ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ-୪ ସଂକ୍ରାନ୍ତ ରାଜ୍ୟ ରିପୋର୍ଟ ଉନ୍ମୋଚିତ

Odisha State Report of NFHS-4 released today_1

ବହୁ ପ୍ରତୀକ୍ଷିତ ଜାତୀୟ ପରିବାର ସର୍ଭେ (ଏନ.ଏଫ.ଏଚ.ଏସ.-୪) ସଂକ୍ରାନ୍ତ ଓଡ଼ିଶା ରାଜ୍ୟ ରିପୋର୍ଟ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିସନର ତଥା ସଚିବଙ୍କ ଦ୍ୱାରା ଉନ୍ମୋଚିତ ହୋଇଛି । ଓଡ଼ିଶାର ଜନସାଧାରଣଙ୍କ କଲ୍ୟାଣ ଓ ସ୍ୱାସ୍ଥ୍ୟ ସମ୍ପର୍କିତ ଏକ ମିଶ୍ରିତ ଚିତ୍ର ଏନ.ଏଫ.ଏଚ.ଏସ.-୪ ଓଡ଼ିଶାରେ ପ୍ରତିଫଳିତ ହୋଇଛି । ଇଂଟରନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ ଅଫ ପପୁଲେସନ ସାଇନ୍ସ, ମୁମ୍ବାଇ ଦ୍ୱାରା ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଥିବାବେଳେ, ଏହି ସଂସ୍ଥା ପକ୍ଷରୁ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ-୪ର ସଂଯୋଜକବୃନ୍ଦ ଯେପରିକି ପ୍ରଫେସର ଏସ କେ ସିଂ, ଡଃ ମାନଓ ପ୍ରଧାନ, ଡଃ ଏଲ କେ ଦ୍ୱିବେଦୀ, ଡଃ ଏସ ପେଦଗାଓଁକର ପ୍ରମୁଖ ଉପସ୍ଥିତ ଥିଲେ । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ-୪ର ରାଜ୍ୟ ସଂଯୋଜକ ଡଃ ମାନସ ପ୍ରଧାନ ଏହି ରିପୋର୍ଟର୍ର ମୁଖ୍ୟାଂସ ସଂପର୍କରେ ବ୍ୟାଖ୍ୟା କରିଥିଲେ ।
ପ୍ରଜନନକ୍ଷମତା ପ୍ରତିସ୍ଥାପନ ସ୍ତରରେ, ପରିବାର ନିୟୋଜନ ଉପଯୋଗ ବଢ଼ିଛି
ଭାରତରେ ଏବଂ ଓଡ଼ିଶାରେ ଛୋଟ ପରିବାର ଆଦର୍ଶ ପାଲଟିଛି । ସାମ୍ପ୍ରତିକ ପ୍ରଜନନ କ୍ଷମତା ସ୍ତର ଅନୁଯାୟୀ ଓଡ଼ିଶାରେ ମହିଳା ଜୀବନକାଳ ମଧ୍ୟରେ ଦୁଇଟି ସନ୍ତାନର ଜନନୀ ହେଉଛନ୍ତି । ୧୦ ବର୍ଷରେ ଏନ.ଏଫ.ଏଚ.ଏସ.-୩ ଓ ଏନ.ଏଫ.ଏଚ.ଏସ.-୪ ମଧ୍ୟରେ ପ୍ରଜନନ କ୍ଷମତା ୦.୩ କମିଛି । ଭାରତର ଅନେକ ରାଜ୍ୟ ପ୍ରଜନନ କ୍ଷମତାର ପୁନଃସ୍ଥାପନ ସ୍ତର (ଜଣେ ମହିଳାଙ୍କର ଦୁଇଟି ସନ୍ତାନରୁ ସାମାନ୍ୟ ଅଧିକ ସ୍ତର) କିମ୍ବା ପ୍ରତିସ୍ଥାପନର ନିମ୍ନ ସ୍ତର ହାସଲ କରିଛନ୍ତି, ଓଡ଼ିଶା ସେହି ରାଜ୍ୟମାନଙ୍କ ମଧ୍ୟରୁ ଗୋଟିଏ । ଓଡ଼ିଶାରେ ମୋଟ୍ ପ୍ରଜନନ ହାର ଜଣେ ମହିଳା ପିଛା ୨.୧ ରହିଛି । ସହରାଂଚଳରେ ପ୍ରଜନନ ସ୍ତର ଜଣେ ମହିଳାରେ ୧.୭ ଶିଶୁ (ପୁନଃ ସ୍ଥାପନ ସ୍ତରଠାରୁ ଯଥେଷ୍ଟ ନିମ୍ନରେ) ରହିଛି । ଏପରିକି ଗ୍ରାମାଂଚଳରେ ପ୍ରଜନନ ପ୍ରତିସ୍ଥାପନ ସ୍ତରରେ (ଜଣେ ମହିଳାରେ ୨.୧ ଶିଶୁ) ରହିଛି ।
କମ୍ ବୟସରେ ବିବାହ ଏବେ ବି ଓଡ଼ିଶାରେ ପ୍ରଚଳିତ ରହିଛି- ବର୍ତମାନ ୨୦-୨୪ ବର୍ଷ ମଧ୍ୟରେ ପଦାର୍ପଣ କରିଥିବା ମହିଳାଙ୍କ ମଧ୍ୟରୁ ଏକ ପଂଚମାଂଶରୁ ଅଧିକ(୨୧%)ଙ୍କର ବିବାହ ଆଇନଗତ ବୈଧ ବିବାହ ବୟସ ୧୮ ବର୍ଷ ପୂର୍ବରୁ ହୋଇଛି । ତେବେ ଏନ୍.ଏଫ୍.ଏଚ୍.ଏସ୍.-୩ରେ କମ୍ ବୟସରେ ମହିଳାଙ୍କ ବିବାହ ୩୭ ପ୍ରତିଶତ ଥିବାବେଳେ ଏହା ଖସିଛି । ସର୍ବନିମ୍ନ ଆଇନଗତ ବୈଧ ବିବାହ ବୟସ (୨୧ ବର୍ଷ) ପୂର୍ବରୁ ପୁରୁଷଙ୍କ ବିବାହ ଏନ୍.ଏଫ୍.ଏଚ୍.ଏସ୍.-୩ରେ ୨୨% ଥିବା ବେଳେ ତାହା ୧୧% କୁ ଖସି ଆସିଛି । ୨୫-୨୯ ବୟସରେ ପଦାର୍ପଣ କରିଥିବା ବିବାହିତ ପୁରୁଷଙ୍କ ମଧ୍ୟରୁ ଏକ ଦଶମାଂଶ (୧୧%) ୨୧ ବର୍ଷ ପୂର୍ବରୁ ବିବାହ କରିଥିବା ଜଣାପଡ଼ିଛି ।
ବର୍ତମାନ ସ୍ଥିତିରେ ଗର୍ଭନିରୋଧକ ବ୍ୟବହାର କରୁଥିବା ବିବାହିତ ମହିଳାଙ୍କ ହାର ୫୭ ପ୍ରତିଶତ, ଯାହାକି ଏନ୍.ଏଫ୍.ଏଚ୍.ଏସ୍.-୩ର ହାରଠାରୁ ୬ ପ୍ରତିଶତ ଅଧିକ । ସହରାଂଚଳ ମହିଳାମାନେ ଅଧିକ ସଂଖ୍ୟାରେ (୬୧%) ଏହି ପଦ୍ଧତି ଉପଯୋଗ କରୁଛନ୍ତି, ଗ୍ରାମାଂଚଳରେ ଏହି ହାର ୫୭% । ଗର୍ଭନିରୋଧକ ପଦ୍ଧତି ଉପଯୋଗ ଓଡ଼ିଶାରେ ଜାତୀୟ ହାର ୫୪%ଠାରୁ ସାମାନ୍ୟ ଅଧିକ । ଓଡ଼ିଶାରେ ମହିଳା ବନ୍ଧ୍ୟାକରଣ ଏନ୍.ଏଫ୍.ଏଚ୍.ଏସ୍-୩ରେ ୬୫% ଥିବାବେଳେ ତାହା ୪୯%କୁ ଖସି ଆସିଛି । ଗର୍ଭନିରୋଧକ ବଟିକା ବ୍ୟବହାର ଏନ୍.ଏଫ୍.ଏଚ୍.ଏସ୍.-୩ ରେ ୭ ପ୍ରତିଶତ ଥିବାବେଳେ ତାହା ଏନ୍.ଏଫ୍.ଏଚ୍.ଏସ୍.-୪ରେ ୧୨ ପ୍ରତିଶତକୁ ବଢ଼ିଛି ।
ଜନ୍ମପୂର୍ବ, ପ୍ରସବକାଳୀନ ଓ ଜନ୍ମ ପରବର୍ତୀ ଯତ୍ନ
ତିନି ପଂଚମାଂଶରୁ ସାମନ୍ୟ ଅଧିକ ମହିଳା (୬୨%) ସେମାନଙ୍କର ଗତ ଥର ଗର୍ଭଧାରଣ ସମୟରେ ଅତିକମ୍ରେ ୪ ଥର ଜନ୍ମ ପୂର୍ବବର୍ତୀ ଯତ୍ନ (ଏଏନ୍ସି) ଉପଲବ୍ଧ ହୋଇଥିଲା ଏବଂ ୬୪% ଗର୍ଭଧାରଣର ପ୍ରଥମ ସୋପାନରେ ଜନ୍ମ ପୂର୍ବବର୍ତୀ ଯତ୍ନ ପାଇଥିଲେ, ଯାହାକି ଏନ୍.ଏଫ୍.ଏଚ୍.ଏସ୍.-୩ ଠାରୁ ଯଥଷ୍ଟେ ଅଧିକ ।
ଚାରି ପଂଚମାଂଶରୁ ଅଧିକ (୮୫%) ଶିଶୁ ଜନ୍ମ ସ୍ୱାସ୍ଥ୍ୟକେନ୍ଦ୍ରରେ ହୋଇଛି । ଏନ୍ଏଫ୍ଏଚ୍ଏସ୍-୩ଠାରୁ ୧୦ ବର୍ଷ ମଧ୍ୟରେ ସ୍ୱାସ୍ଥ୍ୟକେନ୍ଦ୍ରରେ ଶିଶୁ ଜନ୍ମ ଦ୍ୱିଗୁଣିତ ହୋଇଛି, କିନ୍ତୁ ଓଡ଼ିଶାରେ ଏବେ ବି ୧୪% ଶିଶୁ ଜନ୍ମ ଘରେ ହେଉଛି । ମହିଳାମାନେ ଶିଶୁ ଜନ୍ମର ଦୁଇ ଦିନ ମଧ୍ୟରେ ପ୍ରସବ ପରବର୍ତୀ ଯତ୍ନ ହାସଲ କରିବାକୁ ପରାମର୍ଶ ଦିଆଯାଇଛି । ମୋଟ ଉପରେ, ୭୯ ପ୍ରତିଶତ ମହିଳା ସନ୍ତାନ ପ୍ରସବର ଦୁଇ ଦିନ ମଧ୍ୟରେ ପ୍ରସବ ପରବର୍ତୀ ଯତ୍ନ ପାଉଛନ୍ତି, ମାତ୍ର ଘରେ ପ୍ରସବ କରୁଥିବା ମହିଳାଙ୍କ ମଧ୍ୟରୁ କେବଳ ଅଦେ୍ର୍ଧକ ଦୁଇ ଦିନ ମଧ୍ୟରେ ଏହି ଯତ୍ନ ପାଉଛନ୍ତି । ସର୍ଭେ ସମୟରେ ୫ ବର୍ଷର ଅନୁଧ୍ୟାନ ଅନୁଯାୟୀ ସନ୍ତାନ ପ୍ରସବ କରୁଥିବା ମହିଳାଙ୍କ ମଧ୍ୟରୁ ୭୩ ପ୍ରତିଶତ ଜନନୀ ସୁରକ୍ଷା ଯୋଜନା (ଜେଏସ୍ୱାଇ)ରେ ଆର୍ଥିକ ସହାୟତା ପାଇଛନ୍ତି, ଯାହାକି ଭାରତର ରାଜ୍ୟମାନଙ୍କ ତୁଳନାରେ ସର୍ବାଧିକ ।
ଉଲ୍ଲେଖନୀୟ ଭାବେ ନବଜାତ ଶିଶୁ ମୃତୁ୍ୟ ହାର କମିଛି, ସମ୍ପୂର୍ଣ୍ଣ ଟିକାକରଣ ବଢ଼ିଛି
ସମୟ ଅନୁଯାୟୀ ଓଡ଼ିଶାରେ ନବଜାତ ଶିଶୁ ମୃତୁ୍ୟହାର କମିଛି । ଏନ୍.ଏଫ୍.ଏଚ୍.ଏସ୍.-୪ରେ ୧୦୦୦ ଜନ୍ମିତ ଶିଶୁ କ୍ଷେତ୍ରରେ ମୃତୁ୍ୟ ହାର ୪୦% (ଯାହାକି ଜାତୀୟ ହାରାହାରି ହାର ସହ ପ୍ରାୟ ସମାନ), ଏନ୍.ଏଫ୍.ଏଚ୍.ଏସ୍.–୩ରେ ପ୍ରତି ୧୦୦୦ ଜନ୍ମିତ ଶିଶୁ କ୍ଷେତ୍ରରେ ମୃତୁ୍ୟ ହାର ୬୫% ତୁଳନାରେ ଏହା ଉଲ୍ଲେଖନୀୟ ଭାବେ କମିଛି । ଜନ୍ମର ବର୍ଷକ ମଧ୍ୟରେ ପ୍ରତି ୨୫ ଶିଶୁରେ ଜଣଙ୍କର ମୃତୁ୍ୟ ଘଟୁଥିବା ବେଳେ ୫ ବର୍ଷ ଛୁଇଁବା ପୂବରୁ ପ୍ରତି ୨୧ ଜଣ ଶିଶୁଙ୍କ ମଧ୍ୟରୁ ଜଣଙ୍କର ମୃତୁ୍ୟ ହେଉଛି ।
ଶିଶୁମାନେ ବର୍ଷକର ହୋଇଗଲେ ଗୋଟିଏ ଯକ୍ଷ୍ମା ପ୍ରତିରୋଧୀ ବିସିଜି ଟିକା, ଗୋଟିଏ ମିଳିମିଳା/ହାଡ଼ଫୁଟି ଟିକା ଏବଂ ପୋଲିଓ ଓ ଡିପିଟି ଟିକାର ୩ଟି ଲେଖାଏଁ ଡୋଜ୍ ନେବା କଥା । ୧୨-୧୩ ମାସର ଶିଶୁଙ୍କ ମଧ୍ୟରୁ ୭୯% ପିଲାବେଳେ ଦେଖା ଦେଉଥିବା ୬ଟି ପ୍ରମୁଖ ରୋଗ ନିରୋଧୀ ସମସ୍ତ ଟିକା ନେଉଛନ୍ତି, ଯାହାକି ଜାତୀୟ ହାର (୬୨%)ଠାରୁ ଅଧିକ । ଏନ୍.ଏଫ୍.ଏଚ୍.ଏସ୍.-୩ରେ ସମ୍ପୂର୍ଣ୍ଣ ଟିକାକରଣ ୫୨% ଥିବା ବେଳେ ୧୦ ବର୍ଷ ମଧ୍ୟରେ ଏ କ୍ଷେତ୍ରରେ ଉଲ୍ଲେଖନୀୟ ବୃଦ୍ଧି ହୋଇଛି । ଏଥିସହ ଓଡ଼ିଶାରେ ଏନ୍.ଏଫ୍.ଏଚ୍.ଏସ୍.-୩ ଏବଂ ଏନ୍.ଏଫ୍.ଏଚ୍.ଏସ୍.-୪ ସର୍ଭେ କାଳ ମଧ୍ୟରେ ଆବଶ୍ୟକ ଟିକାକରଣ ଉପଲବ୍ଧ କରାଇବା କ୍ଷେତ୍ରରେ ବୃଦ୍ଧି ପରିଲକ୍ଷିତ ହୋଇଛି ।
ଓଡ଼ିଶାରେ କମ୍ ବୟସର ଶିଶୁଙ୍କ କ୍ଷେତ୍ରରେ ଝାଡ଼ାବାନ୍ତି (ଡାଇରିଆ) ଏକ ପ୍ରମୁଖ ସ୍ୱାସ୍ଥ୍ୟ ସମସ୍ୟା ବିବେଚିତ ହୋଇଛି । ଯଦିଓ ଗତ ୫ ବର୍ଷ ମଧ୍ୟରେ ସନ୍ତାନ ଜନ୍ମ ଦେଇଥିବା ମହିଳାଙ୍କ ମଧ୍ୟରୁ ୯୭ ପ୍ରତିଶତ ଡାଇରିଆର ଚିକିତ୍ସା ପାଇଁ ଓରାଲ୍ ରିହାଇଡ୍ରେସନ୍ ସଲ୍ଟ (ଓଆରଏସ୍) ବିଷୟରେ ଜାଣିଛନ୍ତି, ଗତ ଦୁଇ ସପ୍ତାହ ମଧ୍ୟରେ ଡାଇରିଆରେ ପୀଡ଼ିତ ୫ ବର୍ଷରୁ କମ୍ ବୟସର ଶିଶୁଙ୍କ ମଧ୍ୟରୁ ମାତ୍ର ୬୯ ପ୍ରତିଶତ ଓଆରଏସ୍ ପ୍ୟାକେଟ୍ରୁ ପ୍ରସ୍ତୁତ ଦ୍ରବଣ ପିଇଛନ୍ତି । ମୋଟ୍ ଉପରେ, ଡାଇରିଆରେ ପୀଡ଼ିତ ୧୯ ପ୍ରତିଶତ ଶିଶୁଙ୍କୁ ତରଳ ଦ୍ରବଣ (ଗ୍ରୁଏଲ୍) ଦିଆଯାଇଛି ଏବଂ ତିନି ଚତୁର୍ଥାଂଶ ଗ୍ରୁଏଲ୍ ସମେତ ଓରାଲ ରିହାଇଡ୍ରେସନ୍ ଥେରାପି (ଓଆର୍ଟି), ପରିପୁଷ୍ଟ ତରଳ କିମ୍ବା ଓଆରଏସ୍ ବ୍ୟବହାର କରୁଛନ୍ତି ।
ଅପପୁଷ୍ଟି ଏବଂ ରକ୍ତହୀନତା
ଓଡ଼ିଶାରେ ଶିଶୁ ଏବଂ ବୟସ୍କଙ୍କ ପାଇଁ ଏକ ବଡ଼ ସ୍ୱାସ୍ଥ୍ୟ ସମସ୍ୟା ହେଉଛି ଅପପୁଷ୍ଟି । ୫ ବର୍ଷରୁ କମ୍ ବୟସର ଶିଶୁମାନଙ୍କ ମଧ୍ୟରୁ ଏକ ତୃତୀୟାଂଶରୁ ଅଧିକ (୩୪%) ଗେଡ଼ା ଅଥବା ସେମାନଙ୍କ ବୟସ ଅନୁପାତରେ ଛୋଟ ହେଉଛନ୍ତି, ଯାହା ସୂଚାଉଛି ସେମାନେ କିଛି କାଳ କୁପୋଷଣର ଶିକାର ହୋଇଛନ୍ତି । ୨୦ ପ୍ରତିଶତ କ୍ଷୀଣ ଶରୀରଧାରୀ ଅଥବା ଉଚ୍ଚତା ଅନୁଯାୟୀ ବହୁ ପତଳା ହେଉଛନ୍ତି ଯାହା ଦର୍ଶାଉଛି ଯେ ସେମାନଙ୍କୁ ଯଥେଷ୍ଟ ଖାଦ୍ୟ ମିଳି ନାହିଁ ଅଥବା କିଛି ଦିନ ତଳେ ରୋଗରେ ପଡ଼ି ଭଲ ହୋଇଛନ୍ତି । ପିଲାଙ୍କ ମଧ୍ୟରୁ ୩୪% କମ୍ ଓଜନର ହେଉଛନ୍ତି ଯାହା ଜୀର୍ଣ୍ଣ ଅଥବା ଅତି ଅପପୁଷ୍ଟିକୁ ସୂଚାଉଛି । ଏନ୍.ଏଫ୍.ଏଚ୍.ଏସ୍.-୩ରୁ ୧୦ ବର୍ଷ ମଧ୍ୟରେ ଗେଡ଼ା ହେବା ବ୍ୟତିକ୍ରମ ଉଲ୍ଲେଖନୀୟ ଭାବେ କମିଛି (୪୫%ରୁ ୩୪%) ଏବଂ କମ୍ ଓଜନ ହେବା ୪୧ ପ୍ରତିଶତରୁ ଖସି ୩୪ ପ୍ରତିଶତରେ ପହଂଚିଛି, କିନ୍ତୁ କ୍ଷୀଣ ଶରୀରଧାରୀ ହେବା ସମାନ (୨୦%) ରହିଛି ।
ଓଡ଼ିଶାରେ ୧୫ରୁ ୪୯ ବର୍ଷ ଯାଏ ବଢ଼ିଲା ବୟସର ମଣିଷ ଅପପୁଷ୍ଟି ଯୋଗୁଁ ଦୈତ ସମସ୍ୟାରେ ପଡୁୁଛନ୍ତି । ୪ ଜଣ ମହିଳାରେ ଜଣେ ଏବଂ ୫ ଜଣ ପୁରୁଷରେ ଜଣେ ଖୁବ୍ ପତଳା ଶରୀରଧାରୀ ହେଉଛନ୍ତି । (ଏନ୍ଏଫ୍ଏଚ୍ଏସ୍-୩ରେ ଏହା ମହିଳାଙ୍କ କ୍ଷେତ୍ରରେ ୪୧% ଓ ପୁରୁଷଙ୍କ କ୍ଷେତ୍ରରେ ୩୬% ଥିବାବେଳେ ଉଲ୍ଲେଖନୀୟ ସୁଧାର ଆସିଛି । ପୁରୁଷ ଓ ମହିଳାଙ୍କ ମଧ୍ୟରୁ ପ୍ରାୟ ୬ ଜଣରେ ଜଣେ (୧୭%) ଅଧିକ ଓଜନବିଶିଷ୍ଟ ଅଥବା ମେଦବହୁଳ ହେଉଛନ୍ତି । (ଏନ୍ଏଫ୍ଏଚ୍ଏସ୍-୩ରେ ଏହା ମହିଳାଙ୍କ କ୍ଷେତ୍ରରେ ୭% ଓ ପୁରୁଷଙ୍କ କ୍ଷେତ୍ରରେ ୬% ଥିବା ବେଳେ ଏଥିରେ ସୁଧାର ଆସିଛି) । ୧୫ରୁ ୪୯ ବର୍ଷ ମଧ୍ୟରେ ମହିଳା ଓ ପୁରୁଷଙ୍କ ମଧ୍ୟରୁ ୫ ଜଣଙ୍କ ମଧ୍ୟରୁ ଜଣେ ସେମାନଙ୍କ ଉଚ୍ଚତା ତୁଳନାରେ ଉପଯୁକ୍ତ ଓଜନର ଅଧିକାରୀ ହେଉଛନ୍ତି ।
ଭାରତରେ ସୁଷମ ଖାଦ୍ୟର ଅଭାବ ରକ୍ତହୀନତାର କାରଣ ହୋଇଥିବା ବେଳେ ଏହା ମଧ୍ୟ ମ୍ୟାଲେରିଆ, ସଂକ୍ରମଣ ଏବଂ ଅନ୍ୟ ସ୍ଥିତି ଯୋଗୁଁ ହେଉଛି । ୬ରୁ ୫୯ ମାସର ଶିଶୁଙ୍କ ମଧ୍ୟରୁ ପ୍ରାୟ ଅଦେ୍ର୍ଧକ (୪୫%) ରକ୍ତହୀନତାର ଶିକାର ହେଉଛନ୍ତି । ୨୫ ପ୍ରତିଶତ ସାମାନ୍ୟ ରକ୍ତହୀନତା, ୧୯ ପ୍ରତିଶତ ସ୍ୱଳ୍ପ ରକ୍ତହୀନତା ଏବଂ ୧ ପ୍ରତିଶତ ଜଟିଳ ରକ୍ତହୀନତାର ଶିକାର ହେଉଛନ୍ତି । ଏନ୍ଏଫ୍ଏଚ୍ଏସ୍-୩ ଠାରୁ ୧୦ ବର୍ଷ ମଧ୍ୟରେ ଓଡ଼ିଶାର ଶିଶୁଙ୍କ ମଧ୍ୟରେ ରକ୍ତହୀନତା ଆଶାତୀତ ଭାବେ କମିଥିଲେ (୨୦ ପ୍ରତିଶତକୁ) ମଧ୍ୟ ଏହା ଅଧିକାଂଶଙ୍କ ପାଇଁ ଜଟିଳତା ଆଣୁଛି । ରକ୍ତହୀନତା ମଧ୍ୟ ବୟସ୍କଙ୍କ କ୍ଷେତ୍ରରେ ସାଧାରଣ ଭାବେ ଦେଖା ଦେଉଛି । ଓଡ଼ିଶାରେ ମହିଳାଙ୍କ ମଧ୍ୟରୁ ଅର୍ଦ୍ଧାଧିକ (୫୧%) ରକ୍ତହୀନତାର ଶିକାର । ଏନ୍ଏଫ୍ଏଚ୍ଏସ୍-୩ ଠାରୁ ଓଡ଼ିଶାରେ ମହିଳାଙ୍କ କ୍ଷେତ୍ରରେ ରକ୍ତହୀନତା ୯ ଶତକଡ଼ା କମିଛି । ଗର୍ଭବତୀ ମହିଳାଙ୍କ ମଧ୍ୟରୁ ୪୮% ଏବଂ କ୍ଷୀର ଖୁଆଉଥିବା ମାଆଙ୍କ ମଧ୍ୟରୁ ୫୫% ରକ୍ତହୀନତାର ଶିକାର ।

Share in top social networks!
Powered By Indic IME