ମୁଖ୍ୟମନ୍ତ୍ରୀଙ୍କ ଅପାରଗତା କାରଣରୁ ଆଜି ରାଜ୍ୟର ମାଁ ଓ ଭଉଣୀମାନେ ଅବହେଳିତ, ନିର୍ଯ୍ୟାତିତ ଏବଂ ଅସୁରକ୍ଷିତ : ପ୍ରଭାତୀ ପରିଡା

 କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ, ଛତ୍ରପୁର ନାବାଳିକା ଗଣଦୁଷ୍କର୍ମ ଆଦି ଜ୍ୱଳନ୍ତ ଉଦାହରଣ
 ପୀଡିତାକୁ ଯଥା ସମ୍ଭବ ନ୍ୟାୟ ପ୍ରଦାନ ଦାବୀ
 ଗୃହମନ୍ତ୍ରୀ ଭବେ ଖୋଦ୍ ମୁଖ୍ୟମନ୍ତ୍ରୀ ଏହି ଘଟଣାର ଜବାବ୍ ରଖନ୍ତୁ
PC_MahilaMorcha_PravatiParida_17

ଦୀର୍ଘ ବର୍ଷ ଧରି ଶାସନ କ୍ଷମତାରେ ଥିବା ଶାସକ ବିଜେଡିର ମୁଖିଆ ତଥା ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ଅଧିନରେ ଗୃହବିଭାଗ ପରିଚାଳିତ । ମାତ୍ର ତାଙ୍କର ଅପାରଗତା କାରଣରୁ ଆଜି ରାଜ୍ୟର ମାଁ ଓ ଭଉଣୀମାନେ ଅବହେଳିତ, ନିର୍ଯ୍ୟାତିତ ଏବଂ ଅସୁରକ୍ଷିତ । ଏପରିକି ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ଜିଲ୍ଲା ଗଂଜାମରେ ମଧ୍ୟ ଆଇନ ଶୃଙ୍ଖଳା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ । ଏହାର ଜ୍ୱଳନ୍ତ ଉଦାହରଣ ହେଲା ସଦ୍ୟ ଘଟିତ କୁନ୍ଦୁଲି ନାବାଳିକା ଦୁଷ୍କର୍ମ ଘଟଣା ଏବଂ ଗତ କାଲି ଗଂଜାମ ଜିଲ୍ଲା ଛତ୍ରପୁର ନିକଟସ୍ଥ ନାବାଳିକା ଗଣ ଦୁଷ୍କର୍ମ ଘଟଣା ବୋଲି ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ଶ୍ରୀମତୀ ପରିଡା କହିଛନ୍ତି ଯେ, ବିଭିନ୍ନ ଖବର କାଗଜ ଓ ଗଣମାଧ୍ୟମରେ ଏହି ଖବରଟି ପ୍ରକାଶ ପାଇବା ପରେ ମହିଳା ମୋର୍ଚ୍ଚାର ଏକ ପ୍ରତିନିଧି ଦଳ ରାଜ୍ୟ ସାଧାରଣ ସଂପାଦିକା ଶ୍ରୀମତୀ ବବିତା ପାତ୍ରଙ୍କ ନେତୃତ୍ୱରେ କୋରାପୁଟ ଗସ୍ତ କରି ବାସ୍ତବ ସ୍ଥିତିକୁ ଅନୁଧ୍ୟାନ କରିଥିଲେ । ଏହି ପ୍ରତିନଧି ଦଳ ପୀଡିତା ଓ ପୀଡିତାଙ୍କ ପରିବାର ସଦସ୍ୟଙ୍କୁ ଭେଟି ଘଟଣା ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଘଟଣା ପରେ ପୀଡିତାଙ୍କ ଭାଇ ସ୍ଥାନୀୟ ଥାନାରେ ଏଫ୍.ଆଇ.ଆର୍. ଦେବା ପାଇଁ ଗଲା ବେଳକୁ ତାଙ୍କୁ ର୍ଦୁବ୍ୟବହାର କରି ତଡି ଦେବା, ପୀଡିତା ଏବଂ ତା ପରିବାରକୁ ସୁରକ୍ଷା ଦେବା ପରିବର୍ତେ ଆକ୍ରୋଶମୂଳକ ଭାବେ ଖରାପ ବ୍ୟବହାର ପ୍ରଦର୍ଶନ କରିବା ଆଦି ଏହି ପ୍ରତିନଧି ଦଳର ସଦସ୍ୟମାନେ ଶୁଣିବାକୁ ପାଇଥିଲେ । ଏହା ପରେ ଉକ୍ତ ପ୍ରତିନିଧି ଦଳ ଘଟଣା ସଂର୍କରେ ଜିଲ୍ଲା ଏସ୍.ପି.ଙ୍କୁ ଭେଟି ବିସ୍ତୃତ ଆଲୋଚନା କରିଥିଲେ ସୁଦ୍ଧା ଏସ୍,ପି. ମହୋଦୟ କୈାଣସି ଉତର ନ ଦେଇ ନୀରବ ରହିଥିଲେ ବୋଲି ଶ୍ରୀମତୀ ପରିଡା ସୁଚନା ଦେଇଛନ୍ତି ।
ପୀଡିତାକୁ ନ୍ୟାୟ ମିଳୁ । ଆକ୍ରୋଶ ମୂଳକ ବ୍ୟବହାର ପ୍ରଦର୍ଶନ କରିବା ପରିବର୍ତେ ପୋଲିସ ପ୍ରଶାସନ ସହୃଦୟତାର ସହିତ ପୀଡିତା ଏବଂ ତାର ପରିବାର ପ୍ରତି ବନ୍ଧୁତାପୂର୍ଣ୍ଣ ବ୍ୟବହାର ପ୍ରଦର୍ଶନ କରୁ ବୋଲି ଶ୍ରୀମତୀ ପରିଡା ଦାବୀ କରିଛନ୍ତି ।
ରାଜ୍ୟରେ କୈାଣସି ଅପରାଧିକ ଘଟଣା ଘଟିଲେ ନିଜର ଅପାରଗତାକୁ ଲୁଚାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ତୁରନ୍ତ ଅନୁକଂପା ରାଶି ଘୋଷଣା ବର୍ତମାନ ତାଙ୍କର ଅଭ୍ୟାସରେ ପରିଣତ ହୋଇଛି । ଏହା କରି ମୁଖ୍ୟମନ୍ତ୍ରୀ ଅପରାଧିକୁ ଧରିବାରେ ବିଭାଗର ନିଷ୍କ୍ରିୟତାକୁ ଘୋଡାଇବାର ହୀନ ଉଦ୍ୟମ ଆରମ୍ଭ କରି ଦେଇଛନ୍ତି । ଏଭଳି ନିନ୍ଦନୀୟ ଉଦ୍ୟମରୁ ଦୁରେଇ ଯାଇ ମୁଖ୍ୟମନ୍ତ୍ରୀ ଅପରାଧୀମାନଙ୍କୁ ଧରି କଠୋର ଦଣ୍ଡ ବିଧାନ ପାଇଁ ପ୍ରୟାସ କରିବାକୁ ଶ୍ରୀମତୀ ପରିଡା ଦାବୀ ଜଣାଇଛନ୍ତି ।
ଏହି ଅବସରରେ ରାଜ୍ୟ ପ୍ରବକ୍ତା ସୁଦୀପ୍ତ ରାୟ, ମହିଳା ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦିକା ବବିତା ପାତ୍ର ଏବଂ କୋଷାଧକ୍ଷା ବିଜୟଲକ୍ଷ୍ମୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!