ଶିଶୁ-ଅନୂକୂଳ ଭୁବନେଶ୍ୱର: ସହର ପ୍ଲାନର୍ମାନଙ୍କ ସହ ମିଶି ରାସ୍ତାର ନିରାପତ୍ତା ସମୀକ୍ଷା କଲେ ସ୍କୁଲ୍ ପିଲା

Neighbourhood Safety Survey being conducted by children near BDA colony CSPurରାଜଭବନ ଛକରୁ ରାଜମହଲ ଛକ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଶ୍ୱର୍ରେ ଦୁଇଟି ଦଳରେ ବିଭକ୍ତ ହୋଇ ସ୍କୁଲ୍ପିଲାମାନେ କରିଛନ୍ତି ରାସ୍ତାରେ ପଥଚାରୀମାନଙ୍କ ପାଇଁ ରହିଥିବା ସୁବିଧା ଓ ଅସୁବିଧା ସବୁର ସମୀକ୍ଷା (ଅଡିଟ୍) । ଭୁବନେଶ୍ୱର ଉନ୍ନୟନ କତୃପକ୍ଷ, ଭୁବନେଶ୍ୱର ଅର୍ବାନ୍ ନଲେଜ ସେଣ୍ଟର ଓ ସ୍ୱେଚ୍ଛାସେବୀ ସଂଗଠନ ହମାରା ବଚପନ ସହଯୋଗରେ କରାଯାଇଥିବା ଏହି ସଡକ ସମୀକ୍ଷା (ଅଡିଟ୍)ରେ ଭାଗନେଇ ପିଲାମାନେ ସେମାନଙ୍କ ଦୃଷ୍ଟିକୋଣରୁ ରାସ୍ତାରେ ରହିଥିବା ବିଭିନ୍ନ ପ୍ରକାରର ସୁବିଧା ଅସୁବିଧା ନଜରକୁ ଆଣିବା ସହିତ ଲେଖି ରଖିଥିଲେ । ଭୁବନେଶ୍ୱର ସ୍ମାର୍ଟସିଟି ଯୋଜନାରେ ସହରକୁ ଶିଶୁମାନଙ୍କ ପାଇଁ ଅନୁକୁଳଭାବେ ବିକଶିତ କରିବାର ପରିକଳ୍ପନା କରାଯାଇଥିବାବେଳେ, ଜଣେ ଚାରିବର୍ଷ ବୟସର ଶଶୁ ସହଜରେ ବୁଲିଖେଳିପାରିବା ଭଳି ଭିତ୍ତିଭୂମି ସୁବିଧା ଉପଲବ୍ଧ କରାଇବାର ଲକ୍ଷ୍ୟ ରହିଛି ।

ପ୍ରାୟ ଦୁଇଘଣ୍ଟା ଧରି ହୋଇଥିବା ଏହି ଅଭିନବ ସଡକ ସମୀକ୍ଷା ପ୍ରକ୍ରିୟା ଆରମ୍ଭରେ ଭାଗନେଇଥିବା ପିଲାମାନଙ୍କୁ ସେମାନେ ରାସ୍ତାରେ କଣସବୁ ଚିହ୍ନଟ କରିବେ ଓ ଲଲ୍ଲେଖ କରିବେ ସେଥିନେଇ ସୂଚିତ କରାଯାଇଥିଲା । ଏହି ରାସ୍ତାକୁ ପିଲାମାନଙ୍କ ଯାତାୟତ ପାଇଁ ନିରାପଦ ଓ ଶିଶୁ ଅନୁକୁଳ କରିବା ଦିଗରେ ସେମାନଙ୍କ ମତାମତ ଦେବା ପାଇଁ ପ୍ରୋତ୍ସାହିତ କରାଯାଇଥିଲା ।

ପିଲାମାନେ ଉପସ୍ଥାପନ କରିଥିବା ଅଭିନବ ପରାମର୍ଶଗୁଡିକ ମଧ୍ୟରେ ପ୍ରତି ୨୦୦ ମିଟର ଅନ୍ତରରେ ପଥଚାରୀମାନଙ୍କ ପାଇଁ ରାସ୍ତା ଅତିକ୍ରମ କରିବାର ବ୍ୟବସ୍ଥା, ପିଲାମାନେ ସହଜରେ ଦେଖିପାରିବା ପାଇଁ ରାସ୍ତା ଡିଭାଇଡରରେ ରହିଥିବା ଛୋଟ ଗଛଗୁଡିକର ଉଚ୍ଚତାକୁ କମ କରିବା, ଫୁଟପାଥ ଓ ସାଇକେଲ୍ ରାସ୍ତା ରୁ ଖୁଣ୍ଟ ଓ ଅନ୍ୟ ପ୍ରତିବନ୍ଧକ ଅପସାରଣ ତଥା ସହଜରେ ଜାଣିହେବା ପାଇଁ ରାସ୍ତାରେ ଆବଶ୍ୟକ ସୂଚନା ଫଳକ ସ୍ଥାପନା ଇତ୍ୟାଦି । ଅଧିକାଂଶ ପିଲା ରାସ୍ତାପାର୍ଶ୍ୱରେ ପିଇବା ପାଣି, ପାଇଖାନା ଓ ବସିବା ପାଇଁ ସ୍ଥାନ ସପକ୍ଷରେ ମତଦେଇଥିବାବେଳେ କିଛିଜଣ ଟାୟାର ଦୋଳି ଏବଂ ପିଲାମାନଙ୍କ ପାଇଁ ଆମୋଦଦାୟକ ବ୍ୟବସ୍ଥା ରଖିବା ନେଇ ମତ ରଖିଥିଲେ । ପିଲାମାନେ ଚିହ୍ନିତ କରିଥିବା ସମସ୍ୟାଗୁଡିକ ମଧ୍ୟରେ ରହିଛି ଫୁଟପାଥ ଓ ସାଇକେଲ୍ ରାସ୍ତାରେ ବେଆଇନ୍ ପାର୍କିଙ୍ଗ୍, ଭଙ୍ଗା ଡ୍ରେନ୍ ସ୍ଲାବ୍, ଟ୍ରାଫିକ୍ ଛକରେ ଅନଧିକୃତ ଗାଡି ରହଣି ସ୍ଥାନ, ଗଛ ଓ ଖୁଣ୍ଟ ଯୋଗୁଁ ଟ୍ରାଫିକ ଛକରେ ଦୃଶ୍ୟପ୍ରତିରୋଧ, ଛକରେ ଜେବ୍ରା କ୍ରସିଂ ଓ ଗତିପ୍ରତିରୋଧ ବ୍ୟବସ୍ଥାର ଅଭାବ ଇତ୍ୟାଦି ।

ରବିବାର ସକାଳେ ନଅ ଜଣ ପିଲାଙ୍କ ଅନ୍ୟଏକ ଦଳ ଚନ୍ଦ୍ରଶେଖରପୁରସ୍ଥିତ ବିଡିଏ କଲୋନୀ ଅଞ୍ଚଳରେ ଶିଶୁ ଅନୁକୁଳ ପରିବେଶ ଓ ଆବଶ୍ୟକୀୟ ଭିତ୍ତିଭୁମି ସମୀକ୍ଷାର ଅଂଶସ୍ୱରୂପ ସ୍ଥାନୀୟ ପିଲାମାନଙ୍କ ମଧ୍ୟରେ ଏକ ନିରାପତ୍ତା ସର୍ବେକ୍ଷଣ କରିଥିଲେ । ଏହି ସର୍ବେକ୍ଷଣରେ ଅଂଶଗ୍ରହଣ କରିଥିବା ପିଲାମାନେ ବିଡିଏ କଲୋନୀର ଛୋଟ ଛୋଟ ପିଲାମାନଙ୍କୁ ଘରେ, ସ୍କୁଲ୍ରେ ଓ ସେହି ଅଂଚଳରେ ଖେଳିବା, ପଢିବା, ପିଇବା ପାଣି, ପରିମଳ ବ୍ୟବସ୍ଥା, ନିରାପତ୍ତା, ସ୍ୱାସ୍ଥ୍ୟସେବା ଇତ୍ୟାଦି ନେଇ ଉପଲବ୍ଧ ସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ । ସର୍ବେକ୍ଷଣରେ ସ୍ଥାନପାଇଥିବା ଅନ୍ୟ ବିଷୟଗୁଡିକ ମଧ୍ୟରେ ପିଲାମାନଙ୍କ ଖେଳିବା ସମୟ, ପିଲାମାନଙ୍କ ଆଇନଗତ ଅଧିକାର ବିଷୟରେ ସଚେତନତା ତଥା ବିପଦବେଳେ ସମ୍ପର୍କପାଇଁ ଯୋଗାଯୋଗ ଜ୍ଞାନ ଇତ୍ୟାଦି ରହିଥିଲା ।

ପିଲାମାନଙ୍କ ଦ୍ୱାରା ଏହିଭଳି ସମୀକ୍ଷା ଓ ସର୍ବେକ୍ଷଣ କରାଇବାର ମୁଖ୍ୟ ଉଦେ୍ଧଶ୍ୟ ହେଉଛି ସେମାନଙ୍କ ଦୃଷ୍ଟିକୋଣ ଓ ଆବଶ୍ୟକତାକୁ ବୁଝିବା, ସେମାନଙ୍କୁ ସହରର ବିକାଶ ପ୍ରକ୍ରିୟା ଓ ଯୋଜନାରେ ସିଧାସଳଖ ସାମିଲ୍ କରାଇବା ଏବଂ ଏହି ଭବିଷ୍ୟତର ନାଗରିକମାନଙ୍କ ଦକ୍ଷତା ବିକାଶ କରାଇବା । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭୁବନେଶ୍ୱର ସ୍ମାର୍ଟସିଟି ଯୋଜନାରେ ସହରକୁ ଶିଶୁମାନଙ୍କ ପାଇଁ ଅନୁକୁଳଭାବେ ବିକଶିତ କରିବାର ପରିକଳ୍ପନା କରାଯାଇଛି ଯେଉଁଥିରେ ଶଶୁମାନେ ନିରାପଦରେ ଓ ସହଜରେ ପଢିବା ଓ ବୁଲିଖେଳିପାରିବା ସହିତ ସହର ବିକାଶ ପ୍ରକ୍ରୟାରେ ଯୋଗଦାନ କରିପାରିବେ । ଏଥିପାଇଁ ଭୁବନେଶ୍ୱର ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଅର୍ବାନ୍ ଆଫାୟାର୍ସ ଓ ନେଦରଲ୍ୟାଣ୍ଡ୍ର ବର୍ଣ୍ଣାଡ୍ ଭାନ୍ ଲିୟର୍ ଫାଉଣ୍ଡେସନ୍ ସହ ଅନୁବନ୍ଧିତ ହୋଇଛି ।

Share in top social networks!
Powered By Indic IME