ଅନ୍ୟ ସମସ୍ତ ବ୍ୟାବସାୟିକ ଶ୍ରେଣୀର ଡ୍ରୋନ୍ ଏବଂ ସରକାରୀ ନିରାପତ୍ତା ସଂସ୍ଥା ଦ୍ୱାରା ବ୍ୟବହୃତ ଡ୍ରୋନ୍ ୟୁନିକ୍ ଆଇଡେଂଟିଫିକେସନ ନମ୍ବର (UIN) ଆଧାରରେ ଡିଜିସିଏ ଦ୍ୱାରା ପଂଜିକୃତ ହେବ । ମିନି ଏବଂ ଏହାଠାରୁ ଉଚ୍ଚ ଶ୍ରେଣୀର ଡ୍ରୋନ୍ ଗୁଡ଼ିକ ପାଇଁ ମାନବ ବିହୀନ ଏୟାରକ୍ରାଫ୍ଟ ପରମିଟ୍ (UAOP) ଆବଶ୍ୟକ । କିନ୍ତୁ ଶିକ୍ଷାନୁଷ୍ଠାନ ପରିସରରେ 200 ଫୁଟରୁ ନିମ୍ନରେ ଉଡ଼ୁଥିବା ତଥା ସର୍ବାଧିକ 2 କିଲୋ ଓଜନର ପରିବହନ କରୁଥିବା ଏୟାରକ୍ରାଫ୍ଟ ପାଇଁ ଏହି ପରମିଟ୍ ଆବଶ୍ୟକ ନାହିଁ । ଚିଠା ନିୟମ ଅନୁଯାୟୀ ନାନୋ ଏବଂ ମାଇକ୍ରୋ ବ୍ୟତୀତ ଅନ୍ୟ ଶ୍ରେଣୀର ଡ୍ରୋନ୍ ପାଇଁ ପାଇଲଟଙ୍କ ପାଇଁ ପ୍ରଶିକ୍ଷଣ ବାଧ୍ୟତାମୂଳକ । ନିୟମ ଅନୁସାରେ ମାଇକ୍ରୋ ଏବଂ ଏହାଠାରୁ ଉଚ୍ଚ ଶ୍ରେଣୀର ଡ୍ରୋନ୍ ପାଇଁ RFID/SIM, ହୋମ୍ ଅପସନକୁ ଫେରିବା ଏବଂ ଆକ୍ସିଡେଂଟ ନିରୋଧୀ ଆଲୋକ ବ୍ୟବସ୍ଥା ମଧ୍ୟ ବାଧ୍ୟତାମୂଳକ ।

ଚିଠା ନିୟମରେ ଡ୍ରୋନ୍ ଉଡ଼ାଣ ପାଇଁ ମଧ୍ୟ ସ୍ଥାନ ଧାର୍ଯ୍ୟ କରାଯାଇଛି । ବିମାନବନ୍ଦରରୁ ୫ କିଲୋମିଟର ପରିସୀମା, ସ୍ଥାୟୀ କିମ୍ବା ଅସ୍ଥାୟୀ ନିଷେଧାଦେଶ ଜାରି ଥିବା ଅଂଚଳ, ଏଏଆଇ ଓ ଏଆଇପି ଦ୍ୱାରା କଟକଣା ଥିବା କିମ୍ବା ବିପଦ୍ଜନକ ଘୋଷିତ ଅଂଚଳରେ ଡ୍ରୋନ୍ ଉଡ଼ି ପାରିବନାହିଁ । ସେହିପରି ଆଗୁଆ ଅନୁମତି ବିନା ଘନ ଜନବସତି ଉପରେ, ଜରୁରି ସ୍ଥିତି ଘୋଷିତ ଅଂଚଳ, ଆନ୍ତର୍ଜାତିକ ସୀମାର ୫୦ କିଲୋମିଟର, ଉପକୂଳ ଏବଂ ଏହାଠାରୁ ୫୦୦ ମିଟର ସମୁଦ୍ର ଭିତରକୁ ମଧ୍ୟ ଡ୍ରୋନ୍ ଉଡ଼ାଣ ମନା । ଦିଲ୍ଲୀର ବିଜୟ ଚୌକର ୫ କିଲୋମିଟର ପରିସୀମାରେ ଏବଂ କୌଣସି ମୋବାଇଲ ପ୍ଲାଟଫର୍ମ, ଯଥା: ଚଳନ୍ତା ଯାନ, ଜାହାଜ ଏବଂ ବିମାନରୁ ଡ୍ରୋନ୍ ଉଡ଼ାଣ ମଧ୍ୟ ମନା ।

ଚିଠା ନିୟମ ବିଭାଗର ୱେବସାଇଟରେ ଆଗାମୀ ଏକ ମାସ ପର୍ଯ୍ୟନ୍ତ ଉପଲବ୍ଧ ହେବ । ଜନସାଧାରଣଙ୍କ ଠାରୁ ଏହି ଚିଠା ନିୟମ ଉପରେ ମତାମତ ଆହ୍ୱାନ କରାଯାଉଛି ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ସଚିବ ଆର ଏନ ଚୌବେ ସୂଚନା ଦେଇଛନ୍ତି ।