ନନ୍ଦନକାନନକୁ ଆସିବେ ଜିରାଫ- ଯିବେ ସିମ୍ପାଜୀ

WhatsApp Image 2017-10-28 at 1.29.31 PM
ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ପ୍ରତ୍ୟେହ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ପର୍ଯ୍ୟଟକଙ୍କୁ ଆକୃଷ୍ଟ କଲାଭଳି ନୂତନ ଜୀବଜନ୍ତୁ ଆଣିବା ପ୍ରୟାସ ଆରମ୍ଭ କରିଛନ୍ତି । ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟା ନେଇ କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷଙ୍କଠାରୁ ସବୁଜ ସଙ୍କେତ ମିଳି ସାରିଥିବା ବେଳେ ଅପେକ୍ଷା କେବଳ ନନ୍ଦନକାନନ ନିର୍ଦେଶକ ଶିଶିର କୁମାର ଆଚାର୍ଯ୍ୟଙ୍କୁ । ଶ୍ରୀ ଆଚାର୍ଯ୍ୟ ଏବେ ସରକାରୀ କାର୍ଯ୍ୟରେ ଡେରାଡୁନ ଯାଇଛନ୍ତି । ଆସିଲେ ନୂତନ ଜୀବଜନ୍ତୁ କେବେ ନନ୍ଦନକାନନ ଆସିବେ ଦିନ ଧାର୍ଯ୍ୟ କରିବେ ବୋଲି ନନ୍ଦନକାନନ ଉପନିର୍ଦେଶକ ଜୟନ୍ତ କୁମାର ଦାସ କହିଛନ୍ତି । ତେବେ ଏହି ଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି ମୁତାବକ ମହୀଶୁର ଚିଡିଆଖାନା ସହିତ ଜୀବଜନ୍ତୁ ଅଦଳବଦଳ କରାଯିବ । ସେଠାକାର କର୍ତ୍ତୃପକ୍ଷ ଏହି ପ୍ରକ୍ରିୟାରେ ଗୋଟିଏ ମାଈ ଓ ଅଣ୍ଡିରା ଜୀରାଫ ଦେବାକୁ ସହମତି ଦେଇଛନ୍ତି । ଏହା ପ୍ରତିବଦଳରେ ନନ୍ଦନକାନନ କର୍ତ୍ତୃପକ୍ଷ ଦୁଇଗୋଟି ମାଈ ସିମ୍ପାଜୀ (ମା’ ଲକ୍ଷ୍ମୀ ଓ ତା’ର ଛୁଆ ପୂର୍ଣ୍ଣିମା) ପଠାଇବେ ବୋଲି ଶ୍ରୀ ଦାସ ସୂଚନା ଦେଇଛନ୍ତି ।
ଏଠାରେ ସୂଚନାଯୋଗ୍ୟ ଯେ ୨୦୦୮ ମସିହା ଏପ୍ରିଲ ମାସ ୨୬ ତାରିଖରେ ନନ୍ଦନକାନନରୁ ୨୨ଟି ଜୀବଜନ୍ତୁ କଲିକତା ଆଲିପୁର ଚିଡିଆଖାନାକୁ ପଠାଯାଇଥିଲା । ପ୍ରତିବଦଳରେ ସେଠାରୁ ଏକ ଜିରାଫ ନନ୍ଦନକାନନ ଅଣା ଯାଇଥିଲା । ଜିରାଫଟି ଏକ ଟ୍ରକ୍ ଯୋଗେ ଆସୁଥିବା ବେଳେ ଆଲିପୁର ଚିଡିଆଖାନାଠାରୁ ୪୦ କିଲୋମିଟର ଆସିବା ପରେ ତା’ ବେକରେ ବିଦୁ୍ୟତ ତାର ସଂସ୍ପର୍ଶରେ ଆସିଥିଲା । ଗୁରୁତର ଅବସ୍ଥାରେ ପୁନଶ୍ଚ ଜୀରାଫଟିକୁ ଆଲିପୁର ଚିଡିଆଖାନାକୁ ନିଆଯାଇ ଚିକିତ୍ସା କରାଯାଇଥିଲା ବେଳେ ସେହିଦିନ ରାତିରେ ତା’ର ମୃତୁ୍ୟ ଘଟିଥିଲା । ପୁନର୍ବାର କର୍ତ୍ତୃପକ୍ଷ ୨୦୧୨ ଜୁନ୍ ମାସ ୫ ତାରିଖରେ ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ନନ୍ଦନକାନନରୁ ସିମ୍ପାଜି କାର୍ତ୍ତିକ ଓ ଶୁଭଦ୍ରା ବଦଳରେ ଆଲିପୁର ଚିଡିଆଖାନାରୁ ଖୁସି ନାମକ ଏକ ମାଈ ଜିରାଫ ଆଣିଥିଲେ । ଖୁସି ଏବେ ସେ ସାଥୀ ଅପେକ୍ଷାରେ । ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ଖୁସି ପାଇଁ ସାଥୀଟିଏ ଆଣିବା ପାଇଁ ଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ନନ୍ଦନକାନନରୁ ୪ଟି ବାଘ ବଦଳରେ ଜୟ ନାମକ ଅଣ୍ଡିରା ଜିରାଫ ୨୦୧୬ ଫେବ୍ରୁୟାରୀ ମାସରେ ନନ୍ଦନକାନନ ଆଣିଥିଲେ । ଅଳ୍ପଦିନ ପରେ ଥେଲୋରିଓସିସ୍ ଭୁତାଣୁ ଦ୍ୱାରା ଆକ୍ରାନ୍ତ ହୋଇ ଜୟର ମୃତୁ୍ୟ ଘଟିଥିଲା ।

Share in top social networks!