ଗୁରେଜ୍ ଉପତ୍ୟକାରେ ଭାରତୀୟ ସେନା ଏବଂ ସୀମା ସୁରକ୍ଷା ବାହିନୀ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ

s20171019115513ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାମ୍ମୁ-କାଶ୍ମୀରର ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ ଗୁରେଜ୍ ଉପତ୍ୟକାରେ ଭାରତୀୟ ସେନା ଏବଂ ସୀମା ସୁରକ୍ଷା ବାହିନୀ (ବିଏସ୍ଏଫ୍) ଯବାନଙ୍କ ସହ ଆଜି ଦୀପାବଳି ପାଳନ କରିଛନ୍ତି । ସେଠାରେ ସେ ପାଖାପାଖି ଦୁଇ ଘଣ୍ଟା ବିତାଇଥିଲେ । ଲଗାତାର ଚତୁର୍ଥ ଥର ପାଇଁ ପ୍ରଧାନମନ୍ତ୍ରୀ ଦେଶର ସୀମାରେ ଯବାନଙ୍କ ସହ ଦୀପାବଳି ପାଳନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଯବାନମାନଙ୍କୁ ନିଜେ ମିଠା ଖୁଆଇବା ସହ ଦୀପାବଳି ଅଭିନନ୍ଦନ ଜଣାଇଥିଲେ ।

ଏହି ଅବସରରେ ଯବାନମାନଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମସ୍ତଙ୍କ ଭଳି ତାଙ୍କର ମଧ୍ୟ ପରିବାର ସହ ଦୀପାବଳି ପାଳିବାର ଇଚ୍ଛା ରହିଛି । ତେଣୁ ସେ ସେନା ବାହିନୀ ସହ ଦୀପାବଳି ପାଳନ କରିବା ଲାଗି ଆସିଛନ୍ତି, ଯେଉଁମାନଙ୍କୁ ସେ “ନିଜ ପରିବାର” ଭଳି ଭାବୁଥିବା ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେନା ବାହିନୀର ସୈନିକ ଏବଂ ଯବାନଙ୍କ ସହ ସମୟ ବିତାଇବା ସମୟରେ ସେ ନୂଆ ଉତ୍ସାହ ଅନୁଭବ କରିଥାନ୍ତି । କଠିନ ପରିସ୍ଥିତିରେ ସେମାନଙ୍କ ତପସ୍ୟା ଏବଂ ବଳିଦାନକୁ ସେ ପ୍ରଶଂସା କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେ ଶୁଣିବାକୁ ପାଇଛନ୍ତି ଯେ ଏଠାରେ ଏକତ୍ରିତ ହୋଇଥିବା ଯବାନମାନେ ନିୟମିତ ଭାବେ ଯୋଗାଭ୍ୟାସ କରିଥାନ୍ତି । ଏହା ନିଶ୍ଚିତ ଭାବେ ସେମାନଙ୍କ ସାମର୍ଥ୍ୟ ବୃଦ୍ଧି କରିବ ଏବଂ ସେମାନଙ୍କୁ ମାନସିକ ଶାନ୍ତି ପ୍ରଦାନ କରିବ ।

ସେ କହିଥିଲେ ଯେ ନିଜ କାର୍ଯ୍ୟକାଳ ସମାପ୍ତ କରି ଅବସର ନେଉଥିବା ସେନା ବାହିନୀର ଯବାନମାନେ ଘଟଣାକ୍ରମେ ଭଲ ଯୋଗ ପ୍ରଶିକ୍ଷକ ହୋଇପାରିବେ ।

2022ରେ ଦେଶ ସ୍ୱାଧୀନତାର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରତ୍ୟେକ ଭାରତୀୟଙ୍କ ନୂତନ ସଂକଳ୍ପ ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ସେ ଯବାନମାନଙ୍କୁ ନବସୃଜନ ପାଇଁ ମଧ୍ୟ ଆହ୍ୱାନ କରିଥିଲେ, ଯାହାଦ୍ୱାରା ସେମାନଙ୍କ ନିୟମିତ କାର୍ଯ୍ୟ ଏବଂ କର୍ତ୍ତବ୍ୟ ସହଜ ହୋଇପାରିବ । ବର୍ତ୍ତମାନ କିଭଳି ସ୍ଥଳ ସେନା ଦିବସ, ନୌସେନା ଦିବସ ଏବଂ ବାୟୁସେନା ଦିବସରେ ଶ୍ରେଷ୍ଠ ନବସୃଜନକୁ ମାନ୍ୟତା ଏବଂ ପୁରସ୍କାର ଦିଆଯାଉଛି ସେ ସମ୍ପର୍କରେ ସେ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେନା ବାହିନୀର କଲ୍ୟାଣ ଏବଂ ଉନ୍ନତି ପାଇଁ କେନ୍ଦ୍ର ସରକାର ସବୁସମ୍ଭବ ଉପାୟରେ କାର୍ଯ୍ୟକରିବା ଲାଗି ପ୍ରତିଶ୍ରୁତିବଦ୍ଧ । ଏହି ଅବସରରେ ସେ ଦଶନ୍ଧି ଦଶନ୍ଧି ଧରି ପଡ଼ିରହିଥିବା ଏକ ପାହ୍ୟା ଏକ ପେନସନ (ୱାନ୍ ରେଙ୍କ ୱାନ୍ ପେନ୍ସନ୍) ବ୍ୟବସ୍ଥାର କାର୍ଯ୍ୟକାରୀତା ସମ୍ପର୍କରେ ଉଲ୍ଲେଖ କରିଥିଲେ ।

ଏହି ଅବସରରେ ସ୍ଥଳ ସେନା ମୁଖ୍ୟ ଜେନେରାଲ ବିପିନ ରାୱତ୍ ଏବଂ ଅନ୍ୟ ବରିଷ୍ଠ ସେନା ଅଧିକାରୀମାନେ ଉପସ୍ଥିତ ଥିଲେ ।

ଆଗନ୍ତୁକ ପୁସ୍ତିକାରେ ପ୍ରଧାନମନ୍ତ୍ରୀ ଲେଖିଥିଲେ:

“ଆତ୍ମୀୟ ସ୍ୱଜନଙ୍କ ଠାରୁ ଦୂରରେ ରହି ମାତୃଭୂମିର ରକ୍ଷା କରିବା, ଦେଶର ସୀମାରେ ନିୟୋଜିତ ରହି ବଳିଦାନର ଉଚ୍ଚ ପରମ୍ପରା ପ୍ରତିଷ୍ଠା କରୁଥିବା ଯବାନମାନେ ବୀରତା, ସାହସ ଏବଂ ସମର୍ପଣର ପ୍ରତୀକ ।

ମୁଁ ଆଜି ଆପଣମାନଙ୍କ ସହିତ ଦୀପାବଳି ପାଳନ କରିବାର ସୁଯୋଗ ପାଇଛି । ଏହି ପାର୍ବଣ ଋତୁରେ ଦେଶର ସୀମାରେ ସାହସୀ ଯବାନଙ୍କ ଉପସ୍ଥିତି କୋଟି କୋଟି ଭାରତୀୟଙ୍କ ମଧ୍ୟରେ ଆଶାର ଆଲୋକ ଜଳାଇବା ସହ ନୂଆ ଉତ୍ସାହ ସୃଷ୍ଟି କରିଛି ।

“ନୂତନ ଭାରତ”ର ସ୍ୱପ୍ନ ସାକାର କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ଆମ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆସିଛି । ସେନା ମଧ୍ୟ ଏହାର ଏକ ଅଂଶବିଶେଷ ।

ସମସ୍ତଙ୍କୁ ଦୀପାବଳିର ଶୁଭକାମନା” ।

Share in top social networks!
Powered By Indic IME