ମୁଖ୍ୟମନ୍ତ୍ରୀଙ୍କ ମରୁଡି ସହାୟତା ପ୍ୟାକେଜ ଘୋଷଣା ଚାଷୀଙ୍କ ପ୍ରତି ଉପହାସ – କଂଗ୍ରେସ

IMG-20171023-WA0016 ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଖରିଫ ଚାଷରେ ରାଜ୍ୟର ପ୍ରାୟ ୧୦ ହଜାରରୁ ଅଧିକ ଗ୍ରାମରେ ବ୍ୟାପକ ଫସଲହାନୀ ଘଟିଥିବା ବେଳେ ମରୁଡି ପ୍ରଭାବିତ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ସରକାର ବାସ୍ତବ ସ୍ଥିତିକୁ ଆକଳନ କରି ସେହି ସବୁ ଅଞ୍ଚଳ ମରୁଡି ଅଞ୍ଚଳ ଘୋଷଣା କରି ନାହାନ୍ତି । ଆଜି ମୁଖ୍ୟମନ୍ତ୍ରୀଙ୍କ ମରୁଡି ସହାୟତା ପ୍ୟାକେଜ ଘୋଷଣା ଚାଷୀଙ୍କ ପ୍ରତି ଉପହାସ ବୋଲି କଂଗ୍ରେସ କୃଷକ ସେଲ ପକ୍ଷରୁ ଅଭିଯୋଗ କରାଯାଇଛି । ଜଳସେଚନ ନକରି ଜଳକର କେଉଁ ଚାଷୀଙ୍କଠାରୁ ଛାଡ କରାଯିବ ବୋଲି କଂଗ୍ରେସ ପାଲଟା ପ୍ରଶ୍ନ କରିଛି ।
ଜଳସେଚିତ ଓ ଅଣ ଜଳସେଚିତ ଅଞ୍ଚଳର ମରୁଡି କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ହେକ୍ଟର ପିଚ୍ଛା ସରକାର ଯେଉଁ ୬ ହଜାର ୮୦୦ ଓ ୧୩ ହଜାର ୫୦୦ ଟଙ୍କା ମରୁଡି ସହାୟତା ଘୋଷଣା କରିଛନ୍ତି ତାହା ସମୁଦ୍ରକୁ ସଙ୍ଖେ । କାରଣ ଏକର ପିଚ୍ଛା ଜଣେ ଚାଷୀକୁ ୨୦ ହଜାରରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି । ଏଥିରେ ଚାଷୀର ଦୁଃଖ ଲାଘବ ହେବ ନାହିଁ ବୋଲି ପ୍ରଦେଶ କଂଗ୍ରେସ କୃଷକ ସେଲ୍ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ସରକାରଙ୍କୁ ତିବ୍ର ସମାଲୋଚନା କରିଛନ୍ତି । ରବି ଚାଷ ପାଇଁ ଦୁର୍ଦିନରେ ଥିବା ଚାଷୀଙ୍କୁ ୫୦ ଭାଗ ରିହାତିରେ ୫୦୦୦ ପାଣି ପମ୍ପସେଟ୍ ବଣ୍ଟନ କରାଗଲେ ଜଳସେଚନର ସୁବିଧା ହେବ ନାହିଁ । ରାଜ୍ୟର ହଜାର ହଜାର ଚାଷୀ ଦୀର୍ଘ ଦିନ ହେଲା ଉଠା ଜଳସେଚନ ପଏଣ୍ଟ ପାଇଁ ଅନ୍ଲାଇନ୍ ଓ ଅପ୍ଲାଇନ୍ରେ ନାମ ପଞ୍ଜିକରଣ କରି ଅଗ୍ରୀମ ଟଙ୍କା ପୈଠ କରିଥିବା ବେଳେ ଆଜି ସୁଦ୍ଧା ଉଠା ଜଳସେଚନର ସୁବିଧା କରାଯାଇ ନାହିଁ । ସରକାରଙ୍କ ମିଛ ଜଳସେଚନ ସୁବିଧାକୁ ଲୁଚାଇବାକୁ ଯାଇ ଚାଷୀଙ୍କ ପାଇଁ ଏବେ ଯାହା ଘୋଷଣା କରୁଛନ୍ତି ତାହା ବାସ୍ତବଠାରୁ ସମ୍ପୂର୍ଣ୍ଣ ଭିନ୍ନ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ବରଗଡ, ନୂଆପଡା, ବଲାଙ୍ଗୀର ଜିଲ୍ଲାରେ ସ୍ଥିତି ଅତ୍ୟନ୍ତ ସଙ୍ଗୀନ ଥିବା ବେଳେ ସେ ସବୁ ଜିଲ୍ଲାଗୁଡିକ ପାଇଁ ମଧ୍ୟ ପ୍ୟାକେଜରେ କିଛ ବ୍ୟବସ୍ଥା ନାହିଁ । ମୁଖ୍ୟମନ୍ତ୍ରୀ ତାଙ୍କ ଘୋଷିତ ପ୍ୟାକେଜକୁ ପରିବର୍ତ୍ତନ କରି ମରୁଡି କ୍ଷତିଗ୍ରସ୍ତ ଚାଷୀଙ୍କୁ ପ୍ରତି ଏକର ପିଚ୍ଛା ୨୦ ହଜାର ଟଙ୍କା କୃଷି ସହାୟତା, ସମ୍ପୂର୍ଣ୍ଣ କୃଷି ଋଣ ଛାଡ ଓ ଉଠା ଜଳସେଚନ ପଏଣ୍ଟଗୁଡିକୁ ତୁରନ୍ତ କାର୍ଯ୍ୟକାରୀ କରି ରବି ଚାଷ ପାଇଁ ପ୍ରର୍ଯ୍ୟାପ୍ତ କୃଷି ସାମଗ୍ରୀ ସହାୟତା ମାଗଣାରେ ଯୋଗାଇ ଦେବାକୁ ଶ୍ରୀ ପଟ୍ଟନାୟକ ଦୃଢ ଦାବି କରିଛନ୍ତି

Share in top social networks!
Powered By Indic IME