ଅକ୍ଟୋବର ୧୪ରୁ ଦ୍ବିତୀୟ ଭୁବନେଶ୍ବର ପୋଏଟ୍ରି ଫେଷ୍ଟିଭାଲ

8 (1)
ପୂର୍ବଭାରତର ପ୍ରଥମ କବିତା ଉତ୍ସବ ଭାବେ ୨୦୧୬ ମସିହାରେ ଆରମ୍ଭ ହୋଇଥିବା ଭୁବନେଶ୍ବର ପୋଏଟ୍ରି ଫେଷ୍ଟିଭାଲର ଦ୍ବିତୀୟ ସଂସ୍କରଣ ଚଳିତ ଅକ୍ଟୋବର ୧୪ ଓ ୧୫ ତାରିଖ ଦୁଇଦିନ ବ୍ୟାପି ମେଫେୟାର କନ୍ଭେନସନ୍ ଠାରେ ଅନୁଷ୍ଠିତ ହେବ।
ସାହିତ୍ୟ, କଳା, ସଂସ୍କୃତି, ସାମାଜିକ ତର୍କ ଓ ବୈଚାରିକ ବିମର୍ଶର ଏହି ଜାତୀୟ ସ୍ତରୀୟ ମହାକୁମ୍ଭରେ ସାହିତ୍ୟ ସମେତ, ସଂଗୀତ, ସିନେମା ଓ ରାଜନୈତିକ କ୍ଷେତ୍ରର ପ୍ରାୟ ୧୦୦ ବିଶିଷ୍ଟ ବ୍ୟକ୍ତବିଶେଷ ଅତିଥି ଭାବେ ଯୋଗ ଦେବେ।
ଚଳିତ ବର୍ଷ ଉତ୍ସବକୁ ଦୁଇଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି। ୧୪ ତାରିଖ ସାହିତ୍ୟ ଉତ୍ସବ ଅନୁଷ୍ଠିତ ହେବାକୁ ଥିବା ବେଳେ ୧୫ ତାରିଖରେ ରାଜନୈତିକ, ସାମାଜିକ ଓ କଳାତ୍ମକ ବିଷୟ ଉପରେ ଆଲୋଚନା ରହିବ।
ପ୍ରତ୍ୟହ ଉତ୍ସବ ପୂର୍ବାହ୍ନ ୧୦ଟାରେ ଆରମ୍ଭ ହୋଇ ସଂଧ୍ୟା ୫ଟା ୩୦ରେ ସମାପନ ହେବ।
ପ୍ରଥମ ଦିନ ଉଦ୍ଘାଟନୀ ଉତ୍ସବରେ ବରିଷ୍ଠ କବି ପଦ୍ମବିଭୂଷଣ କବି ସୀତାକାନ୍ତ ମହାପାତ୍ର, ପଦ୍ମଭୂଷଣ କବି ରମାକାନ୍ତ ରଥ, କବି ଓ ଚିନ୍ତକ ହରପ୍ରସାଦ ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେବେ। ଏହି ଉତ୍ସବରେ କବିତା,କଥା ସାହିତ୍ୟ, ଅନୁବାଦ, ଗୀତିକବିତା ଓ ସଂଗୀତ ଆଦି ପ୍ରସଙ୍ଗରେ ଆଲୋଚନା ରହିବ।
ଦ୍ବିତୀୟ ଦିନରେ ସାମାଜିକ ତର୍କ ଓ ବୈଚାରିକ ବିମର୍ଶ ରହିବ। ଏହାର ଉଦ୍ଘାଟନୀ ଉତ୍ସବରେ ଅର୍ଥ ଓ ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା, ବରିଷ୍ଠ କଂଗ୍ରେସ ନେତା ନିରଂଜନ ପଟ୍ଟନାୟକ, ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର, ଉତ୍କଳ ଭାରତ ସଭାପତି ଐର ଖାରବେଳ ସ୍ବାଇଁ ଓ କବି ତଥା ବରିଷ୍ଠ ରାଜନେତା ଡ. ଅରୁଣ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହିବେ। ପରେ ପରେ ମହାନଦୀ ପ୍ରସଙ୍ଗକୁ ନେଇ ଏକ ତର୍କରେ ବିଭିନ୍ନ ରାଜନୈତିକ ଦଳର ପ୍ରମୁଖ ପ୍ରତିନିଧିମାନେ ଯୋଗଦେବେ। ଦ୍ବିତୀୟ ଦିନରେ ସିନେମା, ପ୍ରତିବାଦ ଆଦି ପ୍ରସଙ୍ଗରେ ମଧ୍ୟ ବିମର୍ଶ ରହିବ।
ଉତ୍ସବରେ ଇଂରାଜୀ, ହିନ୍ଦୀ, ମାଲାୟଲମ, ଓଡ଼ିଆ ଓ ବଙ୍ଗଳା ଆଦି ଭାରତୀୟ ବିଭିନ୍ନ ଭାଷାର ଲେଖକ ପ୍ରତିନିଧିମାନେ ଯୋଗଦେବେ। ଚଳିତ ବର୍ଷ ଓସ୍କାର ଏକାଡେମି ପୁରସ୍କର ଚୟନ କମିଟି ଭାରତୀୟ ବିଚାରକ ଥିବା ଅଭିନେତ୍ରୀ-ନିର୍ଦ୍ଦେଶିକା ବିଜୟା ଜେନା, କବି ଓ ଗୀତ ଲେଖକ ଦୁଷ୍ୟନ୍ତଙ୍କ ସମେତ ରାଜ୍ୟ ବାହାରୁ ବହୁ ବିଖ୍ୟାତ ବ୍ୟକ୍ତିତ୍ବ ଅତିଥି ଭାବେ ଯୋଗ ଦେବେ।
ଆମ ଓଡ଼ିଆ ସାହିତ୍ୟର ବହୁ ବରିଷ୍ଠ ଓ କନିଷ୍ଠ ତଥା ପ୍ରସିଦ୍ଧ ଲେଖକ, ସମାଲୋଚକ, ଅନୁବାଦକ, କବି, ପ୍ରଶାସକ, ରାଜନେତା ଏବଂ ସିନେମା ନିର୍ଦ୍ଦେଶକ ଅତିଥି ଭାବେ ଉପସ୍ଥିତ ରହିବେ। ପ୍ରତି ସଂଧ୍ୟାରେ ନିର୍ବାଚିତ ଓଡ଼ିଆ କବିଙ୍କୁ ନେଇ କବିତା ପାଠୋତ୍ସବ ମଧ୍ୟ ଅନୁଷ୍ଠିତ ହେବ। ସାହିତ୍ୟ, କଳା ଓ ସଂସ୍କୃତିପ୍ରେମୀ ଜନସାଧାରଣ ଏହି ଉତ୍ସବରେ ଯୋଗ ଦେବା ଲାଗି ଆୟୋଜକ ଅନୁଷ୍ଠାନ ପ୍ରସିଦ୍ଧ ପ୍ରକାଶକ ପେନ୍ ଇନ୍ ବୁକ୍ସ ଓ ନ୍ୟୁଜ୍ ପୋର୍ଟାଲ ଓଡ଼ିଶାଷ୍ଟୋରୀ ଡଟ୍ କମ୍ ପକ୍ଷରୁ ଅନୁରୋଧ କରାଯାଇଛି।
ଆଜି ସଂଧ୍ୟାରେ ଭୁବନେଶ୍ବର କେଶରୀ ହୋଟେଲ ପରିସରରେ ଆୟୋଜକ ଅନୁଷ୍ଠାନ ପ୍ରସିଦ୍ଧ ପ୍ରକାଶକ ପେନ୍ ଇନ୍ ବୁକ୍ସ ଓ ନ୍ୟୁଜ୍ ପୋର୍ଟାଲ ଓଡ଼ିଶାଷ୍ଟୋରୀ ଡଟ୍ କମ୍ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ବିସ୍ତୃତ ସୂଚନା ଦିଆଯାଇଛି। ଏଥିରେ ଉତ୍ସବର ଉପଦେଷ୍ଟା ବରିଷ୍ଠ କବି ଓ ଚିନ୍ତକ ହରପ୍ରସାଦ ଦାଶ, କବି ଓ କଥାଶିଳ୍ପୀ ଶରତ କୁମାର ଦାଶ, କବି ଓ ରାଜନେତା ଶଙ୍କର ପରିଡ଼ାଙ୍କ ସହ ଉତ୍ସବ ନିର୍ଦ୍ଦେଶକ କବି ଓ କଥାଶିଳ୍ପୀ ଶୁଭ୍ରାଂଶୁ ପଣ୍ଡା ଉପସ୍ଥିତ ଥିଲେ।

Share in top social networks!