ଗଞ୍ଜେଇ ଚାଲାଣ ବେଳେ ଦୁର୍ଘଟଣା: ୨ ମୃତ, ୧ ଆହତ ୨ କୁଇଣ୍ଟାଲ ଗଞ୍ଜେଇ ଜବତ

odishamap-7କନ୍ଧମାଳରୁ କଟକ ଜଗତପୁରକୁ ଚୋରା ଗଞ୍ଜେଇ ନେଇ ଆସୁଥିବା ଏକ କାର ଓ ଏହାକୁ ସୁରକ୍ଷା ଦେଇ ପଛରେ ଆସୁଥିବା କାର ମଧ୍ୟରେ ଦୁର୍ଘଟଣା ଘଟି ଘଟଣାସ୍ଥଳରେ ଦୁଇଜଣକର ମୃତୁ୍ୟ ଘଟିଥିଲା ବେଳେ ଆଉଜଣେ ଗୁରୁତର ଆହତ ହୋଇଛନ୍ତି । ତେବେ ମୁଖ୍ୟ ବେପାରୀ ଓ ତାଙ୍କ ସହଯୋଗୀ ଫେରାର ହୋଇଯାଇଛନ୍ତି । ଘଟଣାଟି ଖୋର୍ଦ୍ଧା-ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥର ନୟାଗଡ ଜିଲା ନୂଆଗାଁ ଥାନା ସୋରଡା ଗ୍ରାମ ନିକଟରେ ଶନିବାର ବିଳମ୍ବିତ ରାତିରେ ଘଟିଛି । ମୃତକଦ୍ୱୟ ହେଲେ କଟକ ଜଗତପୁରର ଦୀଲ୍ଲିପ କୁମାର ମହାନ୍ତି(୨୫)ଓ ନୟାଗଡ଼ ସଦର ଥାନା ବାଲୁଗାଁ ଗ୍ରାମର ଦାମୋଦର ଦଳବେହେରା (୪୦) । ପୁଲିସ ଦୁର୍ଘଟଣାଗ୍ରସ୍ତ କାର ଦୁଇଟି ଜବତ କରିବା ସହ ଗୋଟିଏ କାରରୁ ଦୁଇ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି ।
ପୁଲିସ ସୂତ୍ରରୁ ପ୍ରକାଶ ଯେ କନ୍ଧମାଳରୁ ଗଞ୍ଜେଇ ବୋଝେଇ ଗୋଟିଏ କାର ଯାଉଥିବା ବେଳେ ପଛରୁ ଆଉଗୋଟେ କାର ସୁରକ୍ଷା ପାଇଁ ପଛେ ପଛେ ଯାଉଥିଲା । ନୂଆଗାଁ ବ୍ଲକର ସୋରଡ଼ା ନିକଟରେ ଥିବା ଏକ ବୁଲାଣୀରେ ଆଗପଛ ହୋଇଯାଉଥିବା ବେଳେ ପଛ କାରଟି ନିୟନ୍ତ୍ରଣ ହରାଇ ଆଗରେ ଯାଉଥିବା କାରକୁ ଧକ୍କା ଦେଇଥିଲା । ଫଳରେ ଆଗରେ ଯାଉଥିବା କାରଟି ରାସ୍ତାକଡ଼ରେ ଥିବା ଗଛ ସହିତ ଧକ୍କା ହୋଇ ନିକଟସ୍ଥ ବିଲ ମଧ୍ୟରେ ପଡିଯାଇଥିଲା । ପଛକାରଟି ମଧ୍ୟ ଦୁଇଟି ଗଛକୁ ଧକ୍କା ଦେଇ ରାସ୍ତାକଡ ବିଲ ମଧ୍ୟକୁ ଓଲଟି ପଡିଥିଲା । ଆଗକାରକୁ ଚଳାଉଥିବା ଡ୍ରାଇଭର ଓ ଆଗରେ ବସିଥିବା ଜଣେ ଯୁବକ ଘଟଣାସ୍ଥଳରେ ମୃତୁ୍ୟ ଘଟିଥିଲା ବେଳେ କାର ପଛରେ ବସିଥିବା କଟକ ଜିଲା ମାହାଙ୍ଗା ଅଞ୍ଚଳର ଅନନ୍ତ କିଶୋର ପରିଡ଼ା (୨୮)ଗୁରୁତର ଆହତହୋଇଛନ୍ତି । ତାଙ୍କ ମେରୁଦଣ୍ଡରେ ଶକ୍ତ ଆଘାତ ଲାଗିଛି । ନୂଆଗାଁ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିବା ସହିତ କାରରେ ଥିବା ଦୁଇ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି ।

Share in top social networks!
Powered By Indic IME